--:--:--
-- ---
Srishti News

Web News

ଜୀବନରେ ଦାଦନ, ମୃତ୍ୟୁ ପରେ ବି ଦୁର୍ଦ୍ଦଶା: ୮ କିମି ଖଟିଆରେ ଗଲା ଶବ
Aug 13, 2026•75 views

ଜୀବନରେ ଦାଦନ, ମୃତ୍ୟୁ ପରେ ବି ଦୁର୍ଦ୍ଦଶା: ୮ କିମି ଖଟିଆରେ ଗଲା ଶବ

କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଂଚଳ ଥୁଆମୁଳ ରାମପୁର ବ୍ଲକ ପାଡେପଦର ପଂଚାୟତ ଖମାରପଦର ଭାଟିପାସ ଗାଁରେ ଆଜି ବୁଧବାର ସକାଳ ୭ଟା ବେଳେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ଦାଦନ ଖଟିବାକୁ ଯାଇଥିବା ଗାଁର ଶିବ ମାଝୀ ର ମୃତ୍ୟୁ ହେଇଥିଲା ହାଇଦ୍ରାବାଦ ଠାରେ । ଗତ ବିଳମ୍ବିତ ରାତିରେ ଶବ ପହଂଚିଥିଲା ଗାଁ ଠାରୁ ୮ କିଲୋମିଟର ଦୂରରେ ଥିବା ଦୁରେଶପଦର ନିକଟରେ । କିନ୍ତୁ ଡୁମନୀ ଜଙ୍ଗଲ ରାସ୍ତା କାଦୁଅମୟ । ତେଣୁ ଆଗକୁ ବଢି ପାରିନଥିଲା ଆମ୍ବୁଲାନ୍ସ । ବାଧ୍ଯ ହେଇ ରାତି ତମାମ ଶବକୁ ଧରି ଦୁରେଶପଦର ଡୁମନୀ ଜଙ୍ଗଲରେ ଅପେକ୍ଷା କରି ରହିଥିଲେ ପରିବାର ଏବଂ ସମ୍ପର୍କୀୟ । ଆଜି ସକାଳୁ ଏହି ୮ କିଲେମିଟର ରାସ୍ତାରେ ଖଟିଆରେ ବୋହି ଶବକୁ ନେଇ ଗାଁରେ ପହଂଚାଇଥିଲେ । ବର୍ଷକ ତଳେ ଶିବ ମାଝୀ ଦାଦନ ଯିବା ବେଳେ ଯେଉଁ ରାସ୍ତା ଦାଦନ ଯିବାକୁ ଅଟକାଇନଥିଲା ସେହି ରାସ୍ତା ଆଜି ଶବ ହେଇ ଫେରିବା ବେଳେ କାଦୁଅମୟ ରାସ୍ତା ଯୋଗୁଁ ଗାଁକୁ ପହଂଚାଇବାରେ ବାଧକ ସାଜିଥିଲା । ଏନେଇ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ହଠାତ୍ ଶିବ ମାଝୀର ମୃତ୍ୟୁ କେଉଁ କାରଣରୁ ହେଲା ତାହା ଅସ୍ପଷ୍ଟ ।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ସର୍ଗିପାନୀରେ ପହଞ୍ଚିଲା ମେଡିକାଲ ଟିମ୍‌, ଦୁର୍ଗମ ଜଙ୍ଗଲରେ ଲୋକଙ୍କ ସ୍ୱାସ୍ଥ୍ୟର ଖବର ନେଲା ପ୍ରଶାସନ
Aug 13, 2026•96 views

ସର୍ଗିପାନୀରେ ପହଞ୍ଚିଲା ମେଡିକାଲ ଟିମ୍‌, ଦୁର୍ଗମ ଜଙ୍ଗଲରେ ଲୋକଙ୍କ ସ୍ୱାସ୍ଥ୍ୟର ଖବର ନେଲା ପ୍ରଶାସନ

କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଉପାନ୍ତ ଓ ଅପହଞ୍ଚ ଗ୍ରାମ ସର୍ଗିପାନୀ ଗାଁ ରେ ଗୁରୁବାର କୋକସରା ମେଡ଼ିକାଲ ଟିମ ପହଞ୍ଚି ଗ୍ରାମ ର ଲୋକଙ୍କ ସହ ସ୍ୱାସ୍ଥ୍ୟ ସେବା ଓ ସମସ୍ୟା ନେଇ ଆଲୋଚନା କରିଛନ୍ତି। ତେବେ କୁଟରୁ ରାଜସ୍ୱ ଗ୍ରାମ ଅଧୀନରେ ଥିବା ସର୍ଗିପାନୀ ଗ୍ରାମ ରେ ୧୫ ରୁ ଉର୍ଦ୍ଧ୍ବ ଆଦିବାସୀ ଜନଜାତି ର ପରିବାର ୬୫ ଜନସଂଖ୍ୟା ରହୁଥିବା ବେଳେ ଏହି ଗ୍ରାମ କୁ ଗମନାଗମନ ପାଇଁ ରାସ୍ତା ନାହିଁ, ଜଙ୍ଗଲ ରାସ୍ତା ଦେଇ ମୁଖ୍ୟ ରାସ୍ତା ରୁ ୧ କିମି ପାଦାଚଳା ରାସ୍ତା ରେ ଚାଲି ଯିବାକୁ ହୁଏ। ଗ୍ରାମବାସୀ ମାନେ ଅନେକ ସମସ୍ୟା ଦେଇ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ଏମାନଙ୍କ ପାଇଁ ରାସ୍ତା,ସ୍ୱାସ୍ଥ୍ୟ ସେବା,ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ ଭଳି ମୌଳିକ ସମସ୍ୟା ରୁ ଦିର୍ଘ ବର୍ଷ ଧରି ବଞ୍ଚିତ ରହିଛନ୍ତି। ତେବେ ଆଜି କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ତତ୍ୱଦର୍ଶୀ ଦାସ ଙ୍କ ନେତୃତ୍ୱରେ ଏକ ମେଡ଼ିକାଲ ଟିମ ଏହି ଉପାନ୍ତ ସର୍ଗିପାନୀ ଗାଁ ରେ ଚାଲି ଚାଲି ପହଞ୍ଚି ଗ୍ରାମ ରେ ସ୍ୱାସ୍ଥ୍ୟ ସେବା ର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଗତ କିଛିମାସ ତଳେ ଏହି ଗ୍ରାମ ର ସମ୍ବାରୁ ସାନ୍ତା ଙ୍କ ପତ୍ନୀ ଦୂର ସାନ୍ତା (୩୫) ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହିବା ଘଟଣା ସହ ଆମ୍ବୁଲାନ୍ସ ରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ଘଟଣା ଗଣମାଧ୍ୟମ ରେ ଚର୍ଚ୍ଚା ହୋଇଥିଲା।ଏହାପରେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇ ସର୍ଗିପାନୀ ଭଳି ଉପାନ୍ତ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ର ସ୍ଥିତି ଅନୁଧ୍ୟାନ ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳୁଛି। ଗୁରୁବାର କୋକସରା ସିଏଚସି ମେଡ଼ିକାଲ ଟିମ ରେ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପିଏଚଇଓ) ଶର୍ମିଳା ଛତ୍ରୀଆ,ଭିବିଡିଟିଏସ ଦୁଷ୍ମନ୍ତ ରାଉତ,ସ୍ୱାସ୍ଥ୍ୟ ସେବିକା ଯୋଜନାଗନ୍ଧା ମହାନ୍ତି,ଆଶା କର୍ମି ପ୍ଲାନ ଇଣ୍ଡିଆ କର୍ମି ସର୍ଗିପାନୀ ଗାଁ ରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଗ୍ରାମବାସୀ ଙ୍କୁ ବିଭିନ୍ନ ରୋଗ ଓ ଏହାର ନିରାକରଣ ନେଇ ସଚେତନ କରିଥିବା ଜଣାପଡ଼ିଛି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ତ୍ରିରଙ୍ଗାରେ ରଙ୍ଗିଲା କୋକସରା, ‘ହର ଘର ତ୍ରିରଙ୍ଗା’ ଯାତ୍ରାରେ ଗୁଞ୍ଜିଲା ଦେଶପ୍ରେମର ସ୍ୱର: ମୋଟେର ଓ ଆମପାଣି ଯୋନରେ ବିଜେପିର ବାଇକ୍‌ ରାଲି; ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ
Aug 13, 2026•81 views

ତ୍ରିରଙ୍ଗାରେ ରଙ୍ଗିଲା କୋକସରା, ‘ହର ଘର ତ୍ରିରଙ୍ଗା’ ଯାତ୍ରାରେ ଗୁଞ୍ଜିଲା ଦେଶପ୍ରେମର ସ୍ୱର: ମୋଟେର ଓ ଆମପାଣି ଯୋନରେ ବିଜେପିର ବାଇକ୍‌ ରାଲି; ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ

କୋକସରା: ଆଉ ଦୁଇ ଦିନ ପରେ ଦେଶବାସୀ ପାଳନ କରିବେ ୮୦ତମ ସ୍ୱାଧୀନତା ଦିବସ। ଏହାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥିବା ବେଳେ ଦେଶପ୍ରେମର ଭାବନାକୁ ଆହୁରି ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କୋକସରା ବ୍ଲକ ବିଜେପି ପକ୍ଷରୁ ‘ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା’ ଯାତ୍ରା ଅନୁଷ୍ଠିତ ହୋଇଛି। ଗୁରୁବାର ମୋଟେର ଓ ଆମପାଣି ଯୋନରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ। କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ସାଧାରଣ ଲୋକଙ୍କୁ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ସ୍ୱାଧୀନତାର ଏହି ମହାନ ପର୍ବକୁ ଗର୍ବ ଓ ଉତ୍ସାହର ସହ ପାଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ମୋଟେର ଯୋନରେ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡାଙ୍କ ନେତୃତ୍ୱରେ କନ୍ଦାବୁଟ୍ରା ପଞ୍ଚାୟତରୁ ଖୁଣ୍ଟିଆ ପଞ୍ଚାୟତ ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍‌ ରାଲି ଆୟୋଜିତ ହୋଇଥିଲା। ହାତରେ ତ୍ରିରଙ୍ଗା ଧରି ଶତାଧିକ କର୍ମୀ ରାଲିରେ ସାମିଲ ହୋଇ ଦେଶପ୍ରେମର ନାରା ଦେଇଥିଲେ। ଏହା ଫଳରେ ସମଗ୍ର ଅଞ୍ଚଳ ତ୍ରିରଙ୍ଗାମୟ ହୋଇଉଠିଥିଲା। ଏହି ଯାତ୍ରାରେ ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ମୋଟେର ମଣ୍ଡଳ ଉପସଭାପତି ନିଲାଞ୍ଚଳ ରାଉତ, ମଣ୍ଡଳ ସମ୍ପାଦକ ରାଧେଶ୍ୟାମ ଗୋପାଳ, କମଳ ଲୋଚନ ଦଳପତି, ସୁଜିତ ସିଂ ରାଜପୁତ, ଯୁବମୋର୍ଚ୍ଚା ସଭାପତି ଧବଳେଶ୍ୱର ଗୋପାଳ, ବଳରାମ ପୁଝାରୀ, ଶାନ୍ତନୁ ପଣ୍ଡା, ନକୁଳ ଘି, ଅଚ୍ୟୁତ ନାଏକ, ଭୁବନେଶ୍ୱର ପଟେଲ, ଚକ୍ରଧର ନାଏକ ଓ ଅମିନ ରଣାଙ୍କ ସମେତ ମହିଳା ନେତ୍ରୀ ପ୍ରତିମା ପୁଝାରୀ, ଉଜଳା କେତକୀ, ରୁକ୍ମଣୀ ନାଏକ ଓ ଭାରତୀ ପୁଝାରୀ ଉପସ୍ଥିତ ଥିଲେ। ଏଥିସହ ମୋଟେର ମଣ୍ଡଳର ବିଭିନ୍ନ ବୁଥ୍‌ର ସଭାପତି, ପ୍ରମୁଖ ଓ ସହପ୍ରମୁଖମାନେ ମଧ୍ୟ ଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ଆମପାଣି ଯୋନରେ ମଧ୍ୟ ଉତ୍ସାହର ସହ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଣ୍ଡଳ ସଭାପତି ମଧୁବନ ପାତ୍ରଙ୍କ ନେତୃତ୍ୱରେ ଗୋତମୁଣ୍ଡା ପଞ୍ଚାୟତରୁ ଆମପାଣି ପର୍ଯ୍ୟନ୍ତ ଯାତ୍ରା ହୋଇଥିଲା। ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ମଣ୍ଡଳ ସମ୍ପାଦକ ତୁଲାରାମ ନାଏକ, ସହସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝାରୀ, ସନ୍ତୋଷ ମାଝୀ, ରିତେଶ କୁମାର ମୁଣ୍ଡ, ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଜିଲ୍ଲା ପ୍ରତିନିଧି ଭଜମନ ନାଏକ, ରଘୁମଣି ଖମାରୀ, ଚକ୍ରଧର ବେଶ୍ରା, ଅରୁଣ ଗୋୟଲ ଓ ଚୈତନ୍ୟ ମାଝୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଅଞ୍ଚଳବାସୀଙ୍କୁ ଦେଶପ୍ରେମର ବାର୍ତ୍ତା ଦେବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ସ୍ୱାଧୀନତା ଦିବସର ଗୌରବମୟ ପର୍ବରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।

Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ

Jamkhunta Storms into Final with a Convincing 3-1 Win: Defeats Kantabanji in the Second Semi-Final of the 17th Raja Anup Singh Deo Memorial Football Tournament
Aug 13, 2026•62 views

Jamkhunta Storms into Final with a Convincing 3-1 Win: Defeats Kantabanji in the Second Semi-Final of the 17th Raja Anup Singh Deo Memorial Football Tournament

Khariar: The second semi-final of the 17th Raja Anup Singh Deo Memorial Football Tournament was played at the historic Raja Artatrana Sports Ground in Khariar, where Jamkhunta of Balangir district registered an impressive 3-1 victory over Kantabanji to secure a place in the grand final. The match between the two strong teams of Balangir district was highly competitive and thrilling from the beginning. Both sides displayed attacking football and created several exciting moments, keeping the spectators engaged throughout the game. However, Jamkhunta maintained its dominance and eventually sealed a 3-1 victory over Kantabanji within the stipulated playing time. Khariar NAC Chairman Ujjwal Gupta attended the match as the Chief Guest. BJP State Executive Committee Member Lambodar Nial, BJP Yuva Morcha District President Gyan Ranjan Megh, and Khariar NAC Vice-Chairperson Shakuntala Raut were present as Guests of Honour. All the councillors of Khariar NAC also attended the match and encouraged the players of both teams. The match was officiated by Football Association of Odisha official referees Tapas Pati, Sourav Panda and Amulya Barik. Vedanta Pradhan handled the scoring, while Prakash Patra, Dhananjaya Mallik and Nandu Sahu provided live commentary. Members of the Raja Anup Singh Deo Memorial Football Trust, including President Ankit Singh Deo, Secretary Jitendra Nayak, Vice-President Prabhudatta Goud, Treasurer Biswa Ranjan Panda, Joint Treasurer Punyatosh Mund, along with Rupesh Tahani, Bibek Pod, Sushant Kumar Swain, Shyam Nag, Basanti Majhi, Aqib Raja, Jhintu Mahapatra, Prashanti Pattnaik, Niranjan Pod, Mohammad Arif, Gudu Panigrahi, Sushant Sahu, Harihar Sahu and Shiv Mahapatra, extended their cooperation in successfully conducting the tournament. The much-awaited final will be played on August 15, Independence Day, between Jamkhunta and Boden. With both teams securing their places in the final, football enthusiasts in Khariar are eagerly looking forward to an exciting title clash.

Nuapada (ନୂଆପଡ଼ା) • Report: Malaya Meher & Bhajan Lal Jagat

ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ
Aug 13, 2026•13 views

ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

ଖୋର୍ଦ୍ଧା, କଲେକ୍ଟ୍ରେଟ୍ କନଫରେନ୍ସ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ 'ବେଟି ବଚାଓ ବେଟି ପଢାଓ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ , ପୋଲିସ ସୁପରିଟେନ୍ଡେନ୍ଟ, ଏଡିଏମ ଜେନେରାଲ ଖୋର୍ଦ୍ଧା, ସିଡମ, ପିଏଚ୍ଓ ଖୋର୍ଦ୍ଧା, ଏସ୍ଏସଏସଓ, ଡବ୍ଲୁଇଓ, ବିଡିଓ, ଏବିଡିଓ, ଜିପିଡିଓ, ସମସ୍ତ ସିଡିପିଓ, ସିଡବ୍ଲୁସି ମେମ୍ବର, ଡ଼ାଲ୍ସା ର ଅଫିସର ସମସ୍ତ ହବ ଷ୍ଟାଫ ,ପ୍ରୋଗ୍ରାମ ଅଫିସର ଏବଂ ଶକ୍ତି ସଦନ ର ସୁପରିଟେଣ୍ଡନ୍ଟ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଫଳ ରୁପାନ୍ତରିକରଣକୁ ନେଇ ଖୋର୍ଦ୍ଧା ଏଡିମ୍ ଜେନେରାଲ ଗୁରୁତ୍ଵ ଦେଇଥିଲେ । ଉଦବୋଧନ ଦେବା ସହ ସେ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କ ସହଯୋଗ ଦ୍ଵାରା ସବୁ ଦିଗ ପ୍ରତି କିପରି ଆଲୋକପାତ କରାଯାଇପାରିବ ସେହି ବିଷୟରେ କହିଥିଲେ। ବିଶେଷ କରି କନ୍ୟା ରତ୍ନକୁ ଯତ୍ନ କରିବା, ତାକୁ ସୁରକ୍ଷା ଦେବା ସହ ଭ୍ରୁଣ ହତ୍ୟାରୁ କିପରି ନିବୃତ ରହି ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା, ସେ ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ଵ ଦେଇଥିଲେ।ପରିଶେଷରେ ଡିସି ହବ୍ ସମିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଡଭା ଠାରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ
Aug 13, 2026•34 views

ଡଭା ଠାରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ

ଝାରବନ୍ଧ -ଝାରବନ୍ଧ ବ୍ଳକ ଅନ୍ତର୍ଗତ ଡଭା ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି କାର୍ଯ୍ୟକର୍ତ୍ତା ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡଭା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ SDC ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ ଯୋଗ ଦେଇଥିଲେ।ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଡିଜେ ସାଉଣ୍ଡ ମାଧ୍ୟମରେ ସମଗ୍ର ଡଭା ଗ୍ରାମକୁ ଶୋଭାଯାତ୍ରା କରି ପୁଣି ପ୍ରତ୍ୟାବର୍ତ୍ତନ କରିଥିଲା । ସମଗ୍ର ୩ କିମି ରୁ ଉର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରିଥିବା ଏହି ଯାତ୍ରାରେ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଓ ମୁଖରେ ଭାରତମାତା ର ଜୟ ଧ୍ବନି ରେ ଡଭା ଅଞ୍ଚଳ ମୁଖରିତ ହୋଇପଡ଼ିଥିଲା । ସମସ୍ତଙ୍କ ମନରେ ଦେଶ ମାତୃକାର ଭାବନା ଜାଗୃତ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଶୋଭାଯାତ୍ରାରେ ସମସ୍ତଙ୍କ ସମର୍ଥନରେ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୈନିକ ଜୟ କୁମାର ସାହୁ, ବିଜେପି ମଣ୍ଡଳ ସଭାପତି ସତ୍ୟମ୍ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ସତ୍ୟ ଭୂଷଣ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଜାତା ରାଣୀ ବାଗ,ଟୁନା ଡନସନା,ସାଧାରଣ ସଂପାଦକ ବସନ୍ତ ସାହୁ, ବିନୋଦ ବିହାରୀ ବାଗ, ସତ୍ୟାନନ୍ଦ ପ୍ରଧାନ, ଜିତେନ୍ଦ୍ର ସାହୁ, ମନ ରଣା, ଚିନ୍ତାମଣି ରାଉତ, ମନୋରଞ୍ଜନ ବିଶ୍ବାଳ, ଓମ୍ ପ୍ରକାଶ ନାଏକ, ମୋହିତ ତାଣ୍ଡି ପ୍ରମୁଖ ଯୋଗ ଦେଇଥିବା ବେଳେ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡଭା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ରେଲି ର ଭବ୍ୟତା ଓ ସୁନ୍ଦରତା କୁ ନେଇ ଡଭା ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଥିବାର ଦେଖାଯାଇଛି ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ମିନି ଷ୍ଟାଡିୟମ ସାମ୍ନା ମୁକ୍ତ ସ୍ଥାନରେ ସୋସିଆଲ ହୋମ ହେଉ
Aug 13, 2026•70 views

ମିନି ଷ୍ଟାଡିୟମ ସାମ୍ନା ମୁକ୍ତ ସ୍ଥାନରେ ସୋସିଆଲ ହୋମ ହେଉ

ରାଉରକେଲା: କୋଏଲନଗର ଅଞ୍ଚଳର ବାସିନ୍ଦାମାନେ ମିନି ଷ୍ଟାଡିୟମ୍ ସମ୍ମୁଖରେ ଥିବା ମୁକ୍ତ ସ୍ଥାନରେ ଗୋଟିଏ ସୋସିଆଲ୍ ହୋମ୍ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହାକୁ ସମର୍ଥନ କରି ବିଜେପି କୋଏଲ ନଗର ମଣ୍ଡଳ ସଭାପତି ତ୍ରିବିକ୍ରମ ମାଝୀ ଏ ସମ୍ପର୍କରେ ସରକାର ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି। ଶ୍ରୀ ମାଝୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ କୋଏଲନଗର ଅଞ୍ଚଳରେ ଅନେକ ବୟସ୍କ ପିତାମାତା ଅଛନ୍ତି ଯେଉଁମାନଙ୍କ ସନ୍ତାନମାନେ ରାଉରକେଲା ବାହାରେ କାମ କରୁଥିବାରୁ ସେମାନଙ୍କ ସହ ରହୁନାହାନ୍ତି। ସେମାନେ ଏକୁଟିଆ ଅନୁଭବ କରନ୍ତି। ଯଦି ଏକ ସୋସିଆଲ୍ ହୋମ୍ ନିର୍ମାଣ କରାଯାଏ ତେବେ ସେମାନେ ସେଠାରେ ଖବରକାଗଜ ପଢ଼ିବା, ପୁସ୍ତକ ପଢ଼ିବା, କ୍ୟାରମ୍, ଲୁଡୁ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସମୟ ବିତାଇ ପାରିବେ। ସମ୍ପ୍ରତି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଉକ୍ତ ସ୍ଥାନରେ ଏକ ଅଫିସ୍ ଏବଂ କର୍ମଚାରୀ ଆବାସ ନିର୍ମାଣ କରାଯାଉଛି। ଭବିଷ୍ୟତରେ ଷ୍ଟାଡିୟମ୍‌ରେ କୌଣସି କାର୍ଯ୍ୟକ୍ରମ ହେଲେ ଗାଡ଼ି ପାର୍କିଂ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ। ତେଣୁ ସ୍ଥାନୀୟ ଲୋକମାନେ ଅନୁରୋଧ କରୁଛନ୍ତି ଯେ ପ୍ରସ୍ତାବିତ ପ୍ରକଳ୍ପକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉ। ଅନ୍ୟପକ୍ଷେ ୧୯୭୮ ମସିହାରେ ତତ୍କାଳୀନ ଷ୍ଟିଲ୍ ମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଆରଏସପିର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ଲାଣ୍ଟ ନିକଟରେ ବସତି କରାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯେଉଁମାନଙ୍କର ଆର୍ଥିକ ସହାୟତା ନଥିଲା। ରାଜ୍ୟ ସରକାର ୨୧୭.୫୬ ଏକର ଜମି ମାତ୍ର ୧.୧୬ଲକ୍ଷ ଟଙ୍କାରେ ପ୍ରଦାନ କରିଥିଲେ, କାରଣ କର୍ମଚାରୀମାନେ ନିଜ ଘର, ନାଗରିକ ସୁବିଧା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନିଜେ ଖର୍ଚ୍ଚ କରିବେ। ସେଥିରେ ନଦୀରୁ ଘର ଯାଏଁ ପାଣି ଯୋଗାଣ, ବିଦ୍ୟୁତ୍ ଓ ଷ୍ଟ୍ରିଟ୍ ଲାଇଟ୍, ଟ୍ରାନ୍ସଫର୍ମର, ୨୫କି.ମି. ଅଭ୍ୟନ୍ତରୀଣ ରାସ୍ତା, ଭୂତଳ ଡ୍ରେନେଜ୍ ବ୍ୟବସ୍ଥା, ପାର୍କ, ପିଲାଙ୍କ ଖେଳ ପଡ଼ିଆ, ବିଦ୍ୟାଳୟ, ଖେଳ ପଡ଼ିଆ, କ୍ଲବ୍ , ସିଭିକ୍ ସେଣ୍ଟର, ସ୍ୱାସ୍ଥ୍ୟ କେନ୍ଦ୍ର, ସାଧାରଣ ସାମଗ୍ରୀ ବଜାର, ମାଂସ ଓ ପନିପରିବା ବଜାର ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। କୋଏଲନଗର କଲୋନୀ ସେଲ୍ ବୋର୍ଡର ପ୍ରସ୍ତାବ ୨୨/୦୧/୧୯୭୯ ତାରିଖ ଅନୁଯାୟୀ ନିଜସ୍ୱ ଆବାସିକ ସହଯୋଗୀ ସମିତି ଦ୍ୱାରା ପରିଚାଳିତ ହେବା କଥା। ସେଥିପାଇଁ ୧୯୮୩ ରେ ଗଠିତ ଏବଂ ୧୯୮୮ ରେ ପଞ୍ଜୀକୃତ ହୋଇଥିବା ସଂଘ ହେଉଛି କୋଏଲନଗରର ସବୁଠାରୁ ପୁରୁଣା ସଂଘ। ଏହା ସହିତ ସଂଲଗ୍ନ କରାଯାଇଥିବା ମାନଚିତ୍ର ଅନୁଯାୟୀ ମିନି ଷ୍ଟାଡିୟମ୍ ସମ୍ମୁଖର ସ୍ଥାନକୁ ସିଭିକ୍ ସେଣ୍ଟର୍ ଏବଂ କ୍ଲବ୍ ହାଉସ୍ ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି। ଉପରୋକ୍ତ ପରିପ୍ରେକ୍ଷୀରେ, ଶ୍ରୀ ମାଝୀ ଙ୍କ ସମେତ ସ୍ଥାନୀୟ ବାସିନ୍ଦା ରମେଶ ସିଂ,ରାଜୁ ସିଂ, ପ୍ରଭାକର ସାହୁ, ଶକ୍ତେଶ୍ବର ପାତ୍ର,ନୀନା ଷଡ଼ଙ୍ଗୀ, କାମାକ୍ଷା ନାରାୟଣ ଚୈ।ବେ, ସୂର୍ଯ୍ୟ ନାରାୟଣ ଦାସ,ରୋଶନ ଇନ୍ଦ୍ରୱ।ର , ଲକ୍ଷ୍ମଣ ସିଂ,ବିମଲ ମହାନ୍ତି ଧନେଶ୍ଵର କଂସାରୀ ପ୍ରମୁଖ ଅନୁରୋଧ କରିଛନ୍ତି ଯେ କୋଏଲନଗର ବି ବ୍ଲକ୍, ମିନି ଷ୍ଟାଡିୟମ୍ ସମ୍ମୁଖରେ ଥିବା ସ୍ଥାନରେ ସୋସିଆଲ୍ ହୋମ୍ ନିର୍ମାଣ ପାଇଁ ବାସିନ୍ଦାମାନଙ୍କ ଦାବିକୁ ବିଚାର କରି ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରାଯାଉ ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବର୍ଷା ପ୍ରଭାବିତ ବସ୍ତିରେ ବିଧାୟକଙ୍କ ଦ୍ୱାରା ୫୦୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ପାଉଁରୁଟି ବଣ୍ଟନ
Aug 13, 2026•12 views

ବର୍ଷା ପ୍ରଭାବିତ ବସ୍ତିରେ ବିଧାୟକଙ୍କ ଦ୍ୱାରା ୫୦୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ପାଉଁରୁଟି ବଣ୍ଟନ

ରାଉରକେଲା : ଗତକାଲି ଠାରୁ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ଅନେକ ଅଞ୍ଚଳ ଏବଂ ବହୁ ବସ୍ତି ଜଳମଗ୍ନ ହୋଇ ରହିଥିଲା । କେତେକ ବସ୍ତିରେ ଲୋକଙ୍କ ଘର ଭିତରେ ମଧ୍ୟ ବର୍ଷା ଜଳ ପଶି ଯାଇଥିବାରୁ ଲୋକମାନେ ନାହିଁ ନଥିଵା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେତେକ ସ୍ଥାନରେ ଲୋକମାନେ ରୋଷେଇ କରି ପାରି ନଥିବା ମଧ୍ୟ ଜଣାପଡିଥିଲା । ବର୍ଷାର ତାଣ୍ଡବଲୀଳା ସମ୍ବନ୍ଧରେ ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ବର୍ଷାରେ ପ୍ରଭାବିତ ଅଞ୍ଚଳ ସେକ୍ଟର-୫ରେ ଥିବା ବିବେକାନନ୍ଦ ବସ୍ତି,ସେକ୍ଟର-୧୪ସ୍ଥିତ ଶାନ୍ତି ନଗର ବସ୍ତି,ସେକ୍ଟର-୧୮ ସ୍ଥିତ ସମଲେଶ୍ୱରୀ ବସ୍ତି,ସେକ୍ଟର-୭ ଅଞ୍ଚଳରେ ଥିବା ମୁଣ୍ଡାରୀ ବସ୍ତି,ପାହାଡ଼ପୁର ବସ୍ତି, ବିନ ବସ୍ତି, ସେକ୍ଟର-୧ ଏବଂ ୨ ଅଞ୍ଚଳରେ ଥିବା ଜଗନ୍ନାଥ ବସ୍ତି, ଜଗଧାତ୍ରୀ ବସ୍ତି, ଗଞ୍ଜୁ ବସ୍ତି, ଏନ ଆଇ ଟି ଚେକ ପୋଷ୍ଟ ବସ୍ତି,ଉଦିତନଗର ସ୍ଥିତ ଶୀତଳପଡା ର ବିଭିନ୍ନ ବସ୍ତିକୁ ନିଜ ସହକର୍ମୀ ଅଜୟ କଂସାରୀ, ମନୋଜ ପଟ୍ଟନାୟକ, ଅକ୍ଷୟ କୁମାର ଦାସ, ଗଦାଧର ସାହୁ,ସୁନିତା ତିର୍କୀ, ସୂର୍ଯ୍ୟନନ୍ଦ ମାଝୀ,ପ୍ରତୀକ ଚନ୍ଦ୍ର ଜେନା, ମନୋଜ ଭୋଇ,ଗିରିଜା ଶଙ୍କର ମହାନ୍ତି,ଚିତ୍ତ ଜେନା ପ୍ରମୁଖଙ୍କ ସହ ଯାଇ ସେଠାରେ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ପ୍ରାୟ ୫୦୦୦ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରିଥିବା ବେଳେ ପ୍ରାୟ ୧୫୦ଜଣଙ୍କୁ ପାଉଁରୁଟି ଏବଂ କେତେଜ ଲୋକଙ୍କୁ ଚୁଡ଼ା ଓ ଗୁଡ଼ ମଧ୍ୟ ପ୍ରଦାନ କରିଥିଲେ । ଅନେକ ସ୍ଥାନରେ ପ୍ରଭାବିତ ଲୋକଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ଘର ଉପରେ ପକାଇବା ପାଇଁ ପାଲ ଯୋଗାଇଦେବା ପାଇଁ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ତ୍ରିରଙ୍ଗା ଯାତ୍ରା: ଦେଶଭକ୍ତି ଓ ଜାତୀୟ ଏକତାର ବାର୍ତ୍ତା
Aug 13, 2026•9 views

ତ୍ରିରଙ୍ଗା ଯାତ୍ରା: ଦେଶଭକ୍ତି ଓ ଜାତୀୟ ଏକତାର ବାର୍ତ୍ତା

ରାଉରକେଲା :ଦେଶ ମାତୃକାର ସମ୍ମାନ ଏବଂ ବୀର ସୈନିକ ଓ ସହିଦମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଭାରତୀୟ ଜନତା ପାର୍ଟି, ରଘୁନାଥପାଲ୍ଲୀ ଅନ୍ତର୍ଗତ ମଧୁବାବୁ ମଣ୍ଡଳ ସଭା ନେତ୍ରୀ ପ୍ରତୀମା ରାଉତଙ୍କ ଙ୍ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ସେକ୍ଟର ୮ , ଜୁବୁଲି ପାର୍କ ଠାରୁ ଶନି ମନ୍ଦିର ଛକ ପରିକ୍ରମା କରି ମାର୍କେଟ ଛକ ଠାରେ ସମାପ୍ତ ହୋଇ ଥିଲା । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ , ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ ଉଦବୋଧନ ଦେଇଥିବା ବେଳେ ମଣ୍ଡଳ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ବରିଷ୍ଠ ନେତା ଅକ୍ଷୟ କୁମାର ଦାଶ, ଅଜୟ କଂସାରୀ, ସୁଶୀଲ ସେଠୀ, ମନୋଜ ପଟ୍ଟନାୟକ, ମଣ୍ଡଳ କାର୍ଯ୍ୟକର୍ତ୍ତା ରବୀନ୍ଦ୍ରନାଥ ବାରିକ, ପ୍ରଭାସ ରଞ୍ଜନ ସାମଲ , ସଂଯୁକ୍ତା ପାତ୍ର, ସରସ୍ୱତୀ ମହାନ୍ତ, ନିର୍ମଳା ବାରିକ, ହିମାଂଶୁ ନାୟକ, ଅଜୟ କୁମାର ରାଉତ୍, ସୁଶାର ଜେନା, ହେମନ୍ତ ଜେନା, ପ୍ରଶାନ୍ତ ଲେଙ୍କା, ପ୍ରକାଶ ନାୟକ, ପ୍ରତାପ ଦେଓ, ରାଜଲକ୍ଷ୍ମୀ ପାଣିଗ୍ରାହୀ, ନମିତା ସେନାପତି, ତରୁଣ କୁମାର ତନ୍ତୀ, ଖୁଶବୂ ବଡାଇକ, ତାପସ ସାହାଣୀ, ଶ୍ରୀକାନ୍ତ ପାଢୀ , ଅଜୟ ରାୟ, ପଦ୍ମ ଭୋଳ, ସମୀରଣ ରାୟ, କାର୍ତ୍ତିକ ସାହୁଙ୍କ ସମେତ ବହୁ ଅଂଶ ଗ୍ରହଣ କରିଥିଲେ। ସେହିପରି ଆମ୍ବେଦକର ମଣ୍ଡଳ ସଭାପତି ମନୋଜ କୁମାର ସ୍ବାଇଁଙ୍କ ନେତୃତ୍ୱରେ ତ୍ରୀରଙ୍ଗା ଯାତ୍ରା ସେକ୍ଟର -୧୭ ଆମ୍ବେଦକର ପାର୍କରୁ ଆରମ୍ଭ ହୋଇ କମ୍ୟୁନିଟ ସେଣ୍ଟର-୧୭ ଛକ ପର୍ୟ୍ୟନ୍ତ ପରିକ୍ରମା କରିଥିଲା । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ , ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ ଓ ମଣ୍ଡଳ ସଭାପତି ଉଦବୋଧନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରାମ ବର୍ମା, ମନୋଜ ପଟ୍ଟନାୟକ, ମଣ୍ଡଳ କାର୍ଯ୍ୟକର୍ତ୍ତା ଗୌତମ ବାଡା,ଅନନ୍ତ ଦାସ,ବାବୁଲି ବାରିକ, ବଳରାମ ସମାଷୀ, ମୁରଲୀ ବାରିକ,ଆୟୁଷ କାନ୍ତ ମୁନି, ପୁଷ୍ପଲତା ସାହୁ, କବିତା ବିନ୍ଧାଣୀ,ଶଙ୍କର ମଣ୍ଡଳ, ଅମିତ୍ କଲେଟ, କାର୍ଯ୍ୟକର୍ତ୍ତା ସଚି ଚମ୍ପତ୍ତିଙ୍କ ସମେତ କାର୍ଯ୍ୟକର୍ତ୍ତା , କର୍ମୀ ଓ ସମର୍ଥକ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ମାଲିକଙ୍କ ଅଜାଣତରେ ୪ ଏକର ୪୦ ଡେସିମିଲ ଜମି ବିକ୍ରି!  ନକଲି ଫଟୋ, ଆଧାର ଓ ଦଲିଲରେ ଜମି ହଡ଼ପ ଅଭିଯୋଗ; ତଦନ୍ତ ଆରମ୍ଭ
Aug 13, 2026•34 views

ମାଲିକଙ୍କ ଅଜାଣତରେ ୪ ଏକର ୪୦ ଡେସିମିଲ ଜମି ବିକ୍ରି! ନକଲି ଫଟୋ, ଆଧାର ଓ ଦଲିଲରେ ଜମି ହଡ଼ପ ଅଭିଯୋଗ; ତଦନ୍ତ ଆରମ୍ଭ

କୋମନା: ଜମି ମାଲିକଙ୍କ ଅଜାଣତରେ ନକଲି ଫଟୋ, ପରିଚୟପତ୍ର ଓ ଆବଶ୍ୟକ କାଗଜପତ୍ର ବ୍ୟବହାର କରି ପ୍ରାୟ ୪ ଏକର ୪୦ ଡେସିମିଲ ମୂଲ୍ୟବାନ ଚାଷଜମି ବିକ୍ରି ହୋଇଥିବା ଅଭିଯୋଗକୁ ନେଇ ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଫସଲବୀମା କରିବାକୁ ଯାଇଥିବା ବେଳେ ନିଜ ଜମି ଆଉ ନିଜ ନାଁରେ ନଥିବା ଜାଣିବା ପରେ ପ୍ରକୃତ ଜମିମାଲିକ ଓ ପରିବାର ଲୋକେ ହତବାକ୍ ହୋଇପଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ, କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନୀଙ୍କ ନାଁରେ ୪ ଏକର ୪୦ ଡେସିମିଲ ଚାଷଜମି ରହିଥିଲା। ଗତକାଲି ସେ ଫସଲବୀମା ପାଇଁ ଜମି ପଟ୍ଟା ଧରି ସମବାୟ ସମିତିକୁ ଯାଇଥିଲେ। ତେବେ ସେଠାରେ ତାଙ୍କ ଜମି ଆଉ ତାଙ୍କ ନାଁରେ ନଥିବା ଏବଂ ଜମିଟି ବିକ୍ରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସତ୍ୟନାରାୟଣଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଜମି ସମ୍ବନ୍ଧୀୟ ଖାତା ନମ୍ବର ୧୭୮/୩୮୧, ୧୭୮/୩୮୨ ଓ ୧୭୮/୩୮୩ ରହିଛି। ତାଙ୍କ ଅଜାଣତରେ ଏହି ଜମିକୁ ଅନ୍ୟମାନଙ୍କ ନାଁରେ ବିକ୍ରି କରାଯାଇ ରେକର୍ଡଭୁକ୍ତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଜମିର ସରକାରୀ ମୂଲ୍ୟ ପ୍ରାୟ ୬୬ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଅଭିଯୋଗରେ ଆହୁରି କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳର ପର୍ଶୁରାମ ପାଢ଼ୀ, ପାଟଣାଗଡ଼ର ସଞ୍ଜୟ କୁମାର ଅଗ୍ରୱାଲ ଓ ରାମପୁର ଅଞ୍ଚଳର ବୀରେନ୍ଦ୍ର ସରାଫଙ୍କ ନାଁରେ ଉକ୍ତ ଜମି ରେକର୍ଡଭୁକ୍ତ ହୋଇଛି। ଗତ ଫେବୃଆରୀ ୧୧ ତାରିଖର ଏକ ବିକ୍ରୟ ଦଲିଲରେ ସତ୍ୟନାରାୟଣ ପ୍ରଧାନୀ ଓ ତାଙ୍କ ପତ୍ନୀ କୁମୁଦିନୀଙ୍କୁ ବିକ୍ରେତା ଭାବେ ଦର୍ଶାଯାଇଥିବା ବେଳେ ସେମାନେ ଜମି ବିକ୍ରି କରିନଥିବା ଦାବି କରିଛନ୍ତି। ଏହି ଘଟଣାରେ ନକଲି ଫଟୋ, ଆଧାର କାର୍ଡ, ଜମି ପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ବ୍ୟବହାର କରାଯାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ଉଠିଛି। ଏହା ପଛରେ ଦଲାଲଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ଜମି ବିକ୍ରୟ ସମୟରେ ପ୍ରକୃତ ମାଲିକଙ୍କ ପରିଚୟ, ଫଟୋ, ଦସ୍ତଖତ ଓ ଅନ୍ୟାନ୍ୟ ପ୍ରମାଣପତ୍ର କିପରି ଯାଞ୍ଚ କରାଗଲା, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ଘଟଣା ପରେ ଆଜି ସତ୍ୟନାରାୟଣ ପ୍ରଧାନୀ, ତାଙ୍କ ସମ୍ପର୍କୀୟ ଶାନ୍ତି ପ୍ରଧାନୀ, ନବୀନ ଚନ୍ଦ୍ର ପ୍ରଧାନୀଙ୍କ ସମେତ ପରିବାର ସଦସ୍ୟମାନେ କୋମନା ତହସିଲଦାର ତଥା ସବରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମୂଳ ରାଜସ୍ୱ ରେକର୍ଡ, ବିକ୍ରୟ ଦଲିଲ, ଫଟୋ, ପରିଚୟପତ୍ର, ଦସ୍ତଖତ ଓ ପଞ୍ଜୀକରଣ ପ୍ରକ୍ରିୟାର ନିରପେକ୍ଷ ଯାଞ୍ଚ କରି ଜମିକୁ ପ୍ରକୃତ ମାଲିକଙ୍କୁ ଫେରାଇବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏନେଇ କୋମନା ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ କୋମନା ଥାନାରେ ଏତଲା ଦିଆଯାଇଥିବା ଏବଂ ପୁଲିସ ତଦନ୍ତ ପରେ ସମସ୍ତ ସତ୍ୟତା ସାମ୍ନାକୁ ଆସିବ ବୋଲି ସେ କହିଥିବା ଜଣାପଡ଼ିଛି। ସନ୍ଧ୍ୟାରେ ପରିବାର ଲୋକେ କୋମନା ଥାନାରେ ପହଞ୍ଚି ଏନେଇ ବିସ୍ତୃତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ କୋମନା ପୁଲିସ କେତେକ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ ଜମି ବିକ୍ରୟ ପଛରେ ପ୍ରକୃତରେ କିଏ, କେଉଁ ପ୍ରକ୍ରିୟାରେ ଏହି ଜାଲିଆତି ହୋଇଛି ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି—ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବର୍ଷ ବର୍ଷ ଧରି ପରିବାରର ଦଖଲରେ ଥିବା ଚାଷଜମି ହଠାତ୍ ଅନ୍ୟମାନଙ୍କ ନାଁରେ ରେକର୍ଡଭୁକ୍ତ ହୋଇଯିବା ଘଟଣା ସାଧାରଣ ଜମିମାଲିକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ପ୍ରକୃତ ମାଲିକଙ୍କୁ ତାଙ୍କ ଜମି ଫେରାଇବା ଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।

Nuapada (ନୂଆପଡ଼ା) • ଗିରେନ୍ଦ୍ର ଜଗତ, କୋମନା

କୋକସରା ବ୍ଲକରେ ‘ନିଶାମୁକ୍ତ ଭାରତ’ ଅଭିଯାନ: ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶପଥ ପାଠ
Aug 13, 2026•115 views

କୋକସରା ବ୍ଲକରେ ‘ନିଶାମୁକ୍ତ ଭାରତ’ ଅଭିଯାନ: ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶପଥ ପାଠ

କୋକସରା: ଭାରତ ସରକାରଙ୍କ ପକ୍ଷରୁ ଅଗଷ୍ଟ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ନିଶାମୁକ୍ତ ଭାରତ’ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏହି ଅବସରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିକଶିତ ଭାରତ ସ୍ପନ୍ଦନ ଅଭିଯାନ’ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ କୋକସରା ବ୍ଲକର ଲଡୁଗାଁ, କୋକସରା, ମାଝୀଗୁଡା ଓ ଆମପାଣି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ ଅନୁଷ୍ଠିତ ହୋଇଛି। ଲଡୁଗାଁ ବ୍ରହ୍ମାକୁମାରୀ ଶାଖାର ସଂଚାଳିକା ଲତା ଭଉଣୀଙ୍କ ତତ୍ତ୍ୱାବଧାନରେ ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ, ଲଡୁଗାଁ ଉଚ୍ଚ ବିଦ୍ୟାଳୟ, କୋକସରା ଯୁକ୍ତ ୨ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ଜବାହର ଉଚ୍ଚ ବିଦ୍ୟାଳୟ ଏବଂ ମାଝୀଗୁଡା ଉଚ୍ଚ ବିଦ୍ୟାଳୟରେ ପର୍ଯ୍ୟାୟକ୍ରମେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପରିଣାମ ସମ୍ପର୍କରେ ସଚେତନ କରିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଲତା ଭଉଣୀଙ୍କ ସହ ଅଶୋକ କୁମାର ଅଗ୍ରୱାଲ, ମୁରାରିଲାଲ ଅଗ୍ରୱାଲ, ଅମୟ ଦାସ, ଲିଲି ଭଉଣୀ ଓ ମୋତି ଭଉଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କୋକସରା ଯୁକ୍ତ ୨ କଲେଜର ଅଧ୍ୟକ୍ଷ ଉପେନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ମଲ୍ଲିକ, ମାଝୀଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଦାସ, ଜବାହର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୀମାରାଣୀ ସିଂ, ବନିତାରାଣୀ ଦତ୍ତ, ଖେଳ ଶିକ୍ଷକ ଅମିତ ମହାନ୍ତି, ଲଡୁଗାଁ କଲେଜର ଅଧ୍ୟକ୍ଷ ଡ. ନିହାରକାନ୍ତ ପଣ୍ଡା, ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ, ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୁଦ୍ଧିରାମ ନାଏକ, ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ କୁମାର ମାଝୀ, ଭାଗ୍ୟବାନ ବାଗଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ନିଶାମୁକ୍ତ ଅଭିଯାନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ଏଭଳି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଯୁବସମାଜ ନିଶାର କୁପରିଣାମରୁ ସୁରକ୍ଷିତ ରହିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ଯୁବଗୋଷ୍ଠୀଙ୍କ ଭୂମିକା ଆହୁରି ସୁଦୃଢ଼ ହେବ ବୋଲି ମତ ପ୍ରକାଶ ପାଇଥିଲା।

Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ

ଭୁବନ ଏନ୍ ଏ ସି ରେ ରାସ୍ତା ପାଲଟିଛି ଗାଡ଼ିଆ ପୂଜା ପୂର୍ବରୁ କାମ ନହେଲେ ହେବ ଅଡୁଆ
Aug 13, 2026•11 views

ଭୁବନ ଏନ୍ ଏ ସି ରେ ରାସ୍ତା ପାଲଟିଛି ଗାଡ଼ିଆ ପୂଜା ପୂର୍ବରୁ କାମ ନହେଲେ ହେବ ଅଡୁଆ

ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସବୁଠାରୁ ଶିକ୍ଷିତ ସଚେତନ ୱାର୍ଡ ଭାବେ ପରିଚିତ ୧ ନମ୍ବର ୱାର୍ଡ ରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷାରେ ଗାଡ଼ିଆ ପାଲଟୁଛି ଏହି ରାସ୍ତା । ରାସ୍ତାରେ ଖାଲଖମା ଯୋଗୁ ପଥଚାରୀ ଓ ବାଇକ୍ ଆରୋହୀ ମାନେ ହିନସ୍ତା ହେଉଛନ୍ତି। ବେଳେବେଳେ ବାଇକ୍ ଆରୋହୀ ମାନେ ପାଣିରେ ପଡ଼ି ଯାଉଛନ୍ତି । ଡ୍ରେନେଜ୍ ସିଷ୍ଟମ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ରାସ୍ତାରେ ଡ୍ରେନ୍ ପାଣି ଚାଲୁଛି । ପୂତି ଗନ୍ଧମୟ ପରିବେଶରେ ନାକ ଫଟି ଯାଉଛି । ଦୂରଦୃଷ୍ଟି ଅଭାବରୁ ପୂର୍ବତନ ନଗରପାଳ ଙ୍କ ସମୟରେ କେବଳ ପି ସି ଖାଇବା ଓ ଲୁଟି ଖାଇବା ପାଇଁ ରାସ୍ତା ମଝିରେ ଡ୍ରେନ୍ ଖୋଳା ଯାଇଥିଲା। ପାଣି କେଉଁଠୁ ଆସିବ ଆଉ କେଉଁଆଡେ ଯିବ ? ସେଥିପ୍ରତି ଆଦୌ ଗୁରୁତ୍ୱ ଦିଆଯାଇ ନଥିଲା। ରାସ୍ତା ମଝିରେ ଡ୍ରେନ୍ କରିବା ଦ୍ୱାରା ସବୁଠାରୁ ଚଉଡ଼ା ରାସ୍ତା ଭାବେ ପରିଚିତ ଥିବା ଏହି ୱାର୍ଡର ରାସ୍ତା ସଙ୍କୁଚିତ ହୋଇଗଲା । ପୂର୍ବରୁ ସିମେଣ୍ଟ କଂକ୍ରିଟ (ସି ସି ରୋଡ) ରାସ୍ତା ଥିଲାବେଳେ ସେହି ରାସ୍ତାକୁ ଖୋଳି ତାଡି ପେଭର ରାସ୍ତା କରାଗଲା ।ତେବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପେଭର ରାସ୍ତା ହୋଇଥିଲେ ଅସୁବିଧା ହୋଇ ନଥାନ୍ତା । ମଝିରେ ଖଣ୍ଡେ ଖଣ୍ଡେ ପେଭର ରାସ୍ତା ହେବାରୁ କଂକ୍ରିଟ ରାସ୍ତା ନିଚା ହେବା ସହ ଖାଲଖମାରେ ପରିଣତ ହୋଇଗଲା । ଏହି ୱାର୍ଡର ଗୋଡ଼ି ପୋଖରୀ ଛକ ୟୁକୋ ବ୍ୟାଙ୍କ ସମ୍ମୁଖ ରୁ ସିନେମା ହଲ୍ ଛକ, ଛତା ମଠ ଠାରୁ ବଉଳ ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୟୁକୋ ବ୍ୟାଙ୍କ କୁ ଦୈନିକ ଶତାଧିକ ଗ୍ରାହକ ଆସୁଥିବା ବେଳେ ପାଣି କାଦୁଅରେ ପଶି ବ୍ୟାଙ୍କ କୁ ଯିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଭୁବନର ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ଏହି ରାସ୍ତାରେ ହିଁ ଅନୁଷ୍ଠିତ ହୁଏ । ତେଣୁ ଆସନ୍ତା ଗଣେଶ ପୂଜା ପୂର୍ବରୁ ଏହି ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ନିର୍ମାଣ କରାଯିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦୃଢ଼ ଦାବି ହୋଇଛି । ଏ ସମ୍ପର୍କରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତା କାମ ପାଇଁ ଟେଣ୍ଡର ହୋଇଛି , ଜାଗା ସମସ୍ୟା ପାଇଁ କାମ ଅଟକି ରହିଛି। ଗଣେଶ ପୂଜା ପୂର୍ବରୁ ନିଶ୍ଚିତ ଭାବେ ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