--:--:--
-- ---
Srishti News

ଅଚଳ ଆକ୍ୱାଗାର୍ଡ, ପାଣି ପାଇଁ ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ

Bargarh (ବରଗଡ଼)ରିପୋର୍ଟ: ସତ୍ୟ ସୁରୁଜଳSeptember 24, 20267 views
ଅଚଳ ଆକ୍ୱାଗାର୍ଡ, ପାଣି ପାଇଁ ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ
ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଇବା ପାଣିକୁ ନେଇ ସମସ୍ୟା ଦେଖାଦେଇଛି। ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲାରେ ଲାଗିଥିବା ଆକ୍ୱାଗାର୍ଡ ଦୀର୍ଘ ସମୟ ଧରି ଅଚଳ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟ୍ୟାପ୍ ଦବାଇଲେ ମଧ୍ୟ ପାଣି ବାହାରୁନଥିବାରୁ ବିଶୁଦ୍ଧ ପିଇବା ପାଣି ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହେଉଛନ୍ତି। ପ୍ରତିଦିନ ଏହି ଚିକିତ୍ସାଳୟକୁ ବରଗଡ଼ ଜିଲ୍ଲା ସମେତ ଦୂରଦୂରାନ୍ତ ଅଞ୍ଚଳରୁ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଅନେକ ରୋଗୀ ଦୀର୍ଘ ସମୟ ଧରି ହସ୍ପିଟାଲରେ ରହୁଥିବା ବେଳେ ସେମାନଙ୍କ ସହ ରହୁଥିବା ସମ୍ପର୍କୀୟଙ୍କ ପାଇଁ ମଧ୍ୟ ପିଇବା ପାଣି ଏକ ଅତ୍ୟାବଶ୍ୟକ ସୁବିଧା। କିନ୍ତୁ ତୃତୀୟ ମହଲାରେ ଥିବା ଆକ୍ୱାଗାର୍ଡ ଅଚଳ ହୋଇଥିବାରୁ ଲୋକେ ପାଣି ପାଇଁ ଅନ୍ୟ ସ୍ଥାନ ଉପରେ ନିର୍ଭର କରୁଛନ୍ତି। ବିଶେଷକରି ରୋଗୀଙ୍କ ଚିକିତ୍ସା ସମୟରେ ବିଶୁଦ୍ଧ ପାଣିର ଆବଶ୍ୟକତା ଅଧିକ ରହୁଥିବା ବେଳେ ହସ୍ପିଟାଲ ପରିସରରେ ଏଭଳି ଏକ ମୌଳିକ ସୁବିଧା ଅଚଳ ହୋଇପଡ଼ିବାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ୱାସ୍ଥ୍ୟସେବା ଭଳି ଏକ ଜରୁରୀ ସ୍ଥାନରେ ପିଇବା ପାଣି ଭଳି ମୌଳିକ ସୁବିଧା ସୁଚାରୁ ଭାବେ ଉପଲବ୍ଧ କରାଇବା ଆବଶ୍ୟକ। ତେଣୁ ଅଚଳ ଆକ୍ୱାଗାର୍ଡକୁ ଶୀଘ୍ର ମରାମତି କରି ପୁଣିଥରେ କାର୍ଯ୍ୟକ୍ଷମ କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ସୁବିଧାରେ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ଦାବି ହେଉଛି। ତେବେ ଦୀର୍ଘ ସମୟ ଧରି ଅଚଳ ଥିବା ଏହି ଆକ୍ୱାଗାର୍ଡ କେବେ ମରାମତି ହେବ ଏବଂ ରୋଗୀ ଓ ସମ୍ପର୍କୀୟଙ୍କୁ କେବେ ମିଳିବ ସୁବିଧାରେ ବିଶୁଦ୍ଧ ପିଇବା ପାଣି—ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।