--:--:--
-- ---
Srishti News

Web News

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା 'ସେବା ସଂକଳ୍ପ ଅଭିଯାନ'ର ସମୀକ୍ଷା
Sep 15, 2026•21 views

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା 'ସେବା ସଂକଳ୍ପ ଅଭିଯାନ'ର ସମୀକ୍ଷା

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦଳ ଏବଂ ସରକାରଙ୍କ ପକ୍ଷରୁ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ର ବିସ୍ତୃତ ସମୀକ୍ଷା କରିଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନା ଓ ସେବାଗୁଡ଼ିକର ପ୍ରଗତି ଏବଂ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ରଣନୀତି ଉପରେ ଏହି ବୈଠକରେ ବିଶେଷ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଅଭିଯାନକୁ ସଫଳ କରିବା ପାଇଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଜନପ୍ରତିନିଧିମାନଙ୍କୁ ଲୋକଙ୍କ ସହ ସିଧାସଳଖ ଯୋଡ଼ିହେବାକୁ ଆହ୍ୱାନ ଦେଇଛନ୍ତି। ସରକାରଙ୍କ ସେବା ମନୋଭାବ ଏବଂ ଜନକଲ୍ୟାଣକାରୀ ନୀତିକୁ ପ୍ରତିଟି ଗରିବ, ଖଟିଖିଆ ଏବଂ ଅସହାୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ, ମନ୍ତ୍ରୀ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳରେ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଆଗାମୀ ଦିନରେ ଏହି ସେବା ସଂକଳ୍ପ ଅଭିଯାନକୁ ଆହୁରି ବ୍ୟାପକ ଏବଂ ତ୍ୱରାନ୍ୱିତ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ନୂଆଖାଇ ପର୍ବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ
Sep 15, 2026•20 views

ନୂଆଖାଇ ପର୍ବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ

କୋମନା:୧୫:୨୬, ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ନୂଆଖାଇ। କୋନାବିରା ହାଇସ୍କୁଲ ପଡ଼ାରେମଧ୍ୟ ଏହି ପବିତ୍ର ପର୍ବକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଉଛି। ନୂଆଖାଇ ଅବସରରେ ସମସ୍ତଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସୌହାର୍ଦ୍ଦ ବୃଦ୍ଧି ପାଉ ବୋଲି ଶୁଭେଚ୍ଛା ଜଣାଯାଇଛି। ନୂଆ ଧାନ ଓ ନୂଆ ଖାଦ୍ୟକୁ ଇଷ୍ଟଦେବତାଙ୍କ ନିକଟରେ ଅର୍ପଣ କରିବା ପରେ ପରିବାର ଓ ସମାଜର ସମସ୍ତେ ଏକାଠି ହୋଇ ନୂଆଖାଇ ପାଳନ କରିଥାନ୍ତି। ଏହି ପର୍ବ କେବଳ ଏକ ପାରମ୍ପରିକ ଉତ୍ସବ ନୁହେଁ, ବରଂ ମାଟି, ଚାଷୀ ଓ କୃଷିଭିତ୍ତିକ ସଂସ୍କୃତିର ଏକ ନିଆରା ପରିଚୟ। ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମରେ ଉତ୍ପାଦିତ ନୂଆ ଧାନକୁ ନେଇ ଏହି ପର୍ବ ପାଳନ ହେଉଥିବାରୁ ନୂଆଖାଇର ମହତ୍ତ୍ୱ ଅତ୍ୟନ୍ତ ଅଧିକ। ପର୍ବ ଅବସରରେ ବାସି ଓ ବାସିଦିନ ନାଏକ ପରିବାରର ସଦସ୍ୟମାନେ ଏକତ୍ରିତ ହୋଇ ପାରମ୍ପରିକ ରୀତିନୀତି ସହ ଉତ୍ସବର ଆନନ୍ଦ ଉପଭୋଗ କରନ୍ତି। ପ୍ରାୟ ୪୫ଟି ପରିବାର ଏକାଠି ହୋଇ ପରସ୍ପର ମଧ୍ୟରେ ଭାଇଚାରା ଓ ସ୍ନେହର ବାର୍ତ୍ତା ବାଣ୍ଟି ନୂଆଖାଇର ମଜା ନେଇଥାନ୍ତି। ଏହି ଅବସରରେ ଚରଣ ସିଙ୍ଗମାଝୀ, ଭୁଜବଳ ମାଝୀ, ଉପେନ ମାଝୀ, ଧସିଂ ମାଝୀ, ପୁରନ୍ଦର ମାଝୀଙ୍କ ସମେତ ବୟୋଜ୍ୟେଷ୍ଠମାନେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ଆଶୀର୍ବାଦ ଓ ଶୁଭକାମନା ଜଣାଇଛନ୍ତି। ନୂଆଖାଇ ଜୁହାର। ସମସ୍ତଙ୍କୁ ନୂଆଖାଇର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

