--:--:--
-- ---
Srishti News

Web News

ପ୍ରାଣନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବୃହତ୍ ବିଜୟ
Oct 16, 2026•5 views

ପ୍ରାଣନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବୃହତ୍ ବିଜୟ

ଖୋର୍ଦ୍ଧା -: ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ (ପି.ଏନ୍. କଲେଜ) ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଛାତ୍ରଶକ୍ତିର ବୃହତ୍ ବିଜୟ ହୋଇଛି। ଛାତ୍ର ସଂସଦ ସଭାପତି ପଦ ସମେତ ବିଭିନ୍ନ ପଦରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଥିବାରୁ ସଂଗଠନର କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।ଏହି ବିଜୟକୁ ନେଇ ଏବିଭିପି ପକ୍ଷରୁ ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଜଣାଇ ମହାବିଦ୍ୟାଳୟର ଶିକ୍ଷା, ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟ କରିବା ନୂତନ ଛାତ୍ର ପ୍ରତିନିଧିମାନଙ୍କ ପାଇଁ ଗୁରୁଦାୟିତ୍ୱ ହେବ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କପିଳେଶ୍ୱର ଦେବଙ୍କ ପୂଜକଙ୍କ ପରଲୋକ
Oct 16, 2026•17 views

କପିଳେଶ୍ୱର ଦେବଙ୍କ ପୂଜକଙ୍କ ପରଲୋକ

ଖୋର୍ଦ୍ଧା: ସ୍ଥାନୀୟ ଡିଆ ପଞ୍ଚାୟତର ଇଷ୍ଟଦେବ ଶ୍ରୀକପିଳେଶ୍ୱର ଦେବଙ୍କ ପୂଜକ ମାର୍କଣ୍ଡ ସାମନ୍ତରାୟ (୯୦) ରବିବାର ବିଳମ୍ବିତ ରାତିରେ ବାର୍ଦ୍ଧକ୍ୟଜନିତ କାରଣରୁ କୋଲସାହିସ୍ଥିତ ନିଜ ବାସଭବନରେ ପରଲୋକ ଗମନ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଶ୍ମଶାନକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। କନିଷ୍ଠ ପୁତ୍ର ନିକୁଞ୍ଜ ସାମନ୍ତରାୟ ମୁଖାଗ୍ନି ଦେଇଥିଲେ।ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ବିୟୋଗରେ ସାରା ପଞ୍ଚାୟତରେ ତଥା ମାଳି ସେବାୟତ, କାହାଳିଆ ସେବାୟତ ଓ ମନ୍ଦିର ପରିଚାଳନା କମିଟି ମହଲରେ ଶୋକ ପ୍ରକାଶ ପାଇଛି।ତାଙ୍କ ପଛରେ ବଡ଼ ବୋହୂ ମିନତୀ ପଣ୍ଡା, ସାନ ପୁଅ ନିକୁଞ୍ଜ ସାମନ୍ତରାୟ, ସାନ ବୋହୂ ରୀନା, ବଡ଼ ନାତି ଗଗନ ବିହାରୀ ସାମନ୍ତରାୟ, ବଡ଼ ନାତୁଣୀ ଶୁଭ ଲକ୍ଷ୍ମୀ ସାମନ୍ତରାୟ, ସାନ ନାତି ଗୁଟୁ, ନାତୁଣୀ ଜିନା ଓ ଚୀନା ଏବଂ ଅନ୍ୟ ପରିବାରବର୍ଗ ଓ ଗ୍ରାମବାସୀ ଶୋକସନ୍ତପ୍ତ ଅଛନ୍ତି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

୨୨ ବର୍ଷର ପ୍ରିୟ ଶିକ୍ଷକଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ  ରବୀନ୍ଦ୍ର ଭେସେରା ସାର୍‌ଙ୍କ ବଦଳି ବାତିଲ ଦାବିରେ ବାରଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
Oct 16, 2026•13 views

