Web News

ବନ୍ୟା ଅଞ୍ଚଳରେ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ
ଯାଜପୁର ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ଆଜି ବଡ଼ଚଣା ବ୍ଲକ ଗସ୍ତ କରି ରିଲିଫ, ଉଦ୍ଧାର କାର୍ଯ୍ୟ ଓ କ୍ଷୟ କ୍ଷତି ଆକଳନ ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କ ସହିତ ସମୀକ୍ଷା କରିଛନ୍ତି।ଏହି ବୈଠକରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମିନତି ସେନାପତି ଯୋଗଦେଇ ବନ୍ୟା ଜନିତ କ୍ଷୟକ୍ଷତି ର ସଠିକ ଆକଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ପଲ୍ଲବୀ ରାଣୀ ରାଜ, ବିଡ଼ିଓ, ତହସିଲଦାର ଓ କ୍ଷେତ୍ରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାର ୮ଟି ବ୍ଲକ୍ (ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର, ଧର୍ମଶାଳା ଓ ବଡ଼ଚଣା) ଏବଂ ଯାଜପୁର ପୌରାଞ୍ଚଳର ୧୧୭ଟି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୪୦୩ଟି ଗ୍ରାମର ପ୍ରାୟ ୩,୯୭,୬୭୮ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା ବିପନ୍ନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ୨୦୯ଟି ସ୍ଥାନାନ୍ତର କେନ୍ଦ୍ର ଖୋଲାଯାଇ ମୋଟ ୭୯,୭୯୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବନ୍ୟା ପୀଡ଼ିତଙ୍କ ଖାଦ୍ୟପେୟ ପାଇଁ ୨୦୫ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର (Free Kitchen Centre) ଖୋଲାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ମୋଟ ୪,୪୪,୩୧୨ ଜଣ (୩,୬୦,୦୦୯ ପ୍ରାପ୍ତବୟସ୍କ ଓ ୮୪,୩୦୪ ଶିଶୁ) ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଜରୁରୀକାଳୀନ ସହାୟତା ସ୍ୱରୂପ ପ୍ରଶାସନ ପକ୍ଷରୁ ବ୍ୟାପକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିମଧ୍ୟରେ ୧୩୦୨.୫୩ କ୍ୱିଣ୍ଟାଲ ଚୁଡ଼ା, ୧୮୧.୩୪ କ୍ୱିଣ୍ଟାଲ ଗୁଡ଼/ଚିନି, ୧୬୮୪ଟି ପଲିଥିନ୍ ରୋଲ୍, ୭୫ କିଗ୍ରା ମୁଢ଼ି, ୩୦୦ ପ୍ୟାକେଟ୍ ବିସ୍କୁଟ, ୩୦୦ ପ୍ୟାକେଟ୍ ଦିଆସିଲି ଏବଂ ୩୦୦ ପ୍ୟାକେଟ୍ ମୋମବଲି ସାମିଲ ରହିଛି। ଏହାବସହ ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ଯୋଗାଇଦେବା ପାଇଁ ୧୪ଟି ମେଡିକାଲ୍ ଟିମ୍ ଏବଂ ୮ଟି ଭେଟେରିନାରୀ ଟିମ୍କୁ ମୁତୟନ କରାଯାଇଛି।ଏହି ବନ୍ୟାରେ ଜିଲ୍ଲାର ପ୍ରାୟ ୨୮,୧୪୬ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ୧,୧୮,୧୯୦ ବଡ଼ ଗୋରୁଗାଈ, ୫୮,୩୩୮ ସାନ ଗୋରୁଗାଈ ଓ ୪୩,୯୪୪ କୁକୁଡ଼ା ପ୍ରଭାବିତ ହୋଇଛନ୍ତି। ଗୃହପାଳିତ ପ୍ରାଣୀଙ୍କ ମଧ୍ୟରେ ୧ଟି ବଡ଼ ଗୋରୁ, ୬ଟି ଛେଳି/ମେଣ୍ଢା ଏବଂ ୧୦୦୦ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି। କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡ଼ିକର ଚୂଡ଼ାନ୍ତ ଆକଳନ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ଅପରପକ୍ଷରେ, ବନ୍ୟା ଯୋଗୁଁ ୩୫ଟି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ୧୧ଟି ରାସ୍ତା ଓ ୩ଟି ପୋଲଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍ ଭିତ୍ତିଭୂମିର ୪୨ଟି ଟ୍ରାନ୍ସଫର୍ମର ଓ ଏଲ୍.