--:--:--
-- ---
Srishti News

Web News

ବନବିଭାଗର ଅତର୍କିତ ଚଢ଼ାଉ, ୩୦ ସିଫ୍ଟ ଶାଗୁଆନ କାଠ ଜବତ
Jun 28, 2026•92 views

ବନବିଭାଗର ଅତର୍କିତ ଚଢ଼ାଉ, ୩୦ ସିଫ୍ଟ ଶାଗୁଆନ କାଠ ଜବତ

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଦକ୍ଷିଣ ପାର୍ଶ୍ୱରେ ଥିବା ରେଙ୍ଗାଳି କେନାଲ ନିକଟରେ ବନ ବିଭାଗ ପକ୍ଷରୁ ଏକ ଅତର୍କିତ ଚଢ଼ାଉ କରାଯାଇ ୩୦ ସିଫ୍ଟ ଶାଗୁଆନ କାଠ ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ତାଳଚେର ରେଞ୍ଜ ଅଧୀନ ଗଣ୍ଠିଗାଡ଼ିଆ ବିଟ୍‌ର ଫରେଷ୍ଟର ବୈଶିଷ୍ଠ ଦେହୁରୀଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ସେଠାରେ ଗଛମୂଳେ ଲୁଚାଇ ରଖାଯାଇଥିବା ୩୦ ସିଫ୍ଟ ଶାଗୁଆନ କାଠକୁ ଜବତ କରାଯାଇଥିବା ଜଣାପଡ଼ିଛି। ବନ ବିଭାଗର ସୂଚନା ଅନୁଯାୟୀ, ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏହି ଚଢ଼ାଉରେ ଫରେଷ୍ଟ ଗାର୍ଡ ମନ୍ମଥ ମହାନ୍ତି, ନିବେଦିତା ପ୍ରଧାନଙ୍କ ସମେତ ବନ ବିଭାଗର ସ୍ପାଇଡ୍ ଟିମ୍‌ର ସଦସ୍ୟମାନେ ସାମିଲ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପିଇବା ପାଣି ପାଇଁ ଚିନ୍ତାରେ ସଲିଆସାହି ବସ୍ତିବାସିନ୍ଦା; କମିଶନରଙ୍କୁ ଭେଟିବାକୁ ଦେଲେନି ପିଏ ଓ ଅଧିକାରୀ ବୋଲି ଅଭିଯୋଗ
Jun 28, 2026•116 views

ପିଇବା ପାଣି ପାଇଁ ଚିନ୍ତାରେ ସଲିଆସାହି ବସ୍ତିବାସିନ୍ଦା; କମିଶନରଙ୍କୁ ଭେଟିବାକୁ ଦେଲେନି ପିଏ ଓ ଅଧିକାରୀ ବୋଲି ଅଭିଯୋଗ

ରାଜଧାନୀ ଭୁବନେଶ୍ୱରର ସଲିଆସାହି ଆଦିବାସୀ ଗାଁ (ୱାର୍ଡ ନଂ-୨୧)ରେ ଦୀର୍ଘଦିନ ଧରି ଲାଗି ରହିଥିବା ପିଇବା ପାଣି ସମସ୍ୟାକୁ ନେଇ ରବିବାର ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ମହିଳାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନରଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ତେବେ କମିଶନରଙ୍କ ସହ ସାକ୍ଷାତ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ ହୋଇଛି। ବସ୍ତିବାସିନ୍ଦାଙ୍କ କହିବା ଅନୁସାରେ, କମିଶନରଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଓ ଜଳ ଏବଂ ଡ୍ରେନେଜ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ। ଏହାକୁ ନେଇ ବସ୍ତିବାସିନ୍ଦା ଓ ଉପସ୍ଥିତ ଅଧିକାରୀଙ୍କ ମଧ୍ୟରେ କିଛି ସମୟ ଧରି ବଚସା ଓ ଯୁକ୍ତିତର୍କ ହୋଇଥିଲା। ତଥାପି ସେମାନେ କମିଶନରଙ୍କୁ ଭେଟିପାରି ନଥିବା ଅଭିଯୋଗ କରିଛନ୍ତି। ଆନ୍ଦୋଳନରତ ବସ୍ତିବାସିନ୍ଦା କହିଛନ୍ତି, "ଆମେ ପିଇବା ପାଣି ପାଇଁ ବହୁତ ହଇରାଣ ହେଉଛୁ। ନିଜ ସମସ୍ୟା ଜଣାଇବା ପାଇଁ କମିଶନରଙ୍କ ପାଖକୁ ଆସିଥିଲୁ। କିନ୍ତୁ ଏଠାରେ ଥିବା ଅଧିକାରୀ ଓ ପିଏ ଆମକୁ ଭିତରକୁ ଛାଡ଼ିଲେ ନାହିଁ। ଆମ କଥା ଶୁଣିବାକୁ କାହା ପାଖରେ ସମୟ ନାହିଁ।" ଏପରି ସ୍ଥିତିରେ ପିଇବା ପାଣି ସମସ୍ୟାର ଶୀଘ୍ର ସମାଧାନ ସହ ବସ୍ତିବାସିନ୍ଦାଙ୍କ ଅଭିଯୋଗର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। (ଟିପ୍ପଣୀ: କମିଶନରଙ୍କ କାର୍ଯ୍ୟାଳୟ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ପ୍ରତିକ୍ରିୟା ମିଳିଲେ ଖବରକୁ ଅଦ୍ୟତନ କରାଯିବ।)

ଭୁବନେଶ୍ୱର, ପ୍ରତିନିଧି ସୁଶାନ୍ତ କୁମାର ମହାକୁଡ଼:

କଣ୍ଟ୍ରାକ୍ଟରଙ୍କ ମନମୁଖୀ କାର୍ଯାଯୋଗୁ ଅଧାରେ କଲଭୋର୍ଟ ନିର୍ମାଣ କାର୍ଯ୍ୟ , ପ୍ରଶାସନିକ ନିରବତାକୁ ନେଇ ଜନସନ୍ତୋଷ
Jun 28, 2026•101 views

କଣ୍ଟ୍ରାକ୍ଟରଙ୍କ ମନମୁଖୀ କାର୍ଯାଯୋଗୁ ଅଧାରେ କଲଭୋର୍ଟ ନିର୍ମାଣ କାର୍ଯ୍ୟ , ପ୍ରଶାସନିକ ନିରବତାକୁ ନେଇ ଜନସନ୍ତୋଷ

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନଇତଇଲା ଗ୍ରାମଠାରୁ ଆଦିବାସୀ ସାହିକୁ ଯିବାପାଇଁ କଲଭୋର୍ଟ କାର୍ଯ୍ୟ ଅଧୁରା ହୋଇ ପଡ଼ିରହିଛି ପଂଚାୟତ ରେ ସରପଞ୍ଚଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ କଥାକୁ ଆଡେଇ ଦେଇଥିବା ଗ୍ରାମବାସୀ କହିଛନ୍ତି ସରପଞ୍ଚ କହୁଛନ୍ତି ପଂଚାୟତ ରେ ଅର୍ଥାଭାବ ନାହିଁବୋଲି ବ୍ଲକ ପ୍ରଶାସନ କୁ ଜଣାଇଥଲେ ମଧ୍ୟ ବ୍ଲକ କତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ସ୍ଥାନୀୟ ଲୋକେ ବର୍ଷା ଦିନେ ଯାତାୟାତ କରିବାରେ ଓ ଅନ୍ୟନ୍ୟା ସମସ୍ୟା ଅଭିଯୋଗ ମଧ୍ୟ ରହିଛି ସ୍ଥାନୀୟ ଲୋକେ କଲଭୋର୍ଟ କାର୍ଯ୍ୟ ଶୀଘ୍ର କରିବାପାଇଁ ପ୍ରଶାସନ କୁ ଦାବିକରିଛନ୍ତି

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ସାପଗଣ୍ଡା ଶୈବପୀଠ ର ଉନ୍ନତି କରଣ  ସହିତ ମନ୍ଦିର କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଦାବି
Jun 28, 2026•58 views

ସାପଗଣ୍ଡା ଶୈବପୀଠ ର ଉନ୍ନତି କରଣ ସହିତ ମନ୍ଦିର କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଦାବି

କଳାହାଣ୍ଡି -ଜୁନାଗଡ ବ୍ଲକ ଅନ୍ତର୍ଗତ ସାପଗଣ୍ଡା ଶୈବୀଠରେ ଶ୍ରୀ ଶ୍ରୀ କାଲେଶ୍ୱର୍ ମହାଦେବ ପୂଜା ପାଆନ୍ତି। ବିଶ୍ୱାସ କରାଯାଏ ମହାଦେବ ଙ୍କ ଦର୍ଶନ କଲେ ଭକ୍ତ ଙ୍କ ମନସ୍କାମନା ପୂରଣ ହୋଇଥାଏ।ଏଣୁ ଜିଲ୍ଲାର ଦୂରଦୂରାନ୍ତ ରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି।କିନ୍ତୁ ମନ୍ଦିର କୁ ଯିବା ପାଇଁ ଏକ ଭଲ ରାସ୍ତା ନାହିଁ ।କେବଳ ମାଟି ଓ ମୋରମ ରାସ୍ତା ଥିବାରୁ ବର୍ଷା ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରୁଛନ୍ତି। ମନ୍ଦିର ର ବିକାଶ ସଙ୍ଗେ ସଙ୍ଗେ ମନ୍ଦିର କୁ ଯିବା ରାସ୍ତା ପକ୍କା ରାସ୍ତା ତିଆରି ହେଲେ ଏହା ଏକ ତୀର୍ଥ କ୍ଷେତ୍ର ପରିଣତ ହୋଇପାରିବ ବୋଲି ଜନସାଧାରଣଙ୍କ ଆଶା ଓ ବିଶ୍ୱାସ। ଏଣୁ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ପ୍ରେମିକର ଅଭାବନୀୟ କାଣ୍ଡ, ପେଟ୍ରୋଲ ଢାଳି ଯୁବତୀଙ୍କୁ ଜାଳିଦେଲା
Jun 28, 2026•93 views

ପ୍ରେମିକର ଅଭାବନୀୟ କାଣ୍ଡ, ପେଟ୍ରୋଲ ଢାଳି ଯୁବତୀଙ୍କୁ ଜାଳିଦେଲା

ବିଶ୍ରା- ଏକ ତରଫା ପ୍ରେମରେ ବିଫଳ ହେବାରୁ ନାରକୀୟ କାଣ୍ଡ ଭିଆଇ ଛି ପ୍ରେମିକା. ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ଅଞ୍ଚଳରେ ଜନେ ଯୁବତୀ ଘରେ ଏକୁଟିଆ ଶୋଇଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଜଳାଇ ଦେଇଥିଲା ଅଭିଯୁକ୍ତ. ପେଟ୍ରୋଲ ଢାଳି ଦେବା ଫଳରେ ଘରର ଆସବାବ ପତ୍ର ସହ ଜଳି ଯାଇଥିଲେ ଯୁବତୀ. ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଆର ଜି ଏଚ୍ ଓ ପରେ 200 କିଲୋମିଟର ଦୂର ସମ୍ବଲପୁର ବୁର୍ଲା ନିଆଯାଇଥିଲା. ସେଠାରେ ବେଡ୍ ନ ମିଳିବାରୁ ଆମ୍ବୁଲାନ୍ସ ରେ ଚଟପଟ ହୋଇ ପୁଣି ରାଉରକେଲା ଅଣାଯାଇ ଜେପି ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି. ଏହି ଘଟଣା କୁ ତଦନ୍ତ କରି ବିଶ୍ରା ଥାନା ପୋଲିସ ରଜତ କିରୋ କୁ ଗିରଫ୍ କରି ତଦନ୍ତ ଆରମ୍ଭ କରିଛି.

Sundargarh (ସୁନ୍ଦରଗଡ଼) • ରିପୋର୍ଟ: ମୁକେଶ ମାହାତୋ ଓ ଗଣପତି ଦାସ, ବିଶ୍ରା

ଜନଶୂନ୍ୟ ଗାଁରେ ଏକାକୀ ୭୨ ବର୍ଷର ବୃଦ୍ଧା: ସହରମୁହାଁ ପ୍ରବାସର ହୃଦୟବିଦାରକ ଚିତ୍ର
Jun 28, 2026•68 views

ଜନଶୂନ୍ୟ ଗାଁରେ ଏକାକୀ ୭୨ ବର୍ଷର ବୃଦ୍ଧା: ସହରମୁହାଁ ପ୍ରବାସର ହୃଦୟବିଦାରକ ଚିତ୍ର

ଆଧୁନିକତା ଚକାଚକ୍ୟ ଓ ସହରମୁହାଁ ସ୍ରୋତ ଭିତରେ ହଜିଯାଉଛି ଗାଁର ଅସ୍ତିତ୍ୱ। ଖାଲି ହେବାରେ ଲାଗିଛି ଶହ ଶହ ବର୍ଷର ପୁରୁଣା ଭିଟାମାଟି। ଏଭଳି ଏକ ହୃଦୟବିଦାରକ ତଥା ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରୁ। ​ବ୍ଲକର ପ୍ରାୟ ଶହେ ବର୍ଷର ପୁରୁଣା ଗ୍ରାମ ‘ଛତାବର’ ଏବେ ସମ୍ପୂର୍ଣ୍ଣ ରୂପେ ଜନଶୂନ୍ୟ ହୋଇପଡ଼ିଛି। ଗୋଟିଏ ସମୟରେ ଲୋକାରଣ୍ୟ ଥିବା ଏହି ଗାଁ ଏବେ ଶୂନଶାନ। ସମସ୍ତେ ଗାଁ ଛାଡ଼ି ସହରମୁହାଁ ହୋଇଥିବା ବେଳେ, ଏହି ଶୂନ୍ୟ ଗାଁରେ ଏବେ ଏକାକୀ ଜୀବନ ବିତାଉଛନ୍ତି ଜଣେ ୭୨ ବର୍ଷୀୟା ବୃଦ୍ଧା। ସେ ହେଉଛନ୍ତି ମୀରାବାଈ ପଣ୍ଡା। ​ଗ୍ରାମର ସମସ୍ତ ପରିବାର ରୋଜଗାର ଓ ଉନ୍ନତ ଜୀବନଶୈଳୀ ଆଶାରେ ପ୍ରବାସକୁ ଆପଣେଇ ନେଇଥିବା ବେଳେ, ମୀରାବାଈ କିନ୍ତୁ ନିଜ ଭିଟାମାଟିକୁ ଛାଡ଼ିପାରି ନାହାନ୍ତି। ଚାରିଆଡ଼େ ଶୂନ୍ୟତା ଓ ନିସ୍ତବ୍ଧତା ଭିତରେ ସେ ପ୍ରତିଦିନ ସଂଘର୍ଷ କରୁଛନ୍ତି। ​ଅନ୍ୟମାନଙ୍କ ପାଇଁ ଗାଁ କେବଳ ଏକ ଠିକଣା ହୋଇପାରେ, କିନ୍ତୁ ମୀରାବାଈଙ୍କ ପାଇଁ ଏହା ତାଙ୍କର ଜୀବନ। ସହରମୁହାଁ ପ୍ରବାସୀ ସ୍ରୋତ କେମିତି ଗୋଟିଏ ପୁରୁଣା ଗାଁକୁ ମଶାଣି ଭଳି ନିଶ୍ଚଳ କରିଦେଇଛି, ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଏହି ବୃଦ୍ଧା। ଏହି ଘଟଣା ଆଜିର ସମାଜ ଏବେ କେଉଁ ଦିଗକୁ ଗତି କରୁଛି, ସେ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Ganjam (ଗଞ୍ଜାମ) • ​ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ। ଭଞ୍ଜନଗର

ଭଞ୍ଜନଗରରେ କଂଗ୍ରେସର ବିଶାଳ ବୈଠକ: NEET ପେପର ଲିକ୍ ପ୍ରତିବାଦ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବି
Jun 28, 2026•75 views

ଭଞ୍ଜନଗରରେ କଂଗ୍ରେସର ବିଶାଳ ବୈଠକ: NEET ପେପର ଲିକ୍ ପ୍ରତିବାଦ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବି

ଦେଶବ୍ୟାପୀ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଏବଂ କେନ୍ଦ୍ର ସରକାରଙ୍କ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଗଞ୍ଜାମ (ପଶ୍ଚିମ) ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ, ଗଞ୍ଜାମ (ପଶ୍ଚିମ) ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ପାତ୍ର ଏବଂ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥଙ୍କ ବଳିଷ୍ଠ ନେତୃତ୍ୱରେ ଭଞ୍ଜନଗର ତଥା ଘୁମୁସର ଅଞ୍ଚଳରେ ଏହି ପ୍ରତିବାଦ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ​ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ, ସାଧାରଣ କର୍ମୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସାମ୍ପ୍ରତିକ ସମୟରେ NEET ଏବଂ CBSE ପେପର ଲିକ୍ ଦୁର୍ନୀତି ଯୋଗୁଁ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି ବୋଲି ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ରର ଶିକ୍ଷା ବ୍ୟବସ୍ଥାକୁ ତୀବ୍ର ନିନ୍ଦା କରାଯିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହିଷ୍କାର ପାଇଁ ଦୃଢ଼ ଦାବି କରାଯାଇଛି। ​ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା, ଦେଶର ସମସ୍ତ ଯୁବକ-ଯୁବତୀଙ୍କ ଲାଗି ସୁଦୂରପ୍ରସାରୀ ରୋଜଗାର ପନ୍ଥା ସୃଷ୍ଟି କରିବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟାର ସୁଧାର ଆଣିବା ପାଇଁ ବୈଠକରେ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଆଗାମୀ ଦିନରେ କଂଗ୍ରେସ ସଂଗଠନକୁ ବୁଥ୍ ସ୍ତରରୁ ଅଧିକ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ​ଶେଷରେ, ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଉପସ୍ଥିତ ସମସ୍ତ ସାମ୍ବାଦିକ, ଛାତ୍ରଛାତ୍ରୀ ଏବଂ ନୂତନ ଓ ପୁରାତନ କର୍ମକର୍ତ୍ତାଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରାଯାଇଛି।

Ganjam (ଗଞ୍ଜାମ) • ​ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ଗାର୍ଡୱାଲ୍ ପଡ଼ି ମହିଳାଙ୍କ ମୃତ୍ୟୁ, ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ
Jun 28, 2026•62 views

ଗାର୍ଡୱାଲ୍ ପଡ଼ି ମହିଳାଙ୍କ ମୃତ୍ୟୁ, ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ

ହିଞ୍ଜିଳିକାଟୁ, ୨୨।୬ (ସଂଚାର ବ୍ୟୁରୋ): ହିଞ୍ଜିଳି ଥାନା ଅନ୍ତର୍ଗତ ଗାଁରେ ପାଚେରୀ ପଡ଼ି ଜଣୈକ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ପାଞ୍ଚାଳୀ ଗୌଡ଼ (୪୫) । ପାଚେରୀକୁ ଲାଗି ମହିଳା ଜଣକ ଗାଈ ଗୁହାଳ କରିଥିଲେ । ଆଜି ଅପରାହ୍ନ ସମୟରେ ଗୁହାଳ ସଫା କରୁଥିବା ବେଳେ ହଠାତ୍ ପ୍ରାଚୀର ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ । ହିଞ୍ଜିଳି ମେଡିକାଲରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏ ନେଇ ହିଞ୍ଜିଳି ଥାନାରେ ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଗଞ୍ଜାମ

ଶିକ୍ଷା, ସଂଗଠନ ଓ ସମାଜସେବାକୁ ପାଥେୟ କରି ଆମ୍ବେଦକର ୟୁଥ ବ୍ରିଗେଡର ନୂଆ ସଂକଳ୍ପ
Jun 28, 2026•145 views

