ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର
Nuapada (ନୂଆପଡ଼ା)ମଳୟ ମେହେର, ବୋଡେ଼ନ, ସିନାପାଲି (ସ୍ରିଷ୍ଟି ନିୟୁଜ)March 23, 2026177 views

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର
ଭାଗ୍ୟ କେବେ କାହାର ଜୀବନକୁ କେମିତି ଦୁଃଖରେ ଭରିଦେବ, ସେଥି ପୂର୍ବାନୁମାନ କରିବା କଷ୍ଟକର । ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତର ଅନକାପୁର ଗ୍ରାମରେ । ଏଠାରେ ଏକ ଅସହାୟ ପରିବାର ଏବେ ଦୁଃଖ ଓ ଅନିଶ୍ଚିତତାର ଛାୟା ତଳେ ଜୀବନ କାଟୁଛି । ହେମଳତା ଗୋଆଲ (୨୨) ଓ ତାଙ୍କ ସାନ ଭଉଣୀ ନମନ୍ତୀ ଗୋଆଲ (୧୮) ଙ୍କ ଜୀବନରେ ଏକ ପରେ ଏକ ଦୁର୍ଘଟନା ଆଘାତ ଆଣିଛି । କିଛି ଦିନ ପୂର୍ବରୁ ମାଆ ଗୁରୁତର ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ମାଆଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା ଅମର ଗୋଆଲ (୬୫) ପରିବାର ପ୍ରତିପୋଷଣର ଭାର ବହନ କରିବାକୁ ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ପ୍ରସ୍ଥାନ କରିଥିଲେ । କିନ୍ତୁ ଭାଗ୍ୟ ଏଠାରେ ମଧ୍ୟ ଦୟା କରିନଥିଲା, ଚଳିତ ମାର୍ଚ୍ଚ ୧୭ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଏହା ପରେ ଦୁଇ ଭଉଣୀ ସଂପୂର୍ଣ୍ଣ ଭାବେ ଅସହାୟ ହୋଇପଡିଛନ୍ତି । ବଡ଼ ଭଉଣୀ ହେମଳତା ଜନ୍ମଜାତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନିଜେ କାମ କରିପାରୁନାହାନ୍ତି । ତାଙ୍କ ଦେଖାଶୁଣା ପାଇଁ ସାନ ଭଉଣୀ ନମନ୍ତୀ ନିଜ ପାଠପଢା ବନ୍ଦ କରି ଦେଇଛନ୍ତି । ଏବେ ଘରର ସମସ୍ତ ଦାୟିତ୍ୱ ତାଙ୍କ ନାଜୁକ କାନ୍ଧ ଉପରେ ରହିଛି । ସରକାରୀ ସହାୟତା ଭାବେ ପରିବାରକୁ କେବଳ ରାସନ କାର୍ଡ ଓ ଦିବ୍ୟାଙ୍ଗ ଭତା ଭାବେ ମାସିକ ୧୨୦୦ ଟଙ୍କା ମିଳୁଛି । କିନ୍ତୁ ଏହି ଅଳ୍ପ ରାଶିରେ ଦୁଇଜଣଙ୍କ ଜୀବନ ଚାଲାଇବା ଅତ୍ୟନ୍ତ କଷ୍ଟସାଧ୍ୟ । ଅନେକ ଦିନ ଚୁଲି ଜଳିନଥିବାରୁ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଅନ୍ୟପଟେ, ହେମଳତାଙ୍କ ଦିବ୍ୟାଙ୍ଗ ସ୍ତର ୮୦% ହେବାକୁ ଥିବା ସତ୍ତ୍ୱେ ମାତ୍ର ୬୦% ଦର୍ଶାଯାଇଛି । ଏହା ଫଳରେ ସେ ପୂର୍ଣ୍ଣ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ଏହି ପରିସ୍ଥିତିରେ ସ୍ଥାନୀୟ ସୂଚନାକର୍ମୀ କ୍ଷୀରସିନ୍ଧୁ ସଗରିଆ ଦାବୀ କରିଛନ୍ତି ଯେ, ହେମଳତାଙ୍କୁ ପୁନଃ ଦିବ୍ୟାଙ୍ଗ ଶିବିରରେ ପରୀକ୍ଷା କରାଯାଇ ୮୦% ଦର୍ଜା ଦେଇ ମୁଖ୍ୟମନ୍ତ୍ରୀ ସହାୟତା ଯୋଗାଇଦିଆଯାଉ । ସେହିପରି, ସାନ ଭଉଣୀ ନମନ୍ତୀଙ୍କ ପାଠପଢା ପୁନରୁଦ୍ଧାର ପାଇଁ ଯଥୋଚିତ ବ୍ୟବସ୍ଥା କରାଯିବା ଆବଶ୍ୟକ । ଯଦି ଶୀଘ୍ର ସରକାରୀ ଓ ସାମାଜିକ ସହଯୋଗ ମିଳିନଥାଏ, ତେବେ ଏହି ଦୁଇ ଭଉଣୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହ ପରିବାର ପ୍ରତିପୋଷଣରେ ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।
