--:--:--
-- ---
Srishti News

ବେଆଇନ ବନ୍ଧୁକ ତିଆରି କାରଖାନା ଠାବ, ଦୁଇ ଗିରଫ

Angul (ଅନୁଗୋଳ)ରିପୋର୍ଟ:ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 30, 202667 views
ବେଆଇନ ବନ୍ଧୁକ ତିଆରି କାରଖାନା ଠାବ, ଦୁଇ ଗିରଫ
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି ଓ ବେଆଇନ କାଠ ଗଚ୍ଛିତ ରଖାଯାଇଥିବା ଖବର ପାଇବା ପରେ ସୋମବାର ସକାଳେ ଏକ ମିଳିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ ହେବା ସହ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ, କାଠ ଓ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ଜରାପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଏହି ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସ୍ୱର୍ଗତ ପାଣ୍ଡବ ନାଏକଙ୍କ ଦୁଇ ପୁଅ ଅଭୟ ନାଏକ ଓ ମଳୟ ନାଏକଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ଦେଶୀ ବନ୍ଧୁକ ତିଆରିରେ ବ୍ୟବହୃତ ୨ଟି ବନ୍ଧୁକ ବ୍ୟାରେଲ, ୨ଟି ଗଜବାଡ଼ି, ଅଙ୍କୁଲା କାଠରେ ତିଆରି ଏକ ଅଧାଗଢ଼ା ବନ୍ଧୁକ ଫ୍ରେମ୍, ୨୦ ଗ୍ରାମ ବାରୁଦ, ୨୩ଟି ସୀସା ଗୁଳି ସହ ବନ୍ଧୁକ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କାଠ ମିସ୍ତ୍ରୀ ସରଞ୍ଜାମ ଓ ଯନ୍ତ୍ରପାତି ଜବତ କରାଯାଇଛି। ତଦନ୍ତ ବେଳେ ଅଭିଯୁକ୍ତମାନେ ବେଆଇନ ଭାବେ କାଠ ପ୍ରକ୍ରିୟାକରଣ ଓ ଫର୍ନିଚର ତିଆରି କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ୧୪ ଖଣ୍ଡ ଶାଗୁଆନ କାଠ, ୧୨ ଖଣ୍ଡ ଶାଳ କାଠ, ଏକ ଗଛ କଟା ମେସିନ୍, ୨ଟି ଇଲେକ୍ଟ୍ରିକ୍ କରତ, ୨ଟି ଜିଗ୍‌ଜାଗ୍ କଟିଂ ମେସିନ୍ ଓ ଏକ କାଠ ପଲିସ୍ ମେସିନ୍ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଜରାପଡ଼ା ଫରେଷ୍ଟ ରେଞ୍ଜରେ ଜଙ୍ଗଲ ଆଇନର ପ୍ରଯୁଜ୍ୟ ଧାରାରେ OR କେସ୍ ନଂ–10J/2026–27 ରୁଜୁ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯାଉଥିବା ବେଳେ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।