ଅଦିନିଆ ବର୍ଷାରେ ଭାଙ୍ଗିଲା ମୁଖ୍ୟ ରାସ୍ତା, ଯାତାୟାତ ଠପ୍ : ଚାଉଳ ଗାଡ଼ିଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଇପାରୁନି, ତୁରନ୍ତ ମରାମତି ଦାବି
Nuapada (ନୂଆପଡ଼ା)ବିଜୟ ବରିହାAugust 31, 202625 views

ନୂଆପଡ଼ା, ୩୧/୦୮: ଅଦିନିଆ ବର୍ଷା ଯୋଗୁଁ ନୂଆପଡ଼ା ସଦର ବୋଇରଭାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଇରଭାଡି ଗାଁର ମୁଖ୍ୟ ରାସ୍ତାର ଗାଡ଼ୱାଲ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଗାଁକୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପରିକି ପଞ୍ଚାୟତକୁ ଚାଉଳ ନେଇ ଆସୁଥିବା ଗାଡ଼ି, ଲକ୍ଷ୍ମୀ ବସ୍, ସ୍କୁଲ ବସ୍ ଓ ଆମ୍ବୁଲାନ୍ସ ଭଳି ଜରୁରୀ ଯାନବାହନ ମଧ୍ୟ ଗାଁ ଭିତରକୁ ଯାଇପାରୁନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାର ଗାଡ଼ୱାଲ ଭାଙ୍ଗିଯିବା ପରେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା ସହ ଅସୁସ୍ଥ ରୋଗୀଙ୍କୁ ହସ୍ପିଟାଲ ନେବା ସମୟରେ ମଧ୍ୟ ଲୋକଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁ ନିକଟକୁ ମଧ୍ୟ ପହଞ୍ଚିପାରୁନଥିବା ଯୋଗୁଁ ରୋଗୀ ଓ ବୃଦ୍ଧମାନଙ୍କୁ ନେଇ ପରିବାର ଲୋକେ ଚିନ୍ତାରେ ରହୁଛନ୍ତି।
ଅନ୍ୟପକ୍ଷରେ, ରାସ୍ତାରେ ବାଲି ଓ ଗୋଡ଼ି ପକାଇ ଦିଆଯାଇଥିଲେ ମଧ୍ୟ ନିର୍ମାଣ କାମର ମାନକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଠିକାଦାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କାମ ଠିକ୍ ଭାବରେ କରାଯାଉନଥିବାରୁ ଅଦିନିଆ ବର୍ଷା ହେଲେ ରାସ୍ତା ପୁଣି ଭାଙ୍ଗିଯିବାର ଆଶଙ୍କା ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବର୍ଷା ଋତୁରେ ରାସ୍ତାର ସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ଭାଙ୍ଗିଥିବା ଗାଡ଼ୱାଲର ତୁରନ୍ତ ମରାମତି ସହ ରାସ୍ତା ନିର୍ମାଣ କାମକୁ ଗୁଣାତ୍ମକ ଭାବେ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ନିର୍ମାଣ କାମର ମାନ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ରାସ୍ତାର ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଅଦିନିଆ ବର୍ଷାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହେବା ସହ ଗ୍ରାମବାସୀଙ୍କ ସମସ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