Nuapada (ନୂଆପଡ଼ା) • ରିପୋଟ,ଗିରେନ୍ଦ୍ର କୁମାର ଜଗତ

ଆନନ୍ଦ ଉଲ୍ଲାସ ସହିତ ଗଣପର୍ବ ନୁଆଁଖାଇ ପାଳିତ
Sep 15, 2026•177 views

ଆନନ୍ଦ ଉଲ୍ଲାସ ସହିତ ଗଣପର୍ବ ନୁଆଁଖାଇ ପାଳିତ

ଧର୍ମଗଡ :-କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଡ଼ଘୁମେର ଗ୍ରାମରେ ଜୁନା ଗନ୍ତିଆ ପରିବାର ପକ୍ଷରୁ ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ ଆନନ୍ଦ ଓ ଉଲ୍ଲାସ ର ସହିତ ପାଳିତ ହୋଇଯାଇଛି,ସର୍ବ ପ୍ରଥମେ ନିଜ ଇଷ୍ଟ ଦେବଦେବୀ ଓ ପିତୃ ପୁରୁଷ ଙ୍କୁ ନବାର୍ନ ଲାଗିହେଲା ପରେ ପରିବାର ର ସମସ୍ତେ ଏକତ୍ରିତ ହୋଇ ନବାର୍ନ ଭକ୍ଷଣ କରିଥିଲେ ଓ ନୁଆଁଖାଇ ସରିଲା ପରେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଛୋଟ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ, ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଜୁନା ଗନ୍ତିଆ ପରିବାର ର ସଦସ୍ୟ ମଧୁସୂଦନ ଗୋପାଳ,ଅର୍ଜୁନ ଗୋପାଳ, ବଳଦେବ ଗୋପାଳ, ସନ୍ତୋଷ ଗୋପାଳ, ଭୀମସେନ ଗୋପାଳ, ରାଧେଶ୍ୟାମ ଗୋପାଳ, ନିରାକାର ଗୋପାଳ, ସିଙ୍ଗ ଗୋପାଳ, ସିମାଞ୍ଚଳ ଗୋପାଳ,ରାଜିନ୍ଦ୍ର ଗୋପାଳ,ତିରିତ ଲାଲ ଗୋପାଳ, ଗଙ୍ଗାରାମ ଗୋପାଳ, ଭୋଦେବ ଗୋପାଳ ଙ୍କ ସପରିବାର ଆୟୋଜନ କରିଥିଲେ l

Kalahandi (କଳାହାଣ୍ଡି) • ରିପୋର୍ଟ :-ନିରାକାର ଗୋପାଳ, ଧର୍ମଗଡ଼ ପ୍ରତିନିଧି

ସଂପୁର ଗ୍ରାମରେ ପାଳିତ ହେଲା ନୂଆଖାଇ ମହୋତ୍ସବ ୨୦୨୬
Sep 15, 2026•45 views

ସଂପୁର ଗ୍ରାମରେ ପାଳିତ ହେଲା ନୂଆଖାଇ ମହୋତ୍ସବ ୨୦୨୬

ଖୋର୍ଦ୍ଧା: ସଂପୁର ଗ୍ରାମରେ ନୂଆଖାଇ ମହୋତ୍ସବ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓକିଲ ସଂଘ ସଭାପତି ଲୋତକ ବିନ୍ଦୁ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଖାଇ ପର୍ବର ମହତ୍ତ୍ୱ ଓ ଓଡ଼ିଆ ସଂସ୍କୃତିରେ ଏହାର ସ୍ଥାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ବିଇଓ ତଥା ଶିକ୍ଷାବିତ୍ ପ୍ରମୋଦ କୁମାର ସ୍ୱାଇଁ, କଟକ ରେବା ପ୍ରତିଷ୍ଠାନର ମୁଖ୍ୟ ପ୍ରଫୁଲ୍ଲ କୁମାର ପାତ୍ର, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ସ୍ୱାଇଁ, କଳାକାର ମୁନା ପଣ୍ଡା, ହେମନ୍ତ ଦେଓ, ହରପ୍ରସାଦ ମହାନ୍ତି ଓ ଏମ୍. ଆଲୋକ କୁମାର ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ଶାନ୍ତନୁ ଛୋଟରାୟ ଓ ଶିକ୍ଷକ ଅରୁଣ କୁମାର ସାହୁ ସଂଯୋଜନା କରିଥିଲେ। ମହୋତ୍ସବ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ନାୟକ (ଅନିଲ) କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ନୂଆଖାଇ ଅବସରରେ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ସାଂସ୍କୃତିକ ଏକତା ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟର - ପ୍ରିୟଙ୍କା ମହାପାତ୍ର , ଖୋର୍ଦ୍ଧା

