--:--:--
-- ---
Srishti News

Web News

ପୂର୍ବତନ ଫୁଟବଲରଙ୍କୁ ସମ୍ମାନ, MMFCର ଚାମ୍ପିୟନ୍ ଅଭିଯାନର ସଫଳ ପରିସମାପ୍ତି
Jun 10, 2026180 views

ପୂର୍ବତନ ଫୁଟବଲରଙ୍କୁ ସମ୍ମାନ, MMFCର ଚାମ୍ପିୟନ୍ ଅଭିଯାନର ସଫଳ ପରିସମାପ୍ତି

ସିନାପାଲି ଅଞ୍ଚଳରେ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ କ୍ରୀଡ଼ା ଉନ୍ମାଦନା ସୃଷ୍ଟି କରିଥିବା ୨ୟ MMFC ଫ୍ଲଡ୍ ଲାଇଟ୍ ଫୁଟସାଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ମଙ୍ଗଳବାର ସନ୍ଧ୍ୟାରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ, ସିନାପାଲିରେ ଅନୁଷ୍ଠିତ ହୋଇଥିଲା । MMFC ସିନାପାଲି ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ରେ MMFC ସିନାପାଲି ଓ ଭେଲ୍ଲା ଦଳ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା । ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିବା ବେଳେ ମ୍ୟାଚ୍‌ଟି ଅତ୍ୟନ୍ତ ରୋମାଞ୍ଚକର ହୋଇଉଠିଥିଲା । ଦ୍ବିତୀୟ ହାଫରେ MMFC ସିନାପାଲି ୧-୦ ଗୋଲରେ ଭେଲ୍ଲାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ୍ ମୁକୁଟ ହାସଲ କରିଥିଲା । ବିଜେତା ଦଳକୁ ୭,୦୦୦ ଟଙ୍କା ନଗଦ ରାଶି ସହ ଟ୍ରଫି ଏବଂ ରନର୍ସଅପ୍ ଭେଲ୍ଲା ଦଳକୁ ୫,୦୦୦ ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ବିକାଶ ପାଇଁ ଏପରି ଆୟୋଜନର ଭୂମିକାକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ସୁବ୍ରତ ଠାକୁର, ମୀନା ଘିଭେଲା, ବ୍ଲକ ଉପାଧ୍ୟାକ୍ଷା, ମନୀଷ କୁମାର ପଟେଲ, ସମିତି ସଭ୍ୟ, ଏବିଡିଓ ସୁବ୍ରତ କୁମାର ବେହେରା, ଅରିଗଞ୍ଜନ ଯୋଶୀ, ଘଣ୍ଟିଗୁଡ଼ା ସରପଞ୍ଚ ଖୁଟୁରାମ ସୁନାନୀ, ଚଟିଆଗୁଡ଼ା ସରପଞ୍ଚ ପ୍ରତିନିଧି ସଞ୍ଜୀବ ପାତ୍ର, ସୁପୁଚ୍ଛା ମାଉଲି ପାଣିଗ୍ରାହୀ ଓ ଶରତ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗ୍ରାଣ୍ଡ ଫାଇନାଲ୍ ଅବସରରେ ସିନାପାଲି ଅଞ୍ଚଳର ୧୦ ଜଣ ପୂର୍ବତନ ଫୁଟବଲ୍ ଖେଳାଳିଙ୍କୁ ସେମାନଙ୍କ କ୍ରୀଡ଼ା ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା, ଯାହା କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ପାଲଟିଥିଲା । ବ୍ୟକ୍ତିଗତ ପୁରସ୍କାର ବିଭାଗରେ ଶଙ୍କର ସୁନା “ମ୍ୟାନ୍ ଅଫ୍ ଦ ସିରିଜ୍”, “ମ୍ୟାନ୍ ଅଫ୍ ଦ ଫାଇନାଲ୍” ଏବଂ “ବେଷ୍ଟ ସ୍କୋରର୍” ଭାବେ ତିନୋଟି ସମ୍ମାନ ହାସଲ କରିଥିଲେ । ଭେଲ୍ଲା ଦଳ “ବେଷ୍ଟ ଡିସିପ୍ଲିନ୍ ଟିମ୍” ସମ୍ମାନ ପାଇଥିବା ବେଳେ ଭେଲ୍ଲାର ଯୁବ ଖେଳାଳି ପ୍ରଦ୍ୟୁମ୍ନ “ଏମର୍ଜିଙ୍ଗ ପ୍ଲେୟର୍” ପୁରସ୍କାର ଅର୍ଜନ କରିଥିଲେ । ମ୍ୟାଚ୍‌କୁ ରିକୁ ମାଝୀ, ଚନ୍ଦ୍ର ମାଝୀ, ବିହାରୀଲାଲ ମସରା ଓ ସୁମନ ମାଝୀ ପରିଚାଳନା କରିଥିବା ବେଳେ ଜାତୀୟ ସ୍ତରୀୟ ଭାଷ୍ୟକାର ପ୍ରକାଶ ଚନ୍ଦ୍ର ପାତ୍ର ଓ ଭାସ୍କର ମାଝୀ ଆକର୍ଷଣୀୟ ଧାରାବିବରଣୀ ପ୍ରଦାନ କରିଥିଲେ । ଫାଇନାଲ୍ ମ୍ୟାଚ୍‌ର ସିଧା ପ୍ରସାରଣ ଏସ୍‌ଡି ବ୍ରଡକାଷ୍ଟ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ କରାଯାଇଥିଲା, ଯାହାକୁ ଅନଲାଇନରେ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ଫ୍ଲଡ୍ ଲାଇଟ୍ ଫୁଟସାଲ୍ ଟୁର୍ଣ୍ଣାମେଣ୍ଟ ସିନାପାଲି ଅଞ୍ଚଳରେ କ୍ରୀଡ଼ା ପ୍ରତିଭା ବିକାଶ, ଯୁବପିଢ଼ୀଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଏବଂ ଭାଇଚାରାର ବାର୍ତ୍ତା ପ୍ରସାର କରିବାରେ ସଫଳ ହୋଇଛି ।

Nuapada (ନୂଆପଡ଼ା)ରିପୋର୍ଟର: ମଳୟ ମେହେର, ସିନାପାଲି

ଜିଓ ଟାୱାରରୁ ତମ୍ବା ତାର ଚୋରି ଉଦ୍ୟମ ପଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ୫୪ କେଜି ତମ୍ବା ତାର ଜବତ
Jun 9, 2026151 views

ଜିଓ ଟାୱାରରୁ ତମ୍ବା ତାର ଚୋରି ଉଦ୍ୟମ ପଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ୫୪ କେଜି ତମ୍ବା ତାର ଜବତ

ନୂଆପଡ଼ା ଜିଲ୍ଲାରେ ଟେଲିକମ୍ ଭିତ୍ତିଭୂମିକୁ ଟାର୍ଗେଟ୍ କରି ଚାଲିଥିବା ଚୋରି ଘଟଣା ବିରୋଧରେ ପୋଲିସକୁ ବଡ଼ ସଫଳତା ମିଳିଛି । ଦେଦେଇ ଗ୍ରାମ ନିକଟସ୍ଥ ଜିଓ ଟାୱାରରୁ ତାମ୍ବା ତାର ଚୋରି ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବହୁ ଚୋରି ସାମଗ୍ରୀ ଜବତ କରିଛି ନୂଆପଡ଼ା ପୋଲିସ । ପୋଲିସ ସୂତ୍ରରୁ ପ୍ରକାଶ, ଗତ ୭ ଜୁନ୍ ଭୋର ପ୍ରାୟ ୨ଟା ସମୟରେ ଦେଦେଇ ଗ୍ରାମ ନିକଟରେ ଥିବା ଜିଓ ଟାୱାରରେ ଚୋରି ଉଦ୍ୟମ ସମ୍ପର୍କରେ ବିଶ୍ୱସ୍ତ ସୂଚନା ମିଳିଥିଲା । ସୂଚନା ପାଇବା ମାତ୍ରେ ନୂଆପଡ଼ା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଟାୱାରର ଟେକ୍ନିସିଆନ୍ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ । ପରବର୍ତ୍ତୀ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଟାୱାରର ଜେନେରେଟରକୁ ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରାଯାଇଥିଲା । ଫେରାର ସମୟରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଏକ ମୋଟରସାଇକେଲ, ଗାମୁଛା, ସ୍ପାନର, ସ୍କ୍ରୁ ଡ୍ରାଇଭର, ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ଛାଡ଼ି ପଳାଇଥିଲେ । ପୋଲିସ ସେଗୁଡ଼ିକୁ ଜବତ କରି ବୈଷୟିକ ତଦନ୍ତ ଓ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିଥିଲା । ତଦନ୍ତରୁ ମିଳିଥିବା ସୂତ୍ର ଆଧାରରେ କୋମନା ପୋଲିସର ସହଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୫୪ କେଜି ତାମ୍ବା ତାର, ଏକ ସ୍କାଇ ବ୍ଲୁ ରଙ୍ଗର ଭିଭୋ ଭି୪୦ ମୋବାଇଲ ଫୋନ୍ ଏବଂ ଚୋରିରେ ବ୍ୟବହୃତ ଏକ ଧୂସର ରଙ୍ଗର ୟାମାହା FZS ମୋଟରସାଇକେଲ (ନମ୍ବର- OD-03-AE-5171) ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଘାଗରା ଗ୍ରାମର ଜାଦୁ ରୋହିଦାସ (୨୪) ଏବଂ ଚନ୍ଦା ମାଝୀ (୧୯)। ପୋଲିସ ରେକର୍ଡ ଅନୁଯାୟୀ, ଉଭୟଙ୍କ ବିରୋଧରେ ପୂର୍ବରୁ ଜୋଙ୍କ ଓ ଲାଠୋର ଥାନାରେ ଅପରାଧିକ ମାମଲା ରହିଛି । ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ଏବଂ ଅନ୍ୟ ସମାନ ଚୋରି ଘଟଣା ସହ ସେମାନଙ୍କର ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଟେଲିକମ୍ ଭିତ୍ତିଭୂମି ଉପରେ ଆକ୍ରମଣକୁ ଗୁରୁତର ଭାବେ ନେଇ ନୂଆପଡ଼ା ପୋଲିସର ଏହି ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Nuapada (ନୂଆପଡ଼ା)ରିପୋର୍ଟର: ମଳୟ ମେହେର

ସାଇକେଲରେ ସ୍ୱାସ୍ଥ୍ୟର ସନ୍ଦେଶ, ପ୍ରକୃତି ପାଇଁ ସମର୍ପଣ: ବିଶ୍ୱ ସାଇକେଲ ଦିବସରେ ସିନାପାଲି ବନ ବିଭାଗର ବାର୍ତ୍ତା
Jun 7, 2026149 views

ସାଇକେଲରେ ସ୍ୱାସ୍ଥ୍ୟର ସନ୍ଦେଶ, ପ୍ରକୃତି ପାଇଁ ସମର୍ପଣ: ବିଶ୍ୱ ସାଇକେଲ ଦିବସରେ ସିନାପାଲି ବନ ବିଭାଗର ବାର୍ତ୍ତା

ସିନାପାଲି, ସ୍ୱାସ୍ଥ୍ୟ, ପରିବେଶ ଓ ସବୁଜ ଭବିଷ୍ୟତର ସନ୍ଦେଶ ନେଇ ଆଜି ସକାଳ ୬ଟାରୁ ସିନାପାଲି ବନାଞ୍ଚଳରେ ବିଶ୍ୱ ସାଇକେଲ ଦିବସ-୨୦୨୬ ଓ “ସଣ୍ଡେଜ୍ ଅନ୍ ସାଇକେଲ” କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଫିଟ୍ ଇଣ୍ଡିଆ ଆନ୍ଦୋଳନ ଅନ୍ତର୍ଗତ ଆୟୋଜିତ ଏହି ସଚେତନତାମୂଳକ ସାଇକେଲ ରାଲିରେ ବନ ବିଭାଗର ଅଧିକାରୀ, କର୍ମଚାରୀ ଓ ବନ୍ୟପ୍ରାଣୀ ସୁରକ୍ଷା କର୍ମୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରଚାର କରିଥିଲେ । ସିନାପାଲି ବନ ପରିସର ଅଧିକାରୀ କାମେଶ୍ୱର ତାଣ୍ଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନପାଳ କନ୍ଦର୍ପ ସୁନାନୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଚୁଡ଼ାନାଥ ସରାଫ, ସମୀରକାନ୍ତ ଠାକୁର, ରାମ ରଞ୍ଜନ ରାଉତ ଓ ରଞ୍ଜନ କୁମାର ସାହୁଙ୍କ ସମେତ ସମସ୍ତ ଫରେଷ୍ଟ ଗାର୍ଡ, ପାରା ଷ୍ଟାଫ୍ ଏବଂ ୱାଇଲ୍ଡଲାଇଫ୍ ଷ୍ଟାଫ୍ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସାଇକେଲ ରାଲି ମାଧ୍ୟମରେ “ରାଇଡ୍ ଗ୍ରୀନ୍, ବ୍ରିଦ୍ କ୍ଲିନ୍, ଲିଭ୍ ହେଲ୍ଥି” ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ପ୍ରଦୂଷଣମୁକ୍ତ ପରିବେଶ ଗଠନ, ଇନ୍ଧନ ସଞ୍ଚୟ, ଶାରୀରିକ ସୁସ୍ଥତା ଓ ବନ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା । ଅଂଶଗ୍ରହଣକାରୀମାନେ ସାଇକେଲ ଚଳାଇବାକୁ କେବଳ ଏକ ଯାତାୟାତ ମାଧ୍ୟମ ନୁହେଁ, ବରଂ ପ୍ରକୃତି ସହ ଯୋଡ଼ି ରହିବାର ଏକ ସୁନ୍ଦର ଉପାୟ ବୋଲି ମତ ପ୍ରକାଶ କରିଥିଲେ । ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ସାଇକେଲ ଯାତ୍ରା କାର୍ବନ ନିର୍ଗମନ କମାଇବା ସହ ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ଓ ସବୁଜ ପୃଥିବୀ ଗଢ଼ିବାରେ ସହାୟକ ହୁଏ । ଆଜିର ବ୍ୟସ୍ତ ଜୀବନରେ ସାଇକେଲ ଅଭ୍ୟାସ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ମନକୁ ମଧ୍ୟ ପ୍ରଫୁଲ୍ଲିତ କରେ । ବିଶ୍ୱ ସାଇକେଲ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରେମ, ସ୍ୱାସ୍ଥ୍ୟ ସଚେତନତା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଥିବା ଦେଖାଯାଇଛି ।

Nuapada (ନୂଆପଡ଼ା)ରିପୋର୍ଟର: ମଳୟ ମେହେର

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ
Jun 7, 2026109 views

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରତିଷ୍ଠିତ ଜୟଦେବ ଭବନଠାରେ ଆଜି ‘ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ’ର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଉତ୍ସବ ପାଳନ କୁ ନେଇ ଏକ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଗଣମାଧ୍ୟମ ସାମ୍ବାଦିକ ଙ୍କ ସୁରକ୍ଷା, ଅଧିକାର ଏବଂ ସାମ୍ବାଦିକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ଏହି ଅଗ୍ରଣୀ ସଂଗଠନର ରାଜ୍ୟ ସ୍ତରୀୟ ବୈଠକରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୭୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ​ଏହି ବୈଠକ ସଂଘର ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକର ସମସ୍ତ କାର୍ଯ୍ୟସୂଚୀକୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର ଅତି ସୁଚାରୁରୂପେ ପରିଚାଳନା କରିଥିଲେ। ​ସଂଗଠନ ର ବରିଷ୍ଠ କାର୍ଯ୍ୟ କର୍ତ୍ତା ସୂର୍ଯ୍ୟକାନ୍ତ ସିଂ, ମୀରା ବାଇ ଦେଓ, ନିରଞ୍ଜନ ପାଣି, ଗୌରାଙ୍ଗ ଚରଣ ମହି, ଚନ୍ଦନା ଦାସ, ସଂଗ୍ରାମଜୀତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜର ବହୁମୂଲ୍ୟ ମତାମତ ଦେଇଥିଲେ l ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଡିଜିଟାଲ ମିଡ଼ିଆ ଆକ୍ଟିଭିଷ୍ଟ ମାନଙ୍କୁ ସଂଘ ସହ ଯୋଡ଼ିବା ପାଇଁ ନୂତନ ସଭ୍ୟ ସଂଗ୍ରହ ଅଭିଯାନର ରୂପରେଖ ପ୍ରସ୍ତୁତି କରାଯାଇ ଥିଲା। ଆଗାମୀ ଦିନରେ ପ୍ରତିଭାବାନ ଓ ନିର୍ଭୀକ ଡିଜିଟାଲ ସାମ୍ବାଦିକମାନଙ୍କୁ ପୁରସ୍କୃତ କରିବା ପାଇଁ ତଥା ବିଭିନ୍ନ କ୍ଷେତ୍ରରେ ସମାଜ ର ଆଗଧାଡିରେ କାର୍ଯ୍ୟରତ ସାମାଜିକ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ମାନିତ କରିବା ପାଇଁ ଓଡିଶା ଆଇକନିକ ଆୱାର୍ଡ ଯୋଜନାର ପ୍ରଚଳନ ପାଇଁ ଏକ ବିସ୍ତୃତ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇ ଥିଲା । ମାନ୍ୟବର ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥୀ ଙ୍କ ଅନୁମୋଦନ କ୍ରମେ ଓଡିଶା ର ଆଉ ଚାରିଟି ଜିଲ୍ଲାରେ ଜିଲ୍ଲା ସଂଯୋଜକ ନିଯୁକ୍ତି କରାଗଲା l ବାଲେଶ୍ୱର ରେ ସମୀର କୁମାର ସାହୁ, ଭଦ୍ରକ ରେ କାଁହୁ ଚରଣ ଜେନା, ବରଗଡ଼ ରେ ମୁନ୍ନା ସାହୁ ଓ ଗଜପତି ରେ ଲଷ୍ମୀ ନାରାୟଣ ଆଚାର୍ଯ୍ୟଙ୍କୁ ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତି ଦିଆ ଯାଇଥିବା ମହାସଙ୍ଘ ତରଫରୁ କୁହା ଯାଇଛି l ​ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଘର ସଦସ୍ୟ ଓ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଡିଜିଟାଲ ମିଡ଼ିଆର ସୁରକ୍ଷା ଓ ଅଧିକାର ପାଇଁ ଏକତା ଅପରିହାର୍ଯ୍ୟ ବୋଲି ସମସ୍ତେ ମତପ୍ରକାଶ କରିବା ସହ ଆଗାମୀ ଦିନରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘକୁ ଆହୁରି ଅଧିକ ଶକ୍ତିଶାଳୀ ଓ ସୁଦୃଢ଼ କରିବା ପାଇଁ ସମସ୍ତେ ସମବେତ ଭାବେ ବଜ୍ର ଶପଥ ନେଇଥିଲେ।

Khordha (ଖୋର୍ଦ୍ଧା)ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱର

ସିହିନୀ ଠାରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ
Jun 7, 2026230 views

ସିହିନୀ ଠାରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ଼ : ଦ୍ଵିତୀୟ ପ୍ରଜାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଟିଟିଲାଗଡ ବ୍ଲକ ସିହିନି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ,ଏବଂ ବିଶେଷ ଅତିଥି ଭାବେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରବୀର କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଗୀତା ବିଶି, ସ୍ଥାନୀୟ ସରପଞ୍ଚ ଶ୍ରୀ ବୀରବର ସାହୁ,ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଜଗତରାମ ରଣା, ଏ ବି ଇ ଓ ଶ୍ରୀ ତ୍ରିଲୋଚନ ମାଝୀ,ପ୍ରଧାନ ଶିକ୍ଷୟତ୍ରୀ ସରିତା ବରିହା, ସି ଆର୍ ସି ସି ବାବଲୁ ଜାଲ, ପରିଚାଳନା କମିଟି ସଭାପତି ଶ୍ରୀ ନେପାଳ ଚନ୍ଦନ ମଞ୍ଚାସିନ ଥିଲେ। କିଶୋର ବନଛୋର , ପଦ୍ମ ମାଝୀ, ଅରୁଣ ପଟ୍ଟନାୟକ, ମୀନକେତନ ନନ୍ଦ, ଆଦିତ୍ୟ ସାହୁ, ରଜତ ଛତର, ଝରଣା ପାଣ୍ଡେ, ଘନଶ୍ୟାମ ପଧାନ, ସୁଶାନ୍ତ ମାଝୀ, ରୋମା ସୁନା ଓ ଅନ୍ୟାନ୍ୟ ସହଯୋଗ କରିଥିଲେ। ମୀନକେତନ ନନ୍ଦ ମଞ୍ଚ ପରିଚାଳନା କରୁଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଉଦେପୁର, କୁମୁଡ଼ା, କେଣ୍ଡୁମୁଣ୍ଡି, ଚିତାଲୋଲ, ବଛାଯୁଝା ଗ୍ରାମରୁ ମଧ୍ୟ ଅନେକ ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ସି ଆର୍ ସି ସି ଗୌରୀ ମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭାକାର୍ଯ୍ୟ ଶେଷ କରିଥିଲେ l

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ ପଲିଟିକାଲ ଖଟି

ବିଜୁ ଏକ୍ସପ୍ରେସ ୱେ ଜରାଜୀର୍ଣ୍ଣ ରାସ୍ତାର ଆଉ ଏକ ବଳି: ଜଣେ ମୃତ, ୩ ଗୁରୁତର
Jun 7, 2026192 views

ବିଜୁ ଏକ୍ସପ୍ରେସ ୱେ ଜରାଜୀର୍ଣ୍ଣ ରାସ୍ତାର ଆଉ ଏକ ବଳି: ଜଣେ ମୃତ, ୩ ଗୁରୁତର

ସିନାପାଲି: ବୋଡ଼େନ, ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଲଧାମାଳ ନିକଟ ବିଜୁ ଏକ୍ସପ୍ରେସ ୱେରେ ଶନିବାର ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଜୀବନ ନେଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ତମ୍ବାଛଡ଼ା ଗ୍ରାମର ତପନ ପାତ୍ର । ସୂଚନା ଅନୁଯାୟୀ, ତପନ ପାତ୍ର ତାଙ୍କ ଭାଇ ସପନ ପାତ୍ର, ଖଇରପଦର ଗ୍ରାମର ଚନ୍ଦନ ପାତ୍ର ଓ କୋକସରା ଥାନା ଅନ୍ତର୍ଗତ ଝାରକୁମୁଡାମାଲ ଗ୍ରାମର ସ୍ମରଣ ପଣ୍ଡାଙ୍କ ସହ ଏକ କାର୍‌ ଯୋଗେ ଧର୍ମଗଡ଼ରୁ ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିଲେ । ତେବେ ବୋଲଧାମାଳ ନିକଟରେ ପହଞ୍ଚିବା ପରେ କାର୍‌ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିର ନମ୍ବର CG-04-MW-3974 ବୋଲି ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଆହତମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ତପନ ପାତ୍ରଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ତିନି ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି । ଖବର ପାଇ ବୋଡ଼େନ ଥାନା ପୋଲିସ ତୁରନ୍ତ କୋମନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କ ହସ୍ତରେ ସମର୍ପଣ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷେ ରାସ୍ତାର ବେହାଲ ଅବସ୍ଥାକୁ ନେଇ ବଢ଼ୁଛି କ୍ଷୋଭ l ଏହି ଦୁର୍ଘଟଣା ପରେ ପୁଣିଥରେ ବିଜୁ ଏକ୍ସପ୍ରେସ ୱେର ଶୋଚନୀୟ ଅବସ୍ଥା ଚର୍ଚ୍ଚାକୁ ଆସିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଦବିଯାଇ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି । ଫଳରେ ଦୈନିକ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି ଏବଂ ବାରମ୍ବାର ଦୁର୍ଘଟଣା ଘଟୁଛି । ଏତେ ସବୁ ଦୁର୍ଘଟଣା ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି କିମ୍ବା ସୁରକ୍ଷାମୂଳକ ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୁର୍ଘଟଣାପ୍ରବଣ ଏହି ରାସ୍ତାର ତୁରନ୍ତ ମରାମତି ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି ।

Nuapada (ନୂଆପଡ଼ା)ମଳୟ ମେହେର, ସିନାପାଲି

ଖେଳରେ ଏକତା, ଯୁବଶକ୍ତିର ଜାଗରଣ: ସିନାପାଲିରେ ଦ୍ୱିତୀୟ MMFC ଫୁଟସାଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ
Jun 7, 2026183 views

ଖେଳରେ ଏକତା, ଯୁବଶକ୍ତିର ଜାଗରଣ: ସିନାପାଲିରେ ଦ୍ୱିତୀୟ MMFC ଫୁଟସାଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

ସିନାପାଲି, ଖେଳ କେବଳ ବିନୋଦନର ମାଧ୍ୟମ ନୁହେଁ, ବରଂ ଶୃଙ୍ଖଳା, ଭାଇଚାରା ଓ ସୁସ୍ଥ ସମାଜ ଗଠନର ଏକ ସଶକ୍ତ ଅସ୍ତ୍ର । ଏହି ମହାନ ବାର୍ତ୍ତାକୁ ନେଇ ସିନାପାଲି MMFC ପକ୍ଷରୁ ଆୟୋଜିତ “୨ୟ MMFC ଫୁଟସାଲ ଟୁର୍ଣ୍ଣାମେଣ୍ଟ-୨୦୨୬” ଶନିବାର ସିନାପାଲି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଚାରି ଦିନିଆ ଏହି ଫୁଟସଲ ମହାକୁମ୍ଭରେ ସିନାପାଲି, କାପସି, ପଲସାପଡ଼ା, ଚଟିଆଗୁଡ଼ା, ଭେଲ୍ଲା, କରଙ୍ଗାମାଲ, ଆମଗୁଡ଼ା ସମେତ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଗ୍ରାମାଞ୍ଚଳର ଯୁବ ଖେଳାଳିମାନଙ୍କ ପ୍ରତିଭା ବିକାଶ ଓ ଖେଳ ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳରେ ବେଶ ଉତ୍ସାହ ସୃଷ୍ଟି କରିଛି । ଉଦ୍‌ଘାଟନୀ ସମାରୋହରେ ସିନାପାଲି ବନାଞ୍ଚଳର ରେଞ୍ଜର କାମେଶ୍ୱର ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ସେ ନିଜ ଅଭିଭାଷଣରେ ଯୁବପିଢ଼ିଙ୍କୁ ଖେଳ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣେଇବା ସହ ନିଶାମୁକ୍ତ ସମାଜ ଗଠନରେ ଅଗ୍ରଣୀ ଭୂମିକା ନେବାକୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମିନା ଘିଭେଲା, ମନୀଷ ପଟେଲ, ଖୁଟୁରାମ ସୁନାନୀ, ମନୋରଞ୍ଜନ ମେହେର, ଶଶିଭୂଷଣ ମାଝୀ, ମଧୁସୂଦନ ମାଝୀ, ରଜନୀ ମାଝୀ, ପୁସ୍ତମ ମାଝୀ, ନରେଶ ମାଝୀ, ଲମ୍ବୋଦର ମାଝୀ, ପୀତାମ୍ବର ମାଝୀ, ସୁଶାନ୍ତ କୁମାର ଓ ଦିଲ୍ଲୀପ କୁମାର ପ୍ରମୁଖ ଉପସ୍ଥିତ ରହି ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଫୁଟସଲର ନିୟମ ଅନୁଯାୟୀ ଛୋଟ ପଡ଼ିଆରେ ୭ ଜଣିଆ ଦଳ ସହିତ ମ୍ୟାଚ ଖେଳାଯାଉଛି । ଅଫସାଇଡ, ଫାଉଲ ଓ ଏୟାର ସଟ୍ ନିୟମ ନଥିବାବେଳେ ଅସୀମିତ ପରିବର୍ତ୍ତନ ସୁବିଧା ଖେଳକୁ ଅଧିକ ରୋମାଞ୍ଚକର କରିଛି । ଉଦ୍‌ଘାଟନୀ ଦିବସର ପ୍ରଥମ ମ୍ୟାଚରେ କାପସି SCFA ଓ ଚଟିଆଗୁଡ଼ା ଫରେଷ୍ଟ ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲା ଟାଇ ରହିବା ପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ କାପସି ୩-୨ ଗୋଲରେ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ଭେଲ୍ଲା ଓ ସିନାପାଲି ମଧ୍ୟରେ ଜବରଦସ୍ତ ଲଢ଼େଇ ପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଭେଲ୍ଲା ଦଳ ୫-୪ ଗୋଲରେ ବିଜୟ ହାସଲ କରିଥିଲା । ଉଭୟ ମ୍ୟାଚ ଦର୍ଶକଙ୍କ ମଧ୍ୟରେ ଭରପୂର ଉତ୍ସାହ ଓ ରୋମାଞ୍ଚ ସୃଷ୍ଟି କରିଥିଲା । ରିକୁ ମାଝୀ, ଚନ୍ଦ୍ର ମାଝୀ, ସୁମନ, ବିହାରୀଲାଲ ମସରା ଓ ସୁବାଷ କୁଲ୍ଲୁ ରେଫରି ଭାବେ ଖେଳକୁ ସୁଚାରୁ ଭାବେ ପରିଚାଳନା କରିଥିବାବେଳେ ପ୍ରକାଶ ପାତ୍ର ଓ ଭାସ୍କର ମାଝୀଙ୍କ ଆକର୍ଷଣୀୟ ଧାରାବିବରଣୀ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା । ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଲୁଚି ରହିଥିବା କ୍ରୀଡ଼ା ପ୍ରତିଭାକୁ ଆଗକୁ ଆଣିବା ଏବଂ ଏକ ସୁସ୍ଥ, ସଚେତନ ଓ ସକାରାତ୍ମକ ସମାଜ ଗଠନ ଦିଗରେ MMFC ର ଏହି ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଉଛି ।

Nuapada (ନୂଆପଡ଼ା)ମଳୟ ମେହେର, ସିନାପାଲି

ବରଗଡ଼ରେ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ଅନିୟମିତତା: ସାଇକୃପା ହସ୍ପିଟାଲକୁ ନିଲମ୍ବିତ କଲା ରାଜ୍ୟ ସରକାର
Jun 6, 2026141 views

ବରଗଡ଼ରେ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ଅନିୟମିତତା: ସାଇକୃପା ହସ୍ପିଟାଲକୁ ନିଲମ୍ବିତ କଲା ରାଜ୍ୟ ସରକାର

​ ବରଗଡ଼ ଜିଲ୍ଲାରୁ ଆସିଲା ଏକ ବଡ଼ ଖବର। ସ୍ୱାସ୍ଥ୍ୟ ସେବାର ନାଁରେ ଚାଲିଥିଲା ବଡ଼ ଧରଣର ଲୁଟ୍। ଆୟୁଷ୍ମାନ ଭାରତ ଯୋଜନାର ଫାଇଦା ଉଠାଇ ଗରିବ ରୋଗୀଙ୍କ ପକେଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବରଗଡ଼ର 'ସାଇକୃପା ପଲି କ୍ଲିନିକ୍ ଆଣ୍ଡ ହସ୍ପିଟାଲ' ବିରୋଧରେ ଏବେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ। ସରକାରଙ୍କ ନିର୍ଦ୍ଦେଶରେ ଏହି ହସ୍ପିଟାଲକୁ ନିଲମ୍ବନ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ପୂର୍ବ ସରକାର ସମୟରେ କାହା ଛତ୍ରଛାୟାରେ ଏତେ ବଡ଼ ଦୁର୍ନୀତି ଚାଲିଥିଲା?" ​ "ବରଗଡ଼ ସହରର ଜଣାଶୁଣା ସାଇକୃପା ପଲି କ୍ଲିନିକ୍ ଆଣ୍ଡ ହସ୍ପିଟାଲ। ସରକାରୀ ଯୋଜନାରେ ମାଗଣା ଚିକିତ୍ସା ମିଳିବା କଥା, କିନ୍ତୁ ଏଠି ଚାଲିଥିଲା ଓଲଟା ଚିତ୍ର। ମିଳିଥିବା ସୂଚନା ଅନୁଯାୟୀ, Late ଦ୍ରୌପଦୀ ବେନ୍ତକାର ନାମ୍ନୀ ଜଣେ ରୋଗୀ ଯିଏ କି ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀ ଥିଲେ, ତାଙ୍କଠାରୁ ହସ୍ପିଟାଲ କର୍ତ୍ତୃପକ୍ଷ ୪୨,୦୦୦ ଟଙ୍କା ବେଆଇନ ଭାବେ ଆଦାୟ କରିଥିଲେ। ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ରୋଗୀଙ୍କୁ ନଗଦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। ଏତିକିରେ ସରିନି, ତଦନ୍ତରେ ହସ୍ପିଟାଲରୁ PC-PNDT ଆଇନ ଉଲ୍ଲଂଘନ ହୋଇଥିବା ମଧ୍ୟ ପ୍ରମାଣ ମିଳିଛି। ​ସବୁଠାରୁ ବଡ଼ କଥା ହେଉଛି, ପୂର୍ବ ସରକାର ସମୟରେ ବରଗଡ଼ର କିଛି ତୁଙ୍ଗ ନେତାଙ୍କ ସହିତ ଏହି ହସ୍ପିଟାଲର ଘନିଷ୍ଠ ସମ୍ପର୍କ ଥିବା ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଉଥିଲା। ସେହି ନେତାଙ୍କ ଆଶୀର୍ବାଦ ରହିଥିବାରୁ ହିଁ ହସ୍ପିଟାଲ କର୍ତ୍ତୃପକ୍ଷ ଏତେ ବଡ଼ ଦୁଃସାହସ କରିପାରୁଥିଲେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ​କିନ୍ତୁ ଏବେ ସରକାର ବଦଳିଛି। ରାଜ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ସମିତି ଦ୍ୱାରା ଏହି ହସ୍ପିଟାଲକୁ ତୁରନ୍ତ ନିଲମ୍ବିତ କରାଯାଇଛି। ୫ ଦିନ ଭିତରେ ସ୍ପଷ୍ଟୀକରଣ ରଖିବାକୁ ହସ୍ପିଟାଲକୁ ନୋଟିସ୍ ଦିଆଯାଇଛି। ବର୍ତ୍ତମାନର ସରକାରଙ୍କ ଏଭଳି କଠୋର ପଦକ୍ଷେପ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲିଥିବା ଦୁର୍ନୀତିଖୋରମାନଙ୍କ ମଧ୍ୟରେ ଏବେ କମ୍ପନ ସୃଷ୍ଟି କରିଛି। ଆଗାମୀ ଦିନରେ ଏହି ଘଟଣାରେ ଆଉ କେଉଁମାନଙ୍କ ମୁଖା ଖୋଲୁଛି, ତାହା ଦେଖିବାକୁ ବାକି ରହିଲା।"

Bargarh (ବରଗଡ଼)ତରଣୀ ପଟେଲ, ଜିଲ୍ଲା ପ୍ରତିନିଧି, ବରଗଡ଼

ବିଶ୍ୱ ପରିବେଶ ଦିବସ ପାଳିତ
Jun 5, 2026303 views

ବିଶ୍ୱ ପରିବେଶ ଦିବସ ପାଳିତ

ଟିଟିଲାଗଡ଼ :-୫/୬/୨୬ ଶୁକ୍ରବାର ଦିନ, ଟିଟିଲାଗଡ ବ୍ଲକ ଅଧିନସ୍ଥ ପିପିଲିପଦର ଗ୍ରାମରେ ଯୁବ ଓ ସମାଜ ବିକାଶ କେନ୍ଦ୍ର (ସି.ୱାଇ.ଏସ. ଡି) ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି| ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଚିନ୍ତାମଣି ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲର ଚିରନ୍ତନ ସୁରକ୍ଷା, ବ୍ୟକ୍ତି ଠାରୁ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ବକ୍ତବ୍ୟ ରଖିଥିଲେ | ଏହି କାର୍ଯ୍ୟକ୍ରମରେ (ସି.ୱାଇ.ଏସ. ଡି) ଅନୁଷ୍ଠାନର କର୍ମ କର୍ତ୍ତା , ଓଡିଶା ଜୀବିକା ମିଶନର କର୍ମକର୍ତ୍ତା , ଜି. ପି. ଏଲ. ଏଫ. ର ସମସ୍ତ ସଦସ୍ୟା , ୨୧ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା,ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ| ପରିବେଶ ଦିବସ ଉପଲକ୍ଷେ ୧୩୦୦୦ ହଜାର ବିଭିନ୍ନ ମଞ୍ଜିର ବଲ , ଜଙ୍ଗଲରେ ରୋପଣ କରିବା ସହ ୧୦୦ ଟି ବୃକ୍ଷ ରୋପଣ କରାଯାଇଥିଲା | ଟିଟିଲାଗଡ଼ ଭଳି ଉତ୍ତପ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପ୍ରଶଂସା ଲାଭ କରିଥିଲା l

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ ପଲିଟିକାଲ ଖଟି

ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ ପାୟଲ ନାଗ: ରେଡିଓ ସ୍ୱର ସଙ୍ଗମ ସହ ବିଶେଷ ସାକ୍ଷାତକାର
Jun 5, 2026223 views

ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ ପାୟଲ ନାଗ: ରେଡିଓ ସ୍ୱର ସଙ୍ଗମ ସହ ବିଶେଷ ସାକ୍ଷାତକାର

ସିନାପାଲି, ସଂଘର୍ଷ, ସାହସ ଓ ସଫଳତାର ଏକ ଅଦ୍ୱିତୀୟ କାହାଣୀର ନାମ ପାୟଲ ନାଗ । ବିଶ୍ୱର ପ୍ରଥମ ଲିମ୍ବଲେସ୍ (Limbless) ପାରା ଆର୍ଚର ଭାବେ ପରିଚିତ ଏହି ଓଡ଼ିଆ ଝିଅ ନିଜ ଅଦମ୍ୟ ମନୋବଳ ଓ କଠିନ ପରିଶ୍ରମ ବଳରେ ବିଶ୍ୱ କ୍ରୀଡ଼ା ଜଗତରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ରଚନା କରିଛନ୍ତି । ଆଜି ସିନାପାଲିର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫ୍‌ଏମ୍ ପକ୍ଷରୁ ପାୟଲ ନାଗଙ୍କ ସହ ଏକ ସ୍ୱତନ୍ତ୍ର ଓ ପ୍ରେରଣାଦାୟକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ଏକ ସାଧାରଣ ଦୈନିକ ମଜୁରିଆ ପରିବାରରେ ଜନ୍ମ ନେଇଥିବା ପାୟଲଙ୍କ ଜୀବନରେ ମାତ୍ର ୮ ବର୍ଷ ବୟସରେ ଏକ ଭୟଙ୍କର ବିଦ୍ୟୁତ୍ ସ୍ପର୍ଶଘାତ ଦୁର୍ଘଟଣା ଆସିଥିଲା । ଏହି ଦୁର୍ଘଟଣାରେ ସେ ନିଜର ଦୁଇ ହାତ ଓ ଦୁଇ ଗୋଡ଼ ହରାଇଥିଲେ। କିନ୍ତୁ ଭାଗ୍ୟର ଏହି କଠିନ ପରୀକ୍ଷା ତାଙ୍କ ସ୍ୱପ୍ନକୁ ଭାଙ୍ଗି ପାରିନଥିଲା । ଅସୀମ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ସହ ପାୟଲ ମୁହଁ ସାହାଯ୍ୟରେ ଲେଖିବା, ଚିତ୍ର ଆଙ୍କିବା ଏବଂ ନିଜ ଦୈନନ୍ଦିନ କାର୍ଯ୍ୟ ସଂପାଦନ କରିବା ଶିଖିଥିଲେ । ପରେ ପାରା ଆର୍ଚେରୀ ପ୍ରତି ଆକୃଷ୍ଟ ହୋଇ କଠିନ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ପ୍ରସିଦ୍ଧ ପାରା ଆର୍ଚର ଶୀତଲ ଦେବୀଙ୍କୁ ଆଦର୍ଶ ମାନି ସେ ଏହି କ୍ରୀଡ଼ା ଜଗତରେ ପଦାର୍ପଣ କରିଥିଲେ । ୨୦୨୬ ମସିହାରେ ୱାର୍ଲ୍ଡ ଆର୍ଚେରୀ ପାରା ସିରିଜ୍‌ରେ ମହିଳା କମ୍ପାଉଣ୍ଡ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ପାୟଲ ଇତିହାସ ସୃଷ୍ଟି କରିଥିଲେ । ଫାଇନାଲରେ ସେ ବିଶ୍ୱର ଏକ ଶ୍ରେଷ୍ଠ ପାରା ଆର୍ଚର ଶୀତଲ ଦେବୀଙ୍କୁ ପରାସ୍ତ କରି ନିଜର ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ସହ ସେ ବିଶ୍ୱର ପ୍ରଥମ ଲିମ୍ବଲେସ୍ ଆର୍ଚର ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରି ଭାରତ ଓ ଓଡ଼ିଶାର ଗୌରବ ବଢ଼ାଇଛନ୍ତି । ସାକ୍ଷାତକାରରେ ପାୟଲ ନିଜର ସଂଘର୍ଷମୟ ଯାତ୍ରା, ଲକ୍ଷ୍ୟ, ପରିଶ୍ରମ ଓ ଆଗାମୀ ଦିନର ସ୍ୱପ୍ନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ । ସେ କହିଥିଲେ ଯେ, ଶାରୀରିକ ଅକ୍ଷମତା କେବେ ବି ସଫଳତାର ବାଧକ ନୁହେଁ; ଦୃଢ଼ ମନୋବଳ ଓ ଅଦମ୍ୟ ଇଚ୍ଛାଶକ୍ତି ଥିଲେ ଯେକୌଣସି ଲକ୍ଷ୍ୟକୁ ହାସଲ କରାଯାଇପାରେ । ପାୟଲ ନାଗଙ୍କ ଏହି ସଫଳତା କେବଳ ଏକ କ୍ରୀଡ଼ାବିତଙ୍କ ବିଜୟ ନୁହେଁ, ବରଂ ଏହା ସମଗ୍ର ସମାଜ ପାଇଁ ଏକ ପ୍ରେରଣାର ସନ୍ଦେଶ । ତାଙ୍କ ଜୀବନ ପ୍ରମାଣ କରିଛି ଯେ, ଶରୀରର ସୀମାବଦ୍ଧତାଠାରୁ ମନର ଶକ୍ତି ଅଧିକ ବଡ଼ । ଆଜିର ଏହି ସାକ୍ଷାତକାର ମାଧ୍ୟମରେ ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫ୍‌ଏମ୍ ସିନାପାଲି ଏକ ଏଭଳି ବ୍ୟକ୍ତିତ୍ୱଙ୍କୁ ଶ୍ରୋତାମାନଙ୍କ ସମ୍ମୁଖରେ ଆଣିଛି, ଯିଏ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ଆଶା, ସାହସ ଓ ସଫଳତାର ପ୍ରତୀକ ହୋଇ ଉଭା ହୋଇଛନ୍ତି । ତାଙ୍କ ସହ ସାକ୍ଷାତକାର ରେ ଥିଲେ ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫ୍‌ଏମ୍, ବେତାର କେନ୍ଦ୍ର ସିନାପାଲି ର ସଂଯୋଜକ ପ୍ରଦ୍ୟୁମ୍ନ ସିଂ ଚିନ୍ଦା ଓ ଏଡିଟର ମନୋଜ କୁମାର ଜଗତ l

Nuapada (ନୂଆପଡ଼ା)ମଳୟ ମେହେର, ସିନାପାଲି

ରାଷ୍ଟ୍ରୀୟ ସ୍ତରରେ ଚମକିଲା ଗଞ୍ଜାମ: ଦେଶର ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର
Jun 5, 2026238 views

ରାଷ୍ଟ୍ରୀୟ ସ୍ତରରେ ଚମକିଲା ଗଞ୍ଜାମ: ଦେଶର ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ରାଷ୍ଟ୍ରୀୟ ସ୍ତରରେ ଚମକିଲା ଗଞ୍ଜାମ: ଦେଶର ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର । ​ନୂଆଦିଲ୍ଲୀର ସ୍କୋପ୍ କନଭେନସନ ସେଣ୍ଟର (SCOPE Convention Centre) ଠାରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଭବ୍ୟ ସମାରୋହରେ ଗଞ୍ଜାମ ଜିଲ୍ଲାକୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ସ୍ଥାନୀୟ ସ୍ତରରେ ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ହାସଲ କରିବା ଏବଂ ଗ୍ରାମୀଣ ପ୍ରଶାସନକୁ ସୁଦୃଢ଼ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଗଞ୍ଜାମ ଏହି ସଫଳତା ପାଇଛି। ​ଏହି ଜାତୀୟ ପୁରସ୍କାର ସମାରୋହରେ ସମଗ୍ର ଓଡ଼ିଶାକୁ ମୋଟ ୫ଟି ପୁରସ୍କାର ମିଳିଥିବା ବେଳେ, କେବଳ ଗଞ୍ଜାମ ଜିଲ୍ଲା ହିଁ ଏକାକୀ ୩ଟି ପ୍ରମୁଖ ପୁରସ୍କାର ହାସଲ କରି ରେକର୍ଡ କରିଛି। ​ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର: ଏହି ବର୍ଗରେ ଗଞ୍ଜାମ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି ଏବଂ ଏଥିପାଇଁ ଜିଲ୍ଲାକୁ ୩ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ​ମନ୍ଦାର ଗ୍ରାମ ପଞ୍ଚାୟତ (ପୋଲସରା ବ୍ଲକ): ସାମାଜିକ ନ୍ୟାୟ ଏବଂ ସାମାଜିକ ସୁରକ୍ଷା (Socially Just and Socially Secured Panchayat) ବର୍ଗରେ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ୩୭.୫ ଲକ୍ଷ ଟଙ୍କାର ପୁରସ୍କାର ପାଇଛି। ​ପୋତଲାମପୁର ଗ୍ରାମ ପଞ୍ଚାୟତ (ଛତ୍ରପୁର ବ୍ଲକ): ଦେଶର ତୃତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ (Healthy Panchayat) ଭାବେ ମାନ୍ୟତା ପାଇ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଛି। ​ନୂଆଦିଲ୍ଲୀରେ ଆୟୋଜିତ ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ (CDO) ସମୀର କୁମାର ଜେନା ଏବଂ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଓ ପ୍ରତିନିଧିମାନେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କଠାରୁ ଏହି ଟ୍ରଫି ଓ ସମ୍ମାନ ଗ୍ରହଣ କରିଛନ୍ତି । ​ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି ଐତିହାସିକ ସଫଳତା ପାଇଁ ଗଞ୍ଜାମବାସୀଙ୍କୁ ଶ୍ରେୟ ଦେଇଛନ୍ତି। ଜନପ୍ରତିନିଧି, ପଞ୍ଚାୟତିରାଜ ସଦସ୍ୟ, ଜିଲ୍ଲା ପ୍ରଶାସନ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ଜନସାଧାରଣଙ୍କ ମିଳିତ ସହଯୋଗ ଯୋଗୁଁ ଗଞ୍ଜାମ ନିଜର ଏହି ଗୌରବମୟ ପରମ୍ପରାକୁ ବଜାୟ ରଖିପାରିଛି ବୋଲି ସେ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୯ଟି ପ୍ରମୁଖ ବିକାଶମୂଳକ ପାରାମିଟର ଆଧାରରେ ଗଞ୍ଜାମକୁ ଏହି ସଫଳତା ମିଳିଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ପଲିଟିକାଲ ଖଟି

ଏସଆଇଆର-୨୦୨୬ ଅଭିଯାନ: ୮୫ ବର୍ଷରୁ ଅଧିକ ବରିଷ୍ଠ ଭୋଟରଙ୍କ ଘରେ ପହଞ୍ଚିଲା ପ୍ରଶାସନ
Jun 3, 2026262 views

ଏସଆଇଆର-୨୦୨୬ ଅଭିଯାନ: ୮୫ ବର୍ଷରୁ ଅଧିକ ବରିଷ୍ଠ ଭୋଟରଙ୍କ ଘରେ ପହଞ୍ଚିଲା ପ୍ରଶାସନ

ମାଲକାନଗିରି, ସ୍ୱତନ୍ତ୍ର ସଘନ ସଂଶୋଧନ (SIR-2026) ଅଭିଯାନ ଅନ୍ତର୍ଗତ ମାଲକାନଗିରି ଜିଲ୍ଲା ପ୍ରଶାସନ ୮୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ଭୋଟରମାନଙ୍କ ଘରେ ପହଞ୍ଚି ନିର୍ବାଚନୀ ପରିଗଣନା ଫର୍ମ ବିତରଣ କରିଛି। ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବୁଥ ସ୍ତରୀୟ ଅଧିକାରୀମାନେ ବିଭିନ୍ନ ଗ୍ରାମ ପରିଦର୍ଶନ କରି ବରିଷ୍ଠ ନାଗରିକଙ୍କୁ ଏହି ସେବା ଯୋଗାଇଥିଲେ। ମାଥିଲି ବ୍ଲକର ଅଟଲଗୁଡା ଗ୍ରାମରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କୁ ଚିହ୍ନଟ କରି ଫର୍ମ ବଣ୍ଟନ କରାଯାଇଥିଲା। ବୟସାଧିକ୍ୟ କାରଣରୁ ମତଦାନ କେନ୍ଦ୍ରକୁ ଆସିବାରେ ଅସୁବିଧା ଭୋଗୁଥିବା ଭୋଟରମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଅନୁରୋଧ କରିଛି ଯେ, ନିଜ ଅଞ୍ଚଳର କୌଣସି ବରିଷ୍ଠ କିମ୍ବା ଭିନ୍ନକ୍ଷମ ଭୋଟର ଯେପରି ଏହି ପ୍ରକ୍ରିୟାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ସ୍ଥାନୀୟ ବିଏଲଓଙ୍କ ସହ ଯୋଗାଯୋଗ କରନ୍ତୁ।

Malkangiri (ମାଲକାନଗିରି)ବ୍ୟୁରୋ ରିପୋର୍ଟ, ପଲିଟିକାଲ ଖଟି