ଲଗାଣ ବର୍ଷାରେ ଚାଷୀକୂଳ ଚିନ୍ତାରେ:ଏକର ଏକର ଧାନ ଫସଲ ଜଳମଗ୍ନ, ନଷ୍ଟ ଆଶଙ୍କା: ପାଟପୁର, ରାଧାଦେଇପୁର ଓ ଉସ୍ତା ଅଞ୍ଚଳରେ ଚାଷୀଙ୍କ ମୁଣ୍ଡରେ ଚିନ୍ତାର ଭାଜ
Ganjam (ଗଞ୍ଜାମ)ବିଜୟନନ୍ଦ ତ୍ରିପାଠୀSeptember 24, 20264 views

: ଲଗାଣ ବର୍ଷା ଯୋଗୁଁ ଚାଷଜମିରେ ଜମି ରହିଛି ବର୍ଷାଜଳ। ଫଳରେ ଏକର ଏକର ଧାନ ଫସଲ ଜଳମଗ୍ନ ହୋଇପଡ଼ିଥିବା ବେଳେ ଫସଲ ନଷ୍ଟ ହେବା ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ପାଟପୁର, ରାଧାଦେଇପୁର ଓ ଉସ୍ତା ଗ୍ରାମ ଅଞ୍ଚଳର ବିଭିନ୍ନ ଚାଷଜମିରେ ବର୍ଷାଜଳ ଦୀର୍ଘ ସମୟ ଧରି ଜମି ରହିଥିବା ଅଭିଯୋଗ ହୋଇଛି। ଧାନ ଗଛ ପାଣିରେ ବୁଡ଼ି ରହିବା ଯୋଗୁଁ ଆଗାମୀ ଦିନରେ ଫସଲର ଉତ୍ପାଦନ ହ୍ରାସ ପାଇବା ସହ ଅନେକ ଜମିରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।
ଚାଷୀମାନଙ୍କ କହିବା ଅନୁସାରେ, ଚାଷଜମିରୁ ବର୍ଷାଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଅତ୍ୟଧିକ ଜଳ ଜମି ରହିଲେ ଧାନ ଗଛର ମୂଳ ପଚିବା ସହ ଫସଲରେ ରୋଗପୋକ ଦେଖାଦେବାର ସମ୍ଭାବନା ମଧ୍ୟ ରହିଛି।
ଅନ୍ୟପକ୍ଷରେ, ଜମିରୁ ଶୀଘ୍ର ଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ କ୍ଷତିଗ୍ରସ୍ତ ଚାଷଜମିର ସରକାରୀ ସ୍ତରରେ ଆକଳନ କରାଯାଇ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଥିବାରୁ ପ୍ରଶାସନ କେବେ ତତ୍ପରତା ଦେଖାଉଛି ଏବଂ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ କି ପଦକ୍ଷେପ ନେଉଛି, ତାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି।
