--:--:--
-- ---
Srishti News

Web News

ଅଚଳ ଉଠା ଜଳସେଚନ ପ୍ରକଳ୍ପ, ସଙ୍କଟରେ ୨୫ ଏକର ଚାଷ  ଦୁଇ ମାସ ହେଲା ମୋଟର ଅଚଳ, ଶୁଖି ଫାଟିଲାଣି ଧାନଜମି
Oct 13, 2026•48 views

ଅଚଳ ଉଠା ଜଳସେଚନ ପ୍ରକଳ୍ପ, ସଙ୍କଟରେ ୨୫ ଏକର ଚାଷ ଦୁଇ ମାସ ହେଲା ମୋଟର ଅଚଳ, ଶୁଖି ଫାଟିଲାଣି ଧାନଜମି

ଚିକିଟି, ୧୩।୧୦: ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହି ଯୋଜନାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚିବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଲାଲମେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଶିରିପୁର ଅଞ୍ଚଳରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଦୀର୍ଘ ଦୁଇ ମାସ ହେଲା ଉଠା ଜଳସେଚନ ପ୍ରକଳ୍ପର ମୋଟର ଅଚଳ ହୋଇପଡ଼ିଥିବାରୁ ପ୍ରାୟ ୨୫ ଏକର ଚାଷଜମିକୁ ପାଣି ମାଡ଼ିପାରୁନାହିଁ। ଫଳରେ ଧାନ ଫସଲ ଉଜୁଡ଼ିଯିବା ଆଶଙ୍କାରେ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ଯୋଜନା ଅଧୀନରେ ଶିରିପୁର ଅଞ୍ଚଳରେ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ପ୍ରକଳ୍ପ ଆରମ୍ଭ ହେବା ସମୟରେ ଏହାଦ୍ୱାରା ଅଞ୍ଚଳର ପ୍ରାୟ ୨୫ ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିବ ବୋଲି ଆଶା କରାଯାଇଥିଲା। କିନ୍ତୁ ବାରମ୍ବାର ମୋଟର ଅଚଳ ହେଉଥିବାରୁ ଚାଷୀଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ମୋଟର ଦୀର୍ଘ ଦୁଇ ମାସ ଧରି ଅଚଳ ହୋଇପଡ଼ିଛି। ଏନେଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନାହିଁ। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ବର୍ଷା ନଥିବାରୁ ରୁଆ ଧାନଜମି ଶୁଖି ଫାଟିବାକୁ ଲାଗିଲାଣି। ଆଗାମୀ ଏକ ସପ୍ତାହ ମଧ୍ୟରେ ବର୍ଷା ନହେଲେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ପ୍ରକଳ୍ପ ଚାଷୀଙ୍କ ଆବଶ୍ୟକତା ସମୟରେ ଅଚଳ ହୋଇପଡ଼ିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ନିୟମିତ କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠିବା ସହ ଯୋଜନାର ଉଦ୍ଦେଶ୍ୟ ନେଇ ମଧ୍ୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମୋଟର ମରାମତି କରି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ସାମନ୍ତିଆପଲ୍ଲୀରେ ୭୦ତମ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ
Oct 13, 2026•69 views

ସାମନ୍ତିଆପଲ୍ଲୀରେ ୭୦ତମ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ

ପାତ୍ରପୁର, ୧୨/୧୦: ଗଞ୍ଜାମ ଜିଲ୍ଲାର ୭୦ତମ ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତା ପାତ୍ରପୁର ବ୍ଲକ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ସ୍ଥିତ ମହନ୍ତଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ପରିସରରେ ଆରମ୍ଭ ହୋଇଯାଇଛି ।୧୪ ଓ ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ବର୍ଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୨୨ଟି ବ୍ଲକରୁ ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଯୋଗଦେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏହି ପ୍ରତିଯୋଗିତା ଚଳିତ ଅକ୍ଟୋବର ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ। ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ, ପାତ୍ରପୁର ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବ୍ରହ୍ମପୁର ଏହାର ପ୍ରଯୋଜକ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଚିକିଟି ଯୋଗ ଦେଇଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭାଗିରଥି ସ୍ଵାଇଁ ,ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର, ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ ପଟ୍ଟନାୟକ, ମେଡିକାଲ ଅଧିକାରୀ ସମ୍ବିଦ ବେଗରାଇ,ସରପଞ୍ଚ ଏନ୍ ତିରୁପତି, ଜନାର୍ଦ୍ଦନ ସାହୁ ମଞ୍ଚାସିନ ଥିଲେ।୨୨ ଟି ବ୍ଳକର ଖେଳାଳୀ ମାନେ ଅତିଥି ମାନଙ୍କ ସମ୍ମୁଖରେ ନିଜ ନିଜ ବ୍ଳକର ପ୍ଲା କାର୍ଡ ଧରି ରାଲି କରିଥିବା ବେଳେ ଚିନ୍ମୟ ପଲାଲ ମଞ୍ଚ ପରିଚାଳନା କରିଥିଲେ।ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଦଳଗତ ସହଯୋଗ ଓ ପ୍ରତିଯୋଗିତାମୂଳକ ଦକ୍ଷତାର ବିକାଶ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ତିନିଦିନିଆ ଏହି କ୍ରୀଡ଼ା ମହୋତ୍ସବରେ ବିଭିନ୍ନ ବିଦ୍ୟାଳୟର ଖେଳାଳିଙ୍କ ମଧ୍ୟରେ ରୋମାଞ୍ଚକର କବାଡ଼ି ମ୍ୟାଚ୍‌ ଦେଖିବାକୁ ମିଳିବ। ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଖେଳ ପରିଚାଳନା କରାଯାଇଥିଲା। ବି ଇ ଓ ସୀତାରାମ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ। କ୍ରିଡ଼ା ଶିକ୍ଷକ ଅରୁଣ କୁମାର ମହାନ୍ତି, ବହୁ କ୍ରୀଡ଼ା ଶିକ୍ଷକ, ସମସ୍ତ ସି ଆର୍ ସି ସି, ଶିକ୍ଷକ ନେତା ଟୁଟୁ ପ୍ରଧାନ ଙ୍କ ସମେତ ସରକାରୀ କର୍ମଚାରୀ ମାନେ ସହଯୋଗ କରିଥିଲେ।ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ଏକତା ଫାଉଣ୍ଡେସନ ର ଦାଣ୍ଡିଆ ନୃତ୍ୟ ପ୍ରତିଯୋଗିତା
Oct 13, 2026•67 views

ଏକତା ଫାଉଣ୍ଡେସନ ର ଦାଣ୍ଡିଆ ନୃତ୍ୟ ପ୍ରତିଯୋଗିତା

ରାଉରକେଲା: ସାମାଜିକ ଅନୁଷ୍ଠାନ ଏକତା ଫାଉଣ୍ଡେସନ ତରଫରୁ ଦାଣ୍ଡିଆ ନୃତ୍ୟ ଓ ପୋଷାକ ପ୍ରତିଯୋଗିତା ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ଆବାହକତ୍ୱ ଓ ଚାଇନା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜ୍ଞାନେନ୍ଦ୍ର ଦାଶ, ନରେନ୍ଦ୍ର ସାନ୍ଧୁ,କାଞ୍ଚନ ରାୟ ଓ ଅନାଦି ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଶତାଧିକ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ସଂଗ୍ରାମ ପତି,ସୁଲତା ପତି,ଝୁନୁ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ। କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ କାର୍ଯ୍ୟକାରୀ ସଭାପତି ସୁଚିସ୍ମିତା ପଣ୍ଡା, ଉପସଭାପତି ବିଜୟ ସୁନ୍ଦରାୟ, କୋଷାଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ସମେତ ସଦସ୍ୟା ଜ୍ୟୋସ୍ନା, ମନୋରମା, ନିରୁପମା, ଆରତୀ, ଲତିକା,ଶଶିଲତା ଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଏଭଳି କାର୍ଯ୍ୟକ୍ରମ ବିଗତ ୬ ବର୍ଷ ଧରି ଚାଲୁଅଛି।କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନର“ବୋଧନ” କାର୍ଯ୍ୟକ୍ରମ
Oct 13, 2026•121 views

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନର“ବୋଧନ” କାର୍ଯ୍ୟକ୍ରମ

ରାଉରକେଲା: ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନ , ରାଉରକେଲା ଶାଖା ପକ୍ଷରୁ “ବୋଧନ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାଖାର ସଭାପତି ଦିଲୀପ ଭୁଇ ଏବଂ ସମ୍ପାଦିକା ସୁଚିସ୍ମିତା ବିଶ୍ୱାସ ଅଭିଭାଷଣ ସହ ଶାଖାର ବିଭିନ୍ନ କାର୍ଯ୍ୟକଳାପ ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ମତ ରଖିଥିଲେ । ପରେ ଆକାଶବାଣୀ ର ଶତବାର୍ଷିକୀ ଉପଲକ୍ଷେ “ଆକାଶବୀଣାୟ ଆଗମନୀ” ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବଙ୍ଗଳାର ଦୁର୍ଗାପୂଜା ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ଐତିହାସିକ ପ୍ରସାରଣର ସ୍ମୃତି, ଭକ୍ତି ଓ ଉତ୍ସବର ଆବେଗକୁ କଥନ, ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ପୁନର୍ଜୀବିତ କରିବା ଏହି ପରିବେଷଣର ମୂଳ ଲକ୍ଷ୍ୟ ଥିଲା। କଥନ ରଚନା ଜୟା ମୁନ୍‌ଶୀ, କଥନ ପରିବେଷଣ ଶୁଭ୍ରାଂଶୁ ଶେଖର ମିତ୍ର, ଅର୍ଥିତା ଭଟ୍ଟାଚାର୍ଯ୍ୟ, ଶର୍ମିଷ୍ଠା ବାନାର୍ଜୀ ଏବଂ ଅନ୍ୱେଷା ସେନଗୁପ୍ତା କରିଥିଲାବେଳେ ସଙ୍ଗୀତରେ ସହଯୋଗୀ ଭାବେ ଜୟା ମୁନ୍‌ଶୀ ,ଋଷଭ ଗୁରୁୱାରା ଓ ନୃତ୍ୟ ରେ ଜୟା ମୁନ୍‌ଶୀ ଏବଂ ସୁଚିସ୍ମିତା ବିଶ୍ୱାସ ତଥା ସଙ୍ଗୀତ ପରିବେଷଣରେ ପାପିଆ ମଜୁମଦାର, ତମିଶ୍ରା ଭଟ୍ଟାଚାର୍ଯ୍ୟ, ଆରତୀ ଜାନା,ସଂଯୁକ୍ତା ସେନ,ରିମି ଚକ୍ରବର୍ତ୍ତୀ, ପିଉ ଗୁହ,ଜୟା ମୁନ୍‌ଶୀ, ଅନ୍ୱେଷା ସେନଗୁପ୍ତା,ଋଷଭ ଗୁରୁୱାରା ସୁସ୍ମିତା ନସ୍କର ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ନିର୍ଦ୍ଦେଶନା ସୁସ୍ମିତା ନସ୍କର ଦେଇଥିବା ବେଳେ ପରବର୍ତ୍ତୀ ଶମ୍ପା ମଜୁମଦାରଙ୍କ ଦ୍ୱାରା କବିତା ଆବୃତ୍ତି ,ପରେ କୋଏନା ଦସ୍ତିଦାର ଏକକ ନୃତ୍ୟ ଓ ପଲ୍ଲବ ଚାଟାର୍ଜୀ ତଥା ରତ୍ନା ଚାଟାର୍ଜୀ ନିର୍ଦ୍ଦେଶିତ ଶ୍ରୁତିନାଟକ “ଶାରଦୀୟା” ପରିବେଷଣ କରାଯାଇଥିଲା। ଏଥିରେ ଶର୍ମିଷ୍ଠା ବାନାର୍ଜୀ,ଅନ୍ୱେଷା ସେନଗୁପ୍ତା, ମୌସୁମୀ ରାୟ ତପାଦାର, ସୀମା ପଲ୍,ସର୍ବାଣୀ ମିତ୍ର ଏବଂ ରିଙ୍କୁ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ଶାରଦୀୟ ପାର୍ବଣର ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ
Oct 13, 2026•35 views

ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ଶାରଦୀୟ ପାର୍ବଣର ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ

ଶାରଦୀୟ ପାର୍ବଣ ଉତ୍ସବ ସମସ୍ତଙ୍କ ପାଇଁ ମଙ୍ଗଳମୟ ଓ ଶୁଭଙ୍କର ହେଉ " ଏହି ବାର୍ତ୍ତା ଦେଇ ଅଧିବେଶନର ମୁଖ୍ୟ ଅତିଥି ପ୍ରାକ୍ତନ ବରିଷ୍ଠ ଏସପି ଶତ୍ରୁଘ୍ନ ପରିଡା ରାଉରକେଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନର ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେ କଳିଙ୍ଗବିହାର ଠାରେ ପୂର୍ବତନ ଅଫିସର ମାନଙ୍କୁ ନେଇ ଅଭିନନ୍ଦନ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ମନ୍ତ୍ର ଉଚ୍ଚାରଣ କରାଯାଇ ମା' ଦୁର୍ଗା, ମା' ଲକ୍ଷ୍ମୀ ଓ ମା'କାଳୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ବିଗତ ଦିନରେ ଆସୋସିଏସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଡ଼କ୍ଟର ଦତ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ l ଆସୋସିଏସନର ଏକ ଅଫିସ ଗୃହ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ପୁଣିଥରେ ଅନୁରୋଧ କରିବା, ଅନ୍ୟ ହସ୍ପିଟାଲ ଭଳି ଆମର ସଭ୍ୟ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଆପୋଲୋ ହସ୍ପିଟାଲର ମୁଖ୍ୟ ପରିଚାଳକଙ୍କୁ ଅନୁରୋଧ କରିବା, ଆସନ୍ତା ଡିସେମ୍ବର ମାସରେ ବାର୍ଷିକ ଉତ୍ସବ ପାଳନ କରିବା, ଷ୍ଟେଟବ୍ୟାଙ୍କରେ ଗୋଟିଏ ଆକାଉଣ୍ଟ ଖୋଲିବା ଆଦି ବିଷୟରେ ସଭ୍ୟ ମାନେ ଗୁରୁତ୍ୱାରୋପ କରିଥିଲେ l ନିଜେ ଭଡା ଘରେ ଥାଇ ବାସଗୃହ ନ ଥିବା ପଚାଶ ଜଣ ବ୍ୟକ୍ତିଙ୍କୁ ନିଜସ୍ୱ ଖର୍ଚ୍ଚରେ ଘର ତିଆରି କରି ହସ୍ତାନ୍ତର କରିଥିବା ବିଶିଷ୍ଟ ସମାଜସେବୀ ଭରତ ବାଇଙ୍କୁ ଆସୋସିଏସନ ତରଫରୁ ପୁଷ୍ପଗୁଛ,ଉତ୍ତରୀୟ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା l ପୂର୍ବତନ ଏସପି ତଥା ବର୍ଷୀୟାନ ଉପଦେଷ୍ଟା ଜନାବ ହାଇଦର ଖାନଙ୍କୁ ପୁଷଗୁଛ ଦେଇ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରାଯାଇଥିଲା l ବିଗତ ଦିନରେ ସବ-ଇନସ୍ପେକଟର ମନୋହର ପ୍ରଧାନ ଓ.ଏ.ଏସ ପାଇଥିବାରୁ, ରେଳବାଇ କୁଲି କାମ କରୁଥିବା ସନ୍ତୋଷ ସା' ଙ୍କର ଦୁଇପୁଅ ଏନଆଇଟି ପାଇଁ କୃତକାର୍ଯ୍ୟ ହୋଇଥିବାରୁ, ହୋମଗାର୍ଡ ଅଞ୍ଜନା ରାଣୀ ମାଝୀ ଆକ୍ସିଡେଣ୍ଟ ବ୍ୟକ୍ତିର ପ୍ରାଣ ବଞ୍ଚାଇବାର ଚେଷ୍ଟା ଓ ଭିନ୍ନକ୍ଷମ ଗୋପୀନାଥ ବେହେରା ଚା' ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାରୁ ସମ୍ମାନିତ କରାଯାଇଥିଲା l ବରିଷ୍ଠ ଉପଦେଷ୍ଟା ରଂଜିତ କୁମାର ଭୋଇ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ଶେଷରେ ବରିଷ୍ଠ ଉପ-ସଭାପତି ଯଦୁମଣି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅଧିବେଶନରେ ସନ୍ୟାସୀ ମହାପାତ୍ର, ପଞ୍ଚାନନ ବିଶ୍ୱାଳ,ବ୍ରହ୍ମାନନ୍ଦ ମହାନ୍ତି, ପିତାମ୍ବର କୁଅଁର, କୀର୍ତ୍ତନ ସାମଲ, ବଂଶୀଧର ବଳ, ମଦନ ନାୟକ, କିରଣ ନାୟକ ପ୍ରମୁଖ ଉପସ୍ଥିତ ରହି ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ l

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଆରମ୍ଭ ହେଲା ବରୁଆଁ-ବରୀ ରାସ୍ତା ମରାମତି
Oct 13, 2026•23 views

ଆରମ୍ଭ ହେଲା ବରୁଆଁ-ବରୀ ରାସ୍ତା ମରାମତି

ଯାଜପୁର ବରୀ: ବରୁଆଁ-ବରୀ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକୁ ନେଇ ସାଧାରଣରେ ଖୁସି ପ୍ରକାଶ ପାଇଛି । ଆଜିକୁ ବେଶ କିଛି ମାସ ହେଲା ଏହି ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇ ଗତାଗତରେ ସମସ୍ୟା ସୃଷ୍ଟି କରୁଥିଲା । ଏହା ଛଡା ଗତ ବନ୍ୟାରେ ଏହି ରାସ୍ତାର ବ୍ୟାପକ ଅଂଶ ବୁଡି ଯିବାରୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଖାଲଖମାରେ ପୂର୍ଣ୍ଣ ହୋଇଥିବା ଏହି ରାସ୍ତା ମରାମତି କରିବାରେ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇ ନଥିଲା । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା । ବିଶେଷ କରି ବାଇକ ଓ କାର ଚାଳକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମରାମତି ବେଳେ କିଛି ସ୍ଥାନକୁ ଛାଡି ଦେଉଛନ୍ତି ଠିକାଦାର ଦୀର୍ଘଦିନ ପରେ ପ୍ରମୁଖ ରାସ୍ତା ମରାମତି ଆରମ୍ଭ ହୋଇଥିଲା ବେଳେ ଏହାକୁ ନେଇ ସାଧାରଣରେ ଖୁସି ପ୍ରକାଶ ପାଇଛି । ହେଲେ ପୂର୍ତ୍ତ ବିଭାଗର ମନମାନି ମରାମତି କାର୍ଯ୍ୟ ଆରମ୍ଭରୁ ଦେଖିବାକୁ ମିଳିଛି । ମରାମତି ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ନରହିବାରୁ ଠିକାଦାର ମରାମତି କାର୍ଯ୍ୟ ନିମ୍ନ ମାନର କରୁଥିବା ଦେଖିବାକୁ ମିଳିଛି । ରାସ୍ତାର କିଛି ଅଂଶ ଯେଉଁଠି ପିଚୁ ପଡିବାର ଆଵଶ୍ୟକତା ଅଛି ସେଠାରେ ପିଚୁ ପକା ଯାଇ ନଥିବା ଦେଖିବାକୁ ମିଳିଛି । ଏହା ଫଳରେ ବର୍ଷା ହେଲେ ଏହି ଛୋଟ ଖାଲ ଗୁଡିକ ପୁଣି ବଡ଼ ହେବାର ଆଶଙ୍କା ରହିଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Jajpur (ଯାଜପୁର) • ବରୀ ରୁ ସୁଧାଂଶୁ ଶେଖର ଓଝଙ୍କ ରିପୋର୍ଟ

ଅନୁଗୋଳରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ସାଂସଦଙ୍କ କୁଶପୁତ୍ତଳିକା ଦାହ
Oct 13, 2026•57 views

ଅନୁଗୋଳରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ସାଂସଦଙ୍କ କୁଶପୁତ୍ତଳିକା ଦାହ

ଅନୁଗୋଳ: ଜେଏନୟୁର ୧୧ ଜଣ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ କଂଗ୍ରେସର ନୀରବତାକୁ ବିରୋଧ କରି ଅନୁଗୋଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାନେତ୍ରୀ ପ୍ରତିମା ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରାଯିବା ସହ ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଅଭିଯୋଗର ନିରପେକ୍ଷ ତଦନ୍ତ ଓ ପୀଡ଼ିତା ଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶତାଧିକ ମହିଳା କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ “ନାରୀଶକ୍ତିର ଅପମାନ, ସହିବନି ହିନ୍ଦୁସ୍ତାନ” ସ୍ଲୋଗାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀଙ୍କ ସମେତ ଦଳର ବହୁ ନେତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ତଳଗଡ଼ର ଅସହାୟ ପରିବାର ପାଖରେ ଠିଆ ହେଲା ଲୁଲୁ ସେନା, ଦେଲା ସାନ୍ତ୍ୱନା ଓ ସହଯୋଗ
Oct 13, 2026•60 views

ତଳଗଡ଼ର ଅସହାୟ ପରିବାର ପାଖରେ ଠିଆ ହେଲା ଲୁଲୁ ସେନା, ଦେଲା ସାନ୍ତ୍ୱନା ଓ ସହଯୋଗ

ଅନୁଗୋଳ: ଅସହାୟ ପରିବାରର ଦୁଃଖରେ ସାମିଲ ହୋଇ ମାନବିକତାର ପରିଚୟ ଦେଇଛି ଲୁଲୁ ସେନା ପରିବାର। ଅନୁଗୋଳ ଜିଲ୍ଲା ତଳଗଡ଼ ଗ୍ରାମର ଜଣେ ମହିଳାଙ୍କ ଅକାଳ ବିୟୋଗ ଖବର ପାଇ ଲୁଲୁ ସେନାର ସଦସ୍ୟମାନେ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଥିଲେ। ଏଥିସହ ପରିବାରର ଦୁଃଖଦ ସମୟରେ ସାମର୍ଥ୍ୟ ଅନୁଯାୟୀ ସହଯୋଗର ହାତ ବଢ଼ାଇଥିଲେ। ଏହି ମହତ୍ କାର୍ଯ୍ୟ ମାଧ୍ୟମରେ ଲୁଲୁ ସେନା ପୁଣିଥରେ ସେବା, ସହଯୋଗ ଓ ମାନବିକତାର ବାର୍ତ୍ତା ଦେଇଛି। ଅସହାୟଙ୍କ ଦୁଃଖ ସମୟରେ ସେମାନଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବ ସେବା ବୋଲି ଏହି ପଦକ୍ଷେପ ପ୍ରମାଣିତ କରିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ପବ୍ଲିକ ସର୍ଭିସ୍ ୟୁନିଟ୍‌ର ସାଧାରଣ ବୈଠକ, ନୂତନ ଦୁଇମହଲା କୋଠା ନିର୍ମାଣ ଉପରେ ଗୁରୁତ୍ୱ
Oct 13, 2026•49 views

ପବ୍ଲିକ ସର୍ଭିସ୍ ୟୁନିଟ୍‌ର ସାଧାରଣ ବୈଠକ, ନୂତନ ଦୁଇମହଲା କୋଠା ନିର୍ମାଣ ଉପରେ ଗୁରୁତ୍ୱ

ତାଳଚେର: ତାଳଚେରର ପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପବ୍ଲିକ ସର୍ଭିସ୍ ୟୁନିଟ୍ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଭବିଷ୍ୟତ ଉନ୍ନତି ନେଇ ଆଲୋଚନା କରିଥିଲେ। ଅନୁଷ୍ଠାନର ଜରାଜୀର୍ଣ୍ଣ କାର୍ଯ୍ୟାଳୟ ସ୍ଥାନରେ ନୂତନ ଦୁଇମହଲା କୋଠା ନିର୍ମାଣ ଏବଂ ନିକଟସ୍ଥ ଯାତ୍ରୀ ବିଶ୍ରାମଗାରକୁ ପାଠାଗାରରେ ପରିଣତ କରିବା ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ପଢ଼ିବାର ସୁଯୋଗ ପାଇପାରିବେ। ବୈଠକରେ ଉପଦେଷ୍ଟା ତଥା ନଗରପାଳ ପବିତ୍ର ଭୂତିଆ, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ଉପସ୍ଥିତ ରହି ଏହାର ଉନ୍ନତି ନେଇ ମତାମତ ଦେଇଥିଲେ। ସାଧାରଣ ସମ୍ପାଦକ ଜିତେନ୍ଦ୍ର ଦାସ ବୈଠକର ବିବରଣୀ ସହ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ଅନୁଗୋଳରେ ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ
Oct 13, 2026•49 views

ଅନୁଗୋଳରେ ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୋଳ: ଅନୁଗୋଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ପାଳନ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଉପଜିଲ୍ଲାପାଳ ଲଳିତ ମୋହନ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ୧୦ଟି ଓ ଲକ୍ଷ୍ମୀପୂଜା ପାଇଁ ୨୮ଟି ମଣ୍ଡପରେ ପୂଜା ଆୟୋଜନ ନେଇ ଆଲୋଚନା ହୋଇଥିଲା। ବୈଠକରେ ପୂଜା ସମୟରେ ଡିଜେ ବାଜିବା ଉପରେ ସମ୍ପୂର୍ଣ୍ଣ କଟକଣା, ତୋରଣ ନିର୍ମାଣରେ ସୁରକ୍ଷା ନିୟମ ପାଳନ, ଭିଡ଼ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିୟମ ଉଲ୍ଲଂଘନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ବୈଠକରେ ପୌରପାଳିକା ଅଧିକାରୀ, ପୋଲିସ ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ, ପୂଜା କମିଟିର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଓଡ଼ିଶାର ନୂତନ ରାଜ୍ୟପାଳ ଡ. ବ୍ରଜ ମୋହନ ରାମଙ୍କୁ ନିଯୁକ୍ତି
Oct 13, 2026•50 views

ଓଡ଼ିଶାର ନୂତନ ରାଜ୍ୟପାଳ ଡ. ବ୍ରଜ ମୋହନ ରାମଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡ. ବ୍ରଜ ମୋହନ ରାମଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି। ତାଙ୍କ ନିଯୁକ୍ତିକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଆଶା ପ୍ରକାଶ ପାଇଛି। ତାଙ୍କ ମାର୍ଗଦର୍ଶନରେ ଓଡ଼ିଶାର ପ୍ରଗତି, ସମୃଦ୍ଧି ଓ ସାମଗ୍ରିକ ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ଏଥିସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସଫଳ କାର୍ଯ୍ୟକାଳ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରାଯାଇଛି। ଖୁବ୍‌ଶୀଘ୍ର ରାଜଭବନରେ ଶପଥ ଗ୍ରହଣ ଉତ୍ସବ ମାଧ୍ୟମରେ ସେ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Angul (ଅନୁଗୋଳ) • ରିପୋର୍ଟ: ଭୁବନେଶ୍ୱର ବ୍ୟୁରୋ

ଅର୍ଥ ବୃତ୍ତିଜୀବୀଙ୍କ ପାଇଁ AI ଉପରେ ICMAI ଅନୁଗୁଳ ଶାଖାର ସେମିନାର
Oct 13, 2026•168 views

ଅର୍ଥ ବୃତ୍ତିଜୀବୀଙ୍କ ପାଇଁ AI ଉପରେ ICMAI ଅନୁଗୁଳ ଶାଖାର ସେମିନାର

ଅନୁଗୋଳ: ଆର୍ଥିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର ଓ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ICMAI ଅନୁଗୁଳ ଶାଖା ପକ୍ଷରୁ “Skill It & Kill It – AI for Finance Professionals” ଶୀର୍ଷକରେ ଏକ ସେମିନାର ନାଲକୋ ନଗରସ୍ଥିତ ଏସ୍ ଆଣ୍ଡ୍ ପି କମ୍ପ୍ଲେକ୍ସରେ ଅକ୍ଟୋବର ୧୦ ତାରିଖରେ ଆୟୋଜିତ ହୋଇଥିଲା। ଏଥିରେ ନାଲକୋର ଡିଜିଏମ୍ (ଫାଇନାନ୍ସ) ତଥା ICMAI ଭୁବନେଶ୍ୱର ଶାଖାର ଉପାଧ୍ୟକ୍ଷ CMA ସତ୍ୟ ସୁନ୍ଦର ମହାସୁଆର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ChatGPT, Claude ଓ Perplexity ଭଳି AI ଉପକରଣର ବ୍ୟବହାର ଏବଂ ଆର୍ଥିକ ବିଶ୍ଳେଷଣ, ଗବେଷଣା ଓ ରିପୋର୍ଟ ପ୍ରସ୍ତୁତିରେ ଏହାର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ICMAIର ପୂର୍ବତନ କେନ୍ଦ୍ରୀୟ ପରିଷଦ ସଦସ୍ୟ CMA ନିରଞ୍ଜନ ମିଶ୍ର, ନାଲକୋର CGM (ଫାଇନାନ୍ସ) CA ହିମାଂଶୁ ଶେଖର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ବୃତ୍ତିଜୀବୀ ଉପସ୍ଥିତ ଥିଲେ। ଏହି ସେମିନାରରେ ୮୦ରୁ ଅଧିକ ସଦସ୍ୟ ଓ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବେ ଏବଂ ୪୦ରୁ ଅଧିକ ଅନଲାଇନ୍ ମାଧ୍ୟମରେ ଯୋଗଦେଇଥିଲେ। ପରିବର୍ତ୍ତିତ ବୈଷୟିକ ଯୁଗରେ ଅର୍ଥ ବୃତ୍ତିଜୀବୀଙ୍କ ଦକ୍ଷତା ବୃଦ୍ଧି ଓ ନୂତନ ପ୍ରଯୁକ୍ତିର ଉପଯୋଗ ଉପରେ ଗୁରୁତ୍ୱ ଦେଇ ଏହି ସେମିନାର ସଫଳତାର ସହ ସମ୍ପନ୍ନ ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