ଜୀବନରେ ଦାଦନ, ମୃତ୍ୟୁ ପରେ ବି ଦୁର୍ଦ୍ଦଶା: ୮ କିମି ଖଟିଆରେ ଗଲା ଶବ
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 13, 202677 views

କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଂଚଳ ଥୁଆମୁଳ ରାମପୁର ବ୍ଲକ ପାଡେପଦର ପଂଚାୟତ ଖମାରପଦର ଭାଟିପାସ ଗାଁରେ ଆଜି ବୁଧବାର ସକାଳ ୭ଟା ବେଳେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ଦାଦନ ଖଟିବାକୁ ଯାଇଥିବା ଗାଁର ଶିବ ମାଝୀ ର ମୃତ୍ୟୁ ହେଇଥିଲା ହାଇଦ୍ରାବାଦ ଠାରେ । ଗତ ବିଳମ୍ବିତ ରାତିରେ ଶବ ପହଂଚିଥିଲା ଗାଁ ଠାରୁ ୮ କିଲୋମିଟର ଦୂରରେ ଥିବା ଦୁରେଶପଦର ନିକଟରେ । କିନ୍ତୁ ଡୁମନୀ ଜଙ୍ଗଲ ରାସ୍ତା କାଦୁଅମୟ । ତେଣୁ ଆଗକୁ ବଢି ପାରିନଥିଲା ଆମ୍ବୁଲାନ୍ସ । ବାଧ୍ଯ ହେଇ ରାତି ତମାମ ଶବକୁ ଧରି ଦୁରେଶପଦର ଡୁମନୀ ଜଙ୍ଗଲରେ ଅପେକ୍ଷା କରି ରହିଥିଲେ ପରିବାର ଏବଂ ସମ୍ପର୍କୀୟ । ଆଜି ସକାଳୁ ଏହି ୮ କିଲେମିଟର ରାସ୍ତାରେ ଖଟିଆରେ ବୋହି ଶବକୁ ନେଇ ଗାଁରେ ପହଂଚାଇଥିଲେ । ବର୍ଷକ ତଳେ ଶିବ ମାଝୀ ଦାଦନ ଯିବା ବେଳେ ଯେଉଁ ରାସ୍ତା ଦାଦନ ଯିବାକୁ ଅଟକାଇନଥିଲା ସେହି ରାସ୍ତା ଆଜି ଶବ ହେଇ ଫେରିବା ବେଳେ କାଦୁଅମୟ ରାସ୍ତା ଯୋଗୁଁ ଗାଁକୁ ପହଂଚାଇବାରେ ବାଧକ ସାଜିଥିଲା । ଏନେଇ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ହଠାତ୍ ଶିବ ମାଝୀର ମୃତ୍ୟୁ କେଉଁ କାରଣରୁ ହେଲା ତାହା ଅସ୍ପଷ୍ଟ ।
