ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଯନ୍ତ୍ରୀଙ୍କ ବିରୋଧରେ ଆମରଣ ଅନଶନ ଜାରି
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇJune 25, 2026121 views

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତରେ ନିର୍ମିତ ରାସ୍ତା କାମରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଏବଂ ଏହା ସତ୍ତ୍ୱେ ବିଲ୍ ପାସ୍ କରାଯାଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କିଛି ସମାଜସେବୀ ଓ ପଞ୍ଚାୟତବାସୀ ଗତ ତିନି ଦିନ ଧରି ଆମରଣ ଅନଶନରେ ବସିଛନ୍ତି।
ଅନଶନକାରୀମାନଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ତଦନ୍ତ କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ଆମରଣ ଅନଶନର ପଥ ବାଛିଥିବା କହିଛନ୍ତି।
ତିନି ଦିନ ଧରି ଅନଶନରେ ବସିଥିବା ବ୍ୟକ୍ତିମାନେ ଖରା ଓ ଗରମକୁ ଖାତିର ନକରି ନିଜ ଦାବିରେ ଅଟଳ ରହିଛନ୍ତି। ଦିନରେ ପ୍ରଚଣ୍ଡ ଖରା ଏବଂ ରାତିରେ ବିଭିନ୍ନ ବିପଦ ସତ୍ତ୍ୱେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଅନଶନକାରୀଙ୍କ ଦାବି ପୂରଣ ପାଇଁ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।
