--:--:--
-- ---
Srishti News

Web News

ପ୍ରଧାନଶିକ୍ଷକ ଶିଶିର କୁମାର ପାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
Jul 1, 202642 views

ପ୍ରଧାନଶିକ୍ଷକ ଶିଶିର କୁମାର ପାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା: କୋଏଲନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପ୍ରଧାନଶିକ୍ଷକ ଶ୍ରୀ ପାଣି ଙ୍କ ଦୀର୍ଘ ୩୨ ବର୍ଷ ଶିକ୍ଷାଦାନ ସହ ନିଜର ସାଂଗଠନିକ ଦକ୍ଷତା ପାଇଁ ଶିକ୍ଷକ ଙ୍କ ମହଲରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହା ସହ ଓଷ୍ଟା , ସ୍କାଉଟ ଏବଂ ଗାଇଡ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ତେବେ ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସିଆରସିସି ସିପ୍ରା ସାହୁ,ପ୍ରଫୁଲ୍ଲ ସ୍ବାଇଁ,ରାଧାଶ୍ୟାମ ପରିଡା, ରଞ୍ଜନ କୁମାର ସାମଲ,ବିଜୟ କୁମାର ରଥ, ଦେବାଶିଷ ପଟ୍ଟନାୟକ,ମୋରିସ ଗୁଡିଆ, ଧରିତ୍ରୀ ଦାସ,ସୁପ୍ରଭା ସାମଲ,ମଦନ ମୋହନ ଆରୁଖ,ସବିତା ପୁଜାରୀ, ସରୋଜ କୁମାର ଲେଙ୍କା, ପୂର୍ଣ୍ଣଚନ୍ଦ୍ର ମାହାତୋ,ସୁନିତା ବେହୁରା, ଅକ୍ଷୟ ପରିଡ଼ା, କମଳାକାନ୍ତ ରାଉତ, ଉମାକାନ୍ତ ରାଉତରାୟ, ରାମଚନ୍ଦ୍ର ମିଶ୍ର, ସରୋଜ ସାହୁ, ବିଜୟ କୁମାର ସିଂ ପ୍ରମୁଖଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଶ୍ରୀ ପାଣି ଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ପାଣି ଏହି କାର୍ଯ୍ୟକ୍ରମ ତାଙ୍କର ସବୁଦିନ ପାଇଁ ମନେରହିବା ସହ ଅବସର ଜୀବନ ଶିକ୍ଷା ଓ ବିଦ୍ୟାଳୟ ପ୍ରତି ସମର୍ପିତ ରହିବ ବୋଲି ମତ ପ୍ରକାଶ କରିଥିଲେ। ବିଦ୍ୟାପୀଠର ମୀନତି କିଶାନ, ଯଶୋଦା ବଡାଇକ, ମଞ୍ଜୁ ବଇଠା, ସୀତା ଖାଡିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Rourkela (ରାଉରକେଲା)ରିପୋର୍ଟ: ସୁବାସ କୁମାର ଗୁପ୍ତା, ରାଉରକେଲା

ଖୋର୍ଦ୍ଧା ଜିଲ୍ଲା ଜରିପଡା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଯୁବକ ମୃତ
Jul 1, 2026149 views

ଖୋର୍ଦ୍ଧା ଜିଲ୍ଲା ଜରିପଡା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଯୁବକ ମୃତ

ଖୋର୍ଦ୍ଧା: ବିଦ୍ୟୁତ ଆଘାତ ରେ ଯୁବକ ମୃତ,,, ମୃତ ଯୁବକର ନାମ ଆଲୋକ କୁମାର ନାୟକ ବୟସ ୩୮ ବର୍ଷ ବୋଲି ଜଣା ପଡିଛି,,,, ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଗ୍ରାମରେ,,, ଜରିପଡା ଗ୍ରାମର ଆଲୋକ କୁମାର ନାୟକ ଗତ କାଲି ରାତିରେ ନିଜ ଘରେ ବିଦ୍ୟୁତ ବଲବ ଲଗାଇବା ପାଇଁ ତାର ସଜାଡୁଥିଲେ,,,, ବିଦ୍ୟୁତ ତାର ସଜାଡ଼ିବା ପାଇଁ ନିଜେ କାମ କରୁଥିବା ବେଳେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ହୋଇଯିବାରୁ ଆଲୋକ ଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା,,,, ସେଥିରେ ସେ ଗୁରୁତର ହୋଇ ଯିବାରୁ ଚିତ୍କାର କରିଥିଲେ,,, ଆଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏକାଠି ହୋଇ ତାଙ୍କୁ ଉଦ୍ଧାର କରିଥିଲେ,, ଉଦ୍ଧାର କରି ଆଲୋକଙ୍କୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ମେଡିକାଲ ରେ ଭର୍ତ୍ତି କରିଥିଲେ,,, ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ,,, ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି,,, ତେବେ ଗତ ଦୁଇ ଦିନ ତଳେ ଆଲୋକଙ୍କର ସାନ ଭାଇଙ୍କର କୌଣସି କାରଣ ଯୋଗୁଁ ମୃତ୍ୟୁ ହୋଇଥିଲା,,, ଏହି ଘଟଣା ସ୍ଥାନୀୟ ଅଂଚଳ ରେ ଦୁଃଖ ଭରି ଦେଇଛି,,,

Khordha (ଖୋର୍ଦ୍ଧା)ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଏଜିଏମ୍ ବାଣୀ ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
Jul 1, 2026114 views

ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଏଜିଏମ୍ ବାଣୀ ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅନୁଗୋଳ: ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍‌ର ସହକାରୀ ମହାପ୍ରବନ୍ଧକ (ଏଜିଏମ୍) ଶ୍ରୀମତୀ ବାଣୀ ସିଂହଙ୍କୁ ତାଙ୍କ ଅବସର ଉପଲକ୍ଷେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରୀମତୀ ସିଂହ ଦୀର୍ଘ ୩୪ ବର୍ଷର କର୍ମମୟ ଜୀବନରେ ବ୍ୟାଙ୍କର ବିଭିନ୍ନ ଶାଖାରେ ନିଷ୍ଠା, ସତତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରି ଶେଷରେ ମୁଖ୍ୟ କାର୍ଯ୍ୟାଳୟରେ ଏଜିଏମ୍ ଭାବେ ଦାୟିତ୍ୱ ପାଳନ କରିଥିଲେ। ଜଣେ ମିଷ୍ଟଭାଷୀ, ପରୋପକାରୀ ଓ କର୍ମଚଞ୍ଚଳ ଅଧିକାରୀ ଭାବେ ସେ ସହକର୍ମୀଙ୍କ ମଧ୍ୟରେ ବେଶ୍ ସମ୍ମାନ ଓ ଲୋକପ୍ରିୟତା ଅର୍ଜନ କରିଥିଲେ। ଏହି ଅବସରରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମାନପତ୍ର, ଉପଢୌକନ ଓ ସ୍ମାରକ ଉପହାର ପ୍ରଦାନ କରି ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଅବସର ଜୀବନ କାମନା କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମ: ୧୦୦୦ କେଜିରୁ ଅଧିକ ଚୋରା ଗଞ୍ଜେଇ ନଷ୍ଟ
Jul 1, 202689 views

ଅନୁଗୋଳରେ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମ: ୧୦୦୦ କେଜିରୁ ଅଧିକ ଚୋରା ଗଞ୍ଜେଇ ନଷ୍ଟ

ଅନୁଗୋଳ: ମାନ୍ୟବର ଓଡ଼ିଶା ପୋଲିସ ନିର୍ଦ୍ଦେଶକଙ୍କ ମାର୍ଗଦର୍ଶନରେ ଅନୁଗୋଳ ପୋଲିସ ପକ୍ଷରୁ ନାଲକୋ ଥାନା ଅଧୀନସ୍ଥ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଇନସିନେରେଟରରେ ରାଜ୍ୟସ୍ତରୀୟ ପ୍ରାକ୍-ପରୀକ୍ଷା ନିଶା ନିବାରଣ କାର୍ଯ୍ୟକ୍ରମ ଓ ସାମୂହିକ ନିଶା ନିବାରଣ ପ୍ରତିଜ୍ଞା ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ୧୦୦୦ କିଲୋଗ୍ରାମରୁ ଅଧିକ ଜବତ ଚୋରା ଗଞ୍ଜେଇକୁ ନିୟମାନୁସାରେ ନଷ୍ଟ କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍ତର-ମଧ୍ୟ ରେଞ୍ଜ (NCR)ର ଆଇଜିପି ଶ୍ରୀ ସତ୍ୟବ୍ରତ ଭୋଇ, ଆଇପିଏସ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ। ଏହା ସହିତ ଅନୁଗୋଳ ଜିଲ୍ଲାର ସମସ୍ତ ଥାନାରେ ‘ଆମ ପୋଲିସ ସମିତି’ ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରାୟ ୧,୩୦୦ ଜଣ ନାଗରିକ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ନିଶା ଅପବ୍ୟବହାର ବିରୋଧରେ ସାମୂହିକ ସଚେତନତା ଓ ସଂକଳ୍ପକୁ ଆହୁରି ସୁଦୃଢ଼ କରିଥିବା ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ହାତିଆସୁଣି ବସ୍ତିରେ ଶୋଚନୀୟ ରାସ୍ତା ଅବସ୍ଥା, ଦୁର୍ଦ୍ଦଶାରେ ବସ୍ତିବାସୀ
Jul 1, 202642 views

ହାତିଆସୁଣି ବସ୍ତିରେ ଶୋଚନୀୟ ରାସ୍ତା ଅବସ୍ଥା, ଦୁର୍ଦ୍ଦଶାରେ ବସ୍ତିବାସୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ହାତିଆସୁଣି ବସ୍ତିରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ କାଦୁଅ ଓ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ରାସ୍ତାର ମରାମତି କିମ୍ବା ପକ୍କାକରଣ କରାଯାଇନାହିଁ। ଫଳରେ ବର୍ଷା ଦିନରେ କାଦୁଅ ଭର୍ତ୍ତି ରାସ୍ତା ଦେଇ ଚାଲିବା ଏବଂ ଦୁଇଚକିଆ ଯାନ ଚଳାଚଳ କରିବା ବିପଦଜନକ ହୋଇପଡ଼ୁଛି। ସ୍କୁଲ୍ ଛାତ୍ରଛାତ୍ରୀ, ବୟସ୍କ ଓ ରୋଗୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ କହିଛନ୍ତି। ବସ୍ତିବାସୀଙ୍କ କହିବା ଅନୁସାରେ, ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ସ୍ଥାନୀୟ ଲୋକମାନେ ତୁରନ୍ତ ରାସ୍ତାର ମରାମତି ଓ ପକ୍କାକରଣ କରି ଯାତାୟାତ ସୁବିଧା ସୁନିଶ୍ଚିତ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ ପ୍ରଧାନ, ଭୁବନେଶ୍ୱର

ନିଜ ଜାଗାରେ ମାଟି ପକାକୁ ବିରୋଧ କରିବାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ମହିଳା ମେଡିକାଲରେ ଭର୍ତ୍ତି, ଥାନାରେ ଅଭିଯୋଗ
Jul 1, 202653 views

ନିଜ ଜାଗାରେ ମାଟି ପକାକୁ ବିରୋଧ କରିବାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ମହିଳା ମେଡିକାଲରେ ଭର୍ତ୍ତି, ଥାନାରେ ଅଭିଯୋଗ

ସାଲେପୁର:ନିଜ ଜାଗାରେ ମାଟି ପକାକୁ ବିରୋଧ କରିବାରୁ ସଂଘବଦ୍ଧ ଭାବେ ଜନୈକ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି | ଫଳରେ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି | ପ୍ରକାଶ ଯେ, ସାଲେପୁର ବ୍ଲକ କଟରପା ପଞ୍ଚାୟତ ଅନ୍ତର୍ଗତ ମହନା ପୁର ଗାଁ ର ସ୍ୱର୍ଣ୍ଣଲତା ବେହେରାଙ୍କ ଜାଗା ଉପରେ କିଛି ବ୍ୟକ୍ତି ଜୋର ଜବରଦସ୍ତ ମାଟି ପକାଇ ରାସ୍ତା ନିର୍ମାଣ କରୁଥିବା ବେଳେ ସ୍ୱର୍ଣ୍ଣଲତା ଏହାକୁ ବିରୋଧ କରିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ବ୍ୟକ୍ତି କିଛି ଯୁବକ ଓ ମହିଳାମାନେ ସଂଘ ବଦ୍ଧ ଭାବେ ସ୍ୱର୍ଣାଲତା ଙ୍କୁ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ | ଏଥିରେ ତାଙ୍କ ମୁଣ୍ଡ, ବେକ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ରକ୍ତାକ୍ତ ହୋଇ ଗୁରୁତର ହୋଇଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ସାଲେପୁର ମେଡିକାଲ ନିଆଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ଏନେଇ ତାଙ୍କ ଭଉଣୀ ପ୍ରେମଲତା ବେହେରା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରିବାର ପ୍ରତି ବିପଦ ଥିବା ବେଳେ ପରିବାରଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି |

Cuttack (କଟକ)ରିପୋର୍ଟ: ସୁରେନ୍ଦ୍ର ଜେନା, କଟକ

ରାଜଧାନୀ ଉପକଣ୍ଠରେ ସଙ୍କୁଚିତ ହେଉଛି ଚାଷ ଜମି, ବଢ଼ୁଛି କଂକ୍ରିଟ୍‌କରଣ
Jul 1, 202637 views

ରାଜଧାନୀ ଉପକଣ୍ଠରେ ସଙ୍କୁଚିତ ହେଉଛି ଚାଷ ଜମି, ବଢ଼ୁଛି କଂକ୍ରିଟ୍‌କରଣ

ଭୁବନେଶ୍ୱର: ଦ୍ରୁତ ସହରୀକରଣ ସହିତ ରାଜଧାନୀ ଭୁବନେଶ୍ୱରର ଉପକଣ୍ଠ ଅଞ୍ଚଳରେ ଚାଷ ଜମିର ପରିମାଣ କ୍ରମଶଃ ହ୍ରାସ ପାଉଥିବା ଦେଖାଯାଉଛି। ଉର୍ବର ଚାଷ ଜମିରେ ପ୍ଲଟିଂ, ଆପାର୍ଟମେଣ୍ଟ ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟ ବଢ଼ିବା ସହ ଚାଷୀ ଏବଂ ପରିବେଶକୁ ନେଇ ଚିନ୍ତା ପ୍ରକାଶ ପାଉଛି। ସ୍ଥାନୀୟ ଅଞ୍ଚଳରେ ଥିବା ଅନେକ ଚାଷ ଜମି ଧୀରେ ଧୀରେ ଅଣକୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ କୃଷି ଉତ୍ପାଦନ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି। ଚାଷୀମାନେ ଜମି ହରାଇବା ସହ ଭବିଷ୍ୟତ ଜୀବିକାକୁ ନେଇ ମଧ୍ୟ ଚିନ୍ତିତ ଥିବା କୁହାଯାଉଛି। ସଚେତନ ନାଗରିକଙ୍କ ମତରେ, ଯଦି ରାଜଧାନୀ ଆଖପାଖରେ ଥିବା ଚାଷ ଜମି କ୍ରମାଗତ ଭାବେ କଂକ୍ରିଟ୍‌କରଣର ଶିକାର ହୁଏ, ତେବେ ଭବିଷ୍ୟତରେ ସ୍ଥାନୀୟ ପନିପରିବା ଓ ଖାଦ୍ୟଶସ୍ୟ ଉତ୍ପାଦନ କମିପାରେ। ଏହାଦ୍ୱାରା ବାହାର ଅଞ୍ଚଳ ଉପରେ ନିର୍ଭରଶୀଳତା ବଢ଼ିବା ସହ ଦରଦାମ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ବିଶେଷଜ୍ଞମାନଙ୍କ ମତରେ, ଚାଷ ଜମି ଓ ଜଳାଶୟ କମିବା ଭୂତଳ ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି ଏବଂ ସହରାଞ୍ଚଳରେ ଜଳନିଷ୍କାସନ ସମସ୍ୟାକୁ ବଢ଼ାଇପାରେ। ସେଥିପାଇଁ ସୁପରିକଳ୍ପିତ ସହରୀକରଣ ସହ କୃଷିଜମି ଓ ପରିବେଶର ସୁରକ୍ଷା ଉପରେ ସମାନ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସ୍ଥାନୀୟ ଲୋକ ଓ ପରିବେଶ ପ୍ରେମୀମାନେ ରାଜଧାନୀ ଉପକଣ୍ଠରେ ଥିବା ଉର୍ବର ଚାଷ ଜମିର ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଦୀର୍ଘମିଆଦି ଯୋଜନା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

​କୋଟି କୋଟି ଟଙ୍କାର ସ୍ୱେରେଜ୍ ପ୍ରକଳ୍ପ ଏବେ ଜଙ୍ଗଲ : ପ୍ରଶାସନର ଉଦାସୀନତା ନେଇ ଉଠିଲା ବଡ଼ ପ୍ରଶ୍ନବାଚୀ
Jul 1, 202642 views

​କୋଟି କୋଟି ଟଙ୍କାର ସ୍ୱେରେଜ୍ ପ୍ରକଳ୍ପ ଏବେ ଜଙ୍ଗଲ : ପ୍ରଶାସନର ଉଦାସୀନତା ନେଇ ଉଠିଲା ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇଁ ଏବଂ ସହରର ବର୍ଜ୍ୟବସ୍ତୁ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ସ୍ୱେରେଜ୍ ଲାଇନ (Sewerage Line) ନିର୍ମାଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଅର୍ଥ କେବଳ ପାଣିରେ ପଡ଼ିଲା ଭଳି ମନେହେଉଛି। ରକ୍ଷଣାବେକ୍ଷଣ ଅଭାବରୁ ସହରର ବିଭିନ୍ନ ସ୍ଥାନରେ ଏହି ସ୍ୱେରେଜ୍ ଲାଇନଗୁଡ଼ିକ ଅଳିଆ ଆବର୍ଜନା ଏବଂ ଘଞ୍ଚ ଜଙ୍ଗଲରେ ପରିଣତ ହେବାକୁ ବସିଲାଣି। ​ଦୁଇଟି ପାଚେରି ମଧ୍ୟରେ ଯାଇଥିବା ସ୍ୱେରେଜ୍ ଲାଇନଟି ସମ୍ପୂର୍ଣ୍ଣ ଭାବେ ବଣବୁଦା ଏବଂ ଗଛଲତାରେ ଆଚ୍ଛାଦିତ ହୋଇ ରହିଛି। ସ୍ୱେରେଜ୍ ମ୍ୟାନହୋଲ୍ (Manhole) ଚାରିପାଖରେ ଅନାବନା ଗଛ ଉଠିବା ସହ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଆବର୍ଜନା ଜମା ହୋଇ ରହିଛି। ଯେଉଁ ଉଦ୍ଦେଶ୍ୟରେ ଏତେ ବଡ଼ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା, ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାକୁ ଚାଲିଯାଇଛି। ​ ତେବେ ​ଟଙ୍କା କାହାର, ସ୍ୱାର୍ଥ କାହାର ? ଜନସାଧାରଣଙ୍କ ଟିକସ ପଇସାରୁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା କାହିଁକି ଏଭଳି ଅଦରକାରୀ ଭାବେ ପଡ଼ି ରହିଛି ? ​କାହିଁକି ହେଉନାହିଁ ସଫାସୁତୁରା ? ସ୍ୱେରେଜ୍ ଲାଇନଗୁଡ଼ିକୁ ନିୟମିତ ବ୍ୟବଧାନରେ ସଫା କରିବା ଏବଂ ଏହାର ଯତ୍ନ ନେବା ପାଇଁ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ କାହିଁକି ଆଖି ବୁଜି ବସିଛନ୍ତି ? ଏପରି ଅନେକ ପ୍ରଶ୍ନ ବୁଦ୍ଧିଜୀବୀଙ୍କ ମନରେ l ତେବେ ​ଏଭଳି ଘଞ୍ଚ ବୁଦା ଓ ଜମା ହୋଇ ରହିଥିବା ଆବର୍ଜନା ଯୋଗୁଁ ମଶା, ମାଛି ଏବଂ ବିଷାକ୍ତ ସରୀସୃପଙ୍କ ପ୍ରାଦୁର୍ଭାବ ବଢ଼ୁଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ। ​ଏହି ସ୍ୱେରେଜ୍ ଲାଇନର ଦୟନୀୟ ଅବସ୍ଥା ଏବେ ସ୍ମାର୍ଟ ସିଟିର ବିକାଶ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦା ଏବଂ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ଯେ, ସମ୍ପୃକ୍ତ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ସ୍ଥାନ ଗୁଡ଼ିକୁ ସଫା କରନ୍ତୁ ଏବଂ ସ୍ୱେରେଜ୍ ଲାଇନକୁ କାର୍ଯ୍ୟକ୍ଷମ କରନ୍ତୁ, ଯଦ୍ୱାରା ଜନସାଧାରଣ ଏହାର ସୁଫଳ ପାଇପାରିବେ।

