Web News

ସରପଞ୍ଚ ସାଜିଛନ୍ତି ଠିକାଦାର
ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ଆମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ପୋଲ ନିର୍ମାଣ ହେବ ଓ ରାସ୍ତା ଘାଟ ହେବା ସହ ଗମନାଗମନ ଠିକ ଭାବରେ ହେବ ଆଉ ଆମ ଗାଁ ବିକାଶ ଦିଗକୁ ଗତିକରୀ ବା ସହ ଗାଁ କୁ ଗର୍ଭବତୀ ମହିଳା,ବୃଦ୍ଧ, ବୃଦ୍ଧା ରୋଗୀ ମାନଙ୍କ ପାଇଁ ଆମ୍ବୁଲାନ୍ସ ଆସିବା ସହଜ ହେବ,ଆମ ପିଲାଛୁଆ ସେହି ପୋଲ ରାସ୍ତା ଦେଇ ପାଠ ପଢି ଯିବେ ଆଉ ଦିନେ ଭଲ ମଣିଷ ହୋଇ ଆମ ଗାଁ ର ନାମ ରଖିବେ ବୋଲି ଭାଉଥିଲୁ କିନ୍ତୁ ସେହି ପୋଲ ନିର୍ମାଣ ନ ସରୁଣୁ ଫାଟି ଆଁ କଲାଣି । ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ପଞ୍ଚାୟତ ର ଭାଟିପାସ ଗାଁ ରେ,ପୋଲ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର, କାମ ଶେଷ ହେବା ପୂର୍ବରୁ କ୍ଷତିଗ୍ରସ୍ତ ହେବା ଏବଂ ସରକାରୀ ଅର୍ଥର ଅପବ୍ୟବହାର ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଲ ନିର୍ମାଣରେ ଗୁଣାତ୍ମକ ମାନଦଣ୍ଡ ପାଳନ କରାଯାଇନଥିବାରୁ ଅଳ୍ପ ସମୟ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ,ସ୍ଥାନୀୟ ସରପଞ୍ଚ କୈଳାସ ଚନ୍ଦ୍ର ସାହୁ ଠିକାଦାର ସାଜିଛନ୍ତି ଆଉ ଏଭଳି ନିମ୍ନ ମାନର କାମ କରୁଛନ୍ତି,ଅନ୍ୟପଟେ କୌଣସି ବିଭାଗୀୟ ଅଧିକାରୀ କାର୍ଯ୍ୟସ୍ଥଳକୁ ଆସି କର୍ଯ୍ୟ ଉପରେ ତଦାରଖ କରୁନାହାନ୍ତି ବୋଲି ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି! ଆଗାମୀ ଦିନରେ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା!.
Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଜୟପାଟଣା

ସୋର ବ୍ଲକ ଠାରେ ସପ୍ତମ ସାଧାରଣ ସମିତି ବୈଠକ ଅନୁଷ୍ଠିତ
ବାଲେଶ୍ୱର : ସୋର ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ ବ୍ଲକ ଅଧ୍ୟକ୍ଷା ଅନୁସୂୟା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ମାଧବ ଧଡ଼ା, ବିଡ଼ିଓ ସୁବ୍ରତ ବେହେରା, ୪୫ନଂ. ଜୋନର ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, ୪୮ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟ ଜୟନ୍ତ କୁମାର ସ୍ୱାଇଁ, ଭଦ୍ରକ ଏମପିଙ୍କ ପ୍ରତିନିଧି ଦିପ୍ତିକାନ୍ତ ପଣ୍ଡା, ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ବୈଠକରେ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ବିକଶିତ ଗ୍ରାମ ବିକଶିତ ଓଡ଼ିଶା, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ମତ୍ସ୍ୟସମ୍ପଦ, ମିଶନ ଶକ୍ତି, କୃଷି, ଭତ୍ତା ଏବଂ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରାଯାଇଥିଲା। ଏହାକୁ ଭାରପ୍ରାପ୍ତ ଜିପିଓ ଅଭିଷେକ ପଣ୍ଡା ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର

୧୦ ଦଫା ଦାବି ପୂରଣ ପାଇଁ ଡାକ୍ତରଙ୍କ ଆନ୍ଦୋଳନ୍
ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ (ଓମସା) ଡାକ୍ତରମାନେ ୧୦ ଦଫା ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସୋସିଏଶନର ବାଲେଶ୍ୱର ଶାଖା ପକ୍ଷରୁ ଡାକ୍ତରମାନେ ବୁଧବାର କାର୍ଯ୍ୟବନ୍ଦ କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଧାରଣାରେ ବସିଥିଲେ। ଯୋଗ୍ୟତା ଚାରିଖସୁ କେନ୍ଦ୍ରୀୟ ବେତନ ଢାଞ୍ଚା ଅନୁଯାୟୀ ଡିଏସିପି ଲାଗୁ କରିବା, ଓଏମଏସଏସ ବେତନ ଢାଞ୍ଚା ସଂଶୋଧନ, ଅନ୍ୟ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ଭଳି ବିନା ସର୍ତ୍ତରେ ଲେଭଲ-୧୫ ଉଚ୍ଛେଦ କରିବା, ସମସ୍ତ ଗ୍ରେଡ୍ର ଆନୁପାତିକ କ୍ୟାଡର ପୁନର୍ଗଠନ ଆଦି ଦାବି ରହିଛି। ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ସଞ୍ଜୀବ ପ୍ରଧାନ, ଗିରିଜା ଦାସ, ସରୋଜ ରାଉତ, ବସନ୍ତ ଉପାଧ୍ୟାୟ, ଦିଲୀପ ପାତ୍ର, ଗିରିଜା ମହନ୍ତ, ଗୁରୁଦାସ ମହାପାତ୍ର, ସରୋଜିନୀ ପ୍ରଧାନ, ଜ୍ଞାନ ବେହେରା, ସୁଜିତ ମହାପାତ୍ର, ଧୀରେଶ ଷଡ଼ଙ୍ଗୀ ପ୍ରମୁଖ ଓମସା କ୍ୟାଡର ଡାକ୍ତରମାନେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦିଲୀପ ଜେନା କହିଛନ୍ତି, ଓମସାର ଡାକ୍ତରମାନେ କାର୍ଯ୍ୟ ବନ୍ଦ କରିବା ଯୋଗୁ ରୋଗୀସେବା ବାଧାପ୍ରାପ୍ତ ହେବା ସ୍ୱାଭାବିକ। ତଥାପି ଓମସାର ସଦସ୍ୟ ନ ଥିବା ଆୟୁଷ ଡାକ୍ତରମାନଙ୍କ ଦ୍ୱାରା ରୋଗୀସେବା ଯୋଗାଇ ଦିଆଯାଉଛି।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ବେପରୁଆ ଗାଡ଼ି ଚାଳନା ବଢ଼ାଉଛି ସଡ଼କ ଦୁର୍ଘଟଣା; ସୁରକ୍ଷିତ ଯାତ୍ରା ପାଇଁ ସଚେତନତା ଜରୁରୀ
ଭୁବନେଶ୍ୱର: ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନକୁ ଦିନ ସଡ଼କ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଛି। ବିଶେଷଜ୍ଞମାନଙ୍କ ମତରେ ବେପରୁଆ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଉଲ୍ଲଂଘନ ଏବଂ ଅସାବଧାନତା ଏହାର ପ୍ରମୁଖ କାରଣ। ଅଳ୍ପ ସମୟ ବଞ୍ଚାଇବା ଆଶାରେ ଅନେକ ଚାଳକ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ମଧ୍ୟରେ ହେଲମେଟ ଓ ସିଟ୍ ବେଲ୍ଟ ବ୍ୟବହାର ନ କରିବା, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ ବ୍ୟବହାର ଏବଂ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା ଅନ୍ତର୍ଭୁକ୍ତ। ଏହି ଅସାବଧାନତା ଯୋଗୁଁ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଥିବା ବେଳେ ଅନେକେ ଗୁରୁତର ଆହତ ହେଉଛନ୍ତି। ଟ୍ରାଫିକ ବିଶେଷଜ୍ଞ ଓ ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ବାରମ୍ବାର ଆହ୍ୱାନ କରାଯାଉଛି। ଆଇଏସଆଇ (ISI) ମାର୍କା ହେଲମେଟ ବ୍ୟବହାର, ସିଟ୍ ବେଲ୍ଟ ବାନ୍ଧିବା, ନିଜ ଲେନ୍ରେ ଗାଡ଼ି ଚଳାଇବା, ଟ୍ରାଫିକ ସିଗନାଲକୁ ସମ୍ମାନ ଦେବା ଏବଂ ଧୈର୍ଯ୍ୟର ସହ ଯାତ୍ରା କରିବା ଦ୍ୱାରା ଅନେକ ଦୁର୍ଘଟଣାକୁ ଏଡ଼ାଯାଇପାରିବ। "ଜୀବନ ଅମୂଲ୍ୟ। କିଛି ମିନିଟ୍ ସମୟ ବଞ୍ଚାଇବା ପାଇଁ ବେପରୁଆ ଗାଡ଼ି ଚଳାଇ ନିଜ ଓ ଅନ୍ୟର ଜୀବନକୁ ବିପଦରେ ପକାନ୍ତୁ ନାହିଁ।" ସଡ଼କ ସୁରକ୍ଷା କେବଳ ପୋଲିସର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଟ୍ରାଫିକ ନିୟମକୁ ସମ୍ମାନ ଦେଇ ଏବଂ ଦାୟିତ୍ୱବୋଧ ସହ ଗାଡ଼ି ଚଳାଇଲେ ହିଁ ସଡ଼କ ଦୁର୍ଘଟଣା କମିବ ଓ ସମସ୍ତଙ୍କ ଯାତ୍ରା ସୁରକ୍ଷିତ ହେବ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼

ବନ ମହୋତ୍ସବ ସପ୍ତାହ, ସାନଖେମୁଣ୍ଡି କୋର୍ଟ ପରିସରରେ ଚାରା ରୋପଣ କଲେ ମାଜିଷ୍ଟ୍ରେଟ
ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଆନୁକୁଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ସରୋନ ବସ୍ତିଆ ସାହାସପୁର ହାଟପଦା- ଜଲମରା ଗ୍ରାମ ରାସ୍ତା କଡ଼ରେ ନବନିର୍ମିତ କୋର୍ଟ କମ୍ପ୍ଲେକ୍ସ ପରିସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟଙ୍କ ସମେତ ସରକାରୀ ଓକିଲ ସୁରେଶ ଚନ୍ଦ୍ର ସାହୁ, ବିଜୟ କୁମାର ପ୍ରଧାନ, ସାନଖେମୁଣ୍ଡି ଓକିଲ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ଗୌଡ଼, ଆଇନଜୀବୀ ପ୍ରଶାନ୍ତ କୁମାର ଡାକୁଆ, ସାମାଜିକ କର୍ମୀ ପ୍ରସାଦ ଦୋରା ପ୍ରମୁଖ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରିଥିଲେ । ବନ ବିଭାଗ ପାଟପୁର ସେକ୍ସନ କାର୍ଯ୍ୟାଳୟ ଫରେଷ୍ଟର ସନ୍ତୋଷ କୁମାର ସାହୁ, ଫରେଷ୍ଟ ଗାର୍ଡ ଜି. ଦିଲ୍ଲୀପ, ଯମୁନା ଜାନି, ପାରା ସ୍କାର୍ଡ ସଦସ୍ୟ ପି.ଉଦୟ ଚନ୍ଦ୍ର ଦୋରା, ଅସୁଲୁ ସ୍ୱାଇଁ, କୋର୍ଟ କର୍ମଚାରୀ ମୁକ୍ତିକାନ୍ତ ବେହେରା, ପ୍ରଜ୍ଞାଲିମା ବାରିସଲ, ସୁଶ୍ରୀ କୃତାଞ୍ଜଳି ମଳିକ, ସନ୍ତୋଷ କୁମାର ରାଉତ, ବାସୁଦେବ ମହାଙ୍କୁଡ, ପ୍ରଫୁଲ୍ଲ ବେହେରା, ସମୀର ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ଅଟୋ ଓଲଟି ୭ ଜଣ ଆହତ: ପୋଲସରା ନିକଟରେ ଅଭାବନୀୟ ଘଟଣା
ପୋଲସରା: ପୋଲସରା ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଠାରେ ଏକ ଯାତ୍ରୀବାହୀ ଅଟୋ ରିକ୍ସା ଓଲଟି ପଡ଼ିବା ଫଳରେ ପ୍ରାୟ ୭ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ଜକର ଗ୍ରାମରୁ କିଛି ଲୋକ ଏକ ଅଟୋ ରିକ୍ସା ଯୋଗେ ପୋଲସରା ଅଭିମୁଖେ ବାହାରିଥିଲେ। ଯାତ୍ରା ସମୟରେ କଲମ୍ବ ଭାବିନି ପଡ଼ିଆ ନିକଟରେ ଅଟୋ ଚାଳକ ଜଣକ ହଠାତ୍ ଗାଡ଼ିର ଭାରସାମ୍ୟ ହରାଇ ବସିଥିଲେ। ଏହା ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟିବା ମାତ୍ରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ସହଯୋଗରେ ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପୋଲସରା ମେଡିକାଲକୁ ପଠାଯାଇଛି। ବର୍ତ୍ତମାନ ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଞ୍ଜନଗର

ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା
ଛତ୍ରପୁର :ଛତ୍ରପୁର ଶିକ୍ଷାଅଧିକାରୀ ଅଧୀନସ୍ତ ତେଲାପଲି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ରଥ ଦୀର୍ଘ ୧୭ ବର୍ଷ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ ସେ ସ୍କୁଲ କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ଯାହାକି ସେ ସ୍କୁଲ ସୁନାମ ଅର୍ଜନ କରିପାରିଥିଲା ତାଙ୍କରି ଆଦର୍ଶ ରେ ଅନୁପ୍ରାଣୀ ହୋଇ ବହୁ ଛାତ୍ର ଛାତ୍ରୀ ନିଯୁକ୍ତି ମଧ୍ୟ ପାଇଛନ୍ତି ସ୍କୁଲ ପରିବେଶ ମଧ୍ୟ ଏକ ସୁନ୍ଦର କରି ଗଡି ଉଠିଥିଲା ଯାହା ଆଜି ପୁରାତନ ଛାତ୍ର ଛାତ୍ରୀ ଓ ଗ୍ରାମବାସି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ହିନା ସେଠି ଓ ବହୁ ବୁଦ୍ଧି ଯିବି ଆଜି ପ୍ରଧାନ ଶିକ୍ଷକ ଙ୍କୁ ଅତି ଲୁହ ଭରା ଭାବବିହୁଳ ର ସହିତ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ
Ganjam (ଗଞ୍ଜାମ) • ରିପୋର୍ଟ : ପିତାମ୍ବର ମହାରଣା, ଛତ୍ରପୁର

ଆନ୍ଦୋଳନରେ ଡାକ୍ତର, ହନ୍ତସନ୍ତ ରୋଗୀ; ସାରାରାଜ୍ୟରେ ପ୍ରଭାବିତ ହୋଇଛି ରୋଗୀ ସେବା
ଡାକ୍ତର ଆନ୍ଦୋଳନ ଯୋଗୁଁ ସାରାରାଜ୍ୟରେ ପ୍ରଭାବିତ ହୋଇଛି ରୋଗୀ ସେବା । ରାଜ୍ୟର ପ୍ରାୟ ସବୁ ହସ୍ପିଟାଲରେ ଓପିଡି ସେବା, ଜରୁରୀକାଳୀନ ରୋଗୀ ସେବା, ଆଭ୍ୟନ୍ତରୀଣ ରୋଗୀ ସେବା ଠପ୍ । ଡାକ୍ତର ଆନ୍ଦୋଳନରେ ଥିବାରୁ ସବୁଠି ଦେଖିବାକୁ ମିଳିଥିଲା ରୋଗୀଙ୍କ ଲମ୍ବା ଧାଡ଼ି । ଡାକ୍ତର ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ରୋଗୀ ସେବା । କେଉଁଠି ଆୟୁଷ ଡାକ୍ତର ରୋଗୀକୁ ଦେଖିଛନ୍ତି ତ ଆଉ କେଉଁଠି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି ରୋଗୀ । ସେହିପରି ଭିନ୍ନକ୍ଷମ ଯାଂଚ ପରୀକ୍ଷା ପାଇଁ ଆସିଥବା ଦିବ୍ୟାଙ୍ଗମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରଭାବିତ ହୋଇଛି ରୋଗୀ ସେବା । ରାଜ୍ୟର ପ୍ରାୟ ସବୁ ହସ୍ପିଟାଲରେ ଓପିଡି ସେବା, ଜରୁରୀକାଳୀନ ରୋଗୀ ସେବା, ଆଭ୍ୟନ୍ତରୀଣ ରୋଗୀ ସେବା ଠପ୍ । ଡାକ୍ତର ଆନ୍ଦୋଳନରେ ଥିବାରୁ ସବୁଠି ଦେଖିବାକୁ ମିଳିଥିଲା ରୋଗୀଙ୍କ ଲମ୍ବା ଧାଡ଼ି । ଉପକୂଳରୁ ଉପାନ୍ତ ଚାରିଆଡେ ଘଣ୍ଟା ଘଣ୍ଟା ଧରି ଗୁରୁତର ରୋଗୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଧାଡ଼ିରେ ଛିଡା ହୋଇ ହୋଇ ନୟାନ୍ତ ହୋଇଥିଲେ ବି ଶୁଣିବାକୁ କେହି ନଥିଲେ । କିଛି ରୋଗୀଙ୍କୁ ଆୟୁଷ ଡାକ୍ତର ଦେଖିଥିବାବେଳେ ଆଉ କିଛି ଭଗବାନ ଭରସାରେ ଫେରିଛନ୍ତି । ଜାତୀୟ ଡାକ୍ତର ଦିବସରେ କର୍ତ୍ତବ୍ୟକୁ ଭୁଲିଗଲେ ଡାକ୍ତର; ଏସମା କଟକଣା ବଳବତ୍ତର ସତ୍ତ୍ୱେ ରାଜ୍ୟବ୍ୟାପି କଲେ ଆନ୍ଦୋଳନ ଖାଲି ରୋଗୀ ନୁହଁନ୍ତି ହସ୍ପିଟାଲକୁ ଅତି ଜରୁରୀ କାର୍ଯ୍ୟରେ ଆସିଥିବା ଭିନ୍ନକ୍ଷମ ବି ହଟହଟା ହୋଇଛନ୍ତି । କିଏ ୧୫୦ କିଲୋମିଟରରୁ ଆସିଛି ତ ଆଉ କିଏ ୨୫୦ କିଲୋମିଟରରୁ ଆସିଛି । କିଏ ଗୁରୁଣ୍ଡି ଗୁରୁଣ୍ଡି ଆସିଛି ତ, ଆଉ କିଏ ବାଉଁଶ ବାଡ଼ି ର ସହାୟତାରେ ଛୋଟେଇ ଛୋଟେଇ ଆସିଛି । ଏହିଭଳି ୧୦୦ ରୁ ଅଧିକ ଭିନ୍ନକ୍ଷମ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ନାହିଁନଥିବା ଅସୁବିଧାର ଶିକାର ହୋଇଛନ୍ତି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ପରିବାର ଲୋକ ବହୁ କଷ୍ଟରେ ଏହି ଭିନ୍ନକ୍ଷମ ମାନଙ୍କୁ ନେଇକି ଆସିଥିଲେ ଭିନକ୍ଷମ ସାର୍ଟିଫିକେଟର ଯାଞ୍ଚ ପରୀକ୍ଷା ପାଇଁ । ହେଲେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ସେମାନଙ୍କର ହୋଇପାରିନି ଯାଞ୍ଚ । ଡାକ୍ତର ଜିଦରେ ଅଟଳ ଥିବାରୁ, ଆଗକୁ ଏହି ଆନ୍ଦୋଳନ ଜାରି ରହିଲେ, ସ୍ଥିତି ଭୟଙ୍କର ହୋଇପାରେ ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ସ୍କୁଲ ସମ୍ମୁଖରେ ମଦ ଦୋକାନ: ସରକାରୀ ନିୟମକୁ ବେଖାତିର, ଜନ ଅସନ୍ତୋଷ
ବ୍ରହ୍ମପୁର:ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ସ୍କୁଲ ସମ୍ମୁଖରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ପାତପୁର ଅଞ୍ଚଳରେ ସମସ୍ତ ସରକାରୀ ନିୟମାବଳୀ ଓ କଟକଣାକୁ ଉଲ୍ଲଂଘନ କରି ସ୍ୱେଚ୍ଛାଚାରୀ ଭାବେ ଏହି ମଦ ଦୋକାନ ଖୋଲାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ତରଫରୁ ସ୍କୁଲ ଆଗରୁ ମଦ ଦୋକାନ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ନିୟମ ଅନୁଯାୟୀ ଶିକ୍ଷାନୁଷ୍ଠାନ କିମ୍ବା ଧାର୍ମିକ ସ୍ଥଳୀ ନିକଟରେ ମଦ ଦୋକାନ ରହିବା ବେଆଇନ। ମାତ୍ର ଏଠାରେ ମଦ ଦୋକାନ ସମ୍ମୁଖରେ ହିଁ ଏକ ପ୍ରାଥମିକ ବିଦ୍ୟାଳୟ (ୟୁ.ପି. ସ୍କୁଲ), ବ୍ୟାଙ୍କ ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସ ରହିଛି। କେବଳ ସେତିକି ନୁହେଁ, ଏହି ଦୋକାନର ମାତ୍ର ୫୦୦ ମିଟର ପରିଧି ମଧ୍ୟରେ ଆହୁରି ଦୁଇଟି କଲେଜ, ମୁଖ୍ୟ ହସ୍ପିଟାଲ ଏବଂ ଏକ ପେଟ୍ରୋଲ ପମ୍ପ ମଧ୍ୟ ରହିଛି। ଅବକାରୀ ବିଭାଗ ସବୁ ଜାଣିଶୁଣି କେଉଁ ଆଧାରରେ ଏଠାରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଲା, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଦ ଦୋକାନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ରାସ୍ତା ଉପରେ ଲୋକେ ମଦ ପିଇ ଗଣ୍ଡଗୋଳ କରୁଥିବା ବେଳେ ପୋଲିସ ଅନେକ ସମୟରେ ଚଢ଼ାଉ କରି କେବଳ ବାଧ୍ୟବାଧ୍ୟକତାରେ କିଛି ଲୋକଙ୍କୁ ତାଗିଦ୍ କରି ଛାଡ଼ି ଦେଉଛି। ମାତ୍ର ମଦ ଦୋକାନର ସ୍ଥାୟୀ ସମାଧାନ କିମ୍ବା ଏହାକୁ ସେଠାରୁ ହଟାଇବା ଦିଗରେ କୌଣସି ଆନ୍ତରିକତା ପ୍ରକାଶ ପାଉନାହିଁ। ସରକାରୀ ନିୟମକୁ ବେଖାତିର କରି କେବଳ ରାଜସ୍ୱ ଆଦାୟ ଆଳରେ କୋମଳମତି ଶିଶୁ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି। ରାଜସ୍ୱ ନାମରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେବା ସାଧାରଣ ଜନତାଙ୍କୁ ଅତିଷ୍ଠ କରିସାରିଲାଣି। ଯଦି ଅତିଶୀଘ୍ର ଏହି ମଦ ଦୋକାନକୁ ସେଠାରୁ ଉଚ୍ଛେଦ କରାାନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ଓ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ତାଳଚେର କୋଇଲା କ୍ଷେତ୍ରର ନୂତନ ସିଜିଏମ୍ ଭାବେ ଅଜୟ କୁମାର ସିଂହଙ୍କ ଦାୟିତ୍ୱ ଗ୍ରହଣ
ତାଳଚେର: କୋଲ୍ ମାଇନ୍ର ମୁଖ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଧଳ ଅବସର ଗ୍ରହଣ କରିବା ପରେ ନୂତନ ସିଜିଏମ୍ (CGM) ଭାବେ ଶ୍ରୀଯୁକ୍ତ ଅଜୟ କୁମାର ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସିଂହ କହିଛନ୍ତି ଯେ, ତାଳଚେର କୋଲ୍ ମାଇନ୍ର ବିଭିନ୍ନ ଖଣି ଓ କାର୍ଯ୍ୟକ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମୀକ୍ଷା କରାଯିବ। ସମସ୍ତ ସମସ୍ୟାର ପର୍ଯ୍ୟାୟକ୍ରମେ ସମାଧାନ କରିବା ସହ କୋଇଲା ଉତ୍ପାଦନ, କାର୍ଯ୍ୟଦକ୍ଷତା ଓ ଶ୍ରମିକ କଲ୍ୟାଣକୁ ପ୍ରାଥମିକତା ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ନୂତନ ସିଜିଏମ୍ଙ୍କ ଏହି ପ୍ରତିଶ୍ରୁତିକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳରେ ଆଶାର ସଞ୍ଚାର ହୋଇଛି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆଳି, ଯେମିତି ଜନ୍ମ ଥିଲେ ମୃତ୍ୟୁ ଅଛି ସେମିତି ଚାକିରୀ ଥିଲେ ଅବସର ଅଛି l ଆଳି ବ୍ଲକ୍ ଅନ୍ତର୍ଗତ ମହାଦେଇପାଟଣା ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସଚନ୍ଦ୍ର ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବତନ ପ୍ରଧାନଶିକ୍ଷକ ଗୌରାଙ୍ଗଚରଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଶିକ୍ଷାଧିକାରୀ ଗୋବିନ୍ଦଚନ୍ଦ୍ର ପରିଡ଼ା, ମୁଖ୍ୟବକ୍ତା ଭାବେ କବି ସଚ୍ଚିତ୍ର ବେହୁରା, ସମ୍ମାନିତ ଅତିଥି ଭାବେ କବି ନୃସିଂହଚରଣ ରାଉତ, ଶିକ୍ଷାବିତ୍ ସୁରେଶଚନ୍ଦ୍ର ଜେନା, ପୂର୍ବତନ ପ୍ରଧାନଶିକ୍ଷକ ବିଷ୍ଟଚରଣ ବିଷ୍ଣୁଚରଣ ଦାଶ, ମନୋରଞ୍ଜନ ସ୍ଵାଇଁ, ଅଶୋକ ମହାପାତ୍ର, ପଙ୍କଜ ପାଣ୍ଡବ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ କୈଳାସଚନ୍ଦ୍ର ସାହୁଙ୍କ ସମୟାନୁବର୍ଷିତା, ଛାତ୍ରବତ୍ସଳତା ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟ ସମ୍ପର୍କରେ ଅବତାରଣା କରିଥିଲେ | ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଶ୍ରୀ ସାହୁଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଦିଆଯାଇ ସମ୍ବନ୍ଧିତ କରାଯାଇଥିଲା | ଶିକ୍ଷକମାନଙ୍କ ପକ୍ଷରୁ ବିଜୟ ପରିଡ଼ା, ମନୋଜ ସାହୁ ଉତ୍ସବ ପରିଚାଳନା ଓ ସମୀର ନାୟକ ସଭା ସଞ୍ଚାଳନ କରିଥିଲେ | କୁଳମଣି ସାହୁ ଧନ୍ୟବାଦ ଦେଇଥିଲେ | ଉତ୍ସବରେ ପରିଚାଳନା କମିଟି ସଦସ୍ୟଙ୍କ ସହ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ -ଦିଲ୍ଲୀପ ପରିଡା, ଆଳି

ସ୍ରିଷ୍ଟି ନିୟୁଜ୍ର ଖବର ପ୍ରସାରଣର ପ୍ରଭାବ: ଦ୍ରୁତ ଗତିରେ ଆରମ୍ଭ ହେଲା ମେଘା ପାଣି ପ୍ରକଳ୍ପର କାମ
ଛତ୍ରପୁର: ଛତ୍ରପୁର ଓ ରଙ୍ଗେଇଲୁଣା ବ୍ଲକ ପାଇଁ ଉଦ୍ଦିଷ୍ଟ ମେଘା ପାଣି ପ୍ରକଳ୍ପର କାମ ଦୀର୍ଘଦିନ ଧରି ଅଟକି ରହିଥିଲା। ଏହି ସମସ୍ୟାକୁ ସ୍ରିଷ୍ଟି ନିୟୁଜ୍ ପ୍ରମୁଖତାର ସହ ପ୍ରସାରଣ କରିବା ପରେ ପ୍ରଶାସନ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଖବର ପ୍ରସାରଣ ପରେ ଗତ ଦୁଇ ଦିନ ଧରି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଦୀର୍ଘଦିନର ଅବହେଳା ପରେ କାମ ଆରମ୍ଭ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ସ୍ରିଷ୍ଟି ନିୟୁଜ୍ ର ଜନସ୍ୱାର୍ଥମୂଳକ ସାମ୍ବାଦିକତାକୁ ପ୍ରଶଂସା କରିବା ସହ ପ୍ରକଳ୍ପଟି ଶୀଘ୍ର ସମ୍ପୂର୍ଣ୍ଣ କରି ପାନୀୟ ଜଳ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ : ପିତାମ୍ବର ମହାରଣା, ଛତ୍ରପୁର