୪୧ତମ ବାହିନୀ ITBPର ୧୯ତମ ପ୍ରତିଷ୍ଠା ଦିବସ ପାଳିତ
Sep 15, 2026•52 views

୪୧ତମ ବାହିନୀ ITBPର ୧୯ତମ ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧା: ୪୧ତମ ବାହିନୀ ଭାରତ-ତିବ୍ବତ ସୀମା ପୋଲିସ ବଳ (ITBP)ର ୧୯ତମ ପ୍ରତିଷ୍ଠା ଦିବସ ବିକ୍ରମ ନଗର କ୍ୟାମ୍ପ, ତରତୁଆ, ଖୋର୍ଦ୍ଧାଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଏହି ଅବସରରେ ITBP କ୍ଷେତ୍ରୀୟ ମୁଖ୍ୟାଳୟ, ଭୁବନେଶ୍ୱରର ଉପ-ମହାନିରୀକ୍ଷକ ବେଣୁଧର ନାୟକ ଏବଂ ହିମବୀର ୱାଇଫ୍ସ ୱେଲଫେୟାର ଆସୋସିଏସନ (HAWA)ର ଚିଫ୍ ଏକ୍ଜିକ୍ୟୁଟିଭ୍ ଗିରିଜା ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ଓ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ପିଲାମାନଙ୍କ ପାଇଁ ଜିଲାପି ଦୌଡ଼, HAWA ସଦସ୍ୟାମାନଙ୍କ ପାଇଁ ବେଲନ୍ ଥ୍ରୋ, ମ୍ୟୁଜିକାଲ୍ ଚେୟାର ଏବଂ ମହିଳାମାନଙ୍କ ପାଇଁ ଛୁଞ୍ଚି-ସୂତା ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଏଥିସହ ବିଭିନ୍ନ ପ୍ରକାରର ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା।ସେହିପରି ଯବାନମାନଙ୍କ ପାଇଁ ବସ୍ତା ଦୌଡ଼ ଓ ରସାକସି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବାହିନୀର ଯବାନ, HAWA ସଦସ୍ୟା ଓ ପିଲାମାନେ ଉତ୍ସାହର ସହ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଏଭଳି କାର୍ଯ୍ୟକ୍ରମ ବାହିନୀର ସଦସ୍ୟ, ପରିବାରବର୍ଗ ଓ ପିଲାମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ଉତ୍ସାହକୁ ଆହୁରି ସୁଦୃଢ଼ କରିଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍ ଆରୋହୀଙ୍କୁ ଉଦ୍ଧାର କଲେ ସେବାଦଳ କାର୍ଯ୍ୟକର୍ତ୍ତା  ମାନବିକତାର ପରିଚୟ ଦେଇ ହସ୍ପିଟାଲରେ କରାଇଲେ ଚିକିତ୍ସା
Sep 15, 2026•20 views

ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍ ଆରୋହୀଙ୍କୁ ଉଦ୍ଧାର କଲେ ସେବାଦଳ କାର୍ଯ୍ୟକର୍ତ୍ତା ମାନବିକତାର ପରିଚୟ ଦେଇ ହସ୍ପିଟାଲରେ କରାଇଲେ ଚିକିତ୍ସା

ଖଡ଼ିଆଳ: ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦୁଇ ଜଣ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି କଂଗ୍ରେସ ସେବାଦଳର କାର୍ଯ୍ୟକର୍ତ୍ତାମାନେ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁଇ ଜଣ ବାଇକ୍ ଆରୋହୀ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ପଡ଼ିଥିଲେ। ଦୁର୍ଘଟଣାରେ ଉଭୟ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ଥିବା ଦେଖି କଂଗ୍ରେସ ସେବାଦଳର କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଆସିବାରେ ବିଳମ୍ବ ହେବାରୁ ଅପେକ୍ଷା ନକରି ଏକ ଗାଡ଼ି ଯୋଗେ ଆହତ ଦୁଇଜଣଙ୍କୁ ତୁରନ୍ତ ଖଡ଼ିଆଳ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଉଭୟଙ୍କ ଚିକିତ୍ସା କରାଯାଇଥିଲା। ଉଦ୍ଧାର ହୋଇଥିବା ଦୁଇ ଜଣ ଆହତ ବ୍ୟକ୍ତି ବିରେଣ କେଲା ଗ୍ରାମର ବୋଲି ଜଣାପଡ଼ିଛି। ଭଗବାନଙ୍କ କୃପାରୁ ବର୍ତ୍ତମାନ ଉଭୟଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ଏହି ମାନବିକ କାର୍ଯ୍ୟରେ ସେବାଦଳ କାର୍ଯ୍ୟକର୍ତ୍ତା ରାଜେଶ ବେହେରା ଓ ବିଶ୍ୱ ବେହେରା ପ୍ରମୁଖ ସହଯୋଗ କରିଥିଲେ। ବିପଦ ସମୟରେ ରାଜନୈତିକ ପରିଚୟକୁ ପଛରେ ରଖି ଆହତଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିବାରୁ ସେମାନଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି। ଏହି ଘଟଣା ମାନବିକତା ଓ ସେବା ମନୋଭାବର ଏକ ଉଦାହରଣ ସୃଷ୍ଟି କରିଛି। ଏଭଳି ସେବା କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇଥିବା ଶ୍ରୀ କମଳ ଚରଣ ତାଣ୍ଡିଙ୍କୁ ମଧ୍ୟ ସେବାଦଳ କାର୍ଯ୍ୟକର୍ତ୍ତାମାନେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ

ଲଗାଣ ବର୍ଷାରେ ଭାଙ୍ଗିଗଲା ମାଟି ଘର, ଛଅ ଜଣିଆ ପରିବାର ଆଶ୍ରୟହୀନ
Sep 15, 2026•55 views

ଲଗାଣ ବର୍ଷାରେ ଭାଙ୍ଗିଗଲା ମାଟି ଘର, ଛଅ ଜଣିଆ ପରିବାର ଆଶ୍ରୟହୀନ

କୋକସରା: ଲଘୁଚାପଜନିତ ଲଗାଣ ବର୍ଷାରେ ଭାଙ୍ଗିପଡ଼ିଛି ଗରିବ ପରିବାରର ମାଟି କୁଡ଼ିଆ ଘର। ମୁଣ୍ଡ ଉପରୁ ଛାତ ହରାଇ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛି ଛଅ ଜଣିଆ ପରିବାର। ସରକାରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅଧୀନ ଲଡ଼ୁଗାଁ ପଞ୍ଚାୟତର ଆଇଁଲି ଗ୍ରାମର ଭାସ୍କର ଦିଆରିଙ୍କ ପରିବାର ସହ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁଁ ତାଙ୍କ ମାଟି କୁଡ଼ିଆ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ପରିବାର ପକ୍ଷରୁ ଜଣାପଡ଼ିଛି ଯେ, ବର୍ଷାର ସେହି ଭୟଙ୍କର ରାତିରେ ଘରର ଅବସ୍ଥା ଏତେ ଦୟନୀୟ ହୋଇପଡ଼ିଥିଲା ଯେ, ଛଅ ଜଣ ପରିବାର ସଦସ୍ୟ ନିଜ ଘରେ ରହିବା ସମ୍ଭବ ହୋଇନଥିଲା। ଶେଷରେ ବାଧ୍ୟ ହୋଇ ସେମାନେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇ ରାତି କାଟିଥିଲେ। ଘର ଭାଙ୍ଗିଯିବା ପରେ ପରିବାରଟି ଏବେ ଖୋଲା ଆକାଶ ତଳେ ପଡ଼ି ରହିବା ଭଳି ଅବସ୍ଥାକୁ ଆସିଛି। ବର୍ଷା ଓ ପ୍ରତିକୂଳ ପାଣିପାଗ ମଧ୍ୟରେ ଛୋଟ ପିଲା ଓ ପରିବାର ସଦସ୍ୟଙ୍କୁ ନେଇ ସୁରକ୍ଷିତ ଆଶ୍ରୟ ଖୋଜିବା ସେମାନଙ୍କ ପାଇଁ ଏବେ ବଡ଼ ଚିନ୍ତାର କାରଣ ପାଲଟିଛି। ପରିବାର ସଦସ୍ୟଙ୍କ କହିବାନୁସାରେ, ପକ୍କା ଘର ଖଣ୍ଡିଏ ପାଇବା ଆଶାରେ ସେମାନେ ଅନେକଥର ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ସଦସ୍ୟଙ୍କୁ ଜଣାଇଛନ୍ତି। ତଥାପି ଏପର୍ଯ୍ୟନ୍ତ ଆବାସ ଯୋଜନାରେ ସେମାନଙ୍କୁ ଘର ମିଳିନଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଭାସ୍କର ଦିଆରିଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇଦେବାକୁ ସରକାର ଓ ପ୍ରଶାସନ ନିକଟରେ ନିବେଦନ କରାଯାଇଛି। ବର୍ଷାରେ ଘର ହରାଇଥିବା ଏହି ଅସହାୟ ପରିବାର ପାଇଁ ଏବେ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଓ ସ୍ଥାୟୀ ଆଶ୍ରୟର ଆବଶ୍ୟକତା ରହିଛି। ସୁରକ୍ଷିତ ଘର ପ୍ରତ୍ୟେକ ପରିବାରର ଅଧିକାର—ତେଣୁ ଏହି ପରିବାର ଦିଗରେ ପ୍ରଶାସନ କେବେ ଦୃଷ୍ଟି ଦେଉଛି, ତାହା ଏବେ ଅପେକ୍ଷାର ବିଷୟ।

Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ

ବାବା ପ୍ରେମାନନ୍ଦ ଗିରି ଙ୍କ ୬୭ ତମ ଶ୍ରାଦ୍ଧ ଉତ୍ସବ ପାଳିତ
Sep 15, 2026•16 views

ବାବା ପ୍ରେମାନନ୍ଦ ଗିରି ଙ୍କ ୬୭ ତମ ଶ୍ରାଦ୍ଧ ଉତ୍ସବ ପାଳିତ

ଢ଼େଙ୍କାନାଳ ୧୫.୯.- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ଲତବିଲ ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରି ଙ୍କ ୬୭ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର ଋଷି ପଞ୍ଚମୀ ଅବସରରେ କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛତାମଠ ପୁରୋଧା ସ୍ବାମୀ ରାମାନନ୍ଦ ଭାରତୀ  ଙ୍କ ସମେତ ବିଭିନ୍ନ ସ୍ଥାନରୁ ୨୫ ଜଣ ସାଧୁ ସନ୍ଥ ଯୋଗଦେଇଥିଲେ ।  ଏହି ଅବସରରେ ପ୍ରବଚନ ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୂହିକ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଦିଲ୍ଲୀପ ଦାସ ସଂଯୋଜନା କରିଥିବା ବେଳେ ସଦାନନ୍ଦ ନାୟକ,ସୁରେନ୍ଦ୍ର କୁମାର ପୋଥାଳ,ସନ୍ତୋଷ କୁମାର ପୋଥାଳ ଓ ସମସ୍ତ କାର୍ଯ୍ୟକର୍ତ୍ତା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି

ମେହେର ଚକ୍ଷୁ ଚିକିତ୍ସାଳୟ ତରଫରୁ ରାଉରକେଲା କଲେଜରେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା
Sep 15, 2026•14 views

ମେହେର ଚକ୍ଷୁ ଚିକିତ୍ସାଳୟ ତରଫରୁ ରାଉରକେଲା କଲେଜରେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

ରାଉରକେଲା: ଉଦିତନଗର ସ୍ଥିତ ମେହେର ଚକ୍ଷୁ ଚିକିତ୍ସାଳୟ ର ମୁଖ୍ୟ ତଥା ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ର ଉପଦେଷ୍ଟା ଡାକ୍ତର ରାମଚନ୍ଦ୍ର ମେହେର ଙ୍କ ତରଫରୁ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୩ ସ୍ଥିତ ରାଉରକେଲା କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଣେଶ ଚତୁର୍ଥୀ ଦିନ କଲେଜର ଅଧ୍ୟକ୍ଷ ଡ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗଦେଇ ଶ୍ରୀଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା କରିବା ସହ ଏହା ଶୈକ୍ଷିକ ବାତାବରଣକୁ ଅଧିକ ଶିକ୍ଷା ପ୍ରତି ମନୋନିବେଶ କରିବାକୁ ପ୍ରୋତ୍ସାହିତ କରିବ ବୋଲି ମତ ରଖିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସର୍ବଶ୍ରୀ ଡ଼ଃ ସନାତନ ପ୍ରଧାନ, ଓମ୍ ପ୍ରକାଶ ବାପୁଡିଆ,ମଞ୍ଜୁରାଣୀ ମେହେର ଙ୍କ ସମେତ ସହରର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଡ ସମର ମୁଦାଲି, ମଧୁସୂଦନ ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ଚନ୍ଦ୍ରଶେଖର ଶତପଥୀ, ରୋଟାରିଆନ ଦେବବ୍ରତ ନାୟକ, ସସ୍ମିତା ନାୟକ, ପ୍ରଦୀପ ଦାସ,ଉଷା ଦାସ, ଗୋପାଳ ବାସିଆ,ମରୁମାୟା ମହାନ୍ତି,ଛଗନଲାଲ ଜୈନ, ବନ୍ଦିତା ମାହତୋ, ସୂର୍ଯ୍ୟ ପାଢ଼ୀ, ବସନ୍ତ କୁମାର ତନ୍ତୀ,ଡ ଅଞ୍ଜନା ମୈତ୍ର, ହରେକୃଷ୍ଣ ମାଝୀ, ତଥା କଲେଜର ପ୍ରାକ୍ତନ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ମାନେ ଉପସ୍ଥିତ ଥିଲେ। ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ମେହେର ଶ୍ରୀଗଣେଶଙ୍କ ବନ୍ଦନା ସହ ନିଜର ଶିକ୍ଷା ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲା ବେଳେ ସମ୍ମାନିତ ଅତିଥି ଡ଼ ପ୍ରଧାନ ତାଙ୍କ ବକ୍ତବ୍ୟରେ ରାଉରକେଲା କଲେଜ କେବଳ ରାଉରକେଲା କାହିଁକି ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ମତ ରଖିବା ସହ କଲେଜର ସାହିତ୍ୟ, ସଂସ୍କୃତି, ପରମ୍ପରାର କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଶେଷରେ କଲେଜର ଅଧ୍ୟକ୍ଷ ଡ ଜେନା ଉପସ୍ଥିତ ସମସ୍ତ ଅତିଥି, କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସହ ଛାତ୍ର ଛାତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲେଜ ପରିସରରେ ଭଜନ କୀର୍ତ୍ତନ ସହ ଉପସ୍ଥିତ ସମସ୍ତଙ୍କୁ ପାଇଁ ପ୍ରସାଦ ବିତରଣ କରାଯାଇଥିଲା।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଚିନ୍ମୟ ପବ୍ଲିକ ସ୍କୁଲରେ ସମ୍ବର୍ଦ୍ଧନା ସଭା ଆୟୋଜିତ.... ଚିନ୍ମୟ ଏକାଡେମୀ ର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀଙ୍କ ଡକ୍ଟରେଟ ସମ୍ମାନ
Sep 15, 2026•17 views

ଚିନ୍ମୟ ପବ୍ଲିକ ସ୍କୁଲରେ ସମ୍ବର୍ଦ୍ଧନା ସଭା ଆୟୋଜିତ.... ଚିନ୍ମୟ ଏକାଡେମୀ ର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀଙ୍କ ଡକ୍ଟରେଟ ସମ୍ମାନ