Bhubaneswar (ଭୁବନେଶ୍ୱର)​ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ଗୁରୁଜଙ୍ଗରେ ମା' ମଙ୍ଗଳାଙ୍କ ନୂତନ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ
Jul 1, 202677 views

ଗୁରୁଜଙ୍ଗରେ ମା' ମଙ୍ଗଳାଙ୍କ ନୂତନ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମା' ମଙ୍ଗଳାଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ମା' ମଙ୍ଗଳାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ। ସେ ମନ୍ଦିର ନିର୍ମାଣ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହେମଲତା ମହାନ୍ତି, ଗୁରୁଜଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅମ୍ବିକା ତ୍ରିପାଠୀଙ୍କ ସମେତ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିବିଶେଷ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା' ମଙ୍ଗଳାଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଦିବ୍ୟ ଜୀବନ ହାଇସ୍କୁଲରେ ପ୍ରଧାନଶିକ୍ଷକ ଓ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
Jul 1, 202679 views

ଦିବ୍ୟ ଜୀବନ ହାଇସ୍କୁଲରେ ପ୍ରଧାନଶିକ୍ଷକ ଓ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡଶର ଗ୍ରାମସ୍ଥିତ ଦିବ୍ୟ ଜୀବନ ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଜନକ ସାହୁଙ୍କ ଅବସର ଉପଲକ୍ଷେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଅବସରପ୍ରାପ୍ତ ଉଭୟ କର୍ମକର୍ତ୍ତାଙ୍କ ଦୀର୍ଘ ବର୍ଷର ନିଷ୍ଠାପୂର୍ଣ୍ଣ ସେବା, କର୍ତ୍ତବ୍ୟନିଷ୍ଠା ଏବଂ ବିଦ୍ୟାଳୟର ବିକାଶରେ ସେମାନଙ୍କ ଅବଦାନକୁ ସ୍ମରଣ କରିଥିଲେ। ବକ୍ତାମାନେ କହିଥିଲେ ଯେ, ସେମାନଙ୍କର ସେବା, ଶୃଙ୍ଖଳା ଓ ଆଦର୍ଶ ଭବିଷ୍ୟତ ପିଢ଼ି ପାଇଁ ସଦା ପ୍ରେରଣାଦାୟକ ହୋଇ ରହିବ। ଶେଷରେ ଉଭୟଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇ ସେମାନଙ୍କ ସୁସ୍ଥ, ସୁଖମୟ ଏବଂ ଦୀର୍ଘାୟୁ ଜୀବନ କାମନା କରାଯାଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଟାଙ୍ଗୀ ବଡ଼ପାରି ଓଭରବ୍ରିଜରେ ସଡ଼କ ଦୁର୍ଘଟଣା, ଲୁନା ଚାଳକ ଗୁରୁତର
Jul 1, 2026118 views

ଟାଙ୍ଗୀ ବଡ଼ପାରି ଓଭରବ୍ରିଜରେ ସଡ଼କ ଦୁର୍ଘଟଣା, ଲୁନା ଚାଳକ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବଡ଼ପାରି ଓଭରବ୍ରିଜ ଉପରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଲୁନା ଏକ୍ସଏଲକୁ ଧକ୍କା ଦେବାରୁ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ପରିଚୟ ଟାଙ୍ଗୀ ଥାନା ଅନ୍ତର୍ଗତ ପଥରବନ୍ଧ ଗ୍ରାମର ମେରୁଧର ସାମନ୍ତରାୟ (୫୨) ଭାବେ ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ପ୍ରଥମେ ଟାଙ୍ଗୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।

Khordha (ଖୋର୍ଦ୍ଧା)ରିପୋର୍ଟ: ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କୋଳିଥିଆ ଡବଲ ମର୍ଡର ଘଟଣାର ଫର୍ଦାଫାସ, ୨ ନାବାଳକ ଛାତ୍ର ଗିରଫ
Jul 1, 202683 views

କୋଳିଥିଆ ଡବଲ ମର୍ଡର ଘଟଣାର ଫର୍ଦାଫାସ, ୨ ନାବାଳକ ଛାତ୍ର ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ ଲୋମଟାଙ୍କୁରା ଅପରାଧ ସାମ୍ନାକୁ ଆସିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଛକ ନିକଟରେ ଘଟିଥିବା ଚାଞ୍ଚଲ୍ୟକର ଡବଲ୍ ମର୍ଡର ଘଟଣାର ଗୁମର ଖୋଲିଛି କମିଶନରେଟ୍ ପୋଲିସ। ପ୍ରେମ ବ୍ୟାପାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ପଛରେ ଦୁଇ ଜଣ ସ୍କୁଲ ପଢୁଆ ନାବାଳକ ଛାତ୍ର ରହିଥିବା ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର। ​ମୃତକମାନେ ହେଲେ କୋଳଥିଆ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ୨୦ ବର୍ଷୀୟ ଯୁକ୍ତ ତିନି ବିଜ୍ଞାନ ଛାତ୍ର କୃଷ୍ଣ ଚନ୍ଦ୍ର ପାଢ଼ୀ (ବୁଦ୍ଧି) ଏବଂ ତାଙ୍କ ୫୪ ବର୍ଷୀୟ ପିତା ହିମାଂଶୁ ପାଢ଼ୀ। ସୋମବାର ବିଳମ୍ବିତ ରାତି (ପ୍ରାୟ ୨ଟା) ସମୟରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପାଚେରୀ ଡେଇଁ ସେମାନଙ୍କ ଘରେ ପଶିଥିଲେ। ଅଭିଯୁକ୍ତମାନେ ପ୍ରଥମେ କୃଷ୍ଣଙ୍କୁ ଲଙ୍କାଗୁଣ୍ଡ/ପେପର ସ୍ପ୍ରେ ମାରି ଲୁହା ରଡ୍‌ରେ ନିର୍ମମ ଭାବେ ପିଟିଥିଲେ। ପୁଅକୁ ବଞ୍ଚାଇବାକୁ ଆସି ବାପା ହିମାଂଶୁ ଏବଂ ଭଉଣୀ ତାପସୀ ପାଢ଼ୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ​ଘଟଣାସ୍ଥଳରେ ହିଁ କୃଷ୍ଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଏମ୍ସ (AIIMS) ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ବାପା ହିମାଂଶୁ ପାଢ଼ୀ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଭଉଣୀ ତାପସୀ ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ​ପୋଲିସ ତଦନ୍ତରୁ ଜଣାପଡିଛି ଯେ, ବର୍ଷେ ତଳେ ଏକ କୋଚିଂ ସେଣ୍ଟରରେ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିବାକୁ ନେଇ କୃଷ୍ଣଙ୍କ ସହ ଅଭିଯୁକ୍ତମାନଙ୍କର ବିବାଦ ଚାଲିଥିଲା। ଏହି ପୂର୍ବ ଶତ୍ରୁତାର ସୀମା ପାର ହୋଇ ଶେଷରେ ଏକ ଯୋଜନାବଦ୍ଧ ଭାବେ ଏହି ବୀଭତ୍ସ ହତ୍ୟାକାଣ୍ଡ ରୂପ ନେଇଥିଲା। ​ଭୁବନେଶ୍ୱର ଡିସିପି ଓ ଖଣ୍ଡଗିରି ପୋଲିସ ସ୍ପେଶାଲ ସ୍କ୍ୱାଡ୍, ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ସହାୟତାରେ ସିସିଟିଭି ଫୁଟେଜ୍ ଆଧାରରେ ଦୁଇ ନାବାଳକଙ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଲୁହା ରଡ୍, ପେପର ସ୍ପ୍ରେ, ମୋବାଇଲ୍ ଏବଂ ବାଇକ୍ ଜବତ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ବାଲ୍ ସୁଧାର ଗୃହ (Observation Home)କୁ ପଠାଯାଇଛି ଏବଂ ଘଟଣାରେ ସଂପୃକ୍ତ ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା ଚଳାଇଛି। ​ରାଜଧାନୀରେ ନାବାଳକଙ୍କ ଦ୍ୱାରା ବଢୁଥିବା ଏଭଳି ସାଂଘାତିକ ଅପରାଧ ଏବେ ସମାଜ ଓ ପୋଲିସ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି।"

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି