Web News

ବରଗଡ଼ ମାଷ୍ଟର ପ୍ଲାନ ୨୦୪୦କୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ
ବରଗଡ -ବରଗଡ଼ ପୌରାଞ୍ଚଳ ଏବଂ ଏହାର ଆଖପାଖ ୨୧ ଗୋଟି ଗ୍ରାମକୁ ନେଇ ଗଠିତ ନଗର ଯୋଜନା ଅଞ୍ଚଳର ଆଗାମୀ ବିକାଶ ପାଇଁ ପ୍ରସ୍ତୁତ "ବରଗଡ଼ ମାଷ୍ଟର ପ୍ଲାନ ୨୦୪୦" ସମ୍ପର୍କରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡି.ଆର.ଡି.ଏ) ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଷ୍ଟର ପ୍ଲାନ ସମ୍ବନ୍ଧରେ ଜନସାଧାରଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆପତ୍ତି, ଅଭିଯୋଗ ଏବଂ ଗ୍ରହଣୀୟ ପ୍ରସ୍ତାବଗୁଡ଼ିକର ବିଚାର କରି ଏକ ସୁଦୃଢ଼ ତଥା ସୁସ୍ଥିର ସହରୀ ଯୋଜନା ପ୍ରସ୍ତୁତ କରିବା। ଆଗାମୀ ୧୫ ବର୍ଷର ଉନ୍ନତିକୁ ଆଖିଆଗରେ ରଖି ପ୍ରସ୍ତୁତ ଏହି ମାଷ୍ଟର ପ୍ଲାନରେ ରାସ୍ତାଘାଟର ସଂଯୋଗୀକରଣ, ଅଞ୍ଚଳ ଭିତ୍ତିକ ଜୋନିଂ, ଜଳନିଷ୍କାସନ ବ୍ୟବସ୍ଥା, ନାଗରିକ ସୁବିଧାସୁଯୋଗ, ପରିବେଶ ସନ୍ତୁଳନ ଏବଂ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦିଆଯାଇଛି। ବୈଠକରେ ନାଗରିକ ମଞ୍ଚ ଏବଂ ସ୍ଥାନୀୟ ବାସିନ୍ଦାଙ୍କଠାରୁ ମିଳିଥିବା ସମସ୍ତ ଦାବି ଓ ଅଭିଯୋଗର ପ୍ରଶାସନିକ ଏବଂ ବୈଷୟିକ ତଦାରଖ କରାଯାଇଛି। ଲୋକଙ୍କର ପରାମର୍ଶ ଏବଂ ଯୁକ୍ତିଯୁକ୍ତ ଦାବିଗୁଡ଼ିକୁ ଚୂଡ଼ାନ୍ତ ଚିଠା ପ୍ରସ୍ତାବରେ ସାମିଲ କରାଯିବା ପରେ ହିଁ ଏହାକୁ ସରକାରୀ ସ୍ୱୀକୃତି ଦିଆଯିବ। ଏହି ସମୀକ୍ଷା ବୈଠକରେ ବରଗଡ଼ ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ବରଗଡ଼ ବିଶେଷ ଯୋଜନା ପ୍ରାଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ, ବରଗଡ଼, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଲିପ୍ସିତ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ। ବୈଠକକୁ ସମ୍ବୋଧିତ କରି ଅଧିକାରୀ ଓ ଜନପ୍ରତିନିଧିମାନେ ପ୍ରକାଶ କରିଥିଲେ ଯେ ବରଗଡ଼ ମାଷ୍ଟର ପ୍ଲାନ ୨୦୪୦ ସହରୀ ଭିତ୍ତିଭୂମି ସହିତ ୨୧ ଗୋଟି ପାର୍ଶ୍ୱବର୍ତ୍ତୀ ଗ୍ରାମର କୃଷି ଓ ଆର୍ଥ-ସାମାଜିକ ସ୍ଥିତି ମଧ୍ୟରେ ସନ୍ତୁଳନ ରକ୍ଷା କରିବ। ଦାଖଲ ହୋଇଥିବା ସମସ୍ତ ଆପତ୍ତିଗୁଡ଼ିକର କ୍ଷେତ୍ରସ୍ତରୀୟ ଯାଞ୍ଚ ଶୀଘ୍ର ଶେଷ କରି ଏକ ଜନକଲ୍ୟାଣକାରୀ ଓ ସୁଦୃଢ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ବୈଷୟିକ ଦଳକୁ ନିର୍ଦ୍ଦେଶ ଦିଆଯାଇଛି।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ BCJDର ବାଜିମାତ୍ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହେଲେ BCJD ପ୍ରାର୍ଥୀ ଅବିନାଶ ନାଗ, ସମର୍ଥକଙ୍କ ମଧ୍ୟରେ ଉତ୍ସାହ
ବରଗଡ଼: ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ର ରାଜନୀତିକୁ ନେଇ ଉତ୍ସାହ ଓ ଚର୍ଚ୍ଚା ମଧ୍ୟରେ BCJD ବାଜିମାତ୍ କରିଛି। ମହାବିଦ୍ୟାଳୟରେ BCJD ପ୍ରାର୍ଥୀ ଅବିନାଶ ନାଗ ବିଜୟ ହାସଲ କରି ନିଜ ସଂଗଠନ ପାଇଁ ସଫଳତା ଆଣିଛନ୍ତି। ତାଙ୍କ ବିଜୟ ଖବର ପ୍ରଚାର ହେବା ପରେ ସମର୍ଥକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଖୁସିର ପରିବେଶ ଦେଖିବାକୁ ମିଳିଛି। ମହାବିଦ୍ୟାଳୟର ଛାତ୍ର ରାଜନୀତିରେ ଏହି ବିଜୟକୁ BCJD ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଦେଖାଯାଉଛି। ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ କରି ଅବିନାଶ ନାଗ ବିଜୟୀ ହୋଇଥିବାରୁ ସଂଗଠନର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏହି ବିଜୟ ମାଧ୍ୟମରେ ମହାବିଦ୍ୟାଳୟରେ BCJD ନିଜର ଉପସ୍ଥିତିକୁ ଆହୁରି ମଜବୁତ କରିବା ଦିଗରେ ଆଗକୁ ବଢ଼ିବ ବୋଲି ସମର୍ଥକମାନେ ଆଶା ପ୍ରକାଶ କରୁଛନ୍ତି। ଛାତ୍ର ସଂସଦ ନିର୍ବାଚନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା। ଏହା ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ପସନ୍ଦର ପ୍ରତିନିଧି ବାଛିବା ସହ ନିଜର ସମସ୍ୟା, ଦାବି ଓ ମତାମତକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବାର ସୁଯୋଗ ପାଇଥାନ୍ତି। ତେଣୁ ଅବିନାଶ ନାଗଙ୍କ ବିଜୟ ପରେ ତାଙ୍କ ଉପରେ ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାର ଦାୟିତ୍ୱ ମଧ୍ୟ ବଢ଼ିଛି। ମହାବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ଉନ୍ନତି, ପାଠପଢ଼ା ସହିତ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ଭଳି ପ୍ରସଙ୍ଗ ଛାତ୍ର ନେତୃତ୍ୱ ପାଇଁ ଗୁରୁତ୍ୱ ବହନ କରେ। ନୂତନ ନେତୃତ୍ୱ ଛାତ୍ରଛାତ୍ରୀଙ୍କ ମତାମତକୁ ଗୁରୁତ୍ୱ ଦେଇ ସେମାନଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ଅବିନାଶ ନାଗଙ୍କ ଏହି ବିଜୟ କେବଳ ଜଣେ ପ୍ରାର୍ଥୀଙ୍କ ସଫଳତା ନୁହେଁ, ବରଂ ମହାବିଦ୍ୟାଳୟର ଛାତ୍ର ରାଜନୀତିରେ BCJDର ସକ୍ରିୟତାକୁ ମଧ୍ୟ ପ୍ରତିଫଳିତ କରୁଛି। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଆଶା ପୂରଣ କରିବା ସହ ମହାବିଦ୍ୟାଳୟର ବିକାଶ ଓ ଛାତ୍ରଙ୍କ ସମସ୍ୟା ଉପରେ ନୂତନ ନେତୃତ୍ୱ କିପରି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ବରଗଡ଼ରୁ ସ୍ୱତନ୍ତ୍ର ପ୍ରତିନିଧି।
Bargarh (ବରଗଡ଼) • ସତ୍ୟ ସୁରୁଜଳ

ବନ୍ଧମୁଣ୍ଡା ସେକ୍ଟର-C ମାର୍କେଟ୍ରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ସଫେଇ କାର୍ଯ୍ୟକ୍ରମ
ବନ୍ଧମୁଣ୍ଡା, ୧୫ ଅକ୍ଟୋବର ୨୦୨୬: ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ବନ୍ଧମୁଣ୍ଡା ସେକ୍ଟର-C ମାର୍କେଟ୍ରେ ଏକ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ବନ୍ଧମୁଣ୍ଡା ବିଜେପି ମଣ୍ଡଳ ସଭାପତି ଶ୍ରୀ ଲଖନ ଲୋହାରଙ୍କ ଅଧ୍ୟକ୍ଷତାରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଦୀର୍ଘ ଦିନ ଧରି ସେକ୍ଟର-C ମାର୍କେଟ୍ରେ ଅଳିଆ ଆବର୍ଜନା ଜମା ହୋଇ ରହିଥିବାରୁ ବଜାରକୁ ଆସୁଥିବା ଗ୍ରାହକ, ସ୍ଥାନୀୟ ବ୍ୟବସାୟୀ, ରେଳବାଇ ପେନ୍ସନ୍ କାର୍ଯ୍ୟାଳୟକୁ ଆସୁଥିବା ବରିଷ୍ଠ ନାଗରିକ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ଗ୍ରାହକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମାର୍କେଟ୍ ପରିସରକୁ ସ୍ୱଚ୍ଛ ଓ ପରିଷ୍କାର କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ରାଉରକେଲା ମହାନଗର ନିଗମ (RMC)ର କର୍ମଚାରୀମାନଙ୍କ ସହ ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀ ଧୀରେନ ସେନାପତିଙ୍କ ସମେତ ହିମାଂଶୁ ଚୌଧୁରୀ, ପ୍ରମିଳା ସୋନା, ଗାୟତ୍ରୀ ଜେନା, ରୀନା କୌର, ଦୀପା ଦତ୍ତ, ଏଲ୍.ଏ. ହରି ଡୋରା, ଦୁଃଖୀନାଥ ଚୌଧୁରୀ, ସତ୍ୟଜିତ ପ୍ରଧାନ, ମୁକେଶ ସିଂହ, ସି.ଏଚ୍. ମଣ୍ଡଳ ଏବଂ ପ୍ରବୀର ମିତ୍ର ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ମାର୍କେଟ୍ ପରିସରକୁ ସ୍ୱଚ୍ଛ ରଖିବା ସହ ସାଧାରଣ ଜନତାଙ୍କ ପାଇଁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରିବାର ବାର୍ତ୍ତା ଦିଆଯାଇଥିଲା। ଏଥିସହ ଅଞ୍ଚଳର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛ ବନ୍ଧମୁଣ୍ଡା ଆମର ସଂକଳ୍ପ।
Rourkela (ରାଉରକେଲା) • ଗଣପତି ଦାସ

ଅନୁଗୋଳରେ ବେଆଇନ ଶିକାର ଉଦ୍ୟମ: ବେଟ୍ ବମ୍ ବିସ୍ଫୋରଣରେ ବାରହା ମୃତ, ୬ଟି ବମ୍ ଉଦ୍ଧାର
ଅନୁଗୋଳ: କଣିହାଁ ବନାଞ୍ଚଳର ରେଙ୍ଗାଳି ସେକ୍ସନ ଅନ୍ତର୍ଗତ ଗଣ୍ଡମଳା ବିଟ୍ ଅଞ୍ଚଳରେ ବେଆଇନ ବନ୍ୟଜନ୍ତୁ ଶିକାର ଉଦ୍ୟମ ବେଳେ ଅଘଟଣ। ବେଟ୍ ବମ୍ ବିସ୍ଫୋରଣରେ ଗୋଟିଏ ବାରହାର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ୬ଟି ବେଟ୍ ବମ୍ ଉଦ୍ଧାର କରିବା ସହ ଖମାର ଥାନା ଅଞ୍ଚଳର ୪ ଜଣଙ୍କୁ ବନ ବିଭାଗ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ବନ ବିଭାଗକୁ ଏନେଇ ଖବର ମିଳିଥିଲା। ଏହାପରେ ଆଜି ଭୋର ପ୍ରାୟ ୫ଟାରେ ଚଢ଼ାଉ କରାଯାଇ ବମ୍ ଉଦ୍ଧାର ସହ ୪ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାକୁ ନେଇ ବନ ବିଭାଗର ତଦନ୍ତ ଜାରି ରହିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ କଣିହାଁ ,ଅନୁଗୋଳ

ଅନୁଗୋଳ ବନଖଣ୍ଡ ପକ୍ଷରୁ ସାମୂହିକ ଜଙ୍ଗଲ ଅଧିକାରର ମିଳିତ ଯାଞ୍ଚ
ଅନୁଗୋଳ: ସାମୂହିକ ଜଙ୍ଗଲ ଅଧିକାର (CFR) ସମ୍ବନ୍ଧୀୟ ତଥ୍ୟର ଯାଞ୍ଚ ପାଇଁ ଅନୁଗୋଳ ବନଖଣ୍ଡ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ କ୍ଷେତ୍ର ଯାଞ୍ଚ କରାଯାଇଛି। କଣିହା ରେଞ୍ଜ ଅନ୍ତର୍ଗତ ଝରାବେରଣୀ ଗ୍ରାମର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଏହି ଯାଞ୍ଚ ଅନୁଷ୍ଠିତ ହୋଇଥିଲା। କଣିହା ତହସିଲର ସୁପରଭାଇଜରଙ୍କ ଉପସ୍ଥିତିରେ ସ୍ଥଳସ୍ତରୀୟ ସ୍ଥିତି ଆକଳନ, ସମ୍ପୃକ୍ତ ରେକର୍ଡ ଯାଞ୍ଚ ଓ ଆବଶ୍ୟକ ତଥ୍ୟର ସତ୍ୟାପନ କରାଯାଇଥିଲା। ଏହି ମିଳିତ ପଦକ୍ଷେପ ଦ୍ୱାରା ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ଜଙ୍ଗଲ ଅଧିକାର ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଜଙ୍ଗଲ ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

କଣିହାଁ ବ୍ଲକରେ ୧୦ କୋଟି ୩୮ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ
କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ବାଲିପଶି ପଞ୍ଚାୟତଠାରେ ପାଳଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଓ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣିଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ କରାଯାଇଛି। ଏହି ଅବସରରେ କୁଆଧରଠାରୁ ତୁଳସୀପୁର ରାସ୍ତା ନିର୍ମାଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା, କତ୍ରାପାଲିଠାରୁ ପଳଶାବାହାଳୀ ରାସ୍ତା ମଧ୍ୟରେ ବ୍ରିଜ୍ ନିର୍ମାଣ ପାଇଁ ୪ କୋଟି ୪୬ ଲକ୍ଷ ଟଙ୍କା ଏବଂ ଲୁଧାଝରିଠାରୁ ଲକ୍ଷ୍ମୀପୁର ରାସ୍ତା ମଧ୍ୟରେ ବ୍ରିଜ୍ ନିର୍ମାଣ ପାଇଁ ୨ କୋଟି ୩୬ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସେହିପରି ପଳଶାବାହାଳୀ ଶିବ ମନ୍ଦିରର ପାଚେରୀ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପର ଭୂମିପୂଜନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ ଦ୍ୱାରା ଅଞ୍ଚଳର ଗମନାଗମନ ସୁବିଧାରେ ଉନ୍ନତି ଆସିବା ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ଗତି ମିଳିବ ବୋଲି ଆଶା କରାଯାଉଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ କଣିହାଁ ,ଅନୁଗୋଳ

ଜବାହାର ନବୋଦୟ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ
ଅନୁଗୋଳ: ଛାତ୍ରଛାତ୍ରୀଙ୍କୁ ସାଇବର ଠକେଇ, ଅନଲାଇନ୍ ଠକେଇ ଏବଂ ନିରାପଦ ଇଣ୍ଟରନେଟ୍ ବ୍ୟବହାର ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଚମ୍ପତିମୁଣ୍ଡାସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାଇବର ବିଶେଷଜ୍ଞମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସାଇବର ଅପରାଧ, ଅନଲାଇନ୍ ଠକେଇରୁ ରକ୍ଷା ପାଇବାର ଉପାୟ ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାର ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ଇଣ୍ଟରନେଟ୍ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ସାଇବର ଠକେଇରୁ ଦୂରେଇ ରହିବା ପାଇଁ ଆବଶ୍ୟକ ପ୍ରତିରୋଧକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଭଳି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଡିଜିଟାଲ୍ ଜୀବନଶୈଳୀ ଆପଣାଇବାରେ ସହାୟକ ହେବ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଅନୁଗୋଳ: ଜିଲ୍ଲା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସେପ୍ଟେମ୍ବର ମାସରେ ଘଟିଥିବା ସଡ଼କ ଦୁର୍ଘଟଣା, ଦୁର୍ଘଟଣାର କାରଣ ଏବଂ ଏହାର ନିରାକରଣ ପାଇଁ ପରିବହନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଯାତାୟାତକୁ ଅଧିକ ସୁରକ୍ଷିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ନିଶା ବିରୋଧୀ ବାର୍ତ୍ତା ନେଇ ଅନୁଗୋଳରେ ପହଞ୍ଚିଲା ଓଡ଼ିଶା ପୋଲିସର ଜାତୀୟ ମୋଟରସାଇକେଲ୍ ରାଲି
ଅନୁଗୋଳ: ଅକ୍ଟୋବର ୧୫ ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ପାଳନ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ନିଶା ବିରୋଧୀ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଜାତୀୟ ମୋଟରସାଇକେଲ୍ ରାଲି ଅକ୍ଟୋବର ୧୫ ତାରିଖରେ ଅନୁଗୋଳରେ ପହଞ୍ଚିଛି। ଏହି ରାଲିର ନେତୃତ୍ୱ ନେଇଥିଲେ ଉତ୍ତର-କେନ୍ଦ୍ରାଞ୍ଚଳ ପୋଲିସ ଅଧିକାରୀ ଆଶିଷ କୁମାର ସିଂହ ଏବଂ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ସାମିଲ ହୋଇ ନିଶା ବିରୋଧୀ ଅଭିଯାନକୁ ସମର୍ଥନ ଜଣାଇଥିଲେ। ଏହି ଅଭିଯାନ ମାଧ୍ୟମରେ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଛି। “ନିଶାକୁ ନା କୁହନ୍ତୁ, ଜୀବନକୁ ବାଛନ୍ତୁ ଏବଂ ଏକତାର ସହ ଆଗେଇ ଆସନ୍ତୁ” ଏହି ବାର୍ତ୍ତା ନେଇ ରାଲି ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବାର ପ୍ରୟାସ କରିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ବଅଁରପାଳ ପିଏସ୍ଏସ୍ଜେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ, ୪୦୦ରୁ ଅଧିକ ମତଦାନ
ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ପିଏସ୍ଏସ୍ଜେ ସ୍ନାତକ ମହାବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମୋଟ ୬୨୩ ଜଣ ଭୋଟରଙ୍କ ମଧ୍ୟରୁ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ମତଦାନ କରିସାରିଥିବା ସୂଚନା ମିଳିଛି। ମତଦାନ ପାଇଁ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ପ୍ରତିନିଧି ବାଛିବାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ମତଦାନ ଶେଷ ହେବା ପରେ ନିର୍ବାଚନର ପରବର୍ତ୍ତୀ ପ୍ରକ୍ରିୟା ଅନୁଷ୍ଠିତ ହେବ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ନେଇ ଅନୁଗୋଳ ପୋଲିସର ସମନ୍ୱୟ ବୈଠକ
ଅନୁଗୋଳ: ଆଗାମୀ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଅନୁଗୋଳ ଡିପିଓ ସମ୍ମିଳନୀ କକ୍ଷରେ ଏସପିଙ୍କ ଅଧ୍ୟକ୍ଷତାରେ ପୂଜା କମିଟି ସଦସ୍ୟଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ପୂଜା ପର୍ବର ସୁଗମ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ଉତ୍ସବ ସମୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ପୋଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ସହ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

କିଡନୀ ରୋଗରେ ପୀଡ଼ିତ ଧନେଶ୍ୱରଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ମାନବ ସେବା ହିଁ ମାଧବ ସେବା। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ପୁଣି ଜଣେ ଅସହାୟ ବ୍ୟକ୍ତିଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କଇଁଫୁଲିଆ ସାହିର ଧନେଶ୍ୱର ବିଶ୍ୱାଳ ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ପରିବାରର ଆର୍ଥିକ ମେରୁଦଣ୍ଡ ଥିବା ଧନେଶ୍ୱର ରୋଗାକ୍ରାନ୍ତ ହେବା ପରଠାରୁ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି।ଧନେଶ୍ୱରଙ୍କ ଏହି ଦୁର୍ଦ୍ଦଶା ସମ୍ପର୍କରେ ଜାଣିବା ପରେ ଗ୍ରାମର କିଛି ଯୁବକ ସମାଜସେବୀ ଅଭିମନ୍ୟୁ ସାହୁଙ୍କ ସହ ଯୋଗାଯୋଗ କରି ସହାୟତା ପାଇଁ ଅନୁରୋଧ କରିଥିଲେ। ଖବର ପାଇ ଶ୍ରୀ ସାହୁ ଧନେଶ୍ୱରଙ୍କ ଘରେ ପହଞ୍ଚି ତାଙ୍କର ଭଲମନ୍ଦ ପଚାରି ବୁଝିବା ସହ ପରିବାରର ଦୟନୀୟ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅଭିମନ୍ୟୁ ସାହୁଙ୍କ ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ମଧ୍ୟ ‘ମାନବ ସେବା ହିଁ ମାଧବ ସେବା’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଦୁଃଖୀ, ଅସହାୟ ଓ ଗରିବ ଲୋକଙ୍କ ସେବା ଜାରି ରଖିବେ ବୋଲି ସମାଜସେବୀ ଅଭିମନ୍ୟୁ ସାହୁ ସୂଚନା ଦେଇଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ
