--:--:--
-- ---
Srishti News

Web News

ମହାନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
Sep 18, 2026•25 views

ମହାନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଜଗତପୁର: ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ଛାତ୍ର ଦିବ୍ୟାଂଶୁ ନାୟକ (୧୪)ଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି l ଗତ କାଲି ନିଖୋଜ ସ୍ଥାନ ଠାରୁ ମାତ୍ର ୧ କିଲୋମିଟର ଦୂର ନୂଆସାହି ନିକଟରୁ ମୃତ ଦେହ ଭାସୁଥିବା ବେଳେ ଏହାକୁ ଉଦ୍ଧାର କରାଯାଇଛି l ସୂଚନା ଯୋଗ୍ୟ ଯେ ଗତ କାଲି ଗୁରୁବାର ସକାଳ ପ୍ରାୟ ସାଢେ ଦଶଟା ବେଳେ ମୃତକ ଦିବ୍ୟାଂଶୁ ତା' ଅନ୍ୟ ଦୁଇ ସାଙ୍ଗ ନାନକାରର ଶୁଭମ ସିଂହ ଓ ଅଶ୍ୱିନୀ କୁମାର ଗିରିଙ୍କ ସହ ତରୋଳରେ ଚାଲିଥିବା ଗଣେଶ ମହୋତ୍ସବ ଦେଖିବାକୁ ଯାଇଥିଲେ l ସେଠାରୁ ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ l ବାଲିସାହି ନିକଟରେ ମହାନଦୀରେ ଗାଧୋଇବାକୁ ପସିଥିବା ସମୟରେ ଦିବ୍ୟାଂଶୁର ଗୋଡ଼ ଖସିଯାଇଥିଲା ଓ ସେ ବୁଡ଼ିଯାଇଥିଲା l ଏହି ସମୟରେ ସେଠାରେ ଥିବା ଲୋକମାନେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଦିବ୍ୟାଂଶୁର ପତ୍ତା ପାଇପାରିନଥିଲେ l ଖବର ପାଇ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ସ୍କୁବା ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିଥିଲେ ହେଁ ସଂନ୍ଧ୍ଯା ପର୍ଯ୍ୟନ୍ତ ନିଖୋଜ ଛାତ୍ରଙ୍କ ସନ୍ଧାନ ପାଇପାରି ନଥିଲେ। ଶୁକ୍ରବାର ସକାଳେ ଅଗ୍ନିଶମ ବାହୀନୀଙ୍କ ଦ୍ୱାରା ନିଖୋଜ ନାବାଳକ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି | ଜଗତପୁର ପୁଲିସ ଉଦ୍ଧାର ମୃତ ଦେହକୁ ଜବତକରି ସାବିତ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ଶବ ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶରେ ବିଶ୍ୱକର୍ମା ପୂଜା: କାରିଗର, ଗାଡ଼ି ମାଲିକ ଓ ଶ୍ରମିକଙ୍କ ମଧ୍ୟରେ ଉତ୍ସାହ
Sep 18, 2026•55 views

ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶରେ ବିଶ୍ୱକର୍ମା ପୂଜା: କାରିଗର, ଗାଡ଼ି ମାଲିକ ଓ ଶ୍ରମିକଙ୍କ ମଧ୍ୟରେ ଉତ୍ସାହ

ଖଲ୍ଲିକୋଟ, ୧୭/୦୯: କନ୍ୟା ସଂକ୍ରାନ୍ତି ଅବସରରେ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଭଗବାନ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହା ସହିତ ଷଷ୍ଠୀ ଓଷା ବ୍ରତ, ଲଳିତା ସପ୍ତମୀ, କୁକୁଟୀ ବ୍ରତ ଓ ସୋମନାଥ ବ୍ରତାରମ୍ଭ ମଧ୍ୟ ପାଳନ କରାଯାଇଥିଲା। ଏହି ଅବସରରେ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଘରେ ଘରେ ମା’ ଷଷ୍ଠୀ ଦେବୀଙ୍କ ପୂଜା କରାଯାଇଥିବାବେଳେ ବିଭିନ୍ନ କାରିଗରୀ ଅନୁଷ୍ଠାନ, ଗାଡ଼ି ମାଲିକ ସଂଘ ଓ ସରକାରୀ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜାକୁ ନେଇ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଖଲ୍ଲିକୋଟ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ କାର୍‌, ବୋଲେରୋ ଓ ଟ୍ୟାକ୍ସି ମାଲିକ ଏବଂ ଡ୍ରାଇଭରମାନଙ୍କ ପକ୍ଷରୁ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ଗାଡ଼ି ଓ ଯନ୍ତ୍ରପାତିର ସୁରକ୍ଷା ସହିତ ସମୃଦ୍ଧି ଓ ଶୁଭଫଳ କାମନା କରି ଚାଳକ ଓ ମାଲିକମାନେ ପୂଜା କରିଥିଲେ। ସେହିପରି ମର୍ଦ୍ଦରାଜ ଶିଶୁ ଉଦ୍ୟାନ ନିକଟରେ ଥିବା ଜଳଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ପ୍ରତିବର୍ଷ ଭଳି ଏବର୍ଷ ଧୁମଧାମରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଥିଲା। ବିଭାଗୀୟ କର୍ମଚାରୀମାନେ ପୂଜାରେ ସାମିଲ ହୋଇ ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ କାମନା କରିଥିଲେ। ଅନ୍ୟପକ୍ଷରେ ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ କେଶପୁର ଗ୍ରାମରେ ମହାରଣା ସଂଘ ତଥା ବିଶ୍ୱକର୍ମା ସମ୍ପ୍ରଦାୟର କାରିଗରମାନଙ୍କ ପକ୍ଷରୁ ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଥିଲା। ଏହି ପୂଜା ଦୀର୍ଘ ପଚାଶ ବର୍ଷ ଧରି ନିରନ୍ତର ଭାବେ ଆୟୋଜିତ ହୋଇଆସୁଥିବା ଜଣାପଡ଼ିଛି। କେଶପୁରରେ ଆୟୋଜିତ ପୂଜା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ମହାରଣା, ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜ ତଥା ରାଜ୍ୟ ଉପଦେଷ୍ଟା ଦୟାନିଧି ମହାରଣା, ସୁଦର୍ଶନ ମହାରଣା, ପଦ୍ମନାଭ ମହାରଣା, ବାଉରୀବନ୍ଧୁ ମହାରଣା, ଅଭିମନ୍ୟୁ ମହାରଣା, କିଶୋର ମହାରଣା, ଶିବାନୀ ମହାରଣା, ନରୋତ୍ତମ ମହାରଣା, ବୁଲୁ ମହାରଣା, କବିରାଜ ମହାରଣା ଓ ପ୍ରଭାକର ମହାରଣାଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ଏଥିସହ ସ୍ଥାନୀୟ ବୁଦ୍ଧିଜୀବୀ ତଥା ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀରେ ସହଯୋଗ କରୁଥିବା ଶଙ୍କର ପାହାନ, ଭୋଳା ପାହାନ, ଅନାଥ ପାହାନ ଓ ରାଜୁ ଚଣ୍ଡଙ୍କ ସମେତ ଅନ୍ୟମାନେ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଶ୍ୱକର୍ମା ପୂଜାକୁ ନେଇ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ କାରିଗର, ଶ୍ରମିକ, ଗାଡ଼ି ମାଲିକ ଓ ଡ୍ରାଇଭରଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା। ପୂଜାସ୍ଥଳଗୁଡ଼ିକରେ ଭକ୍ତଙ୍କ ସମାଗମ ସହ ଧୂପ, ଦୀପ ଓ ପୂଜାର୍ଚ୍ଚନାରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।

Ganjam (ଗଞ୍ଜାମ) • ଗଞ୍ଜାମ: ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

ଛେଣ୍ଡିପଦାରେ ବିନା ଅନୁମତି ଡିଜେ ଅଟକ, ୪୫ ହଜାର ଜୋରିମାନା
Sep 18, 2026•55 views

ଛେଣ୍ଡିପଦାରେ ବିନା ଅନୁମତି ଡିଜେ ଅଟକ, ୪୫ ହଜାର ଜୋରିମାନା

ଛେଣ୍ଡିପଦା: ବିଶ୍ୱକର୍ମା ପୂଜା ଅବସରରେ ଆବଶ୍ୟକ ଅନୁମତି ବିନା ଡିଜେ ଚଳାଇବା ମହଙ୍ଗା ପଡ଼ିଛି। ଛେଣ୍ଡିପଦା ପୋଲିସ ନିୟମିତ ଯାଞ୍ଚ ସମୟରେ ଅନୁମତି ବିନା ଚାଲୁଥିବା ଏକ ଡିଜେ ଗାଡ଼ିକୁ ଅଟକ ରଖିଥିବା ଜଣାପଡ଼ିଛି। ଏନେଇ ଅନୁଗୋଳ ଆରଟିଓ ପକ୍ଷରୁ ୪୫,୦୦୦ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି। ପୂଜା ଓ ଉତ୍ସବ ସମୟରେ ଉଚ୍ଚ ସ୍ୱରରେ ଏବଂ ବିନା ଅନୁମତିରେ ଡିଜେ ବ୍ୟବହାର ନକରିବାକୁ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଅତ୍ୟଧିକ ଶବ୍ଦ ଯୋଗୁଁ ରୋଗୀ, ବୟସ୍କ ବ୍ୟକ୍ତି, ଶିଶୁ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ବ୍ୟକ୍ତିମାନେ ଅସୁବିଧାରେ ପଡ଼ିପାରନ୍ତି। ତେଣୁ ଉତ୍ସବ ପାଳନ ସମୟରେ ନିୟମକାନୁନ ପ୍ରତି ସମ୍ମାନ ରଖିବା ସହ ଦାୟିତ୍ୱପୂର୍ଣ୍ଣ ଭାବେ ପୂଜା ପାଳନ କରିବାକୁ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଛି। ନିଜର ଉତ୍ସବ ପାଳନ ଯେପରି ଅନ୍ୟମାନଙ୍କ ପାଇଁ ଦୁଃଖ ବା ଅସୁବିଧାର କାରଣ ନହୁଏ, ସେଥିପ୍ରତି ସମସ୍ତେ ସଚେତନ ରହିବାକୁ ଅନୁଗୋଳ ପୋଲିସ ଅନୁରୋଧ କରିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା , ଅନୁଗୋଳ

ମୋଟରଯାନ ଯାଞ୍ଚ ବେଳେ ୩.୦୧୮ କେଜିର ହାତୀଦାନ୍ତ ସଦୃଶ ସାମଗ୍ରୀ ଜବତ
Sep 18, 2026•49 views

ମୋଟରଯାନ ଯାଞ୍ଚ ବେଳେ ୩.୦୧୮ କେଜିର ହାତୀଦାନ୍ତ ସଦୃଶ ସାମଗ୍ରୀ ଜବତ

ଛେଣ୍ଡିପଦା: ନିୟମିତ ମୋଟରଯାନ ଯାଞ୍ଚ ସମୟରେ ଛେଣ୍ଡିପଦା ପୋଲିସ୍‌କୁ ମିଳିଛି ବନ୍ୟପ୍ରାଣୀ ସମ୍ପର୍କିତ ସନ୍ଦିଗ୍ଧ ସାମଗ୍ରୀ। ହାତୀର ଦାନ୍ତ (molar tooth) ସନ୍ଦେହରେ ପ୍ରାୟ ୩.୦୧୮ କିଲୋଗ୍ରାମ ଓଜନର ଏକ ସାମଗ୍ରୀ ପରିବହନ କରୁଥିବା ଅଭିଯୋଗରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ଯାଞ୍ଚ ସମୟରେ ସନ୍ଦିଗ୍ଧ ସାମଗ୍ରୀଟି ପୋଲିସ୍ ଜବତ କରିବା ସହ ଏହାର ପରିବହନରେ ବ୍ୟବହୃତ ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି। ଘଟଣା ପରେ ଆଇନ ଅନୁଯାୟୀ ପରବର୍ତ୍ତୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲାଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସନ୍ଦିଗ୍ଧ ବନ୍ୟପ୍ରାଣୀ ସାମଗ୍ରୀର ପ୍ରକୃତି ଓ ଏହାର ପରିବହନ ସମ୍ପର୍କରେ ବନ ବିଭାଗ ପକ୍ଷରୁ ଆବଶ୍ୟକ ତଦନ୍ତ କରାଯିବ। ଘଟଣାକୁ ନେଇ ସମ୍ପୃକ୍ତ ଆଇନର ଧାରା ଅନୁଯାୟୀ ଆଗାମୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା ,ଅନୁଗୋଳ