ରାଉରକେଲା: ସାରନଗରୀ ସ୍ଥିତ ଚିନ୍ମୟା ପବ୍ଲିକ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଚିନ୍ମୟ ଏକାଡେମୀର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀ ଙ୍କୁ ଗତ ୨୩ ଅଗଷ୍ଟରେ ନୂଆଦିଲ୍ଲୀ ସ୍ଥିତ ୱାର୍ଲ୍ଡ କଲଚରାଲ ଆଣ୍ଡ ଏଜୁକେସନାଲ ଅର୍ଗାନାଇଜେସନ ଦ୍ୱାରା ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିବାରୁ , ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଦକ୍ଷିଣ ରାଉରକେଲାର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସଭାରେ ନିର୍ଦ୍ଦେଶକ ଡଃ ତ୍ରିନାଥ ଦାଶ ମୋହିନୀ, ଅତିଥି ଭାବେ ରାଉରକେଲା ସରକାରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ଡଃ କରୁଣାକର ପାଟ୍ଟଶାଣୀ, ପ୍ରସିଦ୍ଧ ସଂସ୍କୃତ ଶିକ୍ଷକ ଓ କବି ହରିହର ବେହେରା, ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସୁବାସ ପାତ୍ର, ଅବସରପ୍ରାପ୍ତ ଗଣିତ ଓ ବିଜ୍ଞାନ ଶିକ୍ଷକ ଅରବିନ୍ଦ ରାୟ, ଅବସରପ୍ରାପ୍ତ ଗଣିତ ଶିକ୍ଷକ ରଞ୍ଜିତ ସାମନ୍ତରାୟ, ପ୍ରସିଦ୍ଧ କବୟିତ୍ରୀ ଶ୍ୱେତାଲିନା ଶତପଥୀ ଓ ସୁଚିସ୍ମିତା, ବରିଷ୍ଠ ଶିକ୍ଷକ କୈଳାଶ ଚନ୍ଦ୍ର ଦାଶ, ସହକାରୀ ଶିକ୍ଷୟିତ୍ରୀ ଇରା ମହାନ୍ତି ଓ ଗୋପିକା ପ୍ରମୁଖ ଡ଼ଃ ଦାଶ ମୋହିନୀ ଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଡ଼ଃ ଦାଶ ମୋହିନୀ ଙ୍କୁ ଏକ ଅନୁଷ୍ଠାନ, ଅଗ୍ରଣୀ ବ୍ୟକ୍ତିତ୍ଵ, ଶିକ୍ଷା ଓ ସମାଜସେବା ପ୍ରତି ପ୍ରତିବଦ୍ଧତା ରଖିଥିବା ତଥା ସର୍ବୋପରି ଜଣେ ସହୃଦୟ ବ୍ୟକ୍ତିତ୍ଵ ର ଅଧିକାରୀ ବୋଲି ମତ ରଖିଥିଲେ। ଏହି ଅବସରରେ ସଚିବ ପ୍ରତିଭା ଦାଶମୋହିନୀ, ଉପ-ନିର୍ଦ୍ଦେଶକ ରାଜେଶ ଦାଶମହନ୍ତି, ଚିନ୍ମୟା ପବ୍ଲିକ ସ୍କୁଲ ଓ ଚିନ୍ମୟା ଟେକ୍ନିକାଲ ଏକାଡେମୀର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟିତ୍ରୀ ବୀଣାପାଣି ସାହୁ ପରିଚାଳନା କରିଥିବା ବେଳେ ଶ୍ରୀ କୈଳାଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅତିଥି ଓ ଶିକ୍ଷକମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ସାରମସିଲି ଗ୍ରାମରେ ଅନେକ ବର୍ଷରୁ ସାମୂହିକ ନୁଆଁଖାଇ ପରମ୍ପରା
Sep 15, 2026•6 views

ସାରମସିଲି ଗ୍ରାମରେ ଅନେକ ବର୍ଷରୁ ସାମୂହିକ ନୁଆଁଖାଇ ପରମ୍ପରା

ବରଗଡ଼-ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଅବସରରେ ବରଗଡ଼ ଜିଲ୍ଲାର ସାରମସିଲି ଗ୍ରାମରେ ଦୀର୍ଘବର୍ଷ ଧରି ଚାଲିଆସୁଥିବା ସାମୂହିକ ନୁଆଁଖାଇ ପରମ୍ପରା ଚଳିତ ବର୍ଷ ମଧ୍ୟ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଛି। ନୁଆଁଖାଇ ପାଇଁ ଗ୍ରାମରେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଘରଦ୍ୱାର ସଫାସୁତୁରା କରାଯିବା ସହ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ଗ୍ରାମର ଇଷ୍ଟଦେବଦେବୀଙ୍କ ନିକଟରେ ନୂଆ ଧାନ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗ୍ରାମବାସୀ ସାମୂହିକ ଭାବେ ନବାନ୍ନ ଭକ୍ଷଣ କରି ପରସ୍ପରକୁ ‘ନୁଆଁଖାଇ ଜୁହାର’ ଜଣାଇଥିଲେ। ଉତ୍ସବରେ ଗ୍ରାମର ଗୌନ୍ତିଆ ତଥା ପୂର୍ଵତନ ସରପଞ୍ଚ ଶ୍ରୀ ଭିକାରି ଚରଣ ସାହୁଙ୍କ ନେତୃତ୍ୱ ରେ ନୁଆଁଖାଇ ପରମ୍ପରା ଆରମ୍ଭ ହୋଇ ଵର୍ତମାନ ମଧ୍ୟ ତାହା ଭାଇ ଚାରାରେ ଚାଲିଅଛି l ବୟୋଜ୍ୟେଷ୍ଠଙ୍କଠାରୁ ଆରମ୍ଭ କରି ଯୁବକ, ମହିଳା ଓ ଶିଶୁମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ଦୂରଦୂରାନ୍ତରେ ରହୁଥିବା ଗ୍ରାମର ଅନେକ ପରିବାର ମଧ୍ୟ ନୁଆଁଖାଇ ପାଇଁ ନିଜ ଭିଟାମାଟିକୁ ଫେରିଥିବାରୁ ଗ୍ରାମରେ ଏକ ଭାବପୂର୍ଣ୍ଣ ପାରିବାରିକ ପରିବେଶ ସୃଷ୍ଟି ହୋଇଥିଲା। ସାମୂହିକ ନୁଆଁଖାଇର ବିଶେଷତ୍ୱ ହେଉଛି ଗ୍ରାମର ସମସ୍ତ ପରିବାର ଏକାଠି ହୋଇ ପର୍ବ ପାଳନ କରିବା। ଜାତି, ବର୍ଣ୍ଣ ଓ ଆର୍ଥିକ ଭେଦଭାବ ଭୁଲି ସମସ୍ତେ ପରସ୍ପରକୁ ଜୁହାର କରି ଭାଇଚାରାର ବାର୍ତ୍ତା ଦେଇଥିଲେ। ଗ୍ରାମର ପୁରୁଣା ପରମ୍ପରାକୁ ନୂଆ ପିଢ଼ି ଆଗକୁ ବଢ଼ାଇବାର ଏହି ପ୍ରୟାସ ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିଥିଲା। ସାରମସିଲି ଗ୍ରାମର ଏହି ସାମୂହିକ ନୁଆଁଖାଇ ପରମ୍ପରା ପଶ୍ଚିମ ଓଡ଼ିଶାର ମାଟି, କୃଷି ଓ ଲୋକସଂସ୍କୃତି ସହ ଜଡ଼ିତ ଏକ ଜୀବନ୍ତ ପରମ୍ପରାର ଉଦାହରଣ ହୋଇ ରହିଛି।

Nuapada (ନୂଆପଡ଼ା) • ରିପୋର୍ଟ -ବଂଶୀଧର ନାୟକ

ଆସିକାରେ ଆନନ୍ଦ ଉଲ୍ଲାସ ସହ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଳିତ
Sep 15, 2026•9 views

ଆସିକାରେ ଆନନ୍ଦ ଉଲ୍ଲାସ ସହ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଳିତ

ଆସିକା :ସ୍ଥାନୀୟ ଅଞ୍ଚଳରେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଜାନନଙ୍କ ଗଣେଶ ପୂଜା ମହୋତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ବିଘ୍ନବିନାଶକଙ୍କ ଆଗମନରେ ସମଗ୍ର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ଝିଲିମିଲି ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇ ଶୋଭା ପାଉଥିବା ବେଳେ ପ୍ରଭୁଙ୍କ ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି।ଏହି ଅବସରରେ ଆସିକା ସହରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଯଥା— ହରିହର ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମ୍ୟାକମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ, ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ କ୍ଲବ, ପାଠାଗାର ଓ ବ୍ୟବସାୟୀ ସଂଘ ପକ୍ଷରୁ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ନୂତନ ପୋଷାକ ପରିଧାନ କରି ହାତରେ ପୁଷ୍ପ ଓ ଧୂପ ଧରି ଶ୍ରଦ୍ଧାର ସହ ନିଜ ନିଜ ଅନୁଷ୍ଠାନରେ ପ୍ରଭୁଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।ସହରର ବିଭିନ୍ନ ସାହି ବସ୍ତି ଓ ପ୍ରମୁଖ ବଜାରରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ବିଘ୍ନରାଜଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଉଛି। ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟିର ସଦସ୍ୟମାନେ ଦିନରାତି ଏକ କରି କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା। ପୂଜା ମଣ୍ଡପଗୁଡ଼ିକରେ "ଓମ୍ ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୁ, ନମୋ ବିଘ୍ନ ବିନାଶାୟ ଗଣାଧ୍ୟକ୍ଷେ ନମଃ" ମନ୍ତ୍ର ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ପୂଜାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପେଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମଗ୍ର ଆସିକା ଅଞ୍ଚଳରେ ଏହି ପାର୍ବଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।

Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର