ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ ପାୟଲ ନାଗ: ରେଡିଓ ସ୍ୱର ସଙ୍ଗମ ସହ ବିଶେଷ ସାକ୍ଷାତକାର
Nuapada (ନୂଆପଡ଼ା)ମଳୟ ମେହେର, ସିନାପାଲିJune 5, 2026163 views

ସିନାପାଲି, ସଂଘର୍ଷ, ସାହସ ଓ ସଫଳତାର ଏକ ଅଦ୍ୱିତୀୟ କାହାଣୀର ନାମ ପାୟଲ ନାଗ । ବିଶ୍ୱର ପ୍ରଥମ ଲିମ୍ବଲେସ୍ (Limbless) ପାରା ଆର୍ଚର ଭାବେ ପରିଚିତ ଏହି ଓଡ଼ିଆ ଝିଅ ନିଜ ଅଦମ୍ୟ ମନୋବଳ ଓ କଠିନ ପରିଶ୍ରମ ବଳରେ ବିଶ୍ୱ କ୍ରୀଡ଼ା ଜଗତରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ରଚନା କରିଛନ୍ତି । ଆଜି ସିନାପାଲିର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫ୍ଏମ୍ ପକ୍ଷରୁ ପାୟଲ ନାଗଙ୍କ ସହ ଏକ ସ୍ୱତନ୍ତ୍ର ଓ ପ୍ରେରଣାଦାୟକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ଏକ ସାଧାରଣ ଦୈନିକ ମଜୁରିଆ ପରିବାରରେ ଜନ୍ମ ନେଇଥିବା ପାୟଲଙ୍କ ଜୀବନରେ ମାତ୍ର ୮ ବର୍ଷ ବୟସରେ ଏକ ଭୟଙ୍କର ବିଦ୍ୟୁତ୍ ସ୍ପର୍ଶଘାତ ଦୁର୍ଘଟଣା ଆସିଥିଲା । ଏହି ଦୁର୍ଘଟଣାରେ ସେ ନିଜର ଦୁଇ ହାତ ଓ ଦୁଇ ଗୋଡ଼ ହରାଇଥିଲେ। କିନ୍ତୁ ଭାଗ୍ୟର ଏହି କଠିନ ପରୀକ୍ଷା ତାଙ୍କ ସ୍ୱପ୍ନକୁ ଭାଙ୍ଗି ପାରିନଥିଲା । ଅସୀମ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ସହ ପାୟଲ ମୁହଁ ସାହାଯ୍ୟରେ ଲେଖିବା, ଚିତ୍ର ଆଙ୍କିବା ଏବଂ ନିଜ ଦୈନନ୍ଦିନ କାର୍ଯ୍ୟ ସଂପାଦନ କରିବା ଶିଖିଥିଲେ । ପରେ ପାରା ଆର୍ଚେରୀ ପ୍ରତି ଆକୃଷ୍ଟ ହୋଇ କଠିନ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ପ୍ରସିଦ୍ଧ ପାରା ଆର୍ଚର ଶୀତଲ ଦେବୀଙ୍କୁ ଆଦର୍ଶ ମାନି ସେ ଏହି କ୍ରୀଡ଼ା ଜଗତରେ ପଦାର୍ପଣ କରିଥିଲେ । ୨୦୨୬ ମସିହାରେ ୱାର୍ଲ୍ଡ ଆର୍ଚେରୀ ପାରା ସିରିଜ୍ରେ ମହିଳା କମ୍ପାଉଣ୍ଡ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ପାୟଲ ଇତିହାସ ସୃଷ୍ଟି କରିଥିଲେ । ଫାଇନାଲରେ ସେ ବିଶ୍ୱର ଏକ ଶ୍ରେଷ୍ଠ ପାରା ଆର୍ଚର ଶୀତଲ ଦେବୀଙ୍କୁ ପରାସ୍ତ କରି ନିଜର ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ସହ ସେ ବିଶ୍ୱର ପ୍ରଥମ ଲିମ୍ବଲେସ୍ ଆର୍ଚର ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରି ଭାରତ ଓ ଓଡ଼ିଶାର ଗୌରବ ବଢ଼ାଇଛନ୍ତି । ସାକ୍ଷାତକାରରେ ପାୟଲ ନିଜର ସଂଘର୍ଷମୟ ଯାତ୍ରା, ଲକ୍ଷ୍ୟ, ପରିଶ୍ରମ ଓ ଆଗାମୀ ଦିନର ସ୍ୱପ୍ନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ । ସେ କହିଥିଲେ ଯେ, ଶାରୀରିକ ଅକ୍ଷମତା କେବେ ବି ସଫଳତାର ବାଧକ ନୁହେଁ; ଦୃଢ଼ ମନୋବଳ ଓ ଅଦମ୍ୟ ଇଚ୍ଛାଶକ୍ତି ଥିଲେ ଯେକୌଣସି ଲକ୍ଷ୍ୟକୁ ହାସଲ କରାଯାଇପାରେ । ପାୟଲ ନାଗଙ୍କ ଏହି ସଫଳତା କେବଳ ଏକ କ୍ରୀଡ଼ାବିତଙ୍କ ବିଜୟ ନୁହେଁ, ବରଂ ଏହା ସମଗ୍ର ସମାଜ ପାଇଁ ଏକ ପ୍ରେରଣାର ସନ୍ଦେଶ । ତାଙ୍କ ଜୀବନ ପ୍ରମାଣ କରିଛି ଯେ, ଶରୀରର ସୀମାବଦ୍ଧତାଠାରୁ ମନର ଶକ୍ତି ଅଧିକ ବଡ଼ । ଆଜିର ଏହି ସାକ୍ଷାତକାର ମାଧ୍ୟମରେ ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫ୍ଏମ୍ ସିନାପାଲି ଏକ ଏଭଳି ବ୍ୟକ୍ତିତ୍ୱଙ୍କୁ ଶ୍ରୋତାମାନଙ୍କ ସମ୍ମୁଖରେ ଆଣିଛି, ଯିଏ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ଆଶା, ସାହସ ଓ ସଫଳତାର ପ୍ରତୀକ ହୋଇ ଉଭା ହୋଇଛନ୍ତି । ତାଙ୍କ ସହ ସାକ୍ଷାତକାର ରେ ଥିଲେ ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫ୍ଏମ୍, ବେତାର କେନ୍ଦ୍ର ସିନାପାଲି ର ସଂଯୋଜକ ପ୍ରଦ୍ୟୁମ୍ନ ସିଂ ଚିନ୍ଦା ଓ ଏଡିଟର ମନୋଜ କୁମାର ଜଗତ l