ପ୍ରଭୁ ଗଜାନନଙ୍କ ଦର୍ଶନ ସହ ଯୁବବନ୍ଧୁଙ୍କ ମେଳରେ ଅଭିମନ୍ୟୁ ସାହୁ
Sep 18, 2026•71 views

ପ୍ରଭୁ ଗଜାନନଙ୍କ ଦର୍ଶନ ସହ ଯୁବବନ୍ଧୁଙ୍କ ମେଳରେ ଅଭିମନ୍ୟୁ ସାହୁ

ଅନୁଗୋଳ: ଗଣେଶ ପୂଜା ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତିଭାବରେ ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା ଚାଲିଛି। ଏହି ଅବସରରେ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧକ୍ରମେ ସମାଜସେବୀ ଅଭିମନ୍ୟୁ ସାହୁ ବିଭିନ୍ନ ପୂଜା ମଣ୍ଡପରେ ପହଞ୍ଚି ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଯୁବବନ୍ଧୁ ଓ ମାଆମାନଙ୍କ ସହ ମିଶି ପ୍ରଭୁ ଗଜାନନଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିସହ ପୂଜା କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆୟୋଜକ ଓ ଯୁବବନ୍ଧୁମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଭୁ ଗଜାନନଙ୍କ ଆଶୀର୍ବାଦରେ ସମାଜରେ ଭାଇଚାରା, ଏକତା ଓ ସଦ୍‌ଭାବନା ଆହୁରି ସୁଦୃଢ଼ ହେଉ ବୋଲି ଅଭିମନ୍ୟୁ ସାହୁ କାମନା କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ନାଲକୋରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ
Sep 18, 2026•66 views

ନାଲକୋରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ

ବଅଁରପାଳ: ନାଲକୋ ପଲ୍ଲୀଶ୍ରୀ ମେଳା ପଡ଼ିଆରେ ବିଶ୍ୱକର୍ମା ପୂଜା ଅବସରରେ ଜିଲ୍ଲା ପ୍ରଶାସନ ଓ ORMAS ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ପାଲଲହଡ଼ା ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ଏମ୍. ଅଖତାର, ଏସ୍‌ପି ରାହୁଲ ଜୈନଙ୍କ ସମେତ ବହୁ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳର ଗ୍ରାମୀଣ କାରିଗର, ଉଦ୍ୟୋଗୀ, କୃଷକ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ହସ୍ତଶିଳ୍ପ, ହସ୍ତତନ୍ତ, ଖାଦ୍ୟ ପ୍ରସ୍ତୁତି ଓ ବିଭିନ୍ନ ଗ୍ରାମୀଣ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରି ହେଉଛି। ଏହି ମେଳା ମାଧ୍ୟମରେ ଗ୍ରାମୀଣ ଉତ୍ପାଦକମାନେ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିହୋଇ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇବା ସହ ଗ୍ରାମୀଣ ଅର୍ଥନୀତି, ସ୍ୱାବଲମ୍ବନ ଓ ଉଦ୍ୟମିତାକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପାଇବେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ନାଲକୋ

ମଜୁରୀ ମାଗିଲେ ଧମକ ! ତେଲେଙ୍ଗାନାରୁ ସହାୟତା ମାଗିଲେ ଓଡ଼ିଆ ଶ୍ରମିକ
Sep 18, 2026•13 views

ମଜୁରୀ ମାଗିଲେ ଧମକ ! ତେଲେଙ୍ଗାନାରୁ ସହାୟତା ମାଗିଲେ ଓଡ଼ିଆ ଶ୍ରମିକ

ମୋହନା : ସରୁନି ଦାଦନ ଦୁଃଖ । ତେଲେଙ୍ଗାନାରେ ଫସି ରହିଛନ୍ତି ୯ ଜଣ ଓଡ଼ିଆ ଶ୍ରମିକ । ଖାଇବାକୁ ଚାଉଳ ନାହିଁ କି ପାଖରେ ଟଙ୍କା ମଧ୍ୟ ନାହିଁ । ୫ ଦିନ ହେଲା ଭୋକ ଉପାସରେ ପଡ଼ି ରହିଛନ୍ତି । ଠିକାଦାର ପାଖରୁ ଖସି ଆସିଥିବା ୨ ଦାଦନ ଶ୍ରମିକ ବଖାଣିଛନ୍ତି ସେମାନଙ୍କ କଷ୍ଟ । ଖସି ଆସିଥିବା ଦୁଇ ଜଣ ହେଲେ ଗଜପତି ଚନ୍ଦ୍ରଗିରି ବ୍ରହ୍ମସିଂ ଗାଁର ବିକି ମଣ୍ଡଳ ଓ ପ୍ରଦୀପ ରଇତ । ଗତ ୩ ମାସ ତଳେ ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲା ୯ ଜଣ ଶ୍ରମିକ ରୋଜଗାର ଆଶାରେ ତେଲେଙ୍ଗାନାର ମେହେବୁବାବାଦ୍ ଜିଲ୍ଲା ସିତେନପେଟ୍ କୁ କାମ କରିବାକୁ ଯାଇଥିଲେ । ସେଠାରେ ଜଣେ ଠିକାଦାର ଅଧୀନରେ ରହି କୋଠା ନିର୍ମାଣ କାମ କରୁଥିଲେ । ୩ ମାସ କାମ କରିବା ପରେ ମଧ୍ୟ ସମ୍ପୃକ୍ତ ଠିକାଦାର ମଜୁରୀ ଦେଉନାହିଁ । ଟଙ୍କା ମାଗିଲେ ଧମକ ଚମକ ଦେଉଥିବା କହିଛନ୍ତି ଖସିଆସିଥିବା ୨ ଜଣ ଶ୍ରମିକ ।୫ ଦିନ ହେଲାଣି ସେମାନଙ୍କ ପାଖରେ ଖାଇବାକୁ ଦାନା ନାହିଁ । ଜୀବନ ପ୍ରତି ଭୟ ଥିବାରୁ ଶ୍ରମିକମାନେ ଏକ ଭିଡ଼ିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ହସ୍ତକ୍ଷେପ କରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଗୁହାରି କରିଛନ୍ତି ।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ରେ ଆଶ୍ରିବାଦ ର ଦୀପ ଦାନ
Sep 18, 2026•136 views

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ରେ ଆଶ୍ରିବାଦ ର ଦୀପ ଦାନ

ରାଜକନିକା ବ୍ଲକ୍‌ ଅନ୍ତର୍ଗତ ସିକୋ ପଂଚାୟତ ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ସନ୍ଧ୍ୟା 7ଟା ସମୟରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଜୟ ଶ୍ରୀ ରାମ ଉତ୍ପାଦନ ଗୋଷ୍ଟି ର ସମ୍ପାଦକ ବନଯୋସନା ଦାସ ଓ ସମ୍ପାଦିକା ବନାନି ପରିଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନ୍ମଦିବସ କାର୍ଯ୍ୟକ୍ରମରେ ଗୋଷ୍ଠୀ ର କର୍ମୀ ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ କର୍ମୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିବା ସହ ଦେଶର ବିକାଶ, ଜନକଲ୍ୟାଣ ଓ ସୁଶାସନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ମୋଦୀଙ୍କ ନେତୃତ୍ୱରେ ଦେଶର ବିକାଶଧାରାକୁ ଆହୁରି ଆଗକୁ ନେବା ପାଇଁ ପ୍ରାଥନା କରିଥିଲେ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ଦେଶର ସମୃଦ୍ଧି କାମନା କରିଥିଲେ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ -ଦିଲୀପ ପରିଡା. ରାଜକନିକା

ଟାଙ୍ଗୀ ଅବକାରୀ ବିଭାଗର ଚଢ଼ାଉ  ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
Sep 18, 2026•32 views

ଟାଙ୍ଗୀ ଅବକାରୀ ବିଭାଗର ଚଢ଼ାଉ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବ୍ରାଉନ ସୁଗାର ଜବତ ହୋଇଥିଲା। ତେବେ ଏହି ଘଟଣାରେ କେତେଜଣଙ୍କୁ ଧରାଯାଇଛି କିମ୍ବା ଜବତ ନିଶାଦ୍ରବ୍ୟର ପରିମାଣ ସମ୍ପର୍କରେ ବିଭାଗ ପକ୍ଷରୁ ସବିଶେଷ ସୂଚନା ମିଳିନାହିଁ। ଘଟଣା ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଆଇନାନୁଗତ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ନିଶାଦ୍ରବ୍ୟର ଉତ୍ସ ଓ ଏହାର କାରବାର ସହ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନିର୍ମାଣ ଶ୍ରମିକ ସହାୟତା ପ୍ରଦାନରେ ଅନିୟମିତତା ଅଭିଯୋଗ: ଯାଜପୁର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ହିତାଧିକାରୀଙ୍କ ଗଣଧାରଣା
Sep 18, 2026•25 views

ନିର୍ମାଣ ଶ୍ରମିକ ସହାୟତା ପ୍ରଦାନରେ ଅନିୟମିତତା ଅଭିଯୋଗ: ଯାଜପୁର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ହିତାଧିକାରୀଙ୍କ ଗଣଧାରଣା

କଳିଙ୍ଗନଗର/ବ୍ୟାସନଗର, ୧୮/୦୯: ନିର୍ମାଣ ଶ୍ରମିକମାନଙ୍କୁ ସରକାରୀ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଅଭିଯୋଗ କରି ଶୁକ୍ରବାର ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ନିର୍ମାଣ ଶ୍ରମିକ ହିତାଧିକାରୀ ଗଣଧାରଣା ଦେଇଥିଲେ। ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ଧାରଣାକାରୀମାନେ ଦାବି କରିଥିଲେ। ଏହି ଧାରଣାକୁ ସମର୍ଥନ କରି ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘର ସଭାପତି ତଥା ଓଜେସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଧାରଣାସ୍ଥଳରେ ପହଞ୍ଚିଥିଲେ। ଆୟୋଜିତ ପ୍ରତିବାଦ ସଭାରେ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ଶ୍ରମ କାର୍ଯ୍ୟାଳୟ ଦଲାଲ ଓ କିଛି ମାଲିକଙ୍କ ପ୍ରଭାବରେ ପରିଚାଳିତ ହେଉଥିବାରୁ ପ୍ରକୃତ ଶ୍ରମିକମାନେ ବିଭିନ୍ନ ସାମାଜିକ ସୁରକ୍ଷା ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଥିସହ ଅନେକ ଅଣଶ୍ରମିକ ଅଧିକାରୀଙ୍କୁ ଲାଞ୍ଚ ଦେଇ ନିଜ ନାମ ନିର୍ମାଣ ଶ୍ରମିକ ଭାବେ ପଞ୍ଜୀକରଣ କରୁଥିବା ଅଭିଯୋଗ ନେଇ ଶ୍ରୀ ମହାନ୍ତି ଦୃଢ଼ ଉଦ୍‌ବେଗ ପ୍ରକାଶ କରିବା ସହ ଏପରି ଘଟଣାକୁ ନିନ୍ଦା କରିଥିଲେ। ପ୍ରକୃତ ଶ୍ରମିକଙ୍କୁ ଚିହ୍ନଟ କରି ସରକାରୀ ଯୋଜନାର ସୁବିଧା ଦେବାକୁ ସେ ଦାବି କରିଥିଲେ। ଧାରଣାସ୍ଥଳରେ ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହେବା ପରେ ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର ସାହୁ ଓ ସହକାରୀ ଶ୍ରମ ଅଧିକାରୀ ଅଭିଜିତ ପ୍ରଧାନ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଆସନ୍ତା ମାସରେ ଆବେଦନକାରୀମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି। ଏଥିସହ କୋରାଇ ଓ ବ୍ୟାସନଗର ଅଞ୍ଚଳର ଶ୍ରମିକମାନଙ୍କ ସମସ୍ୟା ସମାଧାନ ଓ କାର୍ଯ୍ୟାଳୟ ସମ୍ପର୍କିତ କାର୍ଯ୍ୟ ପାଇଁ ସହକାରୀ ଶ୍ରମ ଅଧିକାରୀ ଅଭିଜିତ ପ୍ରଧାନ ନିଯୁକ୍ତ ଥିବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା। ଆଲୋଚନାରେ ବିଦ୍ୟାଧର ଜେନା, ଅଭିମନ୍ୟୁ ପାତ୍ର, ମଦନ ସାହୁ, ପ୍ରଶାନ୍ତ ଜେନା, ଶତ୍ରୁଘନ ମଲ୍ଲିକ, ଲକ୍ଷ୍ମୀଧର ପାତ୍ର, ରାକେଶ କୁମାର ଓ ପ୍ରଦୀପ ସେଠୀଙ୍କ ସମେତ ବହୁ ଶ୍ରମିକ ଓ ହିତାଧିକାରୀ ଅଂଶଗ୍ରହଣ କରିଥିଲେ।

Jajpur (ଯାଜପୁର) • Anil Kumar Jena

ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫାପତ୍ର ଗ୍ରହଣ କଲେ କେନ୍ଦ୍ର ସରକାର; ୧୧ ସେପ୍ଟେମ୍ବରରୁ ଚାକିରିରୁ ଅବ୍ୟାହତି
Sep 18, 2026•11 views

ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫାପତ୍ର ଗ୍ରହଣ କଲେ କେନ୍ଦ୍ର ସରକାର; ୧୧ ସେପ୍ଟେମ୍ବରରୁ ଚାକିରିରୁ ଅବ୍ୟାହତି

ଭୁବନେଶ୍ୱର, ୧୮ ସେପ୍ଟେମ୍ବର: ଓଡ଼ିଶା ପୋଲିସ ପ୍ରଶାସନରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟ୍ୱିନ୍ ସିଟିର ଭୁବନେଶ୍ୱର ଡିସିପି (DCP) ଭାବେ କାର୍ଯ୍ୟରତ ୨୦୧୩ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫାପତ୍ରକୁ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସେପ୍ଟେମ୍ବର ୧୧ ତାରିଖରୁ ପ୍ରଭାବୀ ହେବା ଭଳି ଶ୍ରୀ ମୀନାଙ୍କ ଇସ୍ତଫାକୁ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରାୟ ୧୩ ବର୍ଷ ଧରି ଭାରତୀୟ ପୋଲିସ ସେବା (IPS) ରେ ସଫଳତାର ସହ କାର୍ଯ୍ୟ କରିବା ପରେ ଗତ ଜୁଲାଇ ୬ ତାରିଖରେ ଜଗମୋହନ ମୀନା ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ ସେତେବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପରିବାର ଏବଂ ବନ୍ଧୁମାନଙ୍କ ସହ ଆଲୋଚନା କରିବା ପରେ ସେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣ ପାଇଁ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ସମୟରେ ତାଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ। ରାଜ୍ୟ ଗୃହ ବିଭାଗ ତାଙ୍କ ଆବେଦନକୁ ସମୀକ୍ଷା କରି କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିସ୍ ପଠାଇଥିଲା। ମୂଳତଃ ରାଜସ୍ଥାନର ବାସିନ୍ଦା ଶ୍ରୀ ମୀନା ଓଡ଼ିଶା କ୍ୟାଡରର ଜଣେ ଦକ୍ଷ ଓ ସାହସୀ ଅଫିସର ଭାବେ ଜଣାଶୁଣା। ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ତୁଲାଇବା ପୂର୍ବରୁ ସେ ମାଲକାନଗିରି, ଗଞ୍ଜାମ ଓ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଏସପି (SP) ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ମାଓବାଦୀ ଦମନ ଅପରେସନ, ସାଇବର ଅପରାଧ ଏବଂ ନିଶାଦ୍ରବ୍ୟ ଚୋରାଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଶ୍ ପ୍ରଶଂସିତ ହୋଇଥିଲେ। ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ସେ 'ପୋଲିସ ମେଡାଲ ଫର ଗାଲାଣ୍ଟ୍ରି' (2019) ଏବଂ 'ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ' (2021) ