--:--:--
-- ---
Srishti News

Web News

ପୁରୀ ଓକିଲ ସଂଘ ନିର୍ବାଚନ: ସହ-ସମ୍ପାଦକ ଭାବେ ଅନିଲ ବିଜୟୀ
Mar 29, 2026•176 views

ପୁରୀ ଓକିଲ ସଂଘ ନିର୍ବାଚନ: ସହ-ସମ୍ପାଦକ ଭାବେ ଅନିଲ ବିଜୟୀ

ପୁରୀ: ପୁରୀ ଜିଲ୍ଲା ଓକିଲ ସଂଘର ସମ୍ପ୍ରତି ଅନୁଷ୍ଠିତ ନିର୍ବାଚନରେ ସହ-ସମ୍ପାଦକ ପଦବୀରେ ଶ୍ରୀ ଅନିଲ କୁମାର ସାହୁ ସର୍ବାଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଏହି ବିଜୟ ସହିତ ସେ ସଂଘର ନୂତନ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଇନଜୀବୀମାନେ ଉତ୍ସାହର ସହିତ ଭୋଟଦାନ କରିଥିଲେ। ଏହାରେ ଶ୍ରୀ ସାହୁଙ୍କ ପକ୍ଷରେ ଭାରୀ ସମର୍ଥନ ଦେଖିବାକୁ ମିଳିଥିଲା, ଯାହା ତାଙ୍କ ବ୍ୟକ୍ତିଗତ ପ୍ରତିଷ୍ଠା ଓ ସେବାଭାବକୁ ପ୍ରତିଫଳିତ କରୁଛି। ବିଜୟ ପରେ ଶ୍ରୀ ଅନିଲ କୁମାର ସାହୁ ତାଙ୍କ ପ୍ରତି ସମର୍ଥନ ଜଣାଇଥିବା ସମସ୍ତ ଗୁରୁଜନ, ବରିଷ୍ଠ ଆଇନଜୀବୀ ଏବଂ ଓକିଲ ଭାଇ-ଭଉଣୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି। ସେ କହିଛନ୍ତି ଯେ, ସଂଘର ସାମଗ୍ରିକ ଉନ୍ନତି, ଆଇନଜୀବୀ ମାନଙ୍କ ହିତ ଓ ସୁରକ୍ଷା ଏବଂ ପେଶାଗତ ସୁବିଧା ବୃଦ୍ଧି ପାଇଁ ସେ ନିଷ୍ଠାପୂର୍ଣ୍ଣ ଭାବେ କାମ କରିବେ। ତାଙ୍କ ବିଜୟକୁ ନେଇ ସଂଘର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଖୁସି ପ୍ରକାଶ କରିଥିବା ବେଳେ, ଆଗାମୀ ଦିନରେ ସଂଘର କାର୍ଯ୍ୟକଳାପ ଅଧିକ ସକ୍ରିୟ ହେବ ବୋଲି ଆଶା କରାଯାଉଛି।

Puri (ପୁରୀ) • ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ

ଭଞ୍ଜନଗର ଓକିଲ ସଂଘରେ ନୂତନ ପଦାଧିକାରୀ ନିର୍ବାଚିତ
Mar 28, 2026•275 views

ଭଞ୍ଜନଗର ଓକିଲ ସଂଘରେ ନୂତନ ପଦାଧିକାରୀ ନିର୍ବାଚିତ

ଭଞ୍ଜନଗର: ରାଜ୍ୟବ୍ୟାପୀ ଓକିଲ ସଂଘ ନିର୍ବାଚନ ଅବସରରେ ଭଞ୍ଜନଗର ଓକିଲ ସଂଘରେ ନୂତନ ପଦାଧିକାରୀ ମାନଙ୍କ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ନିର୍ବାଚନରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଥିବାବେଳେ, ଉପ-ସଭାପତି ଭାବେ ରଜତ କୁମାର ଦାସ ଚୟନିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ ଧିରେନ ସ୍ୱାଇଁ ଏବଂ ଯୁଗ୍ମ ସମ୍ପାଦକ ଭାବେ ସ୍ନିଗ୍ଧା ଦାସ ନିର୍ବାଚିତ ହୋଇଛନ୍ତି ଏବଂ କୋଷାଧକ୍ଷ ପଦବୀରେ ମଧୁସୂଦନ ପଣ୍ଡା ଜିତିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ବରିଷ୍ଠ ଓକିଲ ଲଡୁକିଶୋର ଆଲତିଆ ପରିଚାଳନା କରିଥିଲେ। ଶାନ୍ତିପୂର୍ଣ୍ଣ ଓ ସୁସଂଘଟିତ ପରିବେଶରେ ଏହି ନିର୍ବାଚନ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ନବନିର୍ବାଚିତ ପଦାଧିକାରୀମାନଙ୍କୁ ସଂଘର ସଦସ୍ୟମାନେ ଅଭିନନ୍ଦନ ଜଣାଇଥିବା ସହ, ସଂଘର ସାମଗ୍ରିକ ଉନ୍ନତି ଓ ଓକିଲମାନଙ୍କ ହିତରେ କାମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

Ganjam (ଗଞ୍ଜାମ) • ବିଜୟା ନନ୍ଦ ତ୍ରିପାଠୀ, ସ୍ରିଷ୍ଟି ନିୟୁଜ, ଭଞ୍ଜନଗର

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି”
Mar 28, 2026•1544 views

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି”

