ବରିଷ୍ଠ ସାମ୍ବାଦିକଙ୍କ ପେନସନ୍ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ୩ ମାସ ସମୟ ଦେଲେ ହାଇକୋର୍ଟ
ରିପୋର୍ଟ: କବିରାଜ ପାତ୍ର, କଟକJune 25, 202691 views

କଟକ, ୨୫ ଜୁନ,:
ଓଡ଼ିଶାର ବରିଷ୍ଠ ସାମ୍ବାଦିକମାନଙ୍କୁ ପେନସନ୍ ସୁବିଧା ପ୍ରଦାନ ଦାବିକୁ ନେଇ ଚାଲିଥିବା ଆଇନଗତ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୀତିଗତ ନିଷ୍ପତ୍ତି ନେବା ପାଇଁ ତିନି ମାସ ସମୟ ପ୍ରଦାନ କରିଛନ୍ତି।
ବରିଷ୍ଠ ସାମ୍ବାଦିକ ସଂଘ, ଓଡ଼ିଶା (SJAO) ପକ୍ଷରୁ ଦାଖଲ ହୋଇଥିବା ଅବମାନନା ମାମଲା (CONTC ନଂ–୧୧୮୯/୨୦୨୬)ର ଶୁଣାଣି କରି ନ୍ୟାୟମୂର୍ତ୍ତି ଡ଼. ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣାଯାଇଥିଲା ଯେ, ବରିଷ୍ଠ ସାମ୍ବାଦିକଙ୍କ ପେନସନ୍ ଯୋଜନା ସମ୍ପର୍କିତ ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧୀନ ଅବସ୍ଥାରେ ରହିଛି। ସାମ୍ବାଦିକ ସମାଜର ଦୀର୍ଘଦିନର ଦାବି ଓ ସେମାନଙ୍କ ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନିକ, ଆର୍ଥିକ ଏବଂ ନୀତିଗତ ଦିଗକୁ ବିଚାର କରିବା ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସରକାରୀ ପକ୍ଷ ଆଦାଲତଙ୍କୁ ଅବଗତ କରାଇଥିଲେ।
ସରକାର ଆଇନଜୀବୀଙ୍କ ଆଶ୍ୱାସନକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ପେନସନ୍ ପ୍ରଦାନ ସମ୍ପର୍କରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ସୁଯୋଗ ଦେଇଛନ୍ତି। ଏହି ସମୟ ମଧ୍ୟରେ ସମସ୍ତ ସମ୍ଭାବ୍ୟତାକୁ ଆକଳନ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ଆଶା ପ୍ରକାଶ କରିଛନ୍ତି।
ଏହା ସହିତ ଅବମାନନା ମାମଲାର ନିଷ୍ପତ୍ତି କରାଯାଇଥିବା ବେଳେ, ଭବିଷ୍ୟତରେ ଯଦି ଏହି ପ୍ରସଙ୍ଗରେ ଅନାବଶ୍ୟକ ବିଳମ୍ବ ହୁଏ, ତେବେ ଆବେଦନକାରୀ ପୁଣିଥରେ ନୂତନ ଅବମାନନା ମାମଲା ଦାଖଲ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଦୀର୍ଘଦିନ ଧରି ବରିଷ୍ଠ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ଓ ପେନସନ୍ ସୁବିଧା ଦାବି ଉଠିଆସୁଥିବା ବେଳେ, ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ସାମ୍ବାଦିକ ମହଳରେ ନୂତନ ଆଶା ସଞ୍ଚାର କରିଛି। ଏବେ ସମସ୍ତଙ୍କ ନଜର ରହିଛି ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।
