--:--:--
-- ---
Srishti News

Web News

ଦେଶୀ ମଦ ବନ୍ଦ ନେଇ ଦାବିପତ୍ର, ଥାନା ରେ ପହଞ୍ଚି ଦାବୀ ପତ୍ର ପ୍ରଦାନ କଲେ ଗ୍ରାମ ର ଶତାଧିକ ମହିଳା
Jun 13, 202692 views

ଦେଶୀ ମଦ ବନ୍ଦ ନେଇ ଦାବିପତ୍ର, ଥାନା ରେ ପହଞ୍ଚି ଦାବୀ ପତ୍ର ପ୍ରଦାନ କଲେ ଗ୍ରାମ ର ଶତାଧିକ ମହିଳା

ଚନ୍ଦାହାଣ୍ଡି : ୧୩/୦୬, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଅଧୀନ ମଣିପଦର ଓ କୁକୁରାକୋଟ ଗ୍ରାମରେ ବ୍ୟାପକ ଭାବେ ଦେଶି ମହୁଲି ମଦ ରନ୍ଧା ଓ ବିକ୍ରି କରାଯାଉଛି। ଏହା ସହିତ ଏମ୍ ଏସ ଓ ଖଜୁରୀ ରସ ମଧ୍ୟ ବିକ୍ରି ହେଉଛି। ଯାହାକୁ ସେବନ କରି ଗାଁରେ ଅଯଥାରେ ଗଣ୍ଡଗୋଳ ହେଉଛି ପୁରୁଷମାନେ ପରିବାରରେ ସ୍ତ୍ରୀ ପିଲାଛୁଆଙ୍କୁ ମାରପିଟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ମହୁଲି, ଏମ୍ ଏସ ଓ ଖଜୁରୀ ରସ ବିକ୍ରିକୁ ବନ୍ଦ କରିବାକୁ ମଣିପଦର ଓ କୁକୁରାକୋଟ ଗ୍ରାମର ଶତାଧ‌ିକ ମହିଳା ଏକାଠି ହୋଇ ଚନ୍ଦାହାଣ୍ଡି ଥାନାକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନବେଳେ ହର ପୂଜାରୀ, ଘନ ସୋରି, କରୁଣା ମାଝୀ, କରୁଣା ପୋର୍ଟି, ଉର୍ବଶୀ ମାଝୀ, ଇନ୍ଦ୍ରା ସୋରି, ଅଁଳା ବଗର୍ଷି, ଲୋବନି ସୋରି, ନିର ନେତାମ, ଦୂର ନେତାମ, ବାସ ମାଝୀ, ଗମତି ଝାଙ୍କର, ସୁମିତ୍ରା ସୁମିତ୍ରା ସୋ ସୋରି, ଝଜନେ ଝାଙ୍କର, ମୁଁଙ୍ଗେ ଝାଙ୍କର, ଚନ୍ଦରେ ଭତ୍ରା, ମୁଁଙ୍ଗେ ଭତ୍ରା, ଲକ୍ଷ୍ମୀ ସୋରି, ଧନସେ ଭତ୍ରା ସହିତ ଗ୍ରାମର ସମସ୍ତ ମହିଳା ଉପସ୍ଥିତ ଥିଲେ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ ଚନ୍ଦାହାଣ୍ଡି, ନବରଙ୍ଗପୁର

କବାଡ଼ିଖାନାକୁ ଗଲା ସରକାରୀ ବସ୍, ସୁରକ୍ଷା ଓ ଠିକ୍ ରକ୍ଷଣାବେକ୍ଷଣକୁ ଦାୟୀକଲେ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ
Jun 13, 202659 views

କବାଡ଼ିଖାନାକୁ ଗଲା ସରକାରୀ ବସ୍, ସୁରକ୍ଷା ଓ ଠିକ୍ ରକ୍ଷଣାବେକ୍ଷଣକୁ ଦାୟୀକଲେ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ

ନବରଙ୍ଗପୁର:୧୩/୬: ସାଧାରଣ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସରକାର ବିଭିନ୍ନ ଅଞ୍ଚଳରେ ଯାତ୍ରୀବାହୀ ବସ୍ ସେବା ଯୋଗାଇ ଆସୁଛନ୍ତି | କିନ୍ତୁ ସାମାନ୍ୟ ମରାମତି ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଅନେକ ସରକାରୀ ବସ୍ ଅକାମୀ ହୋଇ କବାଡି ଖାନାକୁ ଯାଉଥିବା ଦୃଶ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି। ଆଞ୍ଚଳିକ ପରିବହନ ନିଗମ (ଓଏସ୍‌ଆର୍‌ଟିସି), ନବରଙ୍ଗପୁର ଡିପୋରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ବସ୍‌ଗୁଡ଼ିକ ଶେଷରେ କବାଡିମାଲ ଭାବେ ବିକ୍ରିହୋଇ ଅନ୍ୟ ରାଜ୍ୟକୁ ପରିବହନ ହେଉଥିବା ଦେଖାଯାଇଛି। ବୁଧବାର ରାତିରେ ଜୟପୁର ଆଡୁ କେତେକ ଟ୍ରକ୍‌ରେ ବସ୍‌ଗୁଡିକୁ ବୋହି ଅନ୍ୟ ରାଜ୍ୟକୁ ନିଆଯାଇଛି। ନବରଙ୍ଗପୁର ଅସ୍ଥାୟୀ ବାଇପାସ୍ ରାସ୍ତା ଦେଇ ଦେଇ - ଟ୍ରକ୍‌ଗୁଡ଼ିକରେ ବୋଝେଇ ହୋଇ ସରକାରୀ ବସ୍‌ଗୁଡିକୁ ନିଆଯାଇଛି। ସରକାର ଏକପଟେ ନୂତନ ବସ୍ ସେବା ଆରମ୍ଭ କରୁଥିବା ବେଳେ ଅନ୍ୟପଟେ ପୁରୁଣା ବସ୍‌ଗୁଡ଼ିକର ଏଭଳି ଅବହେଳା ଓ ଅପଚୟ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି କରିଛି। ନବରଙ୍ଗପୁର ଡିପୋର ସମସ୍ୟାର ସ୍ଥାୟୀ ସମାଧାନ ସହ ଜବରଦଖଲ ଉଚ୍ଛେଦ ଏବଂ ପରିବହନ ଭିଭିଭୂମିର ଉନ୍ନତି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ଏକ ସମୟରେ ଶତାଧିକ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହ‌ଞ୍ଚାଉଥିବା ବସ୍‌ଗୁଡ଼ିକ ଆଜି ଟ୍ରକ୍ ଉପରେ ଲଦାହୋଇ ଡିପୋ ପରିସରରୁ ବାହାରୁଛି। କେତେକ ବସ୍‌କୁ ସମ୍ପୂର୍ଣ ଅବସ୍ଥାରେ ଟ୍ରକ୍ ଯୋଗେ ଅନ୍ୟ ରାଜ୍ୟକୁ ପଠାଯାଉଥିବା ବେଳେ ଆଉ କେତେକ ବସ୍‌କୁ କବାଡି ବ୍ୟବସାୟୀମାନେ ମେଶିନ ସାହାଯ୍ୟରେ କାଟି ଖଣ୍ଡ ଖଣ୍ଡ କରି ପରିବହନ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବସ୍‌ଗୁଡ଼ିକରେ ସାମାନ୍ୟ ତ୍ରୁଟି ଦେଖାଦେବା ପରେ ସେଗୁଡ଼ିକୁ ମରାମତିକରି ପୁନର୍ବାର ଚଳାଚଳ ଉପ‌ଯୋଗୀ କରାଯାଇପାରୁଥିଲା। କିନ୍ତୁ ଦୀର୍ଘ ଦିନ ଧରି ଅବହେଳିତ ଭାବେ ପଡ଼ି ରହିବାରୁ ବସଗୁଡ଼ିକରେ କଳଙ୍କି ଲାଗିବା ସହ ଯନ୍ତ୍ରାଂଶ ନଷ୍ଟ ହୋଇଯାଇଥିଲା। ଫଳରେ ସରକାରୀ ସମ୍ପତିର ମୂଲ୍ୟ ହ୍ରାସ ପାଇବା ସହ ଶେଷରେ ସେଗୁଡ଼ିକୁ କବାଡି ଭାବେ ବିକ୍ରି କରିବାକୁ ପଡ଼ିଛି। ଅନ୍ୟପଟେ, ନବରଙ୍ଗପୁର ବସ ଡିପୋ ଓ ବସ୍‌ଷ୍ଟାଣ୍ଡ ପରିସରରେ ବଢ଼ୁଥିବା ଜବରଦଖଲ ମଧ୍ୟ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଡିପୋ ଆଖପାଖ ଅଞ୍ଚଳରେ ଅନଧିକୃତ ଦଖଲ ଯୋଗୁ ବସ୍ ଷ୍ଟାଣ୍ଡର ପରିସର ସଂକୀର୍ଣ୍ଣ ହୋଇପଡ଼ିଛି। ଏଥିଯୋଗୁ ବସ୍ ଚଳାଚଳ, ପାକିଂ ଓ ଯାତ୍ରୀଙ୍କ ଯାତାୟାତରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ପରିବହନ ବିଶେଷଜ୍ଞମାନଙ୍କ ମତରେ, ସରକାରୀ ସମ୍ପରିର ସୁରକ୍ଷା ଓ ଠିକ୍ ରକ୍ଷଣାବେକ୍ଷଣ ନ ହେଲେ ଏଭଳି ଅବସ୍ଥା ସୃଷ୍ଟି ହେବା ସ୍ବାଭାବିକ। ସମୟାନୁସାରେ ମରାମତି ଓ ଆଧୁନିକୀକରଣ କରାଯାଇଥାନ୍ତା ହେଲେ ଅନେକ ବସ ଆଜି ମଧ୍ୟ ସେବା ଯୋଗାଇ ପାରୁଥାନ୍ତା ବୋଲି ସେମାନେ କହିଛନ୍ତି। ଏ ନେଇ ନବରଙ୍ଗପୁର ଡିପୋ ମ୍ୟାନେଜର ସନ୍ତୋଷ କୁମାର ନାୟକଙ୍କୁ ପଚାରିବାରୁ ଅଚଳ ଅବସ୍ଥାରେ ପଡ଼ି ରହିଥିବା ବସ ଗୁଡିକ scrap କରିବାକୁ ଓଡ଼ିଶାର ସମସ୍ତ ଡିପୋ ପାଇଁ ଟେଣ୍ଡର ହୋଇଥିଲା। ନବରଙ୍ଗପୁର ଡିପୋରୁ ୭ଟା ବସ ସ୍କ୍ରିପ୍ ଭାବେ ନିଆଯାଇଥିବା ସେ କହିଛନ୍ତି।

Nabarangpur (ନବରଙ୍ଗପୁର)ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ଅନୁଗୋଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
Jun 13, 202673 views

ଅନୁଗୋଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ଅନୁଗୋଳ: ଅନୁଗୋଳ ବ୍ଲାକ ଡାଇମଣ୍ଡସ୍ଥିତ ସମ୍ମିଳନୀ କକ୍ଷଠାରେ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏହି ଯୋଜନାର ଶୁଭ ଉଦ୍‌ଘାଟନର ସିଧାସଳଖ ପ୍ରସାରଣ ଆଭାସୀ ମାଧ୍ୟମରେ ପ୍ରସାରିତ କରାଯାଇଥିଲା। ଏହି ଅବସରରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଶ୍ରୀ ମେଳାପ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ଵାରା ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାସନ କାର୍ଡ ପ୍ରଦାନ କରାଯାଇଥିବାବେଳେ ଅତିରିକ୍ତ ଭାବେ ୧୭୦ ଜଣଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଯୋଜନାରେ ଅନ୍ତର୍ଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାସକୁ ସଦସ୍ୟ ପିଛା ଅତିରିକ୍ତ ୫ କେଜି ଚାଉଳ ମାଗଣା ମିଳିବ ଏବଂ ଏହାଦ୍ୱାରା ଜିଲ୍ଲାରେ ସର୍ବମୋଟ ୨୯୪୦୫୭ ଗୋଟି ପରିବାର ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହିତାଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ

‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’ର ଶୁଭାରମ୍ଭ
Jun 13, 202686 views

‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’ର ଶୁଭାରମ୍ଭ

ଅନୁଗୋଳ: ଅନୁଗୋଳ ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ”ର ଶୁଭ ଉଦଘାଟନ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ।ଏହି ରଥ ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ହୋଟେଲ, ଢାବା, ଗ୍ୟାରେଜ, ହାଟ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ ପରିଭ୍ରମଣ କରିବ। ଶିଶୁ ଶ୍ରମର କୁପ୍ରଭାବ, ଶିକ୍ଷାର ଗୁରୁତ୍ୱ ଏବଂ ପ୍ରତ୍ୟେକ ଶିଶୁଙ୍କ ପାଇଁ ଏକ ସୁରକ୍ଷିତ ତଥା ସୁନିଶ୍ଚିତ ଶୈଶବ ଗଠନ କରିବାରେ ସମାଜର ସାମୂହିକ ଦାୟିତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ କୁବେର ବେହେରା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଇତିଶ୍ରୀ ଗାଗରାଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦେବପ୍ରସାଦ ମହାନ୍ତି ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ମହାପାତ୍ରଙ୍କ ସମେତ ଆଠମଲ୍ଲିକ, କିଶୋରନଗର, ବଅଁରପାଳ ଓ ତାଳଚେରର ସହକାରୀ ଶ୍ରମ ଅଧିକାରୀମାନେ ଉପସ୍ଥିତ ଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ

ଧରମପୁର ପଞ୍ଚାୟତରେ ପ୍ରାଇଭେଟ କମ୍ପାନୀ ପ୍ରବେଶକୁ କଡ଼ା ବିରୋଧ, ଗ୍ରାମସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ
Jun 13, 202652 views

ଧରମପୁର ପଞ୍ଚାୟତରେ ପ୍ରାଇଭେଟ କମ୍ପାନୀ ପ୍ରବେଶକୁ କଡ଼ା ବିରୋଧ, ଗ୍ରାମସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଞ୍ଚାୟତରେ ଏକ ପ୍ରାଇଭେଟ କମ୍ପାନୀର ଡ୍ରିଲିଂ ଗାଡ଼ି ବାରମ୍ବାର ପ୍ରବେଶ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ସହ ଥାନା ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା। ଏହି ପରିପ୍ରେକ୍ଷୀରେ ଧରମପୁର ପଞ୍ଚାୟତ ସରପଞ୍ଚଙ୍କ ଆହ୍ୱାନରେ ଖଇରପାଳ, ସରେଇଲୋ ଓ ଧରମପୁର ଗ୍ରାମର ସଭାପତି, ୱାର୍ଡ ସଦସ୍ୟ ଏବଂ ବହୁ ସଂଖ୍ୟକ ପୁରୁଷ ଓ ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରାଇଭେଟ କମ୍ପାନୀର କାର୍ଯ୍ୟକଳାପକୁ ନେଇ ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, ପଞ୍ଚାୟତ ଅଞ୍ଚଳରେ ଜମି ଅଧିଗ୍ରହଣ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ପ୍ରାଇଭେଟ କମ୍ପାନୀକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଶେଷରେ ଉପସ୍ଥିତ ଜନସାଧାରଣ ହରିବୋଲ ଓ ହୁଳହୁଳି ଧ୍ୱନି ଦେଇ ନିଜ ଏକତା ପ୍ରଦର୍ଶନ କରିବା ସହ ବୈଠକକୁ ସମାପ୍ତ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ

ପବିତ୍ର ମୋହନ ମେଡିକାଲ୍‌ରେ ନିଯୁକ୍ତି ଦୁର୍ନୀତି ଅଭିଯୋଗ: ସିବିଆଇ ତଦନ୍ତ ଓ କେନ୍ଦ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବି
Jun 13, 202696 views

ପବିତ୍ର ମୋହନ ମେଡିକାଲ୍‌ରେ ନିଯୁକ୍ତି ଦୁର୍ନୀତି ଅଭିଯୋଗ: ସିବିଆଇ ତଦନ୍ତ ଓ କେନ୍ଦ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବି

ଅନୁଗୋଳ: ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ କଲେଜରେ ଷ୍ଟାଫ୍ ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତିରେ ହୋଇଥିବା କଥିତ ଦୁର୍ନୀତିର ସିବିଆଇ ତଦନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବି କରିଛି ମହାନଦୀ କୋଇଲା ଶ୍ରମିକ କଂଗ୍ରେସ। ସଂଗଠନର ନେତା ରାଜକିଶୋର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପ-ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୬୫୩ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ୯୧ ଜଣ ଷ୍ଟାଫ୍ ନର୍ସଙ୍କ ପ୍ରମାଣପତ୍ର ଯାଞ୍ଚ ବେଳେ ୬୦ ଜଣ ଜାଲ୍ ସାର୍ଟିଫିକେଟ୍ ଆଧାରରେ ନିଯୁକ୍ତି ପାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାର ସମ୍ପୂର୍ଣ୍ଣ ସିବିଆଇ ତଦନ୍ତ, ସମସ୍ତ କର୍ମଚାରୀଙ୍କ ପ୍ରମାଣପତ୍ର ଯାଞ୍ଚ, କୋଇଲା ଖଣି ଅଞ୍ଚଳରେ ଠିକା ଶ୍ରମିକଙ୍କ ପୋଲିସ ଭେରିଫିକେସନ ବାଧ୍ୟତାମୂଳକ କରିବା ଏବଂ ତାଳଚେରକୁ ପ୍ରଦୂଷଣମୁକ୍ତ କରିବା ଭଳି ଦାବି ମଧ୍ୟ ଉଠାଯାଇଛି। ଦାବିପତ୍ର ପ୍ରଦାନ ବେଳେ କୀର୍ତ୍ତି ରଞ୍ଜନ ବିଶୋଇ, ଦାସରଥୀ ସାହୁ, କାଳିଆ ସାହୁ, ବିଭୂତି ସାହୁ ଓ ମିହିର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ସଚେତନତା କାର୍ଯ୍ୟକ୍ରମ
Jun 13, 202666 views

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ଅନୁଗୋଳ: ତାଳଚେରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ନିରାପଦ ମାତୃତ୍ଵ(ପି.ଏମ.ଏସ.ଏମ.ଏ) କୁ ପ୍ରୋତ୍ସାହିତ କରିବାର ଦଶ ବର୍ଷ ପୂର୍ତ୍ତି ଅବସରରେ ଆଜି ମଣ୍ଡାପାଳ ସ୍ଥିତ ସରକାରି ଡାକ୍ତରଖାନା ରେ ସ୍ବତନ୍ତ୍ର ଭାବେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗର୍ଭବତୀ ମହିଳାଙ୍କୁ ବିଶେଷଜ୍ଞ ଙ୍କ ପରାମର୍ଶ, ଅଲଟ୍ରାସାଉଣ୍ଡ, ବିପଦ ସଙ୍କୁଳ ଗର୍ଭାବସ୍ଥା ନିର୍ଣ୍ଣୟ ଓ ପରିଚାଳନା , ନିରାପଦ ପ୍ରସବ ପର୍ଯ୍ୟନ୍ତର ନିରୀକ୍ଷଣ, ଗର୍ଭବତୀ ମହିଳାଙ୍କୁ ସଚେତନତା କାର୍ଯ୍ୟକ୍ରମ ରେ ପହଞ୍ଚିବା ପାଇଁ ପରିବହନ ବ୍ୟବସ୍ଥା , ସୁରକ୍ଷିତ ପ୍ରସବ ପାଇଁ ନିକଟସ୍ଥ ରେଫରାଲ ୟୁନିଟ ସହିତ ସମ୍ପର୍କ, ରକ୍ତ ପରୀକ୍ଷା, ଆବଶ୍ୟକ ଔଷଧ ସହିତ ପୃଷ୍ଟିକର ଖାଦ୍ୟ ଓ ପରିବାର ନୀୟଜନ ସମ୍ପର୍କରେ ଆଲୋକପାତ କରିବା ଇତ୍ୟାଦି ବିଷୟରେ ପରାମର୍ଶ ଦେବା ପାଇଁ ଆଜିର ଦିନରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଏଥି ସହିତ ସମସ୍ତ ସରକାରି ଡାକ୍ତରଖାନା ରେ ଗର୍ଭବତୀ ମହିଳାଙ୍କୁ ସ୍ବତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର ମାନଙ୍କୁ ଅନୁରୋଧ ପୂର୍ବକ ପରାମର୍ଶ ଦେଇଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ଜଣାଇ ଦିଆଯାଇଥିବା ଜଣାପଡ଼ିଛି।। ଆଜିର ଏହି କାର୍ଯ୍ୟକ୍ରମ ରେ ସରକାରି ଡ଼ାକ୍ତର ଖାନା ର ଡାକ୍ତର ଅରବିନ୍ଦ ନନ୍ଦି, ଡାକ୍ତର ବଳରାମ ପ୍ରଧାନ, ଜେ ଏଚ ଏମ୍ ରିତାଞ୍ଜଳି ସ୍ୱାଇଁ, ସମେତ ଏ ଏନ ଏମ, , ଆଶା କର୍ମୀ ମାନେ ଉପସ୍ଥିତ ରହି ଗର୍ଭବତୀ ମହିଳାଙ୍କୁ ସେବା ଯୋଗାଇ ଦେଇ ସଚେତନ କରାଇଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ

ତାଳଚେର ଫର୍ଟିଲାଇଜର ଲିଂ ପକ୍ଷରୁ ମେଗା ରକ୍ତଦାନ ଶିବିର
Jun 13, 202667 views

ତାଳଚେର ଫର୍ଟିଲାଇଜର ଲିଂ ପକ୍ଷରୁ ମେଗା ରକ୍ତଦାନ ଶିବିର

ଅନୁଗୋଳ: ତାଳଚେରରେ ବିଶ୍ବ ରକ୍ତଦାତା ଦିବସ - ୨୦୨୬ ଅବସରରେ ପ୍ରଥମ ଥର ପାଇଁ ତାଳଚେର ଫର୍ଟିଲାଇଜର ଲିଂ ପ୍ରକଳ୍ପ ପକ୍ଷରୁ ରେଡକ୍ରସ ରକ୍ତ ଭଣ୍ଡାର, ତାଳଚେରର ସହଯୋଗରେ ଏକ ମେଗା ରକ୍ତଦାନ ଶିବିର, ପ୍ଲାଣ୍ଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ(ଓ.ପ୍ର.ସେ) ତଥା ତାଳଚେର ରକ୍ତ ଭଣ୍ଡାରର ସଭାପତି ଆଶିଷ ରଂଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଶିଷ୍ଟ ଅତିଥ୍ ଭାବେ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜର ଡିନ୍ ଡ଼ା କୀର୍ତିରେଖା ମହାପାତ୍ର ଏବଂ ସମ୍ମାନିତ ଅତିଥ୍ ଭାବେ ଉପଖଣ୍ଡ ଆରକ୍ଷୀ ଅକ୍ଷକ ଭରତ ଚନ୍ଦ୍ର ସାହୁ, ବିକ୍ରମପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଲତିକା ପ୍ରଧାନ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ତାଳଚେର ରେଡକ୍ରସ ରକ୍ତ ଭଣ୍ଡାରର ଅଧିକାରୀ ଡ଼ା ଦିଲ୍ଲିପ ମଲ୍ଲିକ ଓ କର୍ମଚାରୀଙ୍କ ସ‌ହଯୋଗରେ ୧୦୫ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ରକ୍ତ ଦାନ ପରେ ସମସ୍ତ ରକ୍ତଦାତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ କୃତଜ୍ଞତା ଜ୍ଞାପନ କରିଯାଇଥିଲା I ତାଳଚେରର ସର୍ବାଧ‌ିକ ରକ୍ତଦାତା ଶାନ୍ତନୁ କୁମାର ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ଡାଳଚେର ଫର୍ଟିଲାଇଜର ଲିଂ ପ୍ରକଳ୍ପର ମାନବ ସମ୍ବଳ ବିଭାଗ, ମ୍ୟାନେଜିଂ ଡାଇରେକ୍ଟର ବିବେକ ଶ୍ରୀବାସ୍ତବଙ୍କ ପୃଷ୍ଠପୋଷକତାରେ ଏବଂ ଜିଲ୍ଲା ରେଡକ୍ରସର ସଦସ୍ୟ ବଳରାମ ପତିଙ୍କ ମିଳିତ ସ‌ହ‌ଯୋଗରେ ଅନୁଷ୍ଠିତ ଏହି ଶିବିରରେ ବହୁ ପଦାଧିକାରୀ ଯୋଗ ଦେଇ ସକ୍ରିୟ ସହଯୋଗ କରିଥିଲେ ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Jun 13, 202675 views

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୋଳ:ବିଭିନ୍ନ ଦାବି ପୂରଣ ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଗୁରୁବାର ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଶତାଧିକ ଅଟୋଚାଳକ ନିଜ ନିଜ ଗାଡ଼ି ସହ ଯୋଗଦେଇ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରିଥିଲେ। ପରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ, ଏସ୍‌ପିଙ୍କ ମାଧ୍ୟମରେ ପୁଲିସ କମିଶନରଙ୍କୁ ଏବଂ ଆରଟିଓଙ୍କ ମାଧ୍ୟମରେ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଡ୍ରାଇଭର ମହାସଂଘର ଅଭିଯୋଗ ଅନୁଯାୟୀ, ଅଟୋଚାଳକମାନେ ବ୍ୟବସାୟିକ ଭିତ୍ତିରେ ଗାଡ଼ି ଚଳାଉଥିଲେ ମଧ୍ୟ ସେମାନଙ୍କୁ କଲ୍ୟାଣ ବୋର୍ଡରେ ସାମିଲ କରିବା ପରିବର୍ତ୍ତେ ଶ୍ରମିକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଏହାସହ ଅଟୋ, ଟ୍ୟାକ୍ସି ଓ ପ୍ରାଇଭେଟ୍ ଗାଡ଼ି ଚାଳକଙ୍କୁ ପୃଥକ୍ ପୃଥକ୍ ଭାବେ ବିଭକ୍ତ କରି ମହାସଂଘକୁ ଦୁର୍ବଳ କରିବାର ଚେଷ୍ଟା ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି।ମହାସଂଘର ନେତୃବୃନ୍ଦ କହିଛନ୍ତି ଯେ, ଡ୍ରାଇଭର ସମାଜ ଜନଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେବା ଯୋଗାଇ ଆସୁଥିଲେ ମଧ୍ୟ ଆଜି ସେମାନେ ଅବହେଳିତ ଓ ଅପମାନିତ ହେଉଛନ୍ତି। ସରକାର ଯଦି ଆଗାମୀ ୯୦ ଦିନ ମଧ୍ୟରେ ସେମାନଙ୍କ ଦାବିଗୁଡ଼ିକ ପୂରଣ ନ କରନ୍ତି, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହାସଂଘର ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ

ମହିଳା ନିଖୋଜ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଥିବା  ଥାନାରେ ଅଭିଯୋଗ
Jun 13, 202678 views

ମହିଳା ନିଖୋଜ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଥିବା ଥାନାରେ ଅଭିଯୋଗ

ଅନୁଗୋଳ: ବଅଁରପାଳ ଥାନା ସାଆନ୍ତରା ପୁର ପଞ୍ଚାୟତ କଲଣ୍ଡା ଗ୍ରାମର ଅଜୟ ବେହେରାଙ୍କ ସ୍ତ୍ରୀ ବନିତା ବେହେରା (୪୫)ଗତ ୮ ମାସ ହେଲା ଘରୁ ନିଘୋଜ ଥିବା ନେଇ ଗତ ୨୨/୧୨/୨୫ ମସିହା ରେ ବଅଁରପାଳ ଥାନା ରେ ଅଭିଯୋଗ ହୋଇଥିଲା ସୂଚନା ଯେ ଅଙ୍ଗାର ବନ୍ଧ ଗ୍ରାମର ଜଣେ ମହିଳା ବନିତା କୁ ଭୁବନେଶ୍ବର ରେ ଚାକିରି କରାଇ ଦେବାକୁ କହି ଘରୁ ବନିତା କୁ ନେଇଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବନିତା ଏକ ନମ୍ବରରୁ ତାର ପୁଅ ଶୁଭମ୍ ପାଖକୁ ବାରମ୍ବାର ଫୋନ କରି ତାକୁ ଉଦ୍ଧାର କରିବାକୁ କହିଥିଲା, ଶୁକ୍ରବାର ଶୁଭମ୍ ବଅଁରପାଳ ଥାନାରେ ଅଭିଯୋଗ କରିବା ପରେ ମୋବାଇଲ ନମ୍ବରକୁ ପୋଲିସ ଫୋନ କରି ଟ୍ରାକିଙ୍ଗ କରିବାରୁ ବନିତା ମଧ୍ୟପ୍ରଦେଶ ଇନ୍ଦୋର ସହରର ଅଶୋକ ନଗର ଥିବାର ଜଣା ପଡିଲା ପୁଅର ଅଭିଯୋଗ ତା ମା କୁ ଫୁଲପଡା ର ବ୍ଯକ୍ତି ଏକଲକ୍ଷ୍ୟ କୋଡ଼ିଏ ହଜାର ଟଙ୍କା ରେ ବିକ୍ରି କରି ଦେଇଚି ଖୁବ ଶୀଘ୍ର ଏକ ଟିମ୍ ଗଠନ କରି ଅଶୋକ ନଗର କୁ ପୋଲିସ ଯିବେ ବୋଲି ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ କହିଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ

ମାଛ ଧରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
Jun 13, 202680 views

ମାଛ ଧରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସିଲିଂ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସିଲିଂ ଗ୍ରାମର ମିଟୁ ଦେହୁରୀ। ସୂଚନା ଅନୁଯାୟୀ, ମିଟୁ ଗତ ରାତିରେ ଏକ ଡଙ୍ଗା ସାହାଯ୍ୟରେ ବ୍ରାହ୍ମଣୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ପରିବାର ପକ୍ଷରୁ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଚଳାଇଥିଲେ। ବହୁ ଖୋଜାଖୋଜି ପରେ ନଦୀରୁ ମିଟୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ସିଲିଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀରେ ବାରମ୍ବାର ବୁଡ଼ି ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ବୋର୍ଡ ଲଗାଯାଇଥିଲେ ମଧ୍ୟ ଏଭଳି ଦୁର୍ଘଟଣା ଥମିବାର ନାମ ନେଉନାହିଁ। ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ନଦୀକୁ ଯାଉଥିବା ମାଛଧରାଳୀ ଓ ସାଧାରଣ ଲୋକଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ, ଅନୁଗୁଳ

ନାଲକୋର ବର୍ଜ୍ୟ ଜଳ ନିଷ୍କାସନ ନେଇ ପୁଣି ଉଠିଲା ପ୍ରଶ୍ନ, ନମୁନା ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବାକୁ ଦାବି
Jun 13, 202683 views

ନାଲକୋର ବର୍ଜ୍ୟ ଜଳ ନିଷ୍କାସନ ନେଇ ପୁଣି ଉଠିଲା ପ୍ରଶ୍ନ, ନମୁନା ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ଅନୁଗୋଳ: ଅନୁଗୋଳ ଜିଲ୍ଲାର କୁଲାଡ଼, ଗିରାଙ୍ଗ, ତୁଳସୀପାଳ, ଗାଢ଼ରଖାଇ ଏବଂ ବଡତଇଳା ଅଞ୍ଚଳର ବାସିନ୍ଦାମାନେ ଦୀର୍ଘଦିନ ଧରି ନାଲକୋରୁ ନିଷ୍କାସିତ ବର୍ଜ୍ୟ ଜଳ ଯୋଗୁଁ ପରିବେଶ, ଚାଷ ଜମି ଏବଂ ପାନୀୟ ଜଳ ଉତ୍ସ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଆସୁଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୂଷିତ ପାଣି ଯୋଗୁଁ ମଣିଷଙ୍କ ମଧ୍ୟରେ କିଡନୀ, ହାଡ଼ ଓ ଫୁସଫୁସ ଜନିତ ବିଭିନ୍ନ ରୋଗ ବୃଦ୍ଧି ପାଉଥିବା ବେଳେ ଗାଈ, ଗୋରୁ ଓ ଅନ୍ୟାନ୍ୟ ପଶୁପକ୍ଷୀ ମଧ୍ୟ ଅଜଣା ରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ ରହିଛି। ନାଲକୋର ETP (Effluent Treatment Plant) ଥିବା ସତ୍ତ୍ୱେ ମଧ୍ୟ ପ୍ରାୟ ୪୫ ବର୍ଷ ଧରି ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହେଉଛି।ଏହି ପ୍ରସଙ୍ଗରେ କୁଲାଡ଼ ଗ୍ରାମର ସମାଜସେବୀ ଅଭୟ ସିଂ ଓ ପ୍ରଶାନ୍ତ ପାତ୍ର ଏବଂ ଗିରାଙ୍ଗ ଗ୍ରାମର ସୁଜିତ୍ ଗଡନାୟକ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପରେ Odisha State Pollution Control Board ଏବଂ ନାଲକୋ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ କୁଲାଡ଼, ଗିରାଙ୍ଗ, ତୁଳସୀପାଳ, ଗାଢ଼ରଖାଇ ସମେତ ବିଭିନ୍ନ ସ୍ଥାନରୁ ପାଣିର ନମୁନା ସଂଗ୍ରହ କରିଥିଲେ।ତେବେ ନମୁନା ସଂଗ୍ରହ ପରେ ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବାକୁ ଆସିଥିବା କର୍ତ୍ତ୍ଵ ପକ୍ଷ କହିଛନ୍ତି।ଅଭିଯୋଗକାରୀମାନେ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରିବା, ନିରପେକ୍ଷ ତଦନ୍ତ କରିବା ଏବଂ ପ୍ରଭାବିତ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ, ପରିବେଶ ଓ ଜୀବିକାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ପରିବେଶ ସୁରକ୍ଷା ଓ ଶିଳ୍ପ ପ୍ରଦୂଷଣ ନିୟନ୍ତ୍ରଣ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ, ଅନୁଗୁଳ