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି” ଭୁବନେଶ୍ୱର: ଓଡିଶା ପୋଲିସ ପକ୍ଷରୁ ପ୍ରତିଷ୍ଠିତ “ବି.ବି. ମିଶ୍ର ଟ୍ରଫି” ପାଇଁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଥାନା ଅଧିକାରୀ (IIC) ଭାବେ ସୁନ୍ଦରଗଡ ପୋଲିସ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ବିଜୟ କିଶୋର ଦାଶଙ୍କୁ ଚୟନ କରାଯାଇଛି। ତାଙ୍କର କର୍ତ୍ତବ୍ୟନିଷ୍ଠା, ଦୃଢ଼ ପରିଚାଳନା ଶୈଳୀ ଏବଂ ଆଇନ-ଶୃଙ୍ଖଳା ରକ୍ଷାରେ ଉଲ୍ଲେଖନୀୟ ଭୂମିକା ପାଇଁ ଏହି ସମ୍ମାନ ଦିଆଯାଇଛି। ସେ ନିଜ କାର୍ଯ୍ୟକାଳୀନ ସମୟରେ ଅପରାଧ ନିୟନ୍ତ୍ରଣ, ସାମାଜିକ ସମ୍ପର୍କ ସୁଦୃଢ଼ କରିବା ସହିତ ଲୋକମାନଙ୍କର ଭରସା ଜିତିବାରେ ବେଶ ସଫଳ ହୋଇଛନ୍ତି। ଜନସାଧାରଣଙ୍କ ସହ ସମନ୍ୱୟ ରଖି ପୋଲିସିଂରେ ସ୍ପଷ୍ଟତା ଏବଂ ଦାୟିତ୍ୱବୋଧ ପ୍ରଦର୍ଶନ କରିଥିବାରୁ ସେ ବିଶେଷ ଭାବରେ ପ୍ରଶଂସିତ ହୋଇଛନ୍ତି। ବିଶେଷ କଥା ହେଉଛି, ଶ୍ରୀ ଦାଶ ବିଗତ ଦିନରେ ତାଙ୍କର ଉତ୍କୃଷ୍ଟ ସେବା ପାଇଁ ଡିଜିପି ଡିସ୍କ ଆୱାର୍ଡ, ଡିଜିପି କମେଣ୍ଡେସନ ଆୱାର୍ଡ, ରାଜ୍ୟପାଳ ପଦକ ତଥା ରାଷ୍ଟ୍ରପତି ପଦକ ମଧ୍ୟ୍ୟ ପାଇ ସାରିଛନ୍ତି, ଯାହା ତାଙ୍କର ପେଶାଦାରୀ କୁଶଳତାକୁ ଆହୁରି ଉଜାଗର କରେ। ଏହି ସଫଳତା ପାଇଁ ବିଜୟ କିଶୋର ଦାଶଙ୍କୁ ବିଭିନ୍ନ ମହଳରୁ ଅଭିନନ୍ଦନର ବନ୍ୟା ବହୁଛି। ପୋଲିସ ବିଭାଗରେ ତାଙ୍କର ଏହି ଉପଲବ୍ଧି ଅନ୍ୟ ଅଧିକାରୀ ମାନଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

Bhubaneswar (ଭୁବନେଶ୍ୱର) • ରୁଦ୍ର ମୋହାନ ସାହୁ, ଭୁବନେଶ୍ୱର, ସ୍ରିଷ୍ଟି ନିୟୁଜ

ପ୍ରସ୍ତୁତି ଶେଷ ପର୍ଯ୍ୟୟରେ, ଆଜିଠାରୁ ଆରମ୍ଭ ଉଦନ୍ତୀ ମହୋତ୍ସବ–୨୦୨୬
Mar 27, 2026•211 views

ପ୍ରସ୍ତୁତି ଶେଷ ପର୍ଯ୍ୟୟରେ, ଆଜିଠାରୁ ଆରମ୍ଭ ଉଦନ୍ତୀ ମହୋତ୍ସବ–୨୦୨୬

ନୂଆପଡା-ସିନାପାଲି: କଳା, ସାହିତ୍ୟ ଓ ସଂସ୍କୃତିର ଅଦ୍ଭୁତ ସମାଗମ “ଉଦନ୍ତୀ ମହୋତ୍ସବ–୨୦୨୬” ପାଇଁ ସିନାପାଲି ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ମହଲ ସୃଷ୍ଟି ହୋଇଛି । ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟକୁ ପହଁଞ୍ଚି ସାରିଥିବା ବେଳେ, ମଞ୍ଚ ସଜାଣା, ମିନାବଜାର, ଆଲୋକ ସଜ୍ଜା ସହ ଅନ୍ୟାନ୍ୟ ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ସିନାପାଲିର ଲୋକମାନେ ବର୍ଷଭରି ଯେଉଁ ପର୍ବକୁ ଅପେକ୍ଷା କରି ରହନ୍ତି, ସେହି ପ୍ରିୟ ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଧୁମଧାମରେ ପାଳିତ ହେବ । ଏହି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଅଞ୍ଚଳର ସାମୁଦାୟିକ ଏକତା, ପରମ୍ପରା ଓ ସୃଜନଶୀଳତାର ପ୍ରତିବିମ୍ବ । ଉଦନ୍ତୀ ମହୋତ୍ସବ ଏକ ଏମିତି ମଞ୍ଚ ଯେଉଁଠାରେ ନୂତନ ପ୍ରତିଭାମାନେ ନିଜର କୌଶଳ ପ୍ରଦର୍ଶନ କରି ଆଗକୁ ବଢ଼ିବାର ଅବସର ପାଆନ୍ତି । କଳାକାରମାନଙ୍କ ପାଇଁ ଏହା ଗୌରବର ମଞ୍ଚ, ଯେଉଁଠାରେ ସେମାନେ ନିଜର କଳାକୌଶଳ ଦ୍ୱାରା ଦର୍ଶକମାନଙ୍କ ହୃଦୟ ଜିତନ୍ତି । ବିଶେଷ କରି ଆସନ୍ତା ୨୯ ତାରିଖରେ ଆୟୋଜିତ “ଷ୍ଟାର ନାଇଟ” କାର୍ଯ୍ୟକ୍ରମରେ ସୁପରଷ୍ଟାର ସିଙ୍ଗର ଉମାକାନ୍ତ ବାରିକଙ୍କ ଅର୍କେଷ୍ଟ୍ରା ପ୍ରଦର୍ଶନ ମହୋତ୍ସବର ଆକର୍ଷଣକୁ ଅଧିକ ଉଚ୍ଚସୀମାକୁ ନେବ ବୋଲି ଆଶା କରାଯାଉଛି । ସଙ୍ଗୀତର ମାୟାରେ ଦର୍ଶକମାନେ ମନମୋହିତ ହେବେ ବୋଲି ଆୟୋଜକମାନେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଉଦନ୍ତୀ ମହୋତ୍ସବ ପାଳନ କମିଟି–୨୦୨୬ର ସଭାପତି ଶ୍ରୀ ପ୍ରିୟ ରଞ୍ଜନ ମେହେରଙ୍କ ନେତୃତ୍ୱରେ ଏହି ଆୟୋଜନ ହେଉଥିବା ବେଳେ, ଉପସଭାପତି ଶ୍ରୀ ରଜନୀକାନ୍ତ ମାଝୀ, ଶ୍ରୀ ଅଜିତ କୁମାର ଯୋଶୀ ଓ ଶ୍ରୀ ମନୋରଞ୍ଜନ ମେହେରଙ୍କ ସହଯୋଗ ଲୋକପ୍ରଶଂସନୀୟ । ସମ୍ପାଦକ ଶ୍ରୀ ସୁରଜ ମେହେର ଓ ସହ ସମ୍ପାଦକମାନେ ଶ୍ରୀ ବଂଶୀଧର ଜଗତ, ଶ୍ରୀ ଜିତୁ ମେମେର ଓ ଶ୍ରୀ ସୁଶାନ୍ତ ନାଏକ ଏହି ମହୋତ୍ସବକୁ ସଫଳ କରିବାରେ ଅନୁରତ ଅଟନ୍ତି । କୋଷାଧ୍ୟକ୍ଷ ଶ୍ରୀ ଦିବ୍ୟ ରଞ୍ଜନ ନାଏକ ମଧ୍ୟ ଆର୍ଥିକ ବ୍ୟବସ୍ଥାପନାରେ ସଚେତନ ଭୂମିକା ନିଭାଉଛନ୍ତି । ଉଦନ୍ତୀ ମହୋତ୍ସବ କେବଳ ଉତ୍ସବ ନୁହେଁ, ଏହା ଆମର ସଂସ୍କୃତି, ପରମ୍ପରା ଓ ସାମୁଦାୟିକ ଏକତାର ଉତ୍ସବ । ଏହା ଯୁବପିଢ଼ୀକୁ ପ୍ରେରଣା ଦେଇଥାଏ, କଳାକୁ ସମ୍ମାନ ଦେଇଥାଏ ଓ ଆମ ଐତିହ୍ୟକୁ ଜୀବନ୍ତ ରଖେ । ସିନାପାଲି ଏବେ ଉତ୍ସବର ରଙ୍ଗରେ ରଙ୍ଗାଇବା ଆରମ୍ଭ କରିବ , ଏବଂ ଆସନ୍ତା ତିନି ଦିନ ଧରି ଏହି ଆନନ୍ଦ ଧାରା ଜାରି ରହିବ ।

Nuapada (ନୂଆପଡ଼ା) • ମଳୟ ମେହେର, ସିନାପାଲି (ସ୍ରିଷ୍ଟି ନିୟୁଜ)

ବଡଗୋରଠା ପ୍ରିମିୟର ଲିଗ (BPL) ଫାଇନାଲ୍ ସମାପ୍ତ: ବିଜେତା ଦଳକୁ ଟ୍ରଫି ପ୍ରଦାନ
Mar 27, 2026•288 views

ବଡଗୋରଠା ପ୍ରିମିୟର ଲିଗ (BPL) ଫାଇନାଲ୍ ସମାପ୍ତ: ବିଜେତା ଦଳକୁ ଟ୍ରଫି ପ୍ରଦାନ

ରାୟଗଡା-ଗୁଡାରି: ଆଜି ଗୁଡାରି ବ୍ଲକ ଅଧିନସ୍ଥ ଖାରିଗୁଡା ଗ୍ରାମପଞ୍ଚାୟତର ବଡଗୋରଠା ଗ୍ରାମରେ ଆୟୋଜିତ ବଡଗୋରଠା ପ୍ରିମିୟର ଲିଗ (BPL) ର ଫାଇନାଲ୍ ଖେଳ ଉତ୍ସାହ ଓ ଆନନ୍ଦ ମଧ୍ୟରେ ସମାପ୍ତ ହୋଇଛି। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦଙ୍କ ଗୁଡାରି NAC ପ୍ରତିନିଧି ଶ୍ରୀ ଏସ. ମୀନକେଶ ବାବୁ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଗୁଡାରି ବ୍ଲକ କଂଗ୍ରେସ ସଭାପତି ଶ୍ରୀ କେ. ରାମକ୍ରୀଷ୍ଣା ଉପସ୍ଥିତ ଥିଲେ। ତଦୁପରି କଂଗ୍ରେସ ଜିଲ୍ଲା ସମ୍ପାଦକ ଶ୍ରୀ ଜଳ ସୂର୍ଯ୍ୟ, କଦମା ପଞ୍ଚାୟତ ସଭାପତି ଶ୍ରୀ ଜିତେନ୍ଦ୍ର ମାଝୀ, ସାନହୁମା ପଞ୍ଚାୟତ ସଭାପତି ଶ୍ରୀ ପ୍ରଭାକର ବିଡ଼ିକା, ମଧୁବନ ପଞ୍ଚାୟତ ସଭାପତି ଶ୍ରୀ ପାଣି ମାମ୍ବାଲାକା, ଖାରିଗୁଡା ପଞ୍ଚାୟତ ସଭାପତି ଶ୍ରୀ ରଜନୀ କାନ୍ତ ଗୋରଡ଼ିଆ (ବେଲା), ବରିଷ୍ଠ କଂଗ୍ରେସ ନେତା ଶ୍ରୀ କେଲୁ ହିକାବାଡି, ମାଲେସା ହିକାବାଡି, କୁମ୍ଭ ଶବର, ସିର୍ଣ୍ଣ କଲାକା ସହିତ ବହୁ କଂଗ୍ରେସ କର୍ମୀ ମଞ୍ଚରେ ଉପସ୍ଥିତ ଥିଲେ l ଅତିଥିମାନେ ବିଜେତା ଏବଂ ପରାଜିତ ଦଳର ଖେଳାଳୀମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି ଫାଇନାଲ୍ ମ୍ୟାଚ୍‌କୁ ଦେଖିବା ପାଇଁ ବହୁ ସଂଖ୍ୟକ ଦର୍ଶକ ମାନଙ୍କ ଭିଡ଼ ଲକ୍ଷ୍ୟ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଖେଳପ୍ରେମୀ ମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା।

Rayagada (ରାୟଗଡ଼ା) • ନିରଞ୍ଜନ ପୂଜାରୀ, ଗୁଡ଼ାରି (ସ୍ରିଷ୍ଟି ନିୟୁଜ)

ଭଞ୍ଜନଗର ଜଳସେଚନ ବିଭାଗର ବାବୁ ଭିଜିଲାସନ୍ସ ଜାଲରେ
Mar 26, 2026•110 views

ଭଞ୍ଜନଗର ଜଳସେଚନ ବିଭାଗର ବାବୁ ଭିଜିଲାସନ୍ସ ଜାଲରେ

ଭଞ୍ଜନଗର: କିଛିଦିନ ପୂର୍ବରୁ ଜଳସେଚନ ବିଭାଗର ଜଣେ ବାବୁଙ୍କୁ ଭିଜିଲାସନ୍ସ ମାଡ଼ି ବସିଥିବା ବେଳେ ଆଜି ପ୍ରତ୍ୟୁଷରୁ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତି ମାମଲାରେ ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡ଼ିଓ ପଞ୍ଚୁ ବେହେରାଙ୍କୁ ଧରିଛି l ସର୍ବମୋଟ ୫ଟି ସ୍ଥାନରେ ଏକାକାଳୀନ ରେଡ ଚାଲିଛି l ବେହେରାଙ୍କ ଭଞ୍ଜନଗର ଅଫିସ, ସରକାରୀ ବାସଭବନ, ବ୍ରହ୍ମପୁର ବସନ୍ତବିହାରରେ ଥିବା ୩ମହଲା କୋଠା, ବ୍ରହ୍ମପୁର ଭୀମନଗର ସ୍ଥିତ ସମ୍ପର୍କୀୟ ଘର ଓ ପୋଲସରା ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ ଜାରିରହିଛି l ଏହି ଚଢ଼ାଉରେ ଭିଜିଲାସନ୍ସ ବିଭାଗର ୩ଜଣ ଡ଼ିଏସପି, ୭ଜଣ ଇନ୍ସପେକ୍ଟର ଓ ବିଭାଗର କର୍ମଚାରୀମାନେ ସାମିଲ ରହିଛନ୍ତି l

Ganjam (ଗଞ୍ଜାମ) • ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର (ପଲିଟିକାଲ ଖଟି)

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ
Mar 23, 2026•169 views

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ ପାଣିକୋଇଲି: ଦୀର୍ଘଦିନ ଧରି ପାଣିକୋଇଲି ଅଞ୍ଚଳରେ ପ୍ଲେ ସ୍କୁଲର ଅଭାବ ଥିବାରୁ ଅଭିଭାବକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପାଣିକୋଇଲି ଠାରେ ‘ମାଇଁ ଛୋଟା ସ୍କୁଲ’ର ଔପଚାରିକ ଉଦ୍ଘାଟନ କରାଯାଇଛି। ପାଣିକୋଇଲି ଆରଡି ଅଫିସ ନିକଟରେ ଏହି ସ୍କୁଲ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ପ୍ଲେ ଠାରୁ ୟୁକେଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଠାରେ ଶିକ୍ଷା ଗ୍ରହଣ କରିପାରିବେ। ଏହା ଫଳରେ ସ୍ଥାନୀୟ ଶିଶୁମାନେ ଆଉ ବାହାରକୁ ଯାଇ ପଢ଼ିବାକୁ ପଡ଼ିବ ନାହିଁ, ଏବଂ ସେମାନଙ୍କର ଭବିଷ୍ୟତ ଏଠାରେ ଗଢ଼ିଉଠିବ। ସ୍କୁଲର ଅଧ୍ୟକ୍ଷା ଭାରତୀ ଦାସଙ୍କ ସଂଚାଳନାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥିଭାବେ ସମାଜସେବୀ ସୁଚାସ ଧଳ, ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଣିକୋଇଲି ଶାଖା ପରିଚାଳକ ମାନସ ରଞ୍ଜନ ବେହେରା, ଯୁବନେତା ଜହର ଅଲ୍ଲୀ, ଶିଳ୍ପପତି ତ୍ରିଲୋଚନ ଦାଶ, ରମ୍ଭାକର ସେନାପତି, ଡାକ୍ତର ଦେବାଶିଷ ମହାନ୍ତି ଏବଂ ସମିତିସଭ୍ୟା ସୁଜାତା ଘଡାଇ ପ୍ରମୁଖ ଉପସ୍ଥିତ ଥାଇ ସ୍କୁଲର ଉଦ୍ଘାଟନ କରିଥିଲେ। ଏହି ଅବସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ବିପୁଳ ସଂଖ୍ୟାରେ ଯୋଗଦେଇଥିଲେ। ଶିକ୍ଷିକା ଆୟୁଷା ନାୟକ, ରଶ୍ମୀରେଖା ସାହୁ, ଉର୍ମିଳା ସାହୁ, ଅନ୍ନପୂର୍ଣ୍ଣା ପଣ୍ଡା ଙ୍କ ସହିତ ବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Jajpur (ଯାଜପୁର) • ବସନ୍ତ କୁମାର ମଲ୍ଲିକ, ପାଣିକୋଇଲି (ସ୍ରିଷ୍ଟି ନିୟୁଜ)

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର
Mar 23, 2026•238 views

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର ଭାଗ୍ୟ କେବେ କାହାର ଜୀବନକୁ କେମିତି ଦୁଃଖରେ ଭରିଦେବ, ସେଥି ପୂର୍ବାନୁମାନ କରିବା କଷ୍ଟକର । ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତର ଅନକାପୁର ଗ୍ରାମରେ । ଏଠାରେ ଏକ ଅସହାୟ ପରିବାର ଏବେ ଦୁଃଖ ଓ ଅନିଶ୍ଚିତତାର ଛାୟା ତଳେ ଜୀବନ କାଟୁଛି । ହେମଳତା ଗୋଆଲ (୨୨) ଓ ତାଙ୍କ ସାନ ଭଉଣୀ ନମନ୍ତୀ ଗୋଆଲ (୧୮) ଙ୍କ ଜୀବନରେ ଏକ ପରେ ଏକ ଦୁର୍ଘଟନା ଆଘାତ ଆଣିଛି । କିଛି ଦିନ ପୂର୍ବରୁ ମାଆ ଗୁରୁତର ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ମାଆଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା ଅମର ଗୋଆଲ (୬୫) ପରିବାର ପ୍ରତିପୋଷଣର ଭାର ବହନ କରିବାକୁ ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ପ୍ରସ୍ଥାନ କରିଥିଲେ । କିନ୍ତୁ ଭାଗ୍ୟ ଏଠାରେ ମଧ୍ୟ ଦୟା କରିନଥିଲା, ଚଳିତ ମାର୍ଚ୍ଚ ୧୭ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଏହା ପରେ ଦୁଇ ଭଉଣୀ ସଂପୂର୍ଣ୍ଣ ଭାବେ ଅସହାୟ ହୋଇପଡିଛନ୍ତି । ବଡ଼ ଭଉଣୀ ହେମଳତା ଜନ୍ମଜାତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନିଜେ କାମ କରିପାରୁନାହାନ୍ତି । ତାଙ୍କ ଦେଖାଶୁଣା ପାଇଁ ସାନ ଭଉଣୀ ନମନ୍ତୀ ନିଜ ପାଠପଢା ବନ୍ଦ କରି ଦେଇଛନ୍ତି । ଏବେ ଘରର ସମସ୍ତ ଦାୟିତ୍ୱ ତାଙ୍କ ନାଜୁକ କାନ୍ଧ ଉପରେ ରହିଛି । ସରକାରୀ ସହାୟତା ଭାବେ ପରିବାରକୁ କେବଳ ରାସନ କାର୍ଡ ଓ ଦିବ୍ୟାଙ୍ଗ ଭତା ଭାବେ ମାସିକ ୧୨୦୦ ଟଙ୍କା ମିଳୁଛି । କିନ୍ତୁ ଏହି ଅଳ୍ପ ରାଶିରେ ଦୁଇଜଣଙ୍କ ଜୀବନ ଚାଲାଇବା ଅତ୍ୟନ୍ତ କଷ୍ଟସାଧ୍ୟ । ଅନେକ ଦିନ ଚୁଲି ଜଳିନଥିବାରୁ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଅନ୍ୟପଟେ, ହେମଳତାଙ୍କ ଦିବ୍ୟାଙ୍ଗ ସ୍ତର ୮୦% ହେବାକୁ ଥିବା ସତ୍ତ୍ୱେ ମାତ୍ର ୬୦% ଦର୍ଶାଯାଇଛି । ଏହା ଫଳରେ ସେ ପୂର୍ଣ୍ଣ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ଏହି ପରିସ୍ଥିତିରେ ସ୍ଥାନୀୟ ସୂଚନାକର୍ମୀ କ୍ଷୀରସିନ୍ଧୁ ସଗରିଆ ଦାବୀ କରିଛନ୍ତି ଯେ, ହେମଳତାଙ୍କୁ ପୁନଃ ଦିବ୍ୟାଙ୍ଗ ଶିବିରରେ ପରୀକ୍ଷା କରାଯାଇ ୮୦% ଦର୍ଜା ଦେଇ ମୁଖ୍ୟମନ୍ତ୍ରୀ ସହାୟତା ଯୋଗାଇଦିଆଯାଉ । ସେହିପରି, ସାନ ଭଉଣୀ ନମନ୍ତୀଙ୍କ ପାଠପଢା ପୁନରୁଦ୍ଧାର ପାଇଁ ଯଥୋଚିତ ବ୍ୟବସ୍ଥା କରାଯିବା ଆବଶ୍ୟକ । ଯଦି ଶୀଘ୍ର ସରକାରୀ ଓ ସାମାଜିକ ସହଯୋଗ ମିଳିନଥାଏ, ତେବେ ଏହି ଦୁଇ ଭଉଣୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହ ପରିବାର ପ୍ରତିପୋଷଣରେ ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

Nuapada (ନୂଆପଡ଼ା) • ମଳୟ ମେହେର, ବୋଡେ଼ନ, ସିନାପାଲି (ସ୍ରିଷ୍ଟି ନିୟୁଜ)

ଲୋକକଳାକୁ ନୂଆ ମଞ୍ଚ : ତିଖାଳି ଡ୍ୟାମ ଲୋକ ମହୋତ୍ସବ ଉଦଯାପିତ
Mar 17, 2026•146 views

ଲୋକକଳାକୁ ନୂଆ ମଞ୍ଚ : ତିଖାଳି ଡ୍ୟାମ ଲୋକ ମହୋତ୍ସବ ଉଦଯାପିତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଡ୍ୟାମ ପରିସରରେ ଆୟୋଜିତ ତିନି ଦିନିଆ ତିଖାଳି ଡ୍ୟାମ ଲୋକ ମହୋତ୍ସବ ର ତୃତୀୟ ତଥା ଶେଷ ସନ୍ଧ୍ୟା ରବିବାର ଆଡମ୍ବରପୂର୍ଣ୍ଣ ପରିବେଶରେ ଉଦଯାପିତ ହୋଇଥିଲା । ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଜୀବନ୍ତ ରଖିବା ସହ ଲୁପ୍ତପ୍ରାୟ ଲୋକକଳାକୁ ପୁନର୍ଜୀବନ ଦେବା ଲକ୍ଷ୍ୟରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା । ଶେଷ ସନ୍ଧ୍ୟାର ସଭାରେ ଖଡ଼ିଆଳ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ତଥା ମହୋତ୍ସବ ପାଳନ କମିଟିର ସଭାପତି ଶ୍ରୀ ଗୌତମ ତାଣ୍ଡି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କଳାହାଣ୍ଡିର ପୂର୍ବତନ ସାଂସଦ ଶ୍ରୀ ବସନ୍ତ ପଣ୍ଡା ଯୋଗଦେଇ ଏପରି ଲୋକମହୋତ୍ସବ ଅଞ୍ଚଳର ସାଂସ୍କୃତିକ ପରିଚୟକୁ ଜାଗ୍ରୁତ କରିବାରେ ଏବଂ ନୂତନ ପିଢ଼ୀକୁ ନିଜ ମୂଳ ସଂସ୍କୃତି ସହ ଜଡି ରଖିବାରେ ବଡ଼ ଭୂମିକା ନିଭାଏ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୁଦନ ଦାସ ଓ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଶ୍ରୀ ଅଜିଜ ଖାନ ଯୋଗଦେଇ ଅଞ୍ଚଳର ଲୋକକଳା ଓ ଲୋକସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ଏକତ୍ର ହେବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ ଡଃ ଫଣୀନ୍ଦମ ସିଂ ଦେଓ ଲୋକସାହିତ୍ୟ ଓ ଲୋକକଳା ଗ୍ରାମୀଣ ସମାଜର ଆତ୍ମା ବୋଲି କହି ଏହାର ସୁରକ୍ଷା ପାଇଁ ଏପରି ମଞ୍ଚର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଜୈନ ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚିତ୍ତରଞ୍ଜନ ବେହେରା ଉପସ୍ଥିତ ରହି ମହୋତ୍ସବର ସଫଳତାକୁ ସ୍ତୁତି କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ବିଘ୍ନରାଜ ଉଚ୍ଚ ବିଦ୍ୟାଳୟ, ସାନମହେଶ୍ୱରର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ପରିବେଶକୁ ସାଂସ୍କୃତିକ ମାହୋଲରେ ମହକାଇଥିଲେ । ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଶ୍ରୀ ମୋତିଲାଲ ବାଗ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ଭାଷଣ କରିଥିଲେ । ଶେଷରେ ସାମ୍ବାଦିକ ଶ୍ରୀ କୁନୁ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ଆସର ଦର୍ଶକମାନଙ୍କ ମନକୁ ବିମୋହିତ କରିଥିଲା । ପଶ୍ଚିମ ଓଡ଼ିଶାର ସୁପ୍ରଶିଦ୍ଧ କଣ୍ଠଶିଳ୍ପୀ ରକଷ୍ଟାର ରୁକୁ ସୁନା ଓ ଟ୍ରୁପ୍ସଙ୍କ ‘ଷ୍ଟାର ନାଇଟ୍ ଓର୍କେଷ୍ଟ୍ରା’ ଗୀତ-ସଙ୍ଗୀତର ଝଙ୍କାରରେ ସମଗ୍ର ତିଖାଳି ଡ୍ୟାମ ପରିସରକୁ ଉତ୍ସବମୟ କରିଦେଇଥିଲା । ଲୋକନୃତ୍ୟ, ଲୋକସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ଦର୍ଶକମାନଙ୍କ ହୃଦୟକୁ ମୋହି ନେଇଥିଲା । ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ଅଞ୍ଚଳର ଲୋକକଳା, ପରମ୍ପରା ଓ ସଂସ୍କୃତିର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳିଥିଲା । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ତିଖାଳି ଡ୍ୟାମ ଲୋକ ମହୋତ୍ସବ ଶେଷ ଦିନ ଭବ୍ୟ ଓ ସ୍ମରଣୀୟ ଭାବରେ ସମାପ୍ତ ହୋଇଥିଲା, ଯାହା ଅଞ୍ଚଳର ସାଂସ୍କୃତିକ ଚେତନାକୁ ଆଉ ଏକ ପଦକ୍ଷେପ ଆଗକୁ ନେଇଛି ।

Nuapada (ନୂଆପଡ଼ା) • ମଳୟ ମେହେର, ସିନାପାଲି

ଖରାରେ ତ୍ରାହି ତ୍ରାହି ସିନାପାଲି: ଜଳଛତ୍ର କେବେ
Mar 17, 2026•131 views

ଖରାରେ ତ୍ରାହି ତ୍ରାହି ସିନାପାଲି: ଜଳଛତ୍ର କେବେ

ମାର୍ଚ୍ଚ ମାସ ଆରମ୍ଭ ହେବା ସହିତ ସିନାପାଲି ଅଞ୍ଚଳରେ ଖରାର ପ୍ରକୋପ ଦିନକୁ ଦିନ ବଢ଼ୁଛି । ଦିନ ବେଳେ ତୀବ୍ର ଗରମ ଓ ସୂର୍ଯ୍ୟ କିରଣ ଲୋକଙ୍କ ଜୀବନକୁ ଅସହ୍ୟ କରିଦେଇଛି । ଏହି ପରିସ୍ଥିତିରେ ସାଧାରଣ ଲୋକ ଓ ପଥଚାରୀଙ୍କ ସୁବିଧା ପାଇଁ ସିନାପାଲି ବ୍ଲକର ପ୍ରତ୍ୟେକ ଅଞ୍ଚଳରେ ଜଳଛତ୍ର ଖୋଲିବାକୁ ଦାବି ଜୋରଦାର ହେଉଛି । ବଜାର ଅଞ୍ଚଳ, ବସ୍‌ଷ୍ଟାଣ୍ଡ, କାପସୀ, ଯୁଗେନପଦର, ଗୋଡ଼ାଳଛକ, ବ୍ଲକ ଛକ ତଥା ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ତୀବ୍ର ଗରମରେ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି । ପୂର୍ବରୁ ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭ ହେଲେ ବିଭିନ୍ନ ସ୍ଥାନରେ ସେବାମୂଳକ ସଂଗଠନ ଓ ସାମାଜିକ କର୍ମୀମାନଙ୍କ ପକ୍ଷରୁ ଜଳଛତ୍ର ଖୋଲାଯାଉଥିଲା । କିନ୍ତୁ ଏବର୍ଷ ଖରା ଆଗୁଆଁ ଆସିଥିଲେ ମଧ୍ୟ କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ଜଳଛତ୍ର ଦେଖିବାକୁ ମିଳୁନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଯାତ୍ରୀ, ଶ୍ରମିକ ଓ ଦୂରଦୂରାନ୍ତରୁ ବଜାରକୁ ଆସୁଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିସ୍ଥିତିରେ ସିନାପାଲି ଗ୍ରାମ ପଂଚାୟତ, ସାମାଜିକ ସଂଗଠନ ଓ ସ୍ଥାନୀୟ ସମାଜସେବୀ ମାନେ ଆଗକୁ ଆସି ମୁଖ୍ୟ ଚକ, ବସ୍‌ଷ୍ଟାଣ୍ଡ ଓ ଜନସାଧାରଣ ଯାତାୟାତ କରୁଥିବା ସ୍ଥାନରେ ଶୀଘ୍ର ଜଳଛତ୍ର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଯଦି ସମୟରେ ଜଳଛତ୍ର ବ୍ୟବସ୍ଥା କରାଯାଏ, ତେବେ ଗରମରେ ଅସୁବିଧା ଭୋଗୁଥିବା ପଥଚାରୀ ଓ ଗରିବ ଲୋକମାନଙ୍କ ପାଇଁ ଏହା ବଡ଼ ସହାୟତା ହେବ ବୋଲି ସ୍ଥାନୀୟ ମତ ପ୍ରକାଶ ପାଇଛି । ଏବେ ଦେଖିବାକୁ ବାକି ରହିଲା, ସିନାପାଲିର ପ୍ରତ୍ୟେକ ଅଞ୍ଚଳରେ ଜଳଛତ୍ର କେବେ ଆରମ୍ଭ ହେବ ।

ମଳୟ ମେହେର, ସିନାପାଲି

ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା
Mar 17, 2026•254 views

ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା

ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବିଜାପୁର ଗ୍ରାମ ପଞ୍ଚାୟତରେ ଥିବା ଏକ ପ୍ରାଥମିକ ସ୍କୁଲ ନିର୍ମାଣ କାମକୁ ନେଇ ଗଭୀର ଅନିୟମିତତାର ଅଭିଯୋଗ ଉଠିଛି। ଏହି ପୁରୁଣା ସ୍କୁଲର ଟିଣ ଛାଦ ପବନରେ ଉଡ଼ିଯାଇଥିବାକୁ ୧୮ ମାସ ହେଲାଣି, ଯାହାର ଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଢ଼ୁଛନ୍ତି। ସୂଚନା ଅନୁସାରେ, ନୂତନ ସ୍କୁଲ ନିର୍ମାଣ କାମ ପ୍ରାୟ ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଓ ଛାତ ଲେବେଲ ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇଥିଲା। ଏହି କାମକୁ ଠିକାଦାର ସୋମନାଥ ନନ୍ଦ କରିଥିବା ବେଳେ, ୨୧ ଅକ୍ଟୋବର ୨୦୨୪ ରେ ୫,୨୫,୪୮୧ ଟଙ୍କାର ବିଲ ହୋଇଥିଲା। କିନ୍ତୁ ଅଭିଯୋଗ ଅନୁଯାୟୀ, ଏହି ଟଙ୍କା ଜୁନିୟର ଇଞ୍ଜିନିୟର ବିକାଶ ଚନ୍ଦ୍ର ମହାପାତ୍ରଙ୍କ ଖାତାକୁ ଯାଇଥିଲେ ମଧ୍ୟ ଠିକାଦାରଙ୍କୁ ପୂରା ପରିମାଣ ମିଳିନାହିଁ। ଠିକାଦାରଙ୍କ କହିବା ଅନୁସାରେ, ପିସି (PC) ନାମରେ ଟଙ୍କା କଟାଯାଉଛି ଏବଂ ପ୍ରାୟ ୧୬,୦୦୦ ଟଙ୍କା ପ୍ରତି ଲକ୍ଷରେ କମିସନ ହେଉଥିବା ଅଭିଯୋଗ ରହିଛି। ଏହି ସମସ୍ୟା ନେଇ ସେ ଗ୍ରିଭେନ୍ସ ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାସହ ଏହି ଅଭିଯୋଗ ଡିପିସି (DPC) ଓ ପ୍ରକଳ୍ପ ନିର୍ଦ୍ଦେଶକ (PD)ଙ୍କୁ ଜଣାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଚନ୍ଦ୍ରପୁର ବ୍ଲକ ବିଡିଓ (BDO)ଙ୍କ ସମ୍ମୁଖରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯାଇଥିଲା ଓ ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱାସନ ଦିଆଯାଇଥିଲା, କିନ୍ତୁ ସେଥିରେ କୌଣସି ଅଗ୍ରଗତି ହୋଇନାହିଁ। ପୁନଃ ୨୪ ଫେବୃଆରୀ ୨୦୨୬ ରେ ଗ୍ରିଭେନ୍ସ ଶୁଣାଣି ସମୟରେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଓ ଟଙ୍କା ଦେବାକୁ ଅସ୍ବୀକାର କରାଯାଇଥିବା ଅଭିଯୋଗ ଆସିଛି। ଠିକାଦାରଙ୍କ ଅଭିଯୋଗ ଅନୁସାରେ, ଏପରି ଅନିୟମିତତା କେବଳ ଏହି ସ୍କୁଲରେ ନୁହେଁ, ବହୁତ ସ୍କୁଲ ନିର୍ମାଣ କାମରେ ମଧ୍ୟ ହେଉଛି ଓ ଅନେକ ଲୋକ ହଇରାଣ ହେଉଛନ୍ତି। କିଛି ଲୋକ ଭବିଷ୍ୟତରେ କାମ ନ ମିଳିବା ଭୟରେ ଅଭିଯୋଗ କରିବାକୁ ଭୟ କରୁଛନ୍ତି ବୋଲି ସେ କହିଛନ୍ତି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି, ସରକାରୀ ଯୋଜନାର ଟଙ୍କା କେଉଁଠି ଯାଉଛି ଓ କେବେ ଏହାର ନିଷ୍ପକ୍ଷ ତଦନ୍ତ ହେବ। ଏହି ଘଟଣା ଉପରେ ତଦନ୍ତ କରି ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Rayagada (ରାୟଗଡ଼ା) • ନିରଞ୍ଜନ ପୂଜାରୀ, ଗୁଡ଼ାରୀ

ଗଞ୍ଜାମ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ନୂତନ ଜିଲ୍ଲା କମିଟି ଗଠିତ
Mar 14, 2026•156 views

ଗଞ୍ଜାମ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ନୂତନ ଜିଲ୍ଲା କମିଟି ଗଠିତ

ଗଞ୍ଜାମ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ନୂତନ ଜିଲ୍ଲା କମିଟି ଗଠିତ ​ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଡିଜିଟାଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଂଗଠିତ କରିବା ଲକ୍ଷ୍ୟରେ ‘ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ’ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି। ଆଜି ଅନୁଷ୍ଠିତ ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟା ରେ ଅଭିଜ୍ଞ ସାମ୍ବାଦିକମାନଙ୍କୁ ବିଭିନ୍ନ ପଦପଦବୀ ପାଇଁ ଚୟନ କରାଯାଇଛି। ସଭାପତି: ଅମରେନ୍ଦ୍ର ପଟ୍ଟନାୟକ , ଉପସଭାପତି: ନିଗମାନନ୍ଦ ପଣ୍ଡା ଓ ସୁବ୍ରତ ଦାସ, ସମ୍ପାଦକ ଭାବେ ବିନୋଦ କୁମାର ପଣ୍ଡା, ସହ-ସମ୍ପାଦକ ଭାବେ ସାନ୍ତୁନୁ ପଣ୍ଡା ଓ ଜ୍ୟୋତିରଂଜନ ଗୌଡ଼ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବାପୁନି ସେଠୀ, ଜଗନ୍ନାଥ ପାଣିଗ୍ରାହୀ, ଶଙ୍କର ପାଣିଗ୍ରାହୀ ଏବଂ ବିଶ୍ୱମ୍ବର ଦାସ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ପରିଷଦ ସଭ୍ୟ ଭାବେ ବିଜୟାନନ୍ଦ ତ୍ରିପାଠୀ ଏବଂ ଅଜିତ୍ ଦାସ ନିର୍ବାଚିତ ହୋଇଛନ୍ତି l ସୂଚନା ଅନୁଯାୟୀ, ଜିଲ୍ଲା ସ୍ତରୀୟ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ମୋଟ ୧୩ଟି ପଦବୀ ମଧ୍ୟରୁ ଆଜି ୧୨ଟି ପଦବୀରେ ସଦସ୍ୟମାନଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ଏହି ସମଗ୍ର ନିର୍ବାଚନ ଓ ଚୟନ ପ୍ରକ୍ରିୟାକୁ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କବିରାଜ ପାତ୍ର ସୁଚାରୁ ରୂପେ ପରିଚାଳନା କରିଥିଲେ। ଅତି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି କମିଟି ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବାରୁ ନିର୍ବାଚନ ଅଧିକାରୀ ଶ୍ରୀ ପାତ୍ର ଜିଲ୍ଲାର ସମସ୍ତ ସଦସ୍ୟ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ସାଧୁବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ଏହି ନୂତନ କମିଟି ଡିଜିଟାଲ ସାମ୍ବାଦିକ ମାନଙ୍କ ସ୍ୱାର୍ଥରକ୍ଷା ଏବଂ ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରାଯାଇଛି। ଖୁବଶୀଘ୍ର ବାକି ରହିଥିବା ଗୋଟିଏ ପଦବୀ ପାଇଁ ଚୟନ ପ୍ରକ୍ରିୟା ମଧ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ନିର୍ବାଚନ ଦାୟିତ୍ବ ରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ ପଲିଟିକାଲ ଖଟି।

Ganjam (ଗଞ୍ଜାମ) • ବ୍ୟୁରୋ ରିପୋର୍ଟ, ପାଲିଟିକାଲ ଖଟି, ବ୍ରହ୍ମପୁର