ଟି ଲାଇନ୍ ନଷ୍ଟ ହୋଇଛି। ଜାରକା ଜଳ ସେଚନ ବିଭାଗ ଅନୁଯାୟୀ, ୨୦ଟି ସ୍ଥାନରେ ଘାଇ ବିପଦ ସୃଷ୍ଟି ହୋଇଥିବା ବେଳେ ୧୦ଟି ନଦୀବନ୍ଧ ଉପରେ ପାଣି ପ୍ରବାହିତ ହୋଇଛି। ବନ୍ୟାଜଳ ହ୍ରାସ ପାଇବା କ୍ଷଣି ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ଅତଲାପୁର ଗ୍ରାମପଞ୍ଚାୟତ ରେ ଆଇନ୍ ସଚେତନତା ସଭା
ଯାଜପୁର ତା ୩. ୮. ୨୬ରିଖ ଗତ ଜୁଲାଇ ୨୭ ତାରିଖ re ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ଅମ୍ରୁତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଅତଲାପୁର ଗ୍ରାମପଞ୍ଚାୟତ ସଭଗ୍ରୁହରେ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତି ଅଧ୍ୟକ୍ଷତାକରି ପ୍ରାଧିକରଣ ର କାର୍ଯ୍ୟ ପରିସର, କେଉଁମାନେ ଏହାର ଉପଭୋକ୍ତା ତାହା ପ୍ରକାଶ କରିବା ସହିତ ସଭାର ସୂଚନା ଦେଇଥିଲେ। ଏଥିରେ ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟନାରାୟଣ ଦାଶ, ଯାଜପୁର ରୋଡରେ ଅବସ୍ଥାପିତ ଡି ଏସ୍ ପି ଶ୍ରୀ ଶରତ କୁମାର ପାତ୍ର , ଆରକ୍ଷୀ ନିରୀକ୍ଷକ କୁଆଖିଆ ଶ୍ରୀ ସୁଶାନ୍ତ କୁମାର ସେଠୀ ଓ ପ୍ରାଧିକରଣର ପ୍ରାକ୍ତନ ସଦସ୍ଯ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ ରୁଦ୍ରନାରାୟଣ ପ୍ରୁଷ୍ଟି ପ୍ରମୁଖ ଅତିଥି ଆଲୋଚକ ଭାବେ ଯୋଗଦେଇ ନାଲସାର ୨୦୨୫ ମସିହା ସ୍ପ୍ରୁହା ସଚେତନତା କାର୍ଯ୍ୟକ୍ରମ ଯଥା ଯେଉଁମାନେ କଷ୍ଟ ରେ ଅଛନ୍ତି ଲୁଚି ଯାଉଛନ୍ତି କାହାକୁ କହିପାରୁ ନାହାଁନ୍ତି ସେମାନଙ୍କ ପାଖରେ ସରକାରୀ ଜନମଙ୍ଗଳ ଯୋଜନା ଓ ଆଇନ୍ ସେବା କିପରି ପହଞ୍ଚିପାରିବ ସେ ବିଷୟରେ ଆଲୋଚନା କରିବା ସହିତ ମହମ୍ମଦ ଅହମଦ ଖାନ୍ ବନାମ୍ ଶାହାବାନୋ ବେଗମ୍ ଅପିଲ୍ ମାମଲା ୧୦୩ ର ପରିଣତ ଓ ବର୍ତ୍ତମାନ ମୁସଲିମ୍ ମହିଳା ଆବଶ୍ଯକ ସ୍ଥଳେ କିପରି ଭରଣ ପୋଷଣ ହକ୍, ମାଗଣା ଆଇନ୍ ସେବା ପାଇପାରିବେ ସମସ୍ୟାର ଶିଘ୍ର ସମାଧାନ ହୋଇପାରିବ ସେ ବିଷୟରେ ବିସ୍ତୃତ ବକ୍ତବ୍ଯ ରଖିଥିଲେ। ସ୍ଥାନୀୟ ସରପଞ୍ଚ ଅନେସା କସର ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ ଓ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ କରିଥିଲେ।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ସଞ୍ଜୁଲତା ପରିଡାଙ୍କ ପରଲୋକ; ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କିଶାନ ପଣ୍ଡା
ଧର୍ମଶାଳା ନିର୍ବାଚନମଣ୍ଡଳୀର ଧର୍ମଶାଳା ପଞ୍ଚାୟତ ସମିତିର ଅଧ୍ୟକ୍ଷ୍ୟା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ପରିଡାଙ୍କ ପତ୍ନୀ ସଞ୍ଜୁଲତା ପରିଡାଙ୍କ ପରଲୋକ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏହି ଦୁଃଖଦ ଖବର ପାଇ ଧର୍ମଶାଳା କଂଗ୍ରେସର ବିଧାୟକ ପ୍ରାର୍ଥୀ କିଶାନ ପଣ୍ଡା ପରିଡା ପରିବାରଙ୍କ ବାସଭବନରେ ପହଞ୍ଚି ସ୍ୱର୍ଗତା ସଞ୍ଜୁଲତା ପରିଡାଙ୍କ ଶେଷ ଦର୍ଶନ କରିଥିଲେ। ସେ ପୁଷ୍ପାଞ୍ଜଳି ଅର୍ପଣ କରି ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ କଂଗ୍ରେସ ଦଳର ବହୁ ନେତା, କର୍ମୀ, ସମାଜସେବୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତା ସଞ୍ଜୁଲତା ପରିଡାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ଅକାଳ ବିୟୋଗରେ ଧର୍ମଶାଳା ଅଞ୍ଚଳରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି।
Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ,ଜୁନାଗଡ ବ୍ଲକ କାର୍ଯ୍ୟ ଉପରେ ପ୍ରଶ୍ନ
ଜୁନାଗଡ଼ ବ୍ଲକ୍ ରେ ସାମାଜିକ ସୁରକ୍ଷା ଦେବାରେ ବିଳମ୍ବ ହେବାରୁ ପ୍ରଶାସନ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି। ଯେମିତିକି ଲୋକେ କିପରି ଭାବରେ ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଶୀଘ୍ର ଲାଭବାନ୍ ହେବେ ବିଭାଗ ସୁନିଶ୍ଚିତ କରିବା ଆବଶ୍ୟକ ଅଟେ । ମାଆ କୁ ସମ୍ମାନ ଦେବା ଦୂରର ବିଷୟ ବିଧବା ଭତ୍ତା ପ୍ରଦାନ ପାଇଁ ଆବେଦନ ର ମାସ ମାସ ବିତଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ବ୍ଲକ୍ ପ୍ରଶାସନ ପକ୍ଷରୁ ହୋଇନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ ଭଇଁ ରୀଗୁଡ଼ା ର ଛଅ ଜଣ ମାଆ ବିଧବା ଭତ୍ତା ପ୍ରଦାନ ପାଇଁ ବ୍ଲକ୍ ପ୍ରଶାସନ ପାଖରେ ସମସ୍ତ ତଥ୍ଯ ପ୍ରଦାନ କରିଛନ୍ତି କିନ୍ତୁ ଆର୍ଥିକ ଅସୁବିଧା ସମୟରେ ଭତ୍ତା ମିଲେଲେ ହୁଏତ କିଛି ମାତ୍ରାରେ ପରିବାର ଲାଭବାନ୍ ହୋଇପାରିବେ ଅଥଚ ଅପେକ୍ଷାରେ ଅନ୍ତ ନାହିଁ । ବିଧବା ଭତ୍ତା ପ୍ରଦାନ ଅପେକ୍ଷା ରେ ସୁଶୀଳା ନାୟକ ଓ ଚଞ୍ଚଳା ପ୍ରଧାନୀ ମଇ ମାସ ୨୦୨୫,ପଦ୍ମ ହରିଜନ ଜୁନ୍ ମାସ ୨୦୨୫, ପଦ୍ମା ପୂଝାରୀ ଜାନୁଆରୀ ମାସ ୨୦୨୬,କୁନ୍ତଳା ଧ ମାଝୀ ଫେବୃଆରି ମାସ ୨୦୨୬ ଓ ସୂର୍ଯ୍ୟ ବିଶି ଏପ୍ରିଲ ମାସ ୨୦୨୬। ଗରିବ ଓ ଅସହାୟ ମହିଳା ପଞ୍ଚାଯତ ରୁ ବ୍ଲକ୍ ପର୍ୟ୍ୟନ୍ତ କେବଳ ପ୍ରତାରଣା ପାଇଛନ୍ତି। ଠିକ୍ ସେହିପରି ବ୍ଲକ୍ ର ଶହଶହ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଆବେଦନ କରି ଭତ୍ତା ଅପେକ୍ଷାରେ ରହିଛନ୍ତି। ଜିଲ୍ଳା ଓ ଜୁନାଗଡ ବ୍ଲକ ପ୍ରଶାସନ ଶୀଘ୍ର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Kalahandi (କଳାହାଣ୍ଡି) • ଦେବରାଜ ବଣୁଆ

ଆମ ପୁଲିସ ର ସଚେତନତା ବୈଠକ
ରାଉରକେଲା: ସେକ୍ଟର ୧୯ ଥାନା ପକ୍ଷରୁ ଏକ ଏକ ସଚେତନତା ବୈଠକ ଇସ୍ପାତ ମାର୍କେଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୁଲିସ, ଜନସାଧାରଣ ଓ ଦୋକାନୀ ଭାଇଙ୍କ ମଧ୍ୟରେ ସମନ୍ୱୟ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା, ଅସାମାଜିକ ତତ୍ତ୍ବଙ୍କ ସମ୍ପର୍କରେ ସୂଚନା, ମାର୍କେଟ ଅଞ୍ଚଳରେ ବିଭିନ୍ନ ସମସ୍ୟା, ଟ୍ରାଫିକ ସମସ୍ୟା ଓ ଟ୍ରାଫିକ ନିୟମ ପାଳନ ତଥା ଆଇନ କାନୁନ ର ବିଭିନ୍ନ ନିୟମ ସମ୍ପର୍କରେ ସୂଚନା ସହ ଭାବର ଆଦାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏଏସଆଇ ମନୋରଞ୍ଜନ ପରିଡା ଓ ଇସ୍ପାତ ମାର୍କେଟ ର ବହୁ ବ୍ୟବସାୟୀ ଭାଇ ଉପସ୍ଥିତ ରହି ନିଜ ନିଜର ମତ ରଖିବା ସହ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିବେ ବୋଲି ମତ ରଖିଥିଲେ । ବୈଠକର ସଫଳତା ପାଇଁ ଥାନା ପ୍ରଭାରୀ ଶ୍ରୀ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ସମ୍ବଲପୁରୀ ଦିନ ପାଳନ
ରାଉରକେଲା : ପଶ୍ଚିମ ଓଡିଶା ସଂସ୍କୃତିକ ପରିଷଦ ରାଉରକେଲା ସ୍ଥାନୀୟ ସିଭିକ ସିଭିକ ସେଣ୍ଟର ପ୍ରେକ୍ଷାଳୟରେ ସମ୍ବଲପୁରୀ ଦିନ ପାଳନ କରିଛି। ସମ୍ବଲପୁରୀ କବି ତଥା ଭାଷାବିତ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ କୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଥିବାରୁ ତାଙ୍କ ଫୋଟୋଚିତ୍ର ଓ ମା ସମଲେଶ୍ବରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଅନୁଷ୍ଠାନର ସଭାପତି ସ୍ୱରୂପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ସମ୍ବଲପୁରୀ ଦିନ ପାଳନର ର ଆଭିମୁଖ୍ୟ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଓ ସୃଜନ ସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ସମ୍ବଲପୁରୀ ସଂସ୍କୃତିକୁ ସୁଦୁର ପ୍ରସାରି ତଥା ଅନ୍ୟ ସଂସ୍କୃତି ସହ ସାଂସ୍କୃତିକ ସମନ୍ୱୟ ପାଇଁ ଅନୁଷ୍ଠାନ କରୁଥିବା ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପିକା ରଜନୀ କୁଜୁର ତାଙ୍କ ବକ୍ତବ୍ୟରେ କହିଲେ ଯେ ସାମ୍ପ୍ରତିକ ସମୟର ଭିନ୍ନ ସଂସ୍କୃତିର ମୁକ୍ତ ପ୍ରବାହରେ ନିଜର ମୌଳିକ ସଂସ୍କୃତି କୁ ଉଜ୍ଜୀବିତ କରି ରଖିବାକୁ ହେଲେ ସମ୍ବଲପୁରୀ ଦିନ୍ ପାଳନ ଯଥେଷ୍ଟ ଗୁରୁତ୍ୱ ବହନ କରେ । ପରିଷଦର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କଲା ପରେ ଲାଠିକଟା ରୁ ଆସିଥିବା ରାଧାକୃଷ୍ଣ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଅନୁରୂପ ଭାବେ ସେକ୍ଟର ୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଚୁଟକୁଚୁଟା ନୃତ୍ୟ, କୁଆଁରମୁଣ୍ଡା ର ଘୁଙ୍ଗୁରୁ ଡାନ୍ସ ଏକାଡେମୀ ଓ ସାଧନା ଡ୍ୟାନ୍ସ ଗ୍ରୁପ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ପରିଷଦର କଳାକାର ସତ୍ୟବ୍ରତ ନାଏକ,ଲୀନା ନାଏକ ଓ ରବିଚନ୍ଦ୍ର ପୁରୋହିତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଆରଏସପିର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ଅନୁଷ୍ଠାନକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଡ଼ା ସୁବୋଧ ମେହେର,ଶୁଭେନ୍ଦୁ ପଣ୍ଡା, ମଦନ ବେହେରା, ଅଶୋକ ଭଇଁଶା, ଏରିଅର ଜାଲ,ହେମନ୍ତ ଭୋଇ, କେଶବ ସେଠ ,ଗୌରୀ ପ୍ରଧାନ, ନରେନ୍ଦ୍ର ମିଶ୍ର ,ଶୁଭ୍ରାଂଶୁ ବଡ଼ପଣ୍ଡା, ପଦ୍ମଲୋଚନ ବାଗ, ନିବାସ ଦାଶ, ଉମେଶ ବେହେରା ,ମଦନ ବେହେରା , ଅଙ୍ଗରୋଜ ଛନ୍ଦ,ଶ୍ରୀପତି ତ୍ରିପାଠୀ, କୁନାଲ ମେହେର,ପ୍ରଶାନ୍ତ ପ୍ରଧାନ, କୁଳମଣି ନାୟକ,ସଂଯୁକ୍ତା ପଲେଇ, ସୁଶ୍ରୀତା ମିଶ୍ର,ଇପ୍ସିତା ପଣ୍ଡା, ସହଯୋଗ କରିଥିଲାବେଳେ ଭଗବାନ ପତି, ଡ଼ ବିଜୟ ସାହୁ,କୁଞ୍ଜ ବିହାରୀ ସାହୁ , ଅଜୟ ମିଶ୍ର, ନରେନ୍ଦ୍ର ତ୍ରିପାଠୀ, ପୀତବାସ ପ୍ରଧାନ ,ଡ଼ଃ ଗଜେନ୍ଦ୍ର ମେହେର, ବିମଳ ବିଶି ଭଳି ଅନୁଷ୍ଠାନ ର ଉପଦେଷ୍ଟା ଓ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ଧନ୍ୟବାଦ ଦେଇଥିଲା ବେଳେ ପ୍ରବୀର ମିଶ୍ର ଓ ବନ୍ଦନା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଜଲଦା ଏ ବ୍ଲକ ଅଞ୍ଚଳରେ ସ୍ଵଛ ଭାରତ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଜଲଦା ଏ ବ୍ଲଜ ଅଞ୍ଚଳକୁ ଆଜି ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଗସ୍ତରେ ଯାଇ ଅଞ୍ଚଳବାସୀଙ୍କ ସମସ୍ୟା ଏବଂ ଅନ୍ୟାନ୍ୟ ଅସୁବିଧା ସମ୍ବନ୍ଧରେ ଆଲୋଚନା କରିବା ସହିତ ଅଞ୍ଚଳର କାର୍ଯ୍ୟକର୍ତା ମାନଙ୍କ ସହିତ ମିଶି ସ୍ଵଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ ଶ୍ରୀ ତନ୍ତୀ ନିଜେ ହାତରେ ଝାଡୁ ଧରି ରାସ୍ତା ଉପରେ ଏବଂ ରାସ୍ତା କଡରେ ପଡିଥିବା ଅଳିଆ ଓ ଆବର୍ଜନା ଆଦି ସଫା କରିବା ସହିତ ପରିବେଶର ସୁରକ୍ଷା ନିମିତ୍ତ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଧାୟକ ପ୍ରତ୍ୟେକ ବ୍ୟକ୍ତି ନିଜ ମାଙ୍କ ନାମରେ ନିଜ ସ୍ଥାନରେ ଗୋଟିଏ ଗଛ ଲଗାଇବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ
ରାଉରକେଲା: ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସୋମବାରରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ କରାଯାଏ। ଏହା ବିଶ୍ୱର ପରସ୍ପର ସଂଯୁକ୍ତତା ଏବଂ ଆର୍ଥିକ ଅଭିବୃଦ୍ଧି, ସାଂସ୍କୃତିକ ବିନିମୟ ଏବଂ ବିଶ୍ୱ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଅନ୍ତର୍ଜାତୀୟ ବାଣିଜ୍ୟର ଗୁରୁତ୍ୱକୁ ସ୍ମରଣ କରାଇଥାଏ। ଏହି ଦିବସ ସମାଜ ଉପରେ ବାଣିଜ୍ୟର ପ୍ରଭାବ ଏବଂ ଏକ ଅଧିକ ସମାନ ଏବଂ ସ୍ଥାୟୀ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ପାଇଁ ସୁଯୋଗ ଉପରେ ପ୍ରତିଫଳନକୁ ଉତ୍ସାହିତ କରିଥାଏ। ଏହି ଉପଲକ୍ଷେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ଆୟୋଜିତ କାର୍ଯ୍ୟକ୍ରମ ଓ ସଭାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ସାମଲ ଉଦ୍ଘାଟନ କରି ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବାଣିଜ୍ୟ ବିଷୟରେ ଅଧ୍ୟୟନ ସମ୍ପର୍କରେ ବାର୍ତ୍ତା ଦେଇଥିଲେ। ବିଭାଗୀୟ ମୁଖ୍ୟ ମାୟାଧର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଦିବସ ପାଳନ ସମ୍ପର୍କରେ ଶ୍ରୀ ବାରିକ ସୂଚନା ଦେଇଥିଲେ। ଏହି ଅବସରରେ ଆୟୋଜିତ ୧୬ଟି ଷ୍ଟଲ୍ ମାଧ୍ୟମରେ କ୍ଷୁଦ୍ର ବାଣିଜ୍ୟ ବଜାରରେ ବିଭିନ୍ନ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୋଟ ୪୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଉତ୍କର୍ଷ ପ୍ରଦର୍ଶନ କରିଥିବା ତିନୋଟି ଷ୍ଟଲ୍ର ପ୍ରତିଭାଗୀଙ୍କୁ ପୁରସ୍କୃତ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯିବା ସହ ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ମୋଟ ୫ ଘଣ୍ଟାର ସମୟ ମଧ୍ୟରେ ଷ୍ଟଲ୍ ଲଗାଇଥିବା ଛାତ୍ରଛାତ୍ରୀମାନେ ପ୍ରାୟ ୩୪ହଜାର ଟଙ୍କାର ବ୍ୟାପାର କରି ଦିବସ ପାଳନକୁ ସାର୍ଥକ କରିଥିଲେ। ଏହି ସମସ୍ତ ଆୟୋଜନରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଡ. ଅଭିଜିତ ଲେଙ୍କା, ବିନୟ ସାହୁ, ଗଗନ ମାହାତୋ ଏବଂ ଅଧ୍ୟାପିକା ଡ. ରାଜଲକ୍ଷ୍ମୀ ବାରିକ, ରିୟା ସାହୁ, ସୁରଭି ଦାସ ଏବଂ ସୁଶ୍ରୀ ହର୍ଷିତାଙ୍କ ସମେତ ଉଭୟେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର
ରାଉରକେଲା :ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ଯ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ଯରେ ଛେଣ୍ଡସ୍ଥିତ ପାଠାଗାର ପରିସରରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି | ଲେଖକ ସାମ୍ମୁଖ୍ଯର ମୁଖ୍ଯ ଉପଦେଷ୍ଟା ଇଂ.ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଓଡିଆ ଜାତିର ସୌନ୍ଦର୍ଯ୍ଯ ବୋଧ ଶୀର୍ଷକରେ ଆଲୋଚନା କରିବାକୁ ଯାଇ କହିଲେ ଯୁଗେ ଯୁଗେ ଏ ଜାତି ସୌନ୍ଦର୍ଯ୍ଯ ପିପାସୁ ,ତା'ର କଳା ସଂସ୍କୃତି ଓ ପରିବେଶରେ ସର୍ବଦା ମନ ମୁଗ୍ଧକର ସୌନ୍ଦର୍ଯ୍ଯରେ ପରିପୂର୍ଣ୍ଣ ଥାଏ | ମୁଖ୍ଯବକ୍ତା ଭାବେ ପ୍ରଧ୍ୟାପକ ଡ.ଅଶ୍ବିନୀ କୁମାର ରାୟ ତାଙ୍କ ଭାଷଣରେ ସେ ଓଡିଆ ଜାତିର ଜୀବନ ଜୀବିକା ଛନ୍ଦମୟ କଳାତ୍ମକ ଅଭିବ୍ଯକ୍ତି, ଲାସ୍ଯମୟୀ କୋଣାର୍କର ଅଳସୀ କନ୍ଯାର ଓଠରେ ଲାବଣ୍ଯବତୀର ନୀଳପ୍ରୀତିର ସମ୍ଭାଷଣ,ଏ ଜାତିର ସାହିତ୍ଯ-ସଂଗୀତ ଓ ସଂସ୍କୃତିରେ ଅନନ୍ଯ ରୂପ, ତାରକସୀ,ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ଦୃଶ୍ଯ , ମାଣବସା ଝୋଟି,କୃଷି କର୍ଷଣ, ସମ୍ବଲପୁରୀ ବାନ୍ଧଶାଢୀ, ଜାତୀୟ କଳା କାବ୍ଯ କୋଣାର୍କରେ ଏ ଜାତିର ସୌନ୍ଦର୍ଯ୍ଯ ବହୁ ଭାବେ ପ୍ରତିଭାତ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଲେଖକ ସାମ୍ମୁଖ୍ଯର ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟ ସାମ୍ମୁଖ୍ଯର ଆଭିମୁଖ୍ଯ ଓ ଆଗାମୀ କାର୍ଯ୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ମହାଶ୍ବେତା ସାହୁ ଓ ନିକୁଞ୍ଜ ବିହାରୀ ଦାଶ ସୁନ୍ଦର ଗଳ୍ପ ପାଠ କରିଥିଲେ । ଦ୍ବିତୀୟ ପର୍ଯ୍ଯାୟରେ ଡା.ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ବ ଓ କବି ହୃଶିକେଷ ସାହୁ,କବୀ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ କବି ବ୍ରଜେନ୍ଦ୍ର ଦାଶ,ପ୍ରତାପ ପଣ୍ଡା,ଗୌତମ ଦାସ, ଦିବାକର ଦାଶ,ଉପେନ୍ଦ୍ର ବସ୍ତିଆ, ଦେବେନ୍ଦ୍ର ବଳ,ବଳରାମ ଦାଶ,ପ୍ରତାପ ରୁଦ୍ର ତ୍ରିପାଠୀ,ଅଜୟ ମହାନ୍ତି,ବିକ୍ରମ ଆଚାର୍ଯ୍ଯ,ନବଘନ ସାମଲ,ବ୍ରହ୍ମାନନ୍ଦ ପାଢୀ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବ୍ରଜ କିଶୋର ପାଣି,ଉପେନ୍ଦ୍ର ପ୍ରଧାନ,ସୂର୍ଯ୍ଯମଣୀ ପଣ୍ଡା କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମଧୁସୂଦନ ପାଠାାରର ସାଧାରଣ ସଂପାଦକ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବୃକ୍ଷରୋପଣ କାର୍ଯ୍ୟକ୍ରମ
ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ସଂଗଠନ ପ୍ରଗତି ଉତ୍କଳ ସଂଘ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ 'କ୍ଲିନ୍ ଏଣ୍ଡ ଗ୍ରୀନ୍'ର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଗତି ଉତ୍କଳ ସଂଘ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାଠାଗାର ପରିସରକୁ ସମ୍ପୂର୍ଣ୍ଣ ରୂପେ ଆବର୍ଜନା ମୁକ୍ତ କରିବା ପରେ ବିଭିନ୍ନ ପ୍ରକାର ଫଳ, ଫୁଲ ଏବଂ ଅନ୍ୟାନ୍ୟ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା। ପାଠାଗାରର ସଭାପତି ପ୍ରତାପ କୁମାର ସ୍ବାଇଁ ଏବଂ 'କ୍ଲିନ୍ ଏଣ୍ଡ ଗ୍ରୀନ୍'ର ସଭାପତି ଡା. ଦେବେନ୍ଦ୍ର କୁମାର ସେଠୀ ଓ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଭୟ ଅନୁଷ୍ଠାନର ସଦସ୍ୟମାନେ ଅତ୍ୟନ୍ତ ଶୃଙ୍ଖଳା ସହକାରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ସମ୍ପୂର୍ଣ୍ଣ ପରିସରକୁ ସଫାକରିବା ସହ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସମାବେଶରେ ଅଧ୍ୟକ୍ଷତା କରି ପ୍ରତାପ କୁମାର ସ୍ବାଇଁ 'କ୍ଲିନ୍ ଏଣ୍ଡ ଗ୍ରୀନ୍'ର ଏଭଳି ମହାନ ପ୍ରୟାସ ପାଇଁ ସଦସ୍ୟ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରଦୀପ କୁମାର ଦାସ ତାଙ୍କ ଅନୁଷ୍ଠାନ ରାଉରକେଲାର ପରିବେଶ ସୁରକ୍ଷା ପାଇଁ ନିୟମିତ ରୂପେ କରିଆସୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପାଠାଗାରର ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ପରିଚାଳନା କରିଥିବାବେଳେ ପାଠାଗାରର ଦୁଇ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ଓ ଚିତ୍ତରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ସମ୍ପାଦକ ଘନଶ୍ୟାମ ଦଳ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, କ୍ରୀଡ଼ା ସମ୍ପାଦକ ଅରବିନ୍ଦ ପାତ୍ର, ବିପିନ ବିହାରୀ ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ମହନ୍ତ, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଧରଣୀଧର ସାମଲ, ଦୀନେଶ କୁମାର ଦାସ, ସ୍ମିତା ମିଶ୍ର,, ରଶ୍ମି ସାହୁ, ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ରଞ୍ଜନ ପଣ୍ଡା, ନଳିନୀ କାନ୍ତ ଧର, ଅଜୟ କୁମାର ପ୍ରଧାନଙ୍କ ସହ 'କ୍ଲିନ୍ ଏଣ୍ଡ ଗ୍ରୀନ୍'ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବରେ ପାହାଡ଼ଶ୍ରୀଗିଡ଼ାରେ ରକ୍ତଦାନ ଶିବିର
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଅତାବିରା ବ୍ଲକ ଅନ୍ତର୍ଗତ ବୀର ମାଟି ପାହାଡ଼ଶ୍ରୀଗିଡ଼ାର ପଞ୍ଚାତୟତ ଭବନରେ ସୋମବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଞ୍ଚ ପାହାଡ଼ଶ୍ରୀଗିଡ଼ା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାହୁ, ପାହାଡ଼ଶ୍ରୀଗିଡ଼ା ଜମିଦାରଙ୍କ ବଂଶଜ ହରଜିତ ସିଂହ, ଯୁକ୍ତତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ୱରୀ ସାମନ୍ତ, ‘ସମାଜ’ର ବରିଷ୍ଠ ସହ ସମ୍ପାଦକ ମୃତ୍ୟୁଞ୍ଜୟ ମେହେର, ରମାକାନ୍ତ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ପାହାଡ଼ଶ୍ରୀଗିଡ଼ା ସରପଞ୍ଚ ଗୀତାଞ୍ଚଳି ପ୍ରଧାନ ଯୋଗଦାନ କରି ଶିବିରକୁ ଉଦ୍ଘାଟନ କରିଥିଲେ। ଅତିଥିମାନେ ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ବର୍ତ୍ତମାନ ରକ୍ତ କେନ୍ଦ୍ରରେ ରକ୍ତର ଅଭାବ ଥିବାବେଳେ ଏପରି ଆୟୋଜନର ପ୍ରଶଂସା କରିଥିଲେ। ‘ସମାଜ’ର ରେଙ୍ଗାଲିକ୍ୟାମ୍ପ ସମ୍ବାଦଦାତା ଆକାଶ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ୧୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, ତାଙ୍କର ସ୍ୱାମୀ ରମାକାନ୍ତ ପ୍ରଧାନ, (ଦମ୍ପତ୍ତି ଗଣେଶ ଦାସ, ନିୟତି ଦାସ), ସନ୍ତୋଷ ପଟେଲ, ସ୍ୱପ୍ନଜିତ ଖଟୁଆ, ଶ୍ୟାମ ଚରଣ ପ୍ରଧାନ, ରଜନୀ ପ୍ରଧାନ, ସ୍ମୀତା ମେହେର, କେଦାର ମେହେର, ସଦାନନ୍ଦ ନନ୍ଦ, ଶୁଭଶ୍ରୀ ମେହେର, ଦଧିରାମ ସେଟ, ଧନଞ୍ଜୟ ମେହେର, ଜିତେନ୍ଦ୍ରୀୟ ବାରିକ, ଚତୁର୍ଭୁଜ ସରାଫ, ବିଭୁତି ଭୂଷଣ ମହାପାତ୍ର, ସୁବ୍ରତ ବାରିକ, ସୁନିଲ ଗୁରୁ ପ୍ରମୁଖ ରକ୍ତଦାନ କରିଥିଲେ। ବରଗଡ଼ ରକ୍ତ କେନ୍ଦ୍ରର ଅମରଜିତ ମହାନ୍ତି, ରେବତୀକାନ୍ତ ସାହୁ, ଲକ୍ଷ୍ମୀଚନ୍ଦ୍ର ସାହୁ, ସୁବାସ ଭୋଇ ଓ ମହେନ୍ଦ୍ର ମେହେର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତାମାନଙ୍କୁ ‘ସମାଜ’ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶ୍ୟାମ ଚରଣ ପ୍ରଧାନ ଏହି ଅବସରରେ ତାଙ୍କର ଶହେତମ ରକ୍ତଦାନ କରିଥିଲେ। ଏଥି ପାଇଁ ଶ୍ରୀ ପ୍ରଧାନଙ୍କୁ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଶିବିର ପରିଚାଳନାରେ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ସମସ୍ତ ସଭ୍ୟା, ସିଆରପି, ଏମବିକେ, ଇଏଏମଇ, ଏମବିଇସିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।
Bargarh (ବରଗଡ଼) • ବଂଶୀଧର ନାୟକ

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ବରଗଡ ଜିଲ୍ଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଶାନ୍ତ କୁମାର ଦାଶ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ହେମସାଗର ଭୋଇ ଏବଂ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣ୍ତବ ଶବର ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଆଧାରିତ ସମୁଦାୟ ୪୫ ଗୋଟି ଅଭିଯୋଗ ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଏବଂ ୧୬ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Bargarh (ବରଗଡ଼) • ବଂଶୀଧର ନାୟକ
