--:--:--
-- ---
Srishti News

Web News

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Jun 23, 202678 views

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା ଅନୁଗୋଳ: ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି। ପ୍ରଧାନାଚାର୍ଯ୍ୟ ବାବୁଲି ସାମଲ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସହ ପ୍ରଧାନାଚାର୍ଯ୍ୟ ଦୟାନିଧି ଦାସ ଓ ଅନ୍ୟାନ୍ୟ ଆଚାର୍ଯ୍ୟମାନେ ଯୋଗ ପ୍ରଦର୍ଶନ କରିଥିବାବେଳେ ଛାତ୍ରଛାତ୍ରୀମାନେ ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ଯୋଗାସନ ଅଭ୍ୟାସ କରିଥିଲେ। ଆଚାର୍ଯ୍ୟା ନିରୁପମା ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଏଥିରେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ସ୍ରିଷ୍ଟି ନ୍ୟୁଜ୍ ର ବିଶେଷ ଉପସ୍ଥାପନା: ଆଦିବାସୀଙ୍କ ହକ୍‌ ଓ ସଂଘର୍ଷର କାହାଣୀ
Jun 23, 2026134 views

ସ୍ରିଷ୍ଟି ନ୍ୟୁଜ୍ ର ବିଶେଷ ଉପସ୍ଥାପନା: ଆଦିବାସୀଙ୍କ ହକ୍‌ ଓ ସଂଘର୍ଷର କାହାଣୀ

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର ​ଭୁବନେଶ୍ୱର: ସ୍ୱାଧୀନତାର ଏତେ ବର୍ଷ ପରେ ବି ବଦଳିନି ଆଦିବାସୀଙ୍କ ଭାଗ୍ୟ। ଆଜି ବି ମାଟି କାନ୍ଥ ଆଉ ପଲିଥିନ ଟଣା କୁଡ଼ିଆ ଘର ହିଁ ସେମାନଙ୍କର ଏକମାତ୍ର ସାହାରା। ଋତୁ ବଦଳେ, ସରକାର ବଦଳନ୍ତି, ହେଲେ ବଦଳେନାହିଁ ଏହି ଅସହାୟ ଆଦିବାସୀ ପରିବାରଗୁଡ଼ିକର ଚିତ୍ର। ଉପରୋକ୍ତ ଚିତ୍ରରେ ଆପଣ ସ୍ପଷ୍ଟ ଦେଖିପାରୁଥିବେ କିଭଳି ଏକ ଆଦିବାସୀ ପରିବାର ବର୍ଷା ଓ ଖରାରୁ ରକ୍ଷା ପାଇବା ପାଇଁ ନିଜର ଭଙ୍ଗା ମାଟି ଘର ଉପରେ ପଲିଥିନ ଜରି ବାନ୍ଧି ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ​ ​ଯୋଜନା ଅଛି, ହେଲେ ହିତାଧିକାରୀ ଦୂରରେ: ସରକାରଙ୍କ ପକ୍କାଘର ଯୋଜନା ଓ ଜଙ୍ଗଲ ଜମି ଅଧିକାର ଆଇନ ଥାଇ ମଧ୍ୟ ଅନେକ ଦୁର୍ଗମ ଅଞ୍ଚଳରେ ଥିବା ସଚ୍ଚୋଟ ଆଦିବାସୀ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ। ​୨୦୨୬ ର ଆହ୍ୱାନ: ବର୍ତ୍ତମାନ ସମୟରେ ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ନିୟମ ଓ ସଂଶୋଧନ ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ସମୟସୀମା (୨୦୨୬) ପାର୍ ହେବା ପରେ ସେମାନଙ୍କୁ ସ୍ଥାୟୀ ଜମି ପଟ୍ଟା ଓ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ଜୋର ଧରିଛି। ​ଅଧିକାର ପାଇଁ ଅପେକ୍ଷା: ବର୍ଷ ବର୍ଷ ଧରି ଜଙ୍ଗଲ ଓ ମାଟିକୁ ଜଗି ରହିଥିବା ଏହି ଭୂମିପୁତ୍ରମାନଙ୍କୁ ସେମାନଙ୍କର ପ୍ରାପ୍ୟ ହକ୍ ଏବଂ ପକ୍କା ଘର କେବେ ମିଳୁଛି, ତାହା ଦେଖିବାକୁ ବାକି ରହିଲା। ​"ଆମକୁ କେବଳ ପ୍ରତିଶ୍ରୁତି ମିଳେ, ହେଲେ ମୁଣ୍ଡ ଉପରେ ଛାତଟିଏ ପାଇଁ ପ୍ରତିବର୍ଷ ଏମିତି ପଲିଥିନ ଟାଣିବାକୁ ପଡ଼େ।" — ଜଣେ ସ୍ଥାନୀୟ ଆଦିବାସୀ ବାସିନ୍ଦା।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ’ ସଚେତନତା ରାଲି, ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହଭାଗୀତା
Jun 23, 202662 views

