ହାତୀ-ବାରହା ଉପଦ୍ରବରେ ଫସଲ ନଷ୍ଟ, ଚାଷୀଙ୍କ ଧାରଣା: ୩ ବର୍ଷ ହେଲା ସୋଲାର ତାରବାଡ଼ ଅଧପନ୍ତରିଆ; DFOଙ୍କ ହସ୍ତକ୍ଷେପ ଦାବି
Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧାOctober 5, 202620 views

ଟାଙ୍ଗୀ: ଜଙ୍ଗଲୀ ହାତୀ ଓ ବାରହାଙ୍କ ଉପଦ୍ରବରେ ଧାନ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିରାକାରପୁର, ଦିଆ ଓ ଲେଣ୍ଡୋ ଗ୍ରାମ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ନିଜ ଫସଲର ସୁରକ୍ଷା ଦାବିରେ ନିରାକାରପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଜଙ୍ଗଲୀ ହାତୀ ଓ ବାରହାଙ୍କ ଉପଦ୍ରବ ଲାଗି ରହିଛି। ରାତି ସମୟରେ ହାତୀ ଓ ବାରହା ଧାନ କ୍ଷେତରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ଅମଳ ସମୟ ପାଖେଇ ଆସିଥିବାରୁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀମାନେ ଆର୍ଥିକ କ୍ଷତି ସହ ଚିନ୍ତାରେ ପଡ଼ିଛନ୍ତି।
ବନ୍ୟଜନ୍ତୁଙ୍କ ଉପଦ୍ରବରୁ ଫସଲକୁ ସୁରକ୍ଷା ଦେବା ପାଇଁ ସରକାରୀ ସହଭାଗିତାରେ ସୋଲାର ତାରବାଡ଼ ନିର୍ମାଣ ପାଇଁ ଚାଷୀମାନେ ବନ ବିଭାଗ ନିକଟରେ ନିଜ ଅଂଶର ୧୦ ପ୍ରତିଶତ ଅର୍ଥ ପଇଠ କରିଥିବା କହିଛନ୍ତି। ତେବେ ଏହାରି ମଧ୍ୟରେ ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ସୋଲାର ତାରବାଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଚାଷୀମାନଙ୍କ ଅସନ୍ତୋଷ ବଢ଼ିଛି।
ଚାଷୀମାନେ ବାରମ୍ବାର ନିଜ ସମସ୍ୟା ନେଇ ବନ ବିଭାଗ ନିକଟରେ ଗୁହାରି କରିଥିଲେ ମଧ୍ୟ ଦାବି ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଶେଷରେ ବାଧ୍ୟ ହୋଇ ଚାଷୀମାନେ ଧାରଣାରେ ବସିଥିବା କହିଛନ୍ତି।
ଧାରଣାରେ ବରିଷ୍ଠ ଚାଷୀ ନେତା ବିପିନ ବିହାରୀ ଜୟସିଂହ, ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା ଓ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ।
ଆନ୍ଦୋଳନ ସ୍ଥଳକୁ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ (DFO) ତୁରନ୍ତ ଆସି ଚାଷୀମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