ଶିକ୍ଷା, ସଂଗଠନ ଓ ସମାଜସେବାକୁ ପାଥେୟ କରି ଆମ୍ବେଦକର ୟୁଥ ବ୍ରିଗେଡର ନୂଆ ସଂକଳ୍ପ

ଗଣ୍ଡାମେର ପଞ୍ଚାୟତରେ ସାଙ୍ଗଠନିକ ବୈଠକ; ଶିକ୍ଷା କ୍ରାନ୍ତିରୁ ନିଶାମୁକ୍ତ ସମାଜ ଗଠନ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର, ଭାରତରତ୍ନ ଡ଼. ବି.ଆର୍. ଆମ୍ବେଦକରଙ୍କ ଏହି ଯୁଗାନ୍ତକାରୀ ବାର୍ତ୍ତାକୁ ପାଥେୟ କରି ଆମ୍ବେଦକର ୟୁଥ ବ୍ରିଗେଡ କ୍ଲବ, ନୂଆପଡ଼ା ପକ୍ଷରୁ ଗଣ୍ଡାମେର ପଞ୍ଚାୟତରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସମାଜରେ ଶିକ୍ଷାର ପ୍ରସାର, ଯୁବଶକ୍ତିଙ୍କୁ ସଂଗଠିତ କରିବା ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସାମାଜିକ ଓ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାମୂହିକ ପଦକ୍ଷେପ ଗ୍ରହଣ କରିବା ଏହି ବୈଠକର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ବୈଠକରେ ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳରେ ବଢ଼ୁଥିବା ବେକାରି, ଅଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା, ନିଶା ସେବନ, ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସମସ୍ୟା ଓ ମୌଳିକ ସୁବିଧାର ଅଭାବ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କେବଳ ସରକାରୀ ବ୍ୟବସ୍ଥା ଉପରେ ନିର୍ଭର ନରହି ସମାଜର ଯୁବପିଢ଼ି ନିଜେ ଆଗେଇ ଆସି ସମାଧାନର ଅଂଶୀଦାର ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ବୈଠକରେ **‘ଶିକ୍ଷା କ୍ରାନ୍ତି’**କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା। ଗରିବ ଓ ଅସହାୟ ପରିବାରର ଶିଶୁମାନଙ୍କୁ ଉନ୍ନତ ଶିକ୍ଷା ସୁଯୋଗ ଯୋଗାଇବା, ସ୍କୁଲ ଛାଡ଼ିଥିବା ପିଲାମାନଙ୍କୁ ପୁନର୍ବାର ଶିକ୍ଷା ସହିତ ଯୋଡ଼ିବା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା, ଗ୍ରାମରେ ପାଠାଗାର ସ୍ଥାପନ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ପର୍କରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାଛଡ଼ା ଅଧିକରୁ ଅଧିକ ଯୁବକ ଓ ଯୁବତୀଙ୍କୁ କ୍ଲବ ସହ ଯୋଡ଼ି ସମାଜସେବା ଦିଗରେ ସକ୍ରିୟ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। କ୍ଲବର ସଦସ୍ୟମାନେ ପ୍ରତ୍ୟେକ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଚିହ୍ନଟ କରିବେ ଓ ସମ୍ପୃକ୍ତ ବିଭାଗ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଗାମୀ ଦିନରେ କ୍ଲବ ପକ୍ଷରୁ ସାମାଜିକ ନ୍ୟାୟ, ସ୍ୱାସ୍ଥ୍ୟ ସଚେତନତା, ରକ୍ତଦାନ ଶିବିର, ପରିବେଶ ସୁରକ୍ଷା, ନିଶାମୁକ୍ତ ସମାଜ ଗଠନ, ମହିଳା ସଶକ୍ତିକରଣ, ସରକାରୀ ଯୋଜନା ସମ୍ପର୍କରେ ଜନଜାଗରଣ ଓ ମୌଳିକ ଅଧିକାର ସୁରକ୍ଷା ପାଇଁ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବାକୁ ସଂକଳ୍ପ ନିଆଯାଇଥିଲା। ବୈଠକରେ ନରେନ୍ଦ୍ର ନାଗ, ଲକ୍ଷପତି ସୁନା, ମୁଖ ସୁନା, ସଚିନ ବିଭାର, ଲକ୍ଷ୍ମୀକାନ୍ତ ତାଣ୍ଡି, ପାଣ୍ଡବ ବାଗ, ଚିଣ୍ଟୁ ଦୀପ, ମଦନ ଦୀପ, ଲାଲମନ, ଗୋକୁଳ, ବବଲୁ, ଶେଷଦେବ, ନରେଶ ଓ ତ୍ରିନାଥ ପ୍ରମୁଖ ଉପସ୍ଥିତ ରହି ବୈଠକକୁ ସଫଳ କରିଥିଲେ। ଶେଷରେ ସଦସ୍ୟମାନେ ଏକ ସ୍ୱରରେ କହିଥିଲେ ଯେ, “ସମାଜ ପରିବର୍ତ୍ତନ କେବଳ ଭାଷଣରେ ନୁହେଁ, ବରଂ କାର୍ଯ୍ୟରେ ସମ୍ଭବ। ଆଜିର ଛୋଟ ପ୍ରୟାସ ହିଁ ଆସନ୍ତାକାଲିର ସୁନ୍ଦର ଭବିଷ୍ୟତର ମୂଳଦୁଆ ହେବ।” ବାବାସାହେବଙ୍କ ଆଦର୍ଶକୁ ପାଥେୟ କରି କ୍ଲବ ଜନସେବା, ଶିକ୍ଷା ଓ ସାମାଜିକ ପରିବର୍ତ୍ତନ ଦିଗରେ ନିରନ୍ତର କାର୍ଯ୍ୟ କରିବାକୁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଛି ।

Nuapada (ନୂଆପଡ଼ା) • ରିପୋର୍ଟର: ଗିରେନ୍ଦ୍ର କୁମାର ଜଗତ

ଚୋରି ଉଦ୍ୟମ ପଣ୍ଡ,, ଚାରି ଜଣ ଫେରାର, ସ୍କଟି ସହ ଜଣକୁ ଧରି  ପୋଲିସ ଜିମା ଦେଲେ ଗ୍ରାମବାସୀ
Jun 28, 2026•78 views

ଚୋରି ଉଦ୍ୟମ ପଣ୍ଡ,, ଚାରି ଜଣ ଫେରାର, ସ୍କଟି ସହ ଜଣକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ନୟାଗଡ଼: ରଣପୁର ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଯୁବକ ମାନେ ପାଉଡର ସେବନ କରି ଅଞ୍ଚଳରେ ଗାଡ଼ି ଚୋରି ଠାରୁ ଆରମ୍ଭ କରି ରାସ୍ତା ଘାଟରେ ରାହାଜାନୀ ଡ଼କାୟତି କରୁଥିବା ଦେଖିବାକୁ ମିଳିଛି। ସୁଚନା ମୁତାବକ ଲୋଧାଚୁଆ ବେଗୁନିଆ ପୂର୍ତ୍ତ ବିଭାଗ ରାସ୍ତା ଗଡବାଣିକିଲୋ ଠାରେ ଏକ ଗ୍ୟାରେଜକୁ ଚୋରି କରିବାକୁ ଆସି ସ୍କୁଟିସହ ଜଣକୁ କାବୁ କଲେ ଗ୍ରାମବାସୀ ଆଉ ଚାରିଜଣ ଖସିଗଲେ। ସୁଚନା ମୁତାବକ ଗଲା ଶନିବାର ରାତି ପ୍ରାୟ ସାଢେ଼ ବାରଟା ରାତିରେ ପାଞ୍ଚଜଣ ଯୁବକ ଦୁଇଟି ଗାଡ଼ିରେ ଆସି ଗ୍ୟାରେଜ ବନ୍ଦ କରି ବାପ ପୁଅ ଶୋଇଥିବା ଅବସ୍ଥାରେ ଅଚାନକ ମାରଣାଅସ୍ତ୍ର ଦେଖାଇ ଗାଳି ଗୁଲଜ କରିବା ସହିତ ଧମକ ଚମକ କରି ଆକ୍ରମଣ କରିଥିଲେ। ଅତି ଚତୁରତାର ସହିତ ଗ୍ୟାରେଜ ମାଲିକଙ୍କ ଛୋଟପୁଅ ଘରକୁ ଫୋନ୍ କରି ଦେଇଥିଲେ ଫଳରେ ଘର ଲୋକମାନେ ସାହି ପଡିଶା ଙ୍କୁ ଡାକି ତୁରନ୍ତ ପହଞ୍ଚିଥିଲେ। ଗହଳି ଦେଖି ତିନିଜଣ ଗୋଟିଏ ବାଇକରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ଆଉ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗାଡ଼ିଛାଡ଼ି ଅନ୍ଧାରରେ ବିଲରେ ଦୈଡି ପଳାଇବା ବେଳେ OD25S 4295 ଜୁପିଟର ସ୍କୁଟି ସହ ଜଣକୁ କାବୁ କରି 112 ସହାୟତା ରେ ପୋଲିସ ଙ୍କୁ ଜିମା ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ। ପୋଲିସ ସେମାନଙ୍କୁ ଥାନା କୁ ନେଇ ପଚରା ଉଚରା କରୁଛି। ଏହି ବେଗୁନିଆ ଲୋଧାଚୁଆ ରାସ୍ତାରେ ପୋଲିସର କଡ଼ା ପେଟ୍ରୋଲିଙ୍ଗ ନଥିବାରୁ ଚୋରି ରାହାଜାନୀ ଏବଂ ଧଳା ଜହର କାରବାର ର ହବ ପାଲଟିଛି ।ପାଉଡର ଭଳି ନିଶା ସେବନ କରି ଅସାମାଜିକ ଯୁବକ ମାନେ ଏହି ରାସ୍ତା ରେ ଅସାମାଜିକ କାଣ୍ଡ ଭିଆଇବା ପାଇଁ ସୁରକ୍ଷିତ ମନେ କରିଛନ୍ତି। କିଛି ଦିନ ତଳେ ଗଡବାଣିକିଲୋ ଗ୍ରାମରୁ ଗାଡ଼ି ଚୋରି ଭଲି ଅଭିଯୋଗ ମଧ୍ୟ ଥାନା ଫାଣ୍ଡିରେ ଅଭିଯୋଗ ଅଛି। ଆଗାମୀ ଦିନରେ ଏହି ଖୋର୍ଦ୍ଧା ନୟାଗଡ଼ ସୀମାର ଲୋଧାଚୁଆ ଗଡବାଣିକିଲୋ ବେଗୁନିଆ ପୁତ୍ତ ବିଭାଗ ରାସ୍ତାରେ ରାତିରେ କଡ଼ା ପେଟ୍ରୋଲିଙ୍ଗ ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ କରିଛନ୍ତି।

Nayagarh (ନୟାଗଡ଼) • ରିପୋର୍ଟ: ନିରଞ୍ଜନ ମହାପାତ୍ର, ଗଡବାଣିକିଲୋ, ରଣପୁର

ପୋଖରୀ ଖନନ ଯୋଗୁଁ ରାସ୍ତା ବନ୍ଦ, ଚିନ୍ତାରେ ଚାଷୀ ଓ ଛେଳି ଫାର୍ମ ମାଲିକ
Jun 28, 2026•96 views

ପୋଖରୀ ଖନନ ଯୋଗୁଁ ରାସ୍ତା ବନ୍ଦ, ଚିନ୍ତାରେ ଚାଷୀ ଓ ଛେଳି ଫାର୍ମ ମାଲିକ

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଅଞ୍ଚଳର ଆଲୁମିନିୟମ୍ ପାର୍କ ନିକଟରେ ପୋଖରୀ ଖନନ କାର୍ଯ୍ୟ ଯୋଗୁଁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ନିକଟରେ ଥିବା ଏକ ଛେଳି ଫାର୍ମକୁ ଯାତାୟାତ ପାଇଁ ଏହି ରାସ୍ତା ଏକମାତ୍ର ସଂଯୋଗ ହୋଇଥିବାରୁ ଫାର୍ମକୁ ଯିବା ଆସିବାରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି। ରାସ୍ତା ବନ୍ଦ ହେବା ଫଳରେ ଫାର୍ମର ଦୈନନ୍ଦିନ ପରିଚାଳନା, ପଶୁଖାଦ୍ୟ ପରିବହନ ଏବଂ ଅନ୍ୟାନ୍ୟ କୃଷି ସମ୍ପର୍କିତ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ତୁରନ୍ତ ସମାଧାନ କରି ଯାତାୟାତ ସୁବିଧା ପୁନଃସ୍ଥାପନ କରିବା ପାଇଁ ବନ୍ଦା ଗ୍ରାମର ଚନ୍ଦ୍ରଶେଖର ସାହୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଆପତ୍ତି ଜଣାଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧୁଳି-ଧୁଆଁରେ ଅତିଷ୍ଠ ତାଳଚେରବାସୀ
Jun 28, 2026•58 views

ଧୁଳି-ଧୁଆଁରେ ଅତିଷ୍ଠ ତାଳଚେରବାସୀ

ତାଳଚେର: ତାଳଚେର ଅଞ୍ଚଳରେ ଥିବା ଜଗନ୍ନାଥ ମାଇନ୍ସର ରେଲୱେ ସାଇଡିଂରୁ ପ୍ରତିଦିନ ହଜାର ହଜାର ଟନ୍ କୋଇଲା ଟ୍ରକ୍ ଓ ଟ୍ରେନ୍ ଯୋଗେ ବାହାରକୁ ପରିବହନ କରାଯାଉଛି। ମାତ୍ର କୋଇଲା ପରିବହନ ସମୟରେ ଧୁଳି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ନ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଅଭିଯୋଗ ଅନୁସାରେ, ରାସ୍ତାରେ ନିୟମିତ ପାଣି ସିଞ୍ଚନ କରି ଧୁଳି ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଓ ଅନୁମତି ଥିବା ସତ୍ତ୍ୱେ ତାହାର ସଠିକ୍ ପାଳନ କରାଯାଉନାହିଁ। ଫଳରେ କୋଇଲା ବୋଝେଇ ଗାଡ଼ି ଚଳାଚଳ ବେଳେ ପ୍ରବଳ ଧୁଳି ଉଡ଼ୁଛି, ଯାହାର ପ୍ରଭାବରେ ଆଖପାଖ ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକମାନେ ଶ୍ୱାସକଷ୍ଟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ଧୁଳି ପ୍ରଦୂଷଣ ରୋକିବା ପାଇଁ ନିୟମିତ ପାଣି ସିଞ୍ଚନ ସହ ଅନ୍ୟାନ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ସ୍ଥାନୀୟ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ:ସନାତନ କର ଓ ସରୋଜ କାନ୍ତ ଜେନା