Web News

ବେଆଇନ ବନ୍ଧୁକ ତିଆରି କାରଖାନା ଠାବ, ଦୁଇ ଗିରଫ
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି ଓ ବେଆଇନ କାଠ ଗଚ୍ଛିତ ରଖାଯାଇଥିବା ଖବର ପାଇବା ପରେ ସୋମବାର ସକାଳେ ଏକ ମିଳିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ ହେବା ସହ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ, କାଠ ଓ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ଜରାପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଏହି ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସ୍ୱର୍ଗତ ପାଣ୍ଡବ ନାଏକଙ୍କ ଦୁଇ ପୁଅ ଅଭୟ ନାଏକ ଓ ମଳୟ ନାଏକଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ଦେଶୀ ବନ୍ଧୁକ ତିଆରିରେ ବ୍ୟବହୃତ ୨ଟି ବନ୍ଧୁକ ବ୍ୟାରେଲ, ୨ଟି ଗଜବାଡ଼ି, ଅଙ୍କୁଲା କାଠରେ ତିଆରି ଏକ ଅଧାଗଢ଼ା ବନ୍ଧୁକ ଫ୍ରେମ୍, ୨୦ ଗ୍ରାମ ବାରୁଦ, ୨୩ଟି ସୀସା ଗୁଳି ସହ ବନ୍ଧୁକ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କାଠ ମିସ୍ତ୍ରୀ ସରଞ୍ଜାମ ଓ ଯନ୍ତ୍ରପାତି ଜବତ କରାଯାଇଛି। ତଦନ୍ତ ବେଳେ ଅଭିଯୁକ୍ତମାନେ ବେଆଇନ ଭାବେ କାଠ ପ୍ରକ୍ରିୟାକରଣ ଓ ଫର୍ନିଚର ତିଆରି କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ୧୪ ଖଣ୍ଡ ଶାଗୁଆନ କାଠ, ୧୨ ଖଣ୍ଡ ଶାଳ କାଠ, ଏକ ଗଛ କଟା ମେସିନ୍, ୨ଟି ଇଲେକ୍ଟ୍ରିକ୍ କରତ, ୨ଟି ଜିଗ୍ଜାଗ୍ କଟିଂ ମେସିନ୍ ଓ ଏକ କାଠ ପଲିସ୍ ମେସିନ୍ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଜରାପଡ଼ା ଫରେଷ୍ଟ ରେଞ୍ଜରେ ଜଙ୍ଗଲ ଆଇନର ପ୍ରଯୁଜ୍ୟ ଧାରାରେ OR କେସ୍ ନଂ–10J/2026–27 ରୁଜୁ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯାଉଥିବା ବେଳେ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।
Angul (ଅନୁଗୋଳ) • ରିପୋର୍ଟ:ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଶାଳଗାଡ଼ିଆର ବହୁ କର୍ମକର୍ତ୍ତା
ଅନୁଗୋଳ: ବଅଁରପାଳ ବ୍ଲକ ଗୋତମରା ଗ୍ରାମ ପଞ୍ଚାୟତର ଶାଳଗାଡ଼ିଆ ଗ୍ରାମର ବିଜେଡିର ବହୁ କର୍ମକର୍ତ୍ତା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଔପଚାରିକ ଭାବେ ଯୋଗଦାନ କରିଛନ୍ତି। ଯୋଗଦାନକାରୀଙ୍କ ମଧ୍ୟରେ ସିଦ୍ଧ ଖଟୁଆ, ସୁବାଷ ଖଟୁଆ, ସୋମୁ ଖଟୁଆ, ମଧୁ ଖଟୁଆ, ନନ୍ଦୁ ଖଟୁଆ, ଆଲୋକ ଖଟୁଆ, ନଳିନୀ ଖଟୁଆ, ମୀନତି ଖଟୁଆ, ପ୍ରତିମା ଖଟୁଆ, ସଞ୍ଜୁ ଦଳେଇ, ଶାନ୍ତି ଖଟୁଆ, ଦୀପ୍ତିମୟୀ ଖଟୁଆ ଓ ଝିଲି ଖଟୁଆଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ। ଦଳୀୟ ସୂଚନା ଅନୁଯାୟୀ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ନୀତି, ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଏହି ମିଶ୍ରଣ ପର୍ବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ସେହିପରି ବିଜେପି ଜିଲ୍ଲା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ନେତା ସୁଶାନ୍ତ ସାମଲ, ପ୍ରଦୋଷ ପଣ୍ଡା ଓ ଲିଟୁ ବରାହ ମଧ୍ୟ ଉପସ୍ଥିତ ରହି ନବଯୋଗଦାନକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ଦଳ ପକ୍ଷରୁ ଏହି ଯୋଗଦାନ ଅନୁଗୋଳ ଅଞ୍ଚଳରେ ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ
ଅନୁଗୋଳ: ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୬୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୫୮ଟି ବ୍ୟକ୍ତିଗତ ଓ ୩ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି ହୋଇଥିବାବେଳେ ୪ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ୧ଜଣଙ୍କୁ ରେଡକ୍ରସ । ପାଣ୍ଠିରୁ ୭ ହଜାର ୫୦୦ ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥୁଲା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ , ବଅଁରପାଳ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ମିଶ୍ର, ବଅଁରପାଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଶ୍ରୀ ଲୋଚନ ଦାସ, ଅନୁଗୋଳ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ କୁମାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ଶତପଥି ଜିଲ୍ଲା ମଙ୍ଗଳ ଅଧୂକାରୀ ଶ୍ରୀ ଦିପ କୁମାର ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିନୋଦ କୁମାର ଦଳାଇ, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଳକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୧୪୩ ନମ୍ବର ଜାତୀୟ ରାଜପଥରେ ପଇଡ଼ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣା, ୩ ଗୁରୁତର
ବଣାଇ: ବାରକୋଟରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ପଇଡ଼ ବୋଝେଇ ପିକଅପ୍ ଭ୍ୟାନ୍ ୧୪୩ ନମ୍ବର ଜାତୀୟ ରାଜପଥର ଟିକାୟତପାଲି ଥାନା ଅନ୍ତର୍ଗତ ଟୁଣିଆପାଲି ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭ୍ୟାନ୍ଟି ଭାରସାମ୍ୟ ହରାଇ ପ୍ରଥମେ ଏକ ପୋଲର ଡିଭାଇଡରରେ ଧକ୍କା ଦେଇ ପରେ ରାସ୍ତା କଡ଼କୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ରେ ଥିବା ତିନିଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଟିକାୟତପାଲି ପୋଲିସ ତଦନ୍ତ ଆରମ୍ଭ କରିଛି।
Sundargarh (ସୁନ୍ଦରଗଡ଼) • ରିପୋର୍ଟ: ସୌମ୍ୟବ୍ରତ ଦଳବେହେରା, ବଣେଇ

କାର୍ତିକ ଚନ୍ଦ୍ର ପତିଙ୍କ ପରଲୋକ
ଭଦ୍ରକ ଜିଲ୍ଲା, ଧାମନଗର ବ୍ଲକ ଅଧୀନସ୍ଥ ଭଗବାନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଳକିରୀ ରାଜସ୍ୱ ଗ୍ରାମର ଜଣେ ଧର୍ମପରାୟଣ, ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ତଥା ସୁନାମଧନ୍ୟ ବରିଷ୍ଠ କର୍ମକାଣ୍ଡବିତ ବ୍ରାହ୍ମଣ, ଭଗବାନପୁର ବଜାରସ୍ଥିତ ମା' କାଳୀଙ୍କ ମନ୍ଦିରର ପୂଜକ ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ପତି ମହାଶୟ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ୯୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ବିୟୋଗରେ ପରିବାର, ଆତ୍ମୀୟ-ସ୍ୱଜନ ଏବଂ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସେ ନିଜର ଧର୍ମନିଷ୍ଠା, ସରଳ ଜୀବନ, ଆଧ୍ୟାତ୍ମିକ ସାଧନା ଏବଂ ନିଷ୍ଠାପର କର୍ମକାଣ୍ଡ ସେବା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

କୋକସରା ଡାଲଗୁମାରେ ଚାଞ୍ଚଲ୍ୟକର ଘଟଣା, ରକ୍ତାକ୍ତ ଅବସ୍ଥାରେ ଦ୍ୱାର ମୁହଁରୁ ମୃତଦେହ ଠାବ, ହତ୍ୟା ଅଭିଯୋଗ
କୋକସରାରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଡାଲଗୁମା ଧାନ ମଣ୍ଡି ପାଖରେ ଥିବା ଘର ନିକଟରେ ଶୋଇଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି। ମୃତକ ଜଣକ ହେଲେ ଡାଲଗୁମା ଗାଁର ସୁକଦେବ ଧରୁଆ। ସେ ଗାଁ ମୁଣ୍ଡ ବଗିଚାରେ ଜଗୁଆଳି ଭାବେ କାମ କରୁଥିଲେ। ସକାଳୁ ସେ ଘରକୁ ନଫେରିବାରୁ, ତାଙ୍କ ଝିଅ ବଗିଚାକୁ ଯାଇ ବାପାଙ୍କ ଖଟିଆ ଉପରେ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଟେକିନେଇ କେଉଁଠାରେ ହତ୍ୟା କରିବାପରେ ପୁଣି ଖଟିଆରେ ଆଣି ସୁଆଇ ଦେଇଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କୋକସରା ଥାନା ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଥିବାବେଳେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଆଡେପୁ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ଏଣେ ସାଇଣ୍ଟିଫିକ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିବା ସହ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିବା ଜଣାପଡିଛି।
Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ବାରମ୍ବାର ଅଭିଯୋଗ ସତ୍ୱେ ବି ଶୁଣୁ ନାହାନ୍ତି ପ୍ରଶାସନ. ମାଲ ପଡ଼ାରେ ବର୍ଷା ଦିନେ ଦୁର୍ଦଶା
କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଳା ପଞ୍ଚାୟତର କୁମଯୋର ଗ୍ରାମର ମାଲପଡାରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗ୍ରାମର ରାସ୍ତା କାଦୁଅ ଓ ପାଣିରେ ବୁଡ଼ି ରହିଥିବାରୁ ଲୋକମାନେ ଯାତାୟାତ କରିବାରେ ଘୋର ସମସ୍ୟା ଭୋଗୁଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବାରେ ଏବଂ ରୋଗୀମାନେ ହସ୍ପିଟାଲକୁ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ବିଷୟରେ ବାରମ୍ବାର ସରପଞ୍ଚ ଓ ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବର୍ଷା ହେଲେ ମାଲପଡାର ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି।ଗ୍ରାମବାସୀମାନେ ତୁରନ୍ଧ ରାସ୍ତା ମରାମତି ଓ ଯାତାୟାତ ସୁବିଧା କରାଇବା ପାଇଁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ସମୟ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ
Kalahandi (କଳାହାଣ୍ଡି) • ରିପୋଟର :ରିତେଶ କୁମାର ମୁଣ୍ଡ, ଜୟପାଟଣା

ଜୟପାଟଣା ବ୍ଲକ ରେ ଆମ ଓଡ଼ିଶା ସାମ୍ବାଦିକ ମହାସଂଘ ଗଠନ
ଓଡ଼ିଶାରାଜ୍ୟ ର ସମସ୍ତ ଜିଲ୍ଲା ଓ ବ୍ଲକ ଏବଂ ଏନ୍.ଏ.ସି ଅଞ୍ଚଳରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଆମ ଓଡ଼ିଶା ସାମ୍ବାଦିକ ମହାସଂଘ ନାମରେ ଏକ ନୂତନ ସଂଗଠନ ଗତ ତା ୧୦.୧୨.୨୦୨୫ ରିଖ ଦିନ ଗଠନ କରାଯାଇଛି। ଏବଂ ଆମ ଓଡ଼ିଶା ସାମ୍ବାଦିକ ମହାସଂଘ (AOSM) ଜୟପାଟଣା ବ୍ଲକ ଶାଖା ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ଜୟପାଟଣା ବ୍ଲକରେ ଗତ 01/05/2026 ଦିନ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ନେଇ ଗଠିତ ହୋଇଛି ଏବଂ ପରିପ୍ରେକ୍ଷୀରେ ଆଜି ସଂଗଠନ ର ସମସ୍ତ ସାମ୍ବାଦିକ ବନ୍ଧୁଗଣ ଙ୍କୁ ID card ଦିଆଯାଇଛି, ଜୟପାଟଣା ଆମ ଓଡ଼ିଶା ସାମ୍ବାଦିକ ମହାସଂଘ ରେ ସଭାପତି ଭାବେ ବାବୁଲି ହରିଜନ ଙ୍କୁ ସଂଘର ଦାୟିତ୍ୱ ଦିଆଯାଇଥିବା ବେଳେ ଉପସଭାପତି - ରଶ୍ମି ରଞ୍ଜନ ସୁନା, ସାଧାରଣ ସମ୍ପାଦକ- ହର୍ଷବର୍ଦ୍ଧନ ପାଣିଗ୍ରାହୀ, ସମ୍ପାଦକ - ଡମ୍ବରୁଧର ଦୁର୍ଗା, କ୍ୟାସିୟର - ଗଣେଶ ବାଗ, ଏବଂ ଉପଦେଷ୍ଟା - ଜୟରାମ ଛତ୍ରିଆ ଙ୍କୁ ସମସ୍ତ କାର୍ଯ୍ୟକାରୀ ସଂସ୍ଥା ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଉଛି ସାମ୍ବାଦିକମାନଙ୍କ ଏକତା ଓ ସ୍ୱାର୍ଥର ସୁରକ୍ଷା ସହିତ ସମାଜର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା। ଜୟପାଟଣା ବ୍ଲକ ଅଞ୍ଚଳରେ ବିଭିନ୍ନ ସରକାରୀ ଓ ବେସରକାରୀ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟ ଓ ଜନହିତକର ଯୋଜନାଗୁଡ଼ିକର ସଠିକ୍ ପ୍ରଚାର ଓ ପ୍ରସାର କରିବା ସହିତ, ଜନସାଧାରଣଙ୍କ ସମସ୍ୟା, ଦୁର୍ନୀତି ଓ ଅନିୟମିତତାକୁ ଖବର ମାଧ୍ୟମରେ ପ୍ରଶାସନଙ୍କ ଦୃଷ୍ଟିକୁ ଆଣିବା ଏହି ସଂଗଠନର ପ୍ରମୁଖ ଲକ୍ଷ୍ୟ ଏହା ସଂଗଠନ ପକ୍ଷରୁ ସୂଚନା ମିଳିଛି।
Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଜୟପଟଣା

ରଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର
ରଣପୁର ୨୯/୦୬: ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରଣପୁର ବ୍ଲକ ଠାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ରଥ ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ର ଶୁଣାଣି କରିବା ସହ ଯେଉଁ ମାନେ ଯୋଗ୍ୟ ଅଛନ୍ତି ସେମାନଙ୍କ ଅଭିଯୋଗ ଯାଞ୍ଚ କରିବା ସହ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୋଟ ୨୧୩ ଟି ଅଭିଯୋଗ ପଞ୍ଜୀକୃତ କରାଯାଇଥିଲା ବେଳେ ସେଥିମଧ୍ୟରୁ ୨୦୦ଗୋଟି ବ୍ୟକ୍ତିଗତ ସମସ୍ୟା , ୦୬ ଗୋଟି ଗ୍ରାମ୍ୟ ସମସ୍ୟା , ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ର ୫ ଗୋଟି ଓ ରେଡ କ୍ରସ ୨ ଗୋଟି ଅଭିଯୋଗ ର ଶୁଣାଣି କରାଯାଇଥିବା ସହ ୬୬ ଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଜନ ଶୁଣାଣି ଶିବିର ରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ,ଆରକ୍ଷୀ ଅଧିକ୍ଷକ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ, ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣି କରିଥିଲେ ।
Nayagarh (ନୟାଗଡ଼) • ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁର

କେନ୍ଦୁଝରରେ ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
କେନ୍ଦୁଝର, ୨୯/୦୬: ଆଜି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କଲେକ୍ଟରେଟ୍ ସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଜୁନ୍ ୨୯ ତାରିଖକୁ ‘ଜାତୀୟ ପରିସଂଖ୍ୟାନ ଦିବସ’ ଭାବେ ପାଳନ କରାଯାଏ। ଭାରତୀୟ ପରିସଂଖ୍ୟାନର ଜନକ ଭାବେ ଜଣାଶୁଣା ପ୍ରଫେସର ପ୍ରସାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳିତ ହୋଇଥାଏ। ସାମାଜିକ ଓ ଅର୍ଥନୈତିକ ଯୋଜନା ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ସାଧାରଣ ଜନତା ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମହାଳିକ କହିଥିଲେ ଯେ, ରାଜ୍ୟ ତଥା ଜାତୀୟ ସ୍ତରରେ ଦେଶର ବିକାଶ କ୍ଷେତ୍ରରେ ପରିସଂଖ୍ୟାନ ଏକ ମୂଳଦୁଆ ସଦୃଶ। ସଠିକ୍ ତଥ୍ୟ ବ୍ୟତୀତ ଦେଶରେ କୌଣସି ପ୍ରକାରର ଲୋକହିତକର ଯୋଜନା ପ୍ରଣୟନ କରିବା କେବଳ କଷ୍ଟସାଧ୍ୟ ନୁହେଁ, ବରଂ ଅସମ୍ଭବ। ତେଣୁ ସଠିକ୍ ପରିସଂଖ୍ୟାନ ହିଁ ସର୍ବାଙ୍ଗୀନ ବିକାଶର ପଥ ପରିଷ୍କାର କରିଥାଏ ବୋଲି ସେ ମତପୋଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଡ. ଅଜିତ କୁମାର ବରାଳ ପରିସଂଖ୍ୟାନକୁ ଜୀବନ ଦର୍ଶନ ସହ ତୁଳନା କରିଥିଲେ। ସେ ସୂଚାଇଥିଲେ ଯେ, ଯେପରି ଲକ୍ଷ୍ୟହୀନ ଜୀବନର କୌଣସି ଅର୍ଥ ନାହିଁ, ସେହିପରି ସଠିକ୍ ପରିସଂଖ୍ୟାନ ବିନା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ପ୍ରାୟତଃ ଲକ୍ଷ୍ୟଭ୍ରଷ୍ଟ ହୋଇଥାଏ। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ନିର୍ଭୁଲ ତଥ୍ୟକୁ ଆଧାର କରି ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ ବୋଲି ସେ ଦର୍ଶାଇଥିଲେ। ଏହି ଅବସରରେ ଉପନିର୍ଦ୍ଦେଶକ(ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ଗଜେନ୍ଦ୍ର କୁମାର ବେହେରା ପରିସଂଖ୍ୟାନର ବ୍ୟାପକତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ, "ସଠିକ୍ ପରିସଂଖ୍ୟାନ ସରକାରଙ୍କୁ ସମୟୋପଯୋଗୀ ଯୋଜନା ପ୍ରଣୟନ କରିବାରେ ସହାୟତା କରିଥାଏ, ଯାହା ଦେଶର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ।" ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଧାରା, ଯଥା—କୃଷି ଓ ଜଳସେଚନ ଗଣନା, ଶସ୍ୟକାଟ ପରୀକ୍ଷା, ମୂଲ୍ୟ ସୂଚକାଙ୍କ ନିର୍ଦ୍ଧାରଣ, ଶିଳ୍ପ ସର୍ଭେ, ଜିଲ୍ଲା ପରିସଂଖ୍ୟାନ ହାଣ୍ଡବୁକ୍ ପ୍ରସ୍ତୁତି ଓ ଜାତୀୟ ନମୁନା ସର୍ଭେ ଆଦି କିଭଳି ନୀତି ନିର୍ଦ୍ଧାରଣରେ ମୂଳଦୁଆ ସାଜିଛି, ସେ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ଗତ ୨୪/୦୬/୨୦୨୬ ରେ ବିଦ୍ୟାଳୟ ସ୍ତରୀୟ କୁଇଜ ଏବଂ ପୋଷ୍ଟର ଉପସ୍ଥାପନା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା | ସେଥି ମଧ୍ୟରୁ କୁଇଜ ରେ ପିଏମ ଶ୍ରୀ ଡ଼ିଏନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସଂଚିତ ସାହୁ ପ୍ରଥମ ସ୍ଥାନ , ପିଏମ ଶ୍ରୀ ଟାଉନ ମହିଳା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ମୌସୁମୀ ଦାସ ଦ୍ୱତୀୟ ସ୍ଥାନ ଏବଂ ପିଏମ ଶ୍ରୀ ଡ଼ିଏନ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଦିଲୀପ କୁମାର ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ | ସେହିପରି ପୋଷ୍ଟର ଉପସ୍ଥାପନା ପ୍ରତିଯୋଗିତାରେ ପିଏମ ଶ୍ରୀ ଟାଉନ ମହିଳା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୌଭାଗ୍ୟବତି ସେଠୀ ପ୍ରଥମ ସ୍ଥାନ, ପିଏମ ଶ୍ରୀ ଡ଼ିଏନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୁମିତ୍ରା ମହାନ୍ତ ଦ୍ୱିତୀୟ ସ୍ଥାନ ଓ ସେହି ପିଏମ ଶ୍ରୀ ଡ଼ିଏନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ |ଏହି କାର୍ଯ୍ୟକ୍ରମରେ ସାମଗ୍ରିକ ଭାବରେ ପରିସଂଖ୍ୟାନ କ୍ଷେତ୍ର କାର୍ଯ୍ୟରେ ବ୍ୟକ୍ତିଗତ ସ୍ତରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ୨୦୨୫-୨୬ କୃଷି ବର୍ଷ ପାଇଁ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପରିସଂଖ୍ୟାନ କ୍ଷେତ୍ର ସର୍ଭେୟର ଯଥା ଘସିପୁରା ବ୍ଲକ ର ସନାତନ ସାହୁ , ତେଲକୋଇ ବ୍ଲକର ଯୁଧିଷ୍ଠିର ମଲ୍ଲିକ ଏବଂ ଝୁମ୍ପୁରା ବ୍ଲକର ତାପସ କୁମାର ପ୍ରଧାନ ଏବଂ ସେହିପରି ୨୦୨୫-୨୬ କୃଷି ବର୍ଷ ପାଇଁ ଆନୁଷ୍ଠାନିକ ସ୍ତରରେ ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟ ମାନଙ୍କର ଉତ୍ତମ ପ୍ରଦର୍ଶନ ନିମନ୍ତେ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟର ଯଥାକ୍ରମେ ଘସିପୁରା ,ଘଟଗାଁ ଓ ହରିଚନ୍ଦନପୁର ବ୍ଲକକୁ ସମ୍ମାନିତ କରାଯାଇଥିଲା | ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଡିଡି ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ସହକାରୀ ପ୍ରଫେସର ଡ. ନବଘନ ମଲ୍ଲିକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ପ୍ରଫେସର ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ସହ ନିର୍ଦ୍ଦେଶକ ଜୟରାମ ଟୁଡୁ ,ପରିସଂଖ୍ୟାନ ଅଧିକାରୀ ଅନୁପମା ପାତ୍ର , ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକରି ପୃଥ୍ୱୀରାଜ ସୋରେନ, ମାଧୁରୀ ପ୍ରିୟା ହନହଗା , ପ୍ରଶାନ୍ତ ପ୍ରଧାନ , ଅନୁସନ୍ଧାନକାରୀ ବିନ୍ଦିଆ ମୁଣ୍ଡା, ବିଷ୍ଣୁପ୍ରିୟା ଓଝା ଓ ଡିପିଏମୟୁର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ଶେଷରେ ପରିସଂଖ୍ୟାନ ଅଧିକାରୀ ଅନୁପମା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ|
Kendujhar (କେନ୍ଦୁଝର) • ରିପୋର୍ଟ: ନିରଞ୍ଜନ, ପାଣି, ଜିଲ୍ଲା ପ୍ରତିନିଧି, କେନ୍ଦୁଝର

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ "ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ"ଅଭିଯାନ ଆରମ୍ଭ।
ଗଞ୍ଜାମ ଜିଲ୍ଲା ପ୍ରଶାସନର "ଆମ ଗଞ୍ଜାମ ସ୍ଵଚ୍ଛ ଗଞ୍ଜାମ" ଅଭିଯାନ ଅଧୀନରେ ଆୟୋଜିତ ବିଶାଳ ସ୍ଵଚ୍ଛତା ଅଭିଯାନରେ ସମଗ୍ର ଜିଲ୍ଲା ଉତ୍ସାହର ସହ ଭାଗନେଇଥିଲା। ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ, ଆମ ପ୍ରିୟ ମାସ୍କଟ 'କୃଷ୍ଣ'ଙ୍କ ସହଭାଗୀତାରେ ଜନସାଧାରଣ ଏକତ୍ରିତ ହୋଇ ସ୍ଵଚ୍ଛତା ପ୍ରତି ନିଜର ଦୃଢ ସଙ୍କଳ୍ପ ପ୍ରଦର୍ଶନ କରିଛନ୍ତି। ଆସନ୍ତୁ, ଏହି ଶୁଭ ପ୍ରୟାସକୁ ଆଗକୁ ବଢାଇ ନିଜର ସକ୍ରିୟ ଯୋଗଦାନ ଦେଇ ଗଞ୍ଜାମକୁ ଦେଶରେ ସ୍ଵଚ୍ଛତାର ଆଦର୍ଶ ଜିଲ୍ଲାରେ ପରିଣତ କରିବା।
Ganjam (ଗଞ୍ଜାମ) • ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁର, ଗଞ୍ଜାମ

ଗଞ୍ଜାମରେ ବିଶାଳ ରକ୍ତଦାନ ଶିବିର: ୧୫୦୧ ୟୁନିଟ୍ ରକ୍ତ ସଂଗ୍ରହ
ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏକ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୧୫୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଦାବି କରାଯାଇଛି। ଆୟୋଜକମାନଙ୍କ ମତାନୁସାରେ, ଏହି ଶିବିର ରକ୍ତଦାନ କ୍ଷେତ୍ରରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ମହତ୍ ପ୍ରୟାସରେ ହଜାର ହଜାର ସ୍ବେଚ୍ଛାସେବୀ ଏବଂ ସାଧାରଣ ଲୋକ ଅତ୍ୟନ୍ତ ଉତ୍ସାହର ସହିତ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ଅନେକଙ୍କ ମତରେ, ଏହି ବ୍ୟାପକ ଜନସମାଗମ ଏବଂ ସକ୍ରିୟ ଅଂଶଗ୍ରହଣ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା, ସମର୍ଥନ ଏବଂ ସାମାଜିକ ସେବା ପ୍ରତି ତାଙ୍କର ପ୍ରତିବଦ୍ଧତାର ପ୍ରତିଫଳନ। ରକ୍ତଦାନ ମାଧ୍ୟମରେ ଜରୁରୀ ରୋଗୀଙ୍କୁ ଜୀବନଦାନ ଦେବାର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ବହୁଳ ପ୍ରଶଂସା କରାଯାଉଛି।
Ganjam (ଗଞ୍ଜାମ) • ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁର, ଗଞ୍ଜାମ
