ଧରମପୁର ପଞ୍ଚାୟତରେ ପ୍ରାଇଭେଟ କମ୍ପାନୀ ପ୍ରବେଶକୁ କଡ଼ା ବିରୋଧ, ଗ୍ରାମସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁJune 13, 202655 views

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଞ୍ଚାୟତରେ ଏକ ପ୍ରାଇଭେଟ କମ୍ପାନୀର ଡ୍ରିଲିଂ ଗାଡ଼ି ବାରମ୍ବାର ପ୍ରବେଶ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ସହ ଥାନା ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା।
ଏହି ପରିପ୍ରେକ୍ଷୀରେ ଧରମପୁର ପଞ୍ଚାୟତ ସରପଞ୍ଚଙ୍କ ଆହ୍ୱାନରେ ଖଇରପାଳ, ସରେଇଲୋ ଓ ଧରମପୁର ଗ୍ରାମର ସଭାପତି, ୱାର୍ଡ ସଦସ୍ୟ ଏବଂ ବହୁ ସଂଖ୍ୟକ ପୁରୁଷ ଓ ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ପ୍ରାଇଭେଟ କମ୍ପାନୀର କାର୍ଯ୍ୟକଳାପକୁ ନେଇ ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, ପଞ୍ଚାୟତ ଅଞ୍ଚଳରେ ଜମି ଅଧିଗ୍ରହଣ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ପ୍ରାଇଭେଟ କମ୍ପାନୀକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।
ଶେଷରେ ଉପସ୍ଥିତ ଜନସାଧାରଣ ହରିବୋଲ ଓ ହୁଳହୁଳି ଧ୍ୱନି ଦେଇ ନିଜ ଏକତା ପ୍ରଦର୍ଶନ କରିବା ସହ ବୈଠକକୁ ସମାପ୍ତ କରିଥିଲେ।
