ପିଇବା ପାଣି ପାଇଁ ଚିନ୍ତାରେ ସଲିଆସାହି ବସ୍ତିବାସିନ୍ଦା; କମିଶନରଙ୍କୁ ଭେଟିବାକୁ ଦେଲେନି ପିଏ ଓ ଅଧିକାରୀ ବୋଲି ଅଭିଯୋଗ
ଭୁବନେଶ୍ୱର, ପ୍ରତିନିଧି ସୁଶାନ୍ତ କୁମାର ମହାକୁଡ଼:June 28, 2026105 views

ରାଜଧାନୀ ଭୁବନେଶ୍ୱରର ସଲିଆସାହି ଆଦିବାସୀ ଗାଁ (ୱାର୍ଡ ନଂ-୨୧)ରେ ଦୀର୍ଘଦିନ ଧରି ଲାଗି ରହିଥିବା ପିଇବା ପାଣି ସମସ୍ୟାକୁ ନେଇ ରବିବାର ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ମହିଳାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନରଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ।
ତେବେ କମିଶନରଙ୍କ ସହ ସାକ୍ଷାତ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ ହୋଇଛି। ବସ୍ତିବାସିନ୍ଦାଙ୍କ କହିବା ଅନୁସାରେ, କମିଶନରଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଓ ଜଳ ଏବଂ ଡ୍ରେନେଜ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ।
ଏହାକୁ ନେଇ ବସ୍ତିବାସିନ୍ଦା ଓ ଉପସ୍ଥିତ ଅଧିକାରୀଙ୍କ ମଧ୍ୟରେ କିଛି ସମୟ ଧରି ବଚସା ଓ ଯୁକ୍ତିତର୍କ ହୋଇଥିଲା। ତଥାପି ସେମାନେ କମିଶନରଙ୍କୁ ଭେଟିପାରି ନଥିବା ଅଭିଯୋଗ କରିଛନ୍ତି।
ଆନ୍ଦୋଳନରତ ବସ୍ତିବାସିନ୍ଦା କହିଛନ୍ତି, "ଆମେ ପିଇବା ପାଣି ପାଇଁ ବହୁତ ହଇରାଣ ହେଉଛୁ। ନିଜ ସମସ୍ୟା ଜଣାଇବା ପାଇଁ କମିଶନରଙ୍କ ପାଖକୁ ଆସିଥିଲୁ। କିନ୍ତୁ ଏଠାରେ ଥିବା ଅଧିକାରୀ ଓ ପିଏ ଆମକୁ ଭିତରକୁ ଛାଡ଼ିଲେ ନାହିଁ। ଆମ କଥା ଶୁଣିବାକୁ କାହା ପାଖରେ ସମୟ ନାହିଁ।"
ଏପରି ସ୍ଥିତିରେ ପିଇବା ପାଣି ସମସ୍ୟାର ଶୀଘ୍ର ସମାଧାନ ସହ ବସ୍ତିବାସିନ୍ଦାଙ୍କ ଅଭିଯୋଗର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
(ଟିପ୍ପଣୀ: କମିଶନରଙ୍କ କାର୍ଯ୍ୟାଳୟ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ପ୍ରତିକ୍ରିୟା ମିଳିଲେ ଖବରକୁ ଅଦ୍ୟତନ କରାଯିବ।)