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ’ ସଚେତନତା ରାଲି, ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହଭାଗୀତା

ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଭବାନୀପାଟଣା ଭବାନୀପାଟଣା, ୨୩ ଜୁନ: ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଚାଲିଥିବା ‘ନଶା ମୁକ୍ତ ଭାରତ ଅଭିଯାନ–୨୦୨୬’ ଅବସରରେ ମଙ୍ଗଳବାର ଭବାନୀପାଟଣା ସହରରେ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ମାଦକ ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ରାଲି ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏହି ଅଭିଯାନ ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ଜୁନ ୨୬ ତାରିଖରେ ପାଳିତ ହେବାକୁ ଥିବା ‘ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟସନ ଓ ଅବୈଧ ଚାଲାଣ ବିରୋଧୀ ଦିବସ’ ସହ ସମାପ୍ତ ହେବ। ଏହି ବର୍ଷର ଥିମ୍ ରହିଛି— “ନଶା ମୁକ୍ତ ଭାରତ ଅଭିଯାନ, ବିକସିତ ଭାରତ କି ପହେଚାନ”। ଆଜିର ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ରଞ୍ଜନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ମାଦକ ବିରୋଧୀ ସ୍ଲୋଗାନ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ସନ୍ଦେଶ ପ୍ରଚାର କରିଥିଲେ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଦିନେଶ କୁମାର କନ୍ହରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟକ୍ରମରେ ସମାଜ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। କାର୍ୟକ୍ରମର ସଫଳ ଆୟୋଜନରେ DSSO ଓ DDRC ର କର୍ମଚାରୀମାନଙ୍କ ଭୂମିକା ଉଲ୍ଲେଖନୀୟ ଥିଲା।

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

​ବେଆଇନ ପଥର ବିସ୍ଫୋରଣ ଉପରେ ଚଢ଼ଉ: ୪ ଗିରଫ, ଟ୍ରାକ୍ଟର ସହ ବିପୁଳ ସାମଗ୍ରୀ ଜବତ
Jun 23, 202646 views

​ବେଆଇନ ପଥର ବିସ୍ଫୋରଣ ଉପରେ ଚଢ଼ଉ: ୪ ଗିରଫ, ଟ୍ରାକ୍ଟର ସହ ବିପୁଳ ସାମଗ୍ରୀ ଜବତ

କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା ​କେ. ନୂଆଗାଁ,( ଚିକିଟି): ବିସ୍ଫୋରକ ପଦାର୍ଥ ବ୍ୟବହାର କରି ବେଆଇନ ଭାବେ ପଥର ବିସ୍ଫୋରଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍ ଉପରେ କେ. ନୂଆଗାଁ ଥାନା ପୋଲିସ ବଡ଼ ଧରଣର ଚଢ଼ଉ କରିଛି। ଏହି ମାମଲାରେ ପୋଲିସ କମ୍ପ୍ରେସର ମେସିନ ମାଲିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡ୍ରିଲିଂ ମେସିନ୍ ଏବଂ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ପାତ୍ରପୁର JMFC ଅଦାଲତକୁ ଚାଲାଣ କରାଯାଇଛି। ​ପୋଲିସ ସୂଚନା ଅନୁଯାୟୀ, ଗତ ୨୧.୦୬.୨୦୨୬ ସକାଳ ପ୍ରାୟ ୧୧:୩୦ ମିନିଟ ସମୟରେ ଏକ ବିଶ୍ୱସନୀୟ ସୂତ୍ରରୁ ଖବର ମିଳିଥିଲା ଯେ, ଚିକିଟିଗଡ଼ା ଅଞ୍ଚଳର ବାଘପାହାଡ଼ରେ କୌଣସି ବୈଧ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ବିନା ଡେଟୋନେଟର ଓ ଭୟାବହ ବିସ୍ଫୋରକ ପଦାର୍ଥ ବ୍ୟବହାର କରି ପଥର ବ୍ଲାଷ୍ଟିଂ କରାଯାଉଛି। ​ଖବର ପାଇବା ମାତ୍ରେ କେ. ନୂଆଗାଁ ଥାନା ଆଇଆଇସି (IIC) ଙ୍କ ନେତୃତ୍ୱରେ ଏକ ସ୍ପେଶାଲ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ। ପୋଲିସ ଦଳ ପାହାଡ଼ ନିକଟରେ ପହଞ୍ଚିବା ସମୟରେ ଏକ ଜୋରଦାର ବିସ୍ଫୋରଣ ଶବ୍ଦ ସହ ତୀବ୍ର କମ୍ପନ ଅନୁଭବ କରିବାକୁ ପାଇଥିଲେ। ​ପୋଲିସକୁ ଦେଖି ଚୋରା ଚାଲାଣକାରୀ ଛତ୍ରଭଙ୍ଗ ​ପୋଲିସ ହଠାତ୍ ଚଢ଼ଉ କରିବାରୁ ଘଟଣାସ୍ଥଳରୁ କିଛି ବ୍ୟକ୍ତି ଫେରାର ହେବାରେ ସଫଳ ହୋଇଥିବା ବେଳେ ପୋଲିସ ତତ୍ପରତା ଦେଖାଇ ସେଠାରୁ ୩ ଜଣଙ୍କୁ କାବୁ କରିଥିଲା। ପରବର୍ତ୍ତୀ ସମୟରେ ତଦନ୍ତ କରି ବେଆଇନ କାର୍ଯ୍ୟରେ ବ୍ୟବହୃତ କମ୍ପ୍ରେସର ମେସିନ୍‌ର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି। ​ଗିରଫ ଅଭିଯୁକ୍ତମାନେ ହେଲେ: ​ରଞ୍ଜନ ବେହେରା (୫୦) ​ସୁରେଶ ପ୍ରଧାନ (୩୮) ​ଆକାଶ ବିନ୍ଧାଣୀ (୩୦) ​ଏମ୍‌. ମୋହନ ରାଓ (୫୭) ​ଘଟଣାସ୍ଥଳରୁ ପୋଲିସ ବେଆଇନ ପଥର ଖନନରେ ବ୍ୟବହୃତ ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛି ​ଏହି ଘଟଣାରେ ବିସ୍ଫୋରକ ପଦାର୍ଥ କେଉଁଠାରୁ ସପ୍ଲାଇ ହେଉଥିଲା ଏବଂ ଏହା ପଛରେ ଆଉ କେଉଁ ବଡ଼ ମାଫିଆଙ୍କ ହାତ ରହିଛି, ସେ ନେଇ ପୋଲିସ ନିଜର ତଦନ୍ତ ପ୍ରକ୍ରିୟା ଜାରି ରଖିଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା

ମରଣଯନ୍ତା ପାଲଟିଛି ଅଚଳ ନଳକୂପ
Jun 23, 202687 views

ମରଣଯନ୍ତା ପାଲଟିଛି ଅଚଳ ନଳକୂପ

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ବାଘୁଆରୁ ଗ୍ରାମରେ ଏକ ଅଚଳ ନଳକୂପ ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। ନଳକୂପର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହା ଏବେ ମରଣଯନ୍ତା ପାଲଟିଛି। ବିଶେଷକରି ଛୋଟ ଛୋଟ ଶିଶୁ ଓ ବୃଦ୍ଧମାନଙ୍କ ପାଇଁ ଏହା ଦୁର୍ଘଟଣାର କାରଣ ସାଜିପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ବହୁଥର ପଞ୍ଚାୟତ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଯେକୌଣସି ସମୟରେ ଅଘଟଣ ଘଟିବାର ଭୟ ଦେଖାଦେଇଛି। ଗ୍ରାମବାସୀମାନେ ଶୀଘ୍ର ଏହି ଅଚଳ ନଳକୂପକୁ ମରାମତି କିମ୍ବା ସୁରକ୍ଷିତ ଭାବେ ଚାଲୁ କରିବା ପାଇଁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିକଟରେ ଦାବି ଜଣାଇଛନ୍ତି, ଯାହା ଫଳରେ କୌଣସି ଅପ୍ରୀତିକର ଘଟଣା ନଘଟୁ,

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର

ସାତ ବର୍ଷ ଧରି ଅଧୁରା ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଘରେ ପାଠ ପଢୁଛନ୍ତି ଶିଶୁ
Jun 23, 2026126 views

ସାତ ବର୍ଷ ଧରି ଅଧୁରା ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଘରେ ପାଠ ପଢୁଛନ୍ତି ଶିଶୁ

ରିପୋର୍ଟ: ସଞ୍ଜୟ କୁମାର କଅଁର, ନୂଆଗାଁ ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ ନଇତଇଲା ଗ୍ରାମରେ ନିର୍ମାଣାଧୀନ ଅଙ୍ଗନବାଡି କେନ୍ଦ୍ର ଘର ପ୍ରାୟ ସାତ ବର୍ଷ ଧରି ଅଧୁରା ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମର କୁନି କୁନି ଶିଶୁମାନେ ନିଜସ୍ୱ ଅଙ୍ଗନବାଡି ଭବନର ସୁବିଧାରୁ ବଞ୍ଚିତ ହୋଇ ସ୍କୁଲ ଘରେ ପାଠପଢ଼ା କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଏନେଇ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତ କାର୍ଯ୍ୟାଳୟରେ ଏହି ପ୍ରସଙ୍ଗ ଉଠାଇଲେ ବ୍ଲକ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଉଛି। ଅନ୍ୟପଟେ ବ୍ଲକ ପ୍ରଶାସନକୁ ଜଣାଇଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି। ଅଙ୍ଗନବାଡି କେନ୍ଦ୍ର ଶିଶୁମାନଙ୍କ ପ୍ରାଥମିକ ଶିକ୍ଷା, ପୂଷ୍ଟିକର ଖାଦ୍ୟ ଓ ସାମଗ୍ରିକ ବିକାଶର ମୂଳ ଆଧାର ହୋଇଥିବା ବେଳେ, ଦୀର୍ଘ ସାତ ବର୍ଷ ଧରି ଏହାର ନିର୍ମାଣ କାମ ଅଧୁରା ରହିବା ପ୍ରଶାସନିକ ଉଦାସୀନତାକୁ ପଦାରେ ପକାଇଛି। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାମ ସମ୍ପୂର୍ଣ୍ଣ କରି ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଓ ସୁରକ୍ଷିତ ପାଠପଢ଼ା ପରିବେଶ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି।

Nayagarh (ନୟାଗଡ଼)ରିପୋର୍ଟ: ସଞ୍ଜୟ କୁମାର କଅଁର, ନୂଆଗାଁ

ମାତ୍ର ୨ ମିନିଟ୍ ବିଳମ୍ବ ପାଇଁ NEET ପୁନଃପରୀକ୍ଷାରୁ ବଞ୍ଚିତ, କାନ୍ଦି କାନ୍ଦି ଅସୁସ୍ଥ ହେଲେ ଛାତ୍ରୀ ଓ ପିତା
Jun 23, 202670 views

ମାତ୍ର ୨ ମିନିଟ୍ ବିଳମ୍ବ ପାଇଁ NEET ପୁନଃପରୀକ୍ଷାରୁ ବଞ୍ଚିତ, କାନ୍ଦି କାନ୍ଦି ଅସୁସ୍ଥ ହେଲେ ଛାତ୍ରୀ ଓ ପିତା

ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର/ବିଦିଶା ମଧ୍ୟପ୍ରଦେଶର ବିଦିଶାରେ ଆୟୋଜିତ NEET ପୁନଃପରୀକ୍ଷା ସମୟରେ ମାତ୍ର ଦୁଇ ମିନିଟ୍ ବିଳମ୍ବ ଯୋଗୁଁ ତିନିଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେବାରୁ ବଞ୍ଚିତ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଛାତ୍ରୀ ଓ ତାଙ୍କ ପିତା ପରୀକ୍ଷା କେନ୍ଦ୍ରର ବନ୍ଦ ଗେଟ୍ ସମ୍ମୁଖରେ ନିବେଦନ କରୁଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ରର ନିର୍ଦ୍ଧାରିତ ପ୍ରବେଶ ସମୟ ଅତିକ୍ରମ ହେବା ପରେ ଗେଟ୍ ବନ୍ଦ କରାଯାଇ ଥିଲା। ଫଳରେ ବିଳମ୍ବରେ ପହଞ୍ଚିଥିବା ପରୀକ୍ଷାର୍ଥୀମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିନଥିଲା। ଘଟଣାସ୍ଥଳରେ ଛାତ୍ରୀ ଓ ତାଙ୍କ ପିତା ଭାବପ୍ରବଣ ହୋଇ ପଡ଼ିଥିବା ବେଳେ, ଉଭୟ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ପରେ ପରୀକ୍ଷା ପରିଚାଳନା ବ୍ୟବସ୍ଥା, ନିୟମର କଠୋର ପ୍ରୟୋଗ ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ବଫର୍ ଟାଇମ୍ ବ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନେକେ ପରୀକ୍ଷାର୍ଥୀଙ୍କ ମାନସିକ ଚାପ ଏବଂ ଏଭଳି ପରିସ୍ଥିତିରେ ଅଧିକ ମାନବିକ ଆଭିମୁଖ୍ୟ ଅବଲମ୍ବନ କରିବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ବିରୋଧୀ ଦଳ ସମେତ ବିଭିନ୍ନ ମହଳରୁ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ, ପରୀକ୍ଷା ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ସୁବିଧା ଓ ମାନସିକ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ନେଇ ମତ ପ୍ରକାଶ ପାଇଛି। (ଟିପ୍ପଣୀ: ଘଟଣା ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିବା ବେଳେ, ସମସ୍ତ ତଥ୍ୟର ସ୍ୱାଧୀନ ସତ୍ୟାପନ ଅପେକ୍ଷାରତ ରହିଛି।)

ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର/ବିଦିଶା

ଅନୁଗୋଳରେ ଜିଲ୍ଲାସ୍ତରୀୟ NCORD ବୈଠକ : ନିଶାମୁକ୍ତ ଜିଲ୍ଲା ଗଠନ ଉପରେ ଗୁରୁତ୍ୱାରୋପ
Jun 23, 202695 views

ଅନୁଗୋଳରେ ଜିଲ୍ଲାସ୍ତରୀୟ NCORD ବୈଠକ : ନିଶାମୁକ୍ତ ଜିଲ୍ଲା ଗଠନ ଉପରେ ଗୁରୁତ୍ୱାରୋପ

ଅନୁଗୋଳରେ ଜିଲ୍ଲାସ୍ତରୀୟ NCORD ବୈଠକ : ନିଶାମୁକ୍ତ ଜିଲ୍ଲା ଗଠନ ଉପରେ ଗୁରୁତ୍ୱାରୋପ ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କଲେକ୍ଟର କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ NCORD (Narco Coordination Centre) ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଅବକାରୀ ଅଧୀକ୍ଷକ, ଡ୍ରଗ୍ସ ଇନ୍ସପେକ୍ଟର, ବନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ କରିବା, ଅବୈଧ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଚାଷର ନିରାକରଣ, ଜନସଚେତନତା କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତ ବିଭାଗର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଅନୁଗୋଳ ଜିଲ୍ଲା ପୋଲିସ ‘ଡ୍ରଗ୍ସ ମୁକ୍ତ ଅନୁଗୋଳ’ ଏବଂ ‘ଡ୍ରଗ୍ସ ମୁକ୍ତ ଓଡ଼ିଶା’ ଲକ୍ଷ୍ୟ ସାକାର ପାଇଁ ଦୃଢ଼ ପ୍ରତିବଦ୍ଧ ରହିଥିବା ବେଳେ, ନିଶା କାରବାର ବିରୋଧରେ ଆଗାମୀ ଦିନରେ ଅଧିକ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ମାଟି କଳାକୁ ବଞ୍ଚାଇବାକୁ ଉଠିଲା ସ୍ୱର: ପିଓପି ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ କଟକଣା ଦାବି
Jun 23, 202655 views

ମାଟି କଳାକୁ ବଞ୍ଚାଇବାକୁ ଉଠିଲା ସ୍ୱର: ପିଓପି ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ କଟକଣା ଦାବି

ନୂଆପଡ଼ା, ତା. ୨୩/୦୬ ରିପୋର୍ଟର: ଭଜନ ଲାଲ ଜଗତ ଜିଲ୍ଲାରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (POP) ଗଣେଶ ଓ ବିଶ୍ୱକର୍ମା ମୂର୍ତ୍ତିର ବଢ଼ୁଥିବା ବ୍ୟବହାରକୁ ନେଇ ଚିନ୍ତା ପ୍ରକାଶ କରିଛି ପଶ୍ଚିମ ଓଡ଼ିଶା ମୂର୍ତ୍ତି କାରିଗର ସଂଘ । ସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଜିଲ୍ଲାରେ POP ମୂର୍ତ୍ତିର ତିଆରି, ଆମଦାନୀ ଓ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲାଗୁ କରିବାକୁ ଦାବି କରାଯାଇଛି । ସଂଘର ଅଭିଯୋଗ ଅନୁଯାୟୀ, ବାହାର ରାଜ୍ୟରୁ ବ୍ୟବସାୟିକ ଭାବେ ଆସୁଥିବା POP ମୂର୍ତ୍ତି ଯୋଗୁଁ ସ୍ଥାନୀୟ ପାରମ୍ପରିକ ମାଟି ମୂର୍ତ୍ତି କାରିଗରମାନେ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ୁଛନ୍ତି । ବର୍ଷ ବର୍ଷ ଧରି ହସ୍ତକଳା ଓ ସୃଜନଶୀଳତାର ନିଦର୍ଶନ ସୃଷ୍ଟି କରୁଥିବା କାରିଗରମାନଙ୍କ ତିଆରି ମାଟି ମୂର୍ତ୍ତି ଏବେ ବଜାରରେ POP ମୂର୍ତ୍ତି ସହ ପ୍ରତିଯୋଗିତା କରିବାକୁ ବାଧ୍ୟ ହେଉଛି । ଫଳରେ ସେମାନେ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ଏବଂ ଅନେକ କାରିଗର ଜୀବିକା ହରାଇ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିବା ସଂଘ ଉଲ୍ଲେଖ କରିଛି । ଦାବିପତ୍ରରେ କୁହାଯାଇଛି ଯେ, POP ମୂର୍ତ୍ତିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜଳ ଓ ମାଟି ପାଇଁ କ୍ଷତିକାରକ । ବିସର୍ଜନ ପରେ ଏହା ଜଳାଶୟ ଓ ପରିବେଶକୁ ପ୍ରଦୂଷିତ କରିଥାଏ । ଅନ୍ୟପଟେ ମାଟି, ଗୋବର ଓ ଅନ୍ୟ ପ୍ରାକୃତିକ ସାମଗ୍ରୀରେ ନିର୍ମିତ ମୂର୍ତ୍ତି ପରିବେଶ ଅନୁକୂଳ ହେବା ସହ ପାରମ୍ପରିକ ସଂସ୍କୃତିର ବାହକ ବୋଲି ସଂଘ ମତ ପ୍ରକାଶ କରିଛି । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ପାଞ୍ଚ ଦଫା ଦାବି ଉପସ୍ଥାପନ କରାଯାଇଛି । ସେଥିରେ POP ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ, ପରିବେଶ ଅନୁକୂଳ ମାଟି ଓ ଗୋବର ମୂର୍ତ୍ତିକୁ ସରକାରୀ ପ୍ରୋତ୍ସାହନ, ସ୍ଥାନୀୟ କାରିଗରଙ୍କ ପାଇଁ ବଜାର ଓ ଆର୍ଥିକ ସହାୟତା, ପ୍ରାକୃତିକ ରଙ୍ଗ ବ୍ୟବହାରକୁ ବାଧ୍ୟତାମୂଳକ କରିବା ଏବଂ POP ମୂର୍ତ୍ତିର କୁପ୍ରଭାବ ସମ୍ପର୍କରେ ସଚେତନତା ଅଭିଯାନ ଆଦି ସାମିଲ ରହିଛି । ସଂଘର କହିବା ଅନୁସାରେ, ମହାରାଷ୍ଟ୍ର, ଛତିଶଗଡ଼ ସହ ଓଡ଼ିଶାର କେତେକ ଜିଲ୍ଲାରେ POP ମୂର୍ତ୍ତି ଉପରେ କଟକଣା ଲାଗୁ ହୋଇଥିବାରୁ ବ୍ୟବସାୟୀମାନେ ପଶ୍ଚିମ ଓଡ଼ିଶାର ବଜାରକୁ ଲକ୍ଷ୍ୟ କରୁଛନ୍ତି । ଏହାକୁ ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି । ପରିବେଶ ସୁରକ୍ଷା ସହ ସ୍ଥାନୀୟ କାରିଗରଙ୍କ ଜୀବିକା ସଂରକ୍ଷଣ ପାଇଁ ପ୍ରଶାସନ ଏହି ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରିବ ବୋଲି ପଶ୍ଚିମ ଓଡ଼ିଶା ମୂର୍ତ୍ତି କାରିଗର ସଂଘ ଆଶା ପ୍ରକାଶ କରିଛି ।

Nuapada (ନୂଆପଡ଼ା)ରିପୋର୍ଟର: ଭଜନ ଲାଲ ଜଗତ

ଆଦିବାସୀ ଜାତି କୁ ଘୃଣା ହିନସ୍ଥା ମନ୍ତବ୍ୟ ପ୍ରତିବାଦ ରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ.
Jun 23, 2026203 views

ଆଦିବାସୀ ଜାତି କୁ ଘୃଣା ହିନସ୍ଥା ମନ୍ତବ୍ୟ ପ୍ରତିବାଦ ରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ.

ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼ ବଲାଙ୍ଗିର, : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର ତରଫରୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସିନ୍ଧେକେଲା ଥାନାରେ ଲିଖିତ ଏଫ.ଆଇ.ଆର ଦାଖଲ କରାଯାଇଛି। ସଂଘର ଉପ ସଭାପତି ଶ୍ରୀ ଥବିର ପୁଝାରୀ ଦାଖଲ କରିଥିବା ଏହି ଅଭିଯୋଗରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମାଜ କୁ ଘୃଣ୍ୟ,ଅପମାନଜନକ ଓ ଲଜ୍ଜିତ ଜାତିଗତ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ୪ ଜୁନ ୨୦୨୬ ତାରିଖରେ ଏକ ଟେଲିଭିଜନ ସାକ୍ଷାତ୍କାର ସମୟରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମ୍ପ୍ରଦାୟକୁ ନେଇ ଅତି ଲଜ୍ଜିତ ଅପମାନସୂଚକ ଶବ୍ଦ "ଆଦିବାସୀ ଦୂଷିତ"ପ୍ରୟୋଗ କରିଥିଲେ। ଏହି ମନ୍ତବ୍ୟ ଆଦିବାସୀ ସମାଜର ସମ୍ମାନ, ମର୍ଯ୍ୟାଦା ଓ ସାମାଜିକ ଗରିମା ପ୍ରତି ଗୁରୁତର ଆଘାତ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରି ବକ୍ତବ୍ୟ ଦ୍ୱାରା ସମଗ୍ର ଆଦିବାସୀ ସମ୍ପ୍ରଦାୟର ଭାବନା ଆହତ ହୋଇଥିବା ସହ ସମାଜ ର ଲୋକଙ୍କୁ ଜାଣିଶୁଣି ଅପମାନିତ କରାଯାଇଛି ବୋଲି ସଂଘ ଉଲ୍ଲେଖ କରିଛି l ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗରେ ଉଲ୍ଲେଖ କରିଛି ଯେ, ଜନପ୍ରତିନିଧି ଭାବେ ଜଣେ ବିଧାୟକଙ୍କ ଠାରୁ ସମ୍ବିଧାନିକ ମୂଲ୍ୟବୋଧ ଓ ସାମାଜିକ ସମ୍ମାନ ପ୍ରତି ଅଧିକ ଦାୟିତ୍ୱଶୀଳ ଆଚରଣ ଆଶା କରାଯାଏ। କିନ୍ତୁ ଆଦିବାସୀ ସମାଜ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରି ସେ ସାମାଜିକ ଓ ସମ୍ବିଧାନିକ ମୂଲ୍ୟବୋଧକୁ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି। ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନୃଶଂସତା ନିବାରଣ) ଆଇନ, ୧୯୮୯ (ସଂଶୋଧିତ ୨୦୧୫ ଓ ୨୦୧୮) ଏବଂ ଭାରତୀୟ ନ୍ୟାୟ ସଂହିତା( ବି.ଏନ. ଏସ ) ୨୦୨୩ର ପ୍ରଯୁଜ୍ୟ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଂଘ ର ଉପ ସଭାପତି ଶ୍ରୀ ଥବିର ପୁଝାରୀ ଏଫ. ଆଇ.ଆର.ଦେଇଛନ୍ତି l ଥାନାରେ ଅଭିଯୋଗ ଦାଖଲ ସମୟରେ ଶ୍ରୀ ପୁଝାରୀ ସହିତ ସଂଘ ର ଫକୀର ମାଝି, ଅଭି ମାଝି, ଶ୍ରୀମତୀ ରୀନା ମାଝି, ଗୋକୁଳ ସିଂ ମାଝି,ଲୟକର ଛତ୍ରିଆ, ବୈଷ୍ଣବ ମଲ୍ଲିକ, ମହେନ୍ଦ୍ର ଛତ୍ରିଆ, କ୍ଷେତ୍ରୀ ଥାନାପତି ସହିତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

ଦ୍ୱିତୀୟ ଦିବସରେ ଜନ କଲ୍ୟାଣ ଶିବିର
Jun 23, 2026183 views

ଦ୍ୱିତୀୟ ଦିବସରେ ଜନ କଲ୍ୟାଣ ଶିବିର

ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼ ଟିଟିଲାଗଡ଼ :-୨୩/୬/୨୬ ଟିଟିଲାଗଡ଼ବ୍ଲକ ବିନେକେଲା ଗ୍ରାମପଞ୍ଚାୟତ ଠାରେ ଦ୍ୱିତୀୟ ଦିବସର ଜନକଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ ଏବଂ ସମ୍ମାନିତ ଅତିଥି ବିଧାୟକ ପଞ୍ଚାୟତ ପ୍ରତିନିଧି ଗୌରଚନ୍ଦ୍ର ହେର୍ଣ୍ଣା ଉପସ୍ଥିତ ରହି ଦ୍ୱିତୀୟ ଦିବସ ଜନକଲ୍ୟାଣ ଶିବିରର ଶୁଭାରମ୍ଭ କରିଥିଲେ l ଏଥିରେ ନୂତନଭାବେ ଚୟନ ହୋଇଥିବା ମଧୁବାବୁ ପେନସନ ହିତାଧିକାରୀ ଙ୍କୁ ଭତ୍ତା ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏବଂ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତଥିବା ହିତାଧିକାରୀଙ୍କୁ ମଧ୍ୟ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମଟିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ନାଏକ ପରିଚାଳନା କରିଥିବାବେଳେ ଗ୍ରାମପଞ୍ଚାୟତ ଅଧିନସ୍ତ ସମସ୍ତ ଜନସାଧାରଣ ଓ ୱାର୍ଡମେମ୍ବର, ସିଆରପି, ଏମବିକେ, ଆଶା, ଏ ଏନ ଏମ ସମୂହ ଉପସ୍ଥିତ ଥିଲେ l ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ ପଲିଟିକାଲ ଖଟି

Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

୩ ନାମଲେଖା ପାଇଁ ବିଜୁ ଯୁବ-ଛାତ୍ର ଜନତା ଦଳର ହେଲ୍ପ ଡେସ୍କ ଉଦ୍‌ଘାଟିତ
Jun 23, 202690 views

୩ ନାମଲେଖା ପାଇଁ ବିଜୁ ଯୁବ-ଛାତ୍ର ଜନତା ଦଳର ହେଲ୍ପ ଡେସ୍କ ଉଦ୍‌ଘାଟିତ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଶିକ୍ଷାବର୍ଷର +୩ ନାମଲେଖା ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ସହଯୋଗ ଓ ମାର୍ଗଦର୍ଶନ ଯୋଗାଇବା ଉଦ୍ଦେଶ୍ୟରେ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ସ୍ଥାପନ କରାଯାଇଛି। ଏହି ହେଲ୍ପ ଡେସ୍କ ଚଳିତ ମାସର ୨୩, ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରତ ରହି ନାମଲେଖା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ଓ ଆବଶ୍ୟକ ସୂଚନା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଉଦ୍‌ଘାଟନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସଠିକ୍ ସୂଚନା ଓ ସହାୟତା ଯୋଗାଇବା ଦିଗରେ ଏପରି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ରାଜ୍ୟ ବିଜୁ ଜନତା ଦଳ ପରିଷଦ ସଦସ୍ୟ ଶ୍ରୀ ମହେନ୍ଦ୍ର ବସ୍ତିଆ, କାଉନସିଲର ଶ୍ରୀ ସଦାନନ୍ଦ ପଣ୍ଡା, କାଉନସିଲର ଶ୍ରୀ ରଞ୍ଜିତ ମାଣ୍ଡୋଠିଆ, ଅନୁଗୋଳ ବାର ଆସୋସିଏସନ ସଭାପତି ଶ୍ରୀ ଦିଲ୍ଲୀପ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳର ସିନିୟର ଉପସଭାପତି ସୁଜିତ ଦ୍ୱିବେଦୀ, ଉପସଭାପତି ଶିବାନୀ ଶଙ୍କର ଗୌଡ଼, ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ପୂର୍ବତନ ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ଜିତ ଓ ଜିଲ୍ଲା ଆଇଟି ସେଲ ସଂଯୋଜକ ଅବିନାଶ ପରିଡ଼ାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଯାତ୍ରାକୁ ସହଜ ଓ ସୁଗମ କରିବା ଲକ୍ଷ୍ୟରେ ଏହି ହେଲ୍ପ ଡେସ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା