ଟିଟିପିଏସ୍ର ମନମୁଖୀ କାର୍ଯ୍ୟ ପାଇଁ ଦୁର୍ଦ୍ଦଶାରେ ଜନସାଧାରଣ, ୪ ବର୍ଷ ହେଲା ଖୋଳା ପଡ଼ିଛି ରାସ୍ତା
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 25, 202669 views

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଟିଟିପିଏସ୍ (TTPS) ପକ୍ଷରୁ ଖଣି ଅଞ୍ଚଳରୁ କୋଇଲା ପରିବହନ ପାଇଁ ବେଲ୍ଟ କନଭେୟର ବ୍ୟବସ୍ଥା କରାଯାଇଛି। ଏହି ବେଲ୍ଟ ଲାଇନ୍ ଥର୍ମାଲ ପାୱାର ପ୍ଲାଣ୍ଟରୁ ଘଣ୍ଟପଡ଼ା ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିବା ବେଳେ, ଏହା ପାଇଁ ଖୋଳାଯାଇଥିବା ରାସ୍ତା ଆଜି ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ଚାରି ବର୍ଷ ତଳେ ରାସ୍ତା ଖୋଳାଯାଇଥିଲେ ମଧ୍ୟ ଏହାର ପୁନରୁଦ୍ଧାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ ସମୟରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷା ଦିନରେ ରାସ୍ତାର ଅବସ୍ଥା ଅଧିକ ସଙ୍କଟଜନକ ହୋଇପଡ଼ୁଛି।
ଏହି ଅବହେଳିତ ରାସ୍ତାରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ବେଳେ, ବହୁ ଲୋକ ଆହତ ହୋଇ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଟିଟିପିଏସ୍ କିମ୍ବା ସମ୍ପୃକ୍ତ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ରାସ୍ତାର ମରାମତି ଏବଂ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