୨୨ ବର୍ଷର ପ୍ରିୟ ଶିକ୍ଷକଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ରବୀନ୍ଦ୍ର ଭେସେରା ସାର୍‌ଙ୍କ ବଦଳି ବାତିଲ ଦାବିରେ ବାରଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ବରପାଲି, ବରଗଡ଼: ଦୀର୍ଘ ୨୨ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ନିଷ୍ଠା, ଦାୟିତ୍ୱବୋଧ ଓ ଆନ୍ତରିକତାର ସହ ଶିକ୍ଷାଦାନ କରି ଛାତ୍ରଛାତ୍ରୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଜଣେ ପ୍ରିୟ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିଜର ପ୍ରିୟ ଶିକ୍ଷକ ରବୀନ୍ଦ୍ର ଭେସେରା ସାର୍‌ଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବିରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା ଗ୍ରାମ ପଞ୍ଚାୟତର ବାରଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ଦୀର୍ଘ ବର୍ଷର ସମ୍ପର୍କ ଓ ଶିକ୍ଷକଙ୍କ ପ୍ରତି ଥିବା ଭଲପାଇବା ଏହି ଆନ୍ଦୋଳନର ମୁଖ୍ୟ କାରଣ ପାଲଟିଛି। ସୂଚନା ଅନୁଯାୟୀ, ରବୀନ୍ଦ୍ର ଭେସେରା ସାର୍ ଦୀର୍ଘ ୨୨ ବର୍ଷ ଧରି ଏହି ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ। ଏହି ଦୀର୍ଘ ସମୟ ମଧ୍ୟରେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ସହ ସେମାନଙ୍କ ଭବିଷ୍ୟତ ଗଠନରେ ନିଜର ଭୂମିକା ନିର୍ବାହ କରିଛନ୍ତି। ଶିକ୍ଷାଦାନ ସହିତ ପିଲାମାନଙ୍କ ସହ ତାଙ୍କର ଆତ୍ମୀୟତା ଓ ନିବିଡ଼ ସମ୍ପର୍କ ତାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ଜଣେ ଅତି ପ୍ରିୟ ଶିକ୍ଷକ ଭାବେ ପରିଚିତ କରାଇଛି। ତେଣୁ ତାଙ୍କର ଅନ୍ୟତ୍ର ମ୍ୟୁଚୁଆଲ୍ ବଦଳି ହୋଇଥିବା ଖବର ପାଇବା ପରେ ଛାତ୍ରଛାତ୍ରୀମାନେ ତାଙ୍କୁ ବିଦ୍ୟାଳୟରୁ ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ପ୍ରିୟ ଶିକ୍ଷକଙ୍କୁ ନଛାଡ଼ିବାକୁ ଛାତ୍ରଛାତ୍ରୀଙ୍କ ଦାବି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ କେବଳ ପାଠପଢ଼ା ମଧ୍ୟରେ ସୀମିତ ନୁହେଁ। ଜଣେ ଶିକ୍ଷକ ନିଜର ଜ୍ଞାନ, ଅଭିଜ୍ଞତା, ଶୃଙ୍ଖଳା ଓ ମାର୍ଗଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଜୀବନକୁ ଗଢ଼ି ତୋଳିବାରେ ସହାୟତା କରିଥାନ୍ତି। ଦୀର୍ଘ ୨୨ ବର୍ଷ ଧରି ବାରଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିବା ରବୀନ୍ଦ୍ର ଭେସେରା ସାର୍‌ଙ୍କ ସହ ଛାତ୍ରଛାତ୍ରୀଙ୍କ ଏଭଳି ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି। ନିଜର ପ୍ରିୟ ଶିକ୍ଷକଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଛନ୍ତି। ସେମାନଙ୍କର ଦାବି ହେଉଛି, ରବୀନ୍ଦ୍ର ଭେସେରା ସାର୍‌ଙ୍କ ବଦଳି ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଉ ଏବଂ ତାଙ୍କୁ ପୂର୍ବଭଳି ଏହି ବିଦ୍ୟାଳୟରେ ଶିକ୍ଷାଦାନ କରିବାର ସୁଯୋଗ ଦିଆଯାଉ। ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦରେ ଶିକ୍ଷକଙ୍କ ପ୍ରତି ସେମାନଙ୍କର ସମ୍ମାନ, ଭଲପାଇବା ଓ ଦୀର୍ଘଦିନର ଆତ୍ମୀୟତା ପ୍ରତିଫଳିତ ହେଉଛି। ଶିକ୍ଷକଙ୍କ ଅବଦାନକୁ ଗୁରୁତ୍ୱ ଦେବାକୁ ଅନୁରୋଧ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପକ୍ଷରୁ ମଧ୍ୟ ରବୀନ୍ଦ୍ର ଭେସେରା ସାର୍‌ଙ୍କ ବଦଳି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରାଯାଉଛି। ଦୀର୍ଘ ୨୨ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସମୟରେ ଜଣେ ଶିକ୍ଷକ ସେଠାକାର ଶିକ୍ଷା ପରିବେଶ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ଓ ସେମାନଙ୍କ ଦୁର୍ବଳତା ସମ୍ପର୍କରେ ଭଲ ଭାବେ ଅବଗତ ହୋଇଥାନ୍ତି। ଏଭଳି ଅଭିଜ୍ଞ ଶିକ୍ଷକଙ୍କ ସେବା ବିଦ୍ୟାଳୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମତ ରଖୁଛନ୍ତି। ସେମାନଙ୍କ ଅନୁରୋଧ, କେବଳ ବଦଳି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭାବନାକୁ ମଧ୍ୟ ବିଚାରକୁ ନିଆଯାଉ। ଏହି ଦାବି ଉପରେ ସମ୍ପୃକ୍ତ ଶିକ୍ଷା ବିଭାଗ ଓ ଅଧିକାରୀମାନେ ସହାନୁଭୂତିର ସହ ବିଚାର କରିବାକୁ ସେମାନେ ଆଶା ପ୍ରକାଶ କରିଛନ୍ତି। ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା ବାରଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଏହି ଘଟଣା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ସାମ୍ନାକୁ ଆଣିଛି। ଜଣେ ଶିକ୍ଷକଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଏଭଳି ଭଲପାଇବା ଓ ତାଙ୍କୁ ବିଦ୍ୟାଳୟରେ ରଖିବା ପାଇଁ ଶାନ୍ତିପୂର୍ଣ୍ଣ ଦାବି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମୁଖ୍ୟ ଦାବି ହେଉଛି, ରବୀନ୍ଦ୍ର ଭେସେରା ସାର୍‌ଙ୍କ ବଦଳି ବାତିଲ କରାଯାଉ ଏବଂ ତାଙ୍କୁ ବାରଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ରଖାଯାଉ। ଏବେ ସମ୍ପୃକ୍ତ ଶିକ୍ଷା ବିଭାଗ ଏହି ଦାବି ଉପରେ କି ପଦକ୍ଷେପ ନେଉଛି, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଶା—୨୨ ବର୍ଷର ଶିକ୍ଷାଦାନ ଓ ଆତ୍ମୀୟତାର ସମ୍ପର୍କକୁ ଗୁରୁତ୍ୱ ଦେଇ ରବୀନ୍ଦ୍ର ଭେସେରା ସାର୍‌ଙ୍କ ବଦଳି ନିଷ୍ପତ୍ତିର ପୁନର୍ବିଚାର କରାଯାଉ।

Bargarh (ବରଗଡ଼) • Satya Surujal

ଆସିକା ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପି ସଭାପତି ପ୍ରାର୍ଥୀ ପ୍ରିୟବ୍ରତ ଦାସଙ୍କ ଭବ୍ୟ ବିଜୟ
Oct 16, 2026•24 views

ଆସିକା ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପି ସଭାପତି ପ୍ରାର୍ଥୀ ପ୍ରିୟବ୍ରତ ଦାସଙ୍କ ଭବ୍ୟ ବିଜୟ

​ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ତରଫରୁ ସଭାପତି ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରିୟବ୍ରତ ଦାସ ଏକ ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହି ପରାକାଷ୍ଠା ପରେ କଲେଜ୍ ପରିସରରୁ ଏକ ବିରାଟ ବିଜୟ ପଟୁଆର ବାହାରି ସମଗ୍ର ଆସିକା ସହର ପରିକ୍ରମା କରିଥିଲା। ​ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏବିଭିପି ସମର୍ଥକ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ସମସ୍ତେ ହାତରେ ପତାକା ଧରି, ବାଜା-ବଜାଇ ଏବଂ ଆତିଶବାଜୀ ଫୁଟାଇ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ବିଜୟ ଉତ୍ସବ ପାଳନ କରିଥିଲେ। ​ନବନିର୍ବାଚିତ ସଭାପତି ପ୍ରିୟବ୍ରତ ଦାସ ସମସ୍ତ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ସେ ଛାତ୍ରସମାଜର ବିକାଶ, କଲେଜର ଶିକ୍ଷାଗତ ପରିବେଶର ଉନ୍ନତି ଏବଂ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ ରହିବେ। ଏହି ସଫଳତା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ପୂର୍ବତନ ଛାତ୍ର ଏବଂ ଶୁଭେଚ୍ଛୁମାନେ ପ୍ରିୟବ୍ରତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଅନୁଗୋଳ ବନଖଣ୍ଡ ପକ୍ଷରୁ ସଚେତନତା ଓ ଟିକାକରଣ ଶିବିର
Oct 16, 2026•32 views

ଅନୁଗୋଳ ବନଖଣ୍ଡ ପକ୍ଷରୁ ସଚେତନତା ଓ ଟିକାକରଣ ଶିବିର

ଛେଣ୍ଡିପଦା: ଅନୁଗୋଳ ବନଖଣ୍ଡ ପକ୍ଷରୁ ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ବଡ଼ବେରେଣା ଗ୍ରାମରେ ଏକ ସଚେତନତା ଓ ଟିକାକରଣ ଶିବିର ଆୟୋଜିତ ହୋଇଛି। ମୋବାଇଲ୍ ଭେଟେରିନାରୀ ୟୁନିଟ୍ (MVU), ବନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଦଳର ସହଯୋଗରେ ଆୟୋଜିତ ଏହି ଶିବିରରେ ଗୋରୁଙ୍କୁ ହେମୋରାଜିକ୍ ସେପ୍ଟିସିମିଆ (HS) ରୋଗରୁ ସୁରକ୍ଷା ପାଇଁ ମୋଟ ୧୫୦ ଡୋଜ୍ ଟିକା ଦିଆଯାଇଛି। ଏଥିସହ ଗ୍ରାମବାସୀଙ୍କୁ ନିୟମିତ ଟିକାକରଣ ଓ ପ୍ରାଣୀ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ପଶୁଧନର ସୁରକ୍ଷା ଓ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ସହ ମଣିଷ-ବନ୍ୟଜନ୍ତୁ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା ,ଅନୁଗୋଳ

ଡ୍ରୋନ୍ ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର, ଅନୁଗୋଳ ବନଖଣ୍ଡର ନୂଆ ପଦକ୍ଷେପ
Oct 16, 2026•27 views

ଡ୍ରୋନ୍ ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର, ଅନୁଗୋଳ ବନଖଣ୍ଡର ନୂଆ ପଦକ୍ଷେପ

ଅନୁଗୋଳ: ମଣିଷ-ହାତୀ ସଂଘର୍ଷ ହ୍ରାସ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଡ୍ରୋନ୍ ପ୍ରଯୁକ୍ତିର ସହାୟତା ନେଉଛି ଅନୁଗୋଳ ବନଖଣ୍ଡ। ଡ୍ରୋନ୍ ମାଧ୍ୟମରେ ହାତୀଙ୍କ ଗତିପଥ, ଜନବସତି ଓ ଚାଷଜମି ନିକଟରେ ସେମାନଙ୍କ ଉପସ୍ଥିତି ଉପରେ ନଜର ରଖାଯାଉଛି। ଏହାଦ୍ୱାରା ବିପଦପୂର୍ଣ୍ଣ ଅଞ୍ଚଳ ଚିହ୍ନଟ କରିବା ସହ ସ୍ଥାନୀୟ ଲୋକଙ୍କୁ ସମୟୋଚିତ ସତର୍କ ସୂଚନା ଦେବା ସହଜ ହେଉଛି। ଆଧୁନିକ ପ୍ରଯୁକ୍ତି ଓ ଜନସଚେତନତାକୁ ଆଧାର କରି ମଣିଷର ସୁରକ୍ଷା ସହ ହାତୀଙ୍କ ସଂରକ୍ଷଣ ଓ ମଣିଷ-ହାତୀ ସହାବସ୍ଥାନ ପାଇଁ ଅନୁଗୋଳ ବନଖଣ୍ଡର ଏହି ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ତାଳଚେର ଡେରାରେ ଶାରଦୀୟ ନବରାତ୍ର ଉତ୍ସବ, ଦାଣ୍ଡିଆ ନୃତ୍ୟରେ ଝୁମିଲେ ଶ୍ରଦ୍ଧାଳୁ
Oct 16, 2026•37 views

ତାଳଚେର ଡେରାରେ ଶାରଦୀୟ ନବରାତ୍ର ଉତ୍ସବ, ଦାଣ୍ଡିଆ ନୃତ୍ୟରେ ଝୁମିଲେ ଶ୍ରଦ୍ଧାଳୁ

ତାଳଚେର: ପବିତ୍ର ଶାରଦୀୟ ନବରାତ୍ର ଓ ଦଶହରା ଅବସରରେ ମା’ ମହିଷାମର୍ଦ୍ଦିନୀ ତଥା ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଉପଲକ୍ଷେ ତାଳଚେରର ଡେରାଠାରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦାଣ୍ଡିଆ ନୃତ୍ୟ ଆୟୋଜିତ ହୋଇଥିଲା। ସରପଞ୍ଚ ତଥା ହିନ୍ଦୁ ସମାଜର ସଭାପତି ଗୀତିଶ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାହୁ, ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନଙ୍କ ସମେତ BSBର ଯୁବକ ବନ୍ଧୁ ଓ ଅନ୍ୟାନ୍ୟ ଅତିଥି ଯୋଗଦେଇଥିଲେ। ଏହି ଅବସରରେ ଦାଣ୍ଡିଆ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଉତ୍ସବମୁଖର ହୋଇଉଠିଥିଲା ସମଗ୍ର ପରିବେଶ। ଧାର୍ମିକ ଭାବନା ସହ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ବହନ କରିଥିଲା ଏହି କାର୍ଯ୍ୟକ୍ରମ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ଅନୁଗୋଳ ଛାତ୍ର ସଂସଦ ନିର୍ବାଚନରେ ABVPର ବିପୁଳ ବିଜୟ
Oct 16, 2026•45 views

ଅନୁଗୋଳ ଛାତ୍ର ସଂସଦ ନିର୍ବାଚନରେ ABVPର ବିପୁଳ ବିଜୟ

ଅନୁଗୋଳ: ଚଳିତ ବର୍ଷ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୫ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ABVPର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳ ମହିଳା ମହାବିଦ୍ୟାଳୟ ଓ PSSJ ଡିଗ୍ରୀ କଲେଜରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟ ପରେ ନବନିର୍ବାଚିତ ସଭାପତି, ସମ୍ପାଦକ ଓ ଅନ୍ୟ ପ୍ରାର୍ଥୀମାନେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ କଲେଜର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ବନ୍ତଳା ଡିଗ୍ରୀ କଲେଜ ଓ ଆଞ୍ଚଳିକ ଡିଗ୍ରୀ କଲେଜରେ ABVPର ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଆଗାମୀ ଦିନରେ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ଉନ୍ନତି ଓ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଏହି ବିଜୟ ପାଇଁ ସହଯୋଗ କରିଥିବା ଦଳୀୟ ନେତୃବୃନ୍ଦ, ବିଜେପି ଯୁବମୋର୍ଚ୍ଚା ଓ ABVPର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

୬ ମାସ ହେଲା ମିଳୁନି ଦିବ୍ୟାଙ୍ଗ ଭତ୍ତା, ଦୁର୍ଦ୍ଦଶାରେ ପିଙ୍କି ନାୟକ
Oct 16, 2026•51 views

୬ ମାସ ହେଲା ମିଳୁନି ଦିବ୍ୟାଙ୍ଗ ଭତ୍ତା, ଦୁର୍ଦ୍ଦଶାରେ ପିଙ୍କି ନାୟକ

ବଅଁରପାଳ: ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ। ଦୀର୍ଘ ୬ ମାସ ହେଲା ମିଳୁନି ଭତ୍ତା ଟଙ୍କା। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ପଞ୍ଚାୟତରୁ। ସୂଚନା ଅନୁଯାୟୀ, ମହୀଧରପୁର ପଞ୍ଚାୟତର ୩୫ ବର୍ଷୀୟା ଦିବ୍ୟାଙ୍ଗ ପିଙ୍କି ନାୟକ ଗତ ୬ ମାସ ହେଲା ଭତ୍ତା ଟଙ୍କା ପାଇନାହାନ୍ତି। ଦୈନନ୍ଦିନ ଖର୍ଚ୍ଚ ଓ ଔଷଧ କିଣିବା ପାଇଁ ଭତ୍ତା ହିଁ ତାଙ୍କର ଏକମାତ୍ର ଭରସା। ଏନେଇ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ମଧ୍ୟ ସମାଧାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଭତ୍ତା ନମିଳିବାରୁ ତାଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ତେବେ କାହିଁକି ଭତ୍ତା ଟଙ୍କା ବନ୍ଦ ରହିଛି ଏବଂ କେବେ ବକେୟା ଟଙ୍କା ମିଳିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ବକେୟା ଭତ୍ତା ପ୍ରଦାନ କରିବାକୁ ଦାବି ହେଉଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଧାମନଗର ମହାବିଦ୍ୟାଳୟରେ ABVPର ବାଜିମାତ୍
Oct 16, 2026•40 views

ଧାମନଗର ମହାବିଦ୍ୟାଳୟରେ ABVPର ବାଜିମାତ୍

ଭଦ୍ରକ ଜିଲ୍ଲା ଧାମନଗର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ABVPର ବାଜିମାତ୍। ପ୍ରେସିଡେଣ୍ଟ ଓ ଭାଇସ୍‌ ପ୍ରେସିଡେଣ୍ଟ ସମେତ ସମସ୍ତ ଆସନରେ ବିଜୟୀ ହୋଇଛି ABVP। ଦୀର୍ଘ ବର୍ଷର ବ୍ୟବଧାନ ପରେ ନିର୍ବାଚନ ହୋଇଥିବାରୁ କଲେଜ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ଉତ୍ସାହ ଓ ଉତ୍କଣ୍ଠା। ଫଳାଫଳ ପ୍ରକାଶ ପରେ ABVP ଶିବିରରେ ଖୁସିର ମାହୋଲ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଧାମନଗର ମହାବିଦ୍ୟାଳୟରେ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିଲା ବେଶ୍ ଉତ୍ସାହ। ନିର୍ବାଚନ ପୂର୍ବରୁ ବିଭିନ୍ନ ଛାତ୍ର ସଂଗଠନ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ। ପ୍ରଚାର ସମୟରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ତେବେ ମତଦାନ ଓ ଭୋଟ୍ ଗଣତି ପରେ ପ୍ରକାଶ ପାଇଥିଲା ନିର୍ବାଚନ ଫଳାଫଳ। ପ୍ରେସିଡେଣ୍ଟ, ଭାଇସ୍‌ ପ୍ରେସିଡେଣ୍ଟ ସମେତ ସମସ୍ତ ଆସନରେ ବିଜୟୀ ହୋଇଛି ABVP। ଏହି ବିଜୟ ପରେ ABVP ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ଧାମନଗର ମହାବିଦ୍ୟାଳୟ ଛାତ୍ର ରାଜନୀତିରେ ଏହି ଫଳାଫଳ ଏକ ଚର୍ଚ୍ଚାର ବିଷୟ ପାଲଟିଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

Jayashree Patra Appointed State President of Women Cell of Odisha Digital Media Mahasangha
Oct 16, 2026•21 views

Jayashree Patra Appointed State President of Women Cell of Odisha Digital Media Mahasangha

Bhubaneswar: Mrs. Jayashree Patra has been appointed as the State President of the Women Cell of Odisha Digital Media Mahasangha (ODMM), an organisation representing digital media activists across Odisha. Her appointment is expected to strengthen the organisation’s initiatives for women journalists and promote greater participation of women in the digital media sector. As State President of the Women Cell, she is expected to play an important role in coordinating women journalists, encouraging their professional development, and addressing issues concerning their welfare, dignity and security. The Core Team of Odisha Digital Media Mahasangha has extended its heartfelt congratulations to Mrs. Patra on her appointment and expressed confidence in her leadership. The team also wished her success in carrying out her new responsibilities and contributing to the growth and empowerment of women digital media journalists across the state. ODMM continues to focus on strengthening the digital media community through organisational development, coordination and professional initiatives.

Bhubaneswar (ଭୁବନେଶ୍ୱର) • Bureau Report, Srishti News, Bhubaneswar

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ହେଲେ ସିଫା ବେଗମ
Oct 16, 2026•36 views

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ହେଲେ ସିଫା ବେଗମ

ଖଡ଼ିଆଳ ): ନୂଆପଡ଼ା ଜିଲ୍ଲାର ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି। ନିର୍ବାଚନରେ ସଭାପତି ପଦବୀରେ ସିଫା ବେଗମ, ଉପସଭାପତି ଭାବେ ରଞ୍ଜିତା ମାଝୀ, ସାଧାରଣ ସମ୍ପାଦକ ପଦବୀରେ ଗଜେନ୍ଦ୍ର କୁମାର ଗହୀର ଏବଂ ଡ୍ରାମାଟିକ୍ ସମ୍ପାଦକ ଭାବେ ଦିବ୍ୟାଶିନୀ ଶୁନାନୀ ବିଜୟୀ ହୋଇଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସଭାପତି ପଦବୀ ପାଇଁ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତାରେ ସିଫା ବେଗମ ୭୮୭ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିପିକା ପୋଡ ୪୯୨ ଖଣ୍ଡ ଏବଂ ମହେଶ୍ୱର ବାଗ ୨୭ ଖଣ୍ଡ ଭୋଟ ପାଇଥିଲେ। ଏହି ପଦବୀରେ ସିଫା ବେଗମ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୯୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ଉପସଭାପତି ପଦବୀରେ ରଞ୍ଜିତା ମାଝୀ ୮୭୧ ଖଣ୍ଡ ଭୋଟ ପାଇଥିବା ବେଳେ ଜୁଲି ଭୋଇ ୪୩୨ ଖଣ୍ଡ ଭୋଟ ପାଇଛନ୍ତି। ଫଳରେ ରଞ୍ଜିତା ମାଝୀ ୪୩୯ ଖଣ୍ଡ ଭୋଟର ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦବୀରେ ଗଜେନ୍ଦ୍ର କୁମାର ଗହୀର ସର୍ବାଧିକ ୯୪୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମନୋରଞ୍ଜନ ବିଶ୍ୱାଳଙ୍କୁ ୩୦୧ ଖଣ୍ଡ ଭୋଟ ମିଳିଥିଲା। ଏହିପରି ଭାବେ ଗଜେନ୍ଦ୍ର ୬୪୧ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ଡ୍ରାମାଟିକ୍ ସମ୍ପାଦକ ପଦବୀରେ ଦିବ୍ୟାଶିନୀ ଶୁନାନୀ ୭୭୮ ଖଣ୍ଡ ଭୋଟ ପାଇଥିବା ବେଳେ ଲୀଳାବତୀ ପୋଡ ୫୦୨ ଖଣ୍ଡ ଭୋଟ ପାଇଥିଲେ। ଏହି ପଦବୀରେ ଦିବ୍ୟାଶିନୀ ୨୭୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜୟୀ ପ୍ରାର୍ଥୀମାନେ ଖୁସି ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନଙ୍କ ଉପରେ ଏବେ ମହାବିଦ୍ୟାଳୟର ଛାତ୍ର ସମାଜର ଆଶା ଓ ଆକାଂକ୍ଷା ପୂରଣ କରିବାର ଦାୟିତ୍ୱ ରହିଛି।

Nuapada (ନୂଆପଡ଼ା) • ଭଜନ ଲାଲ ଜଗତ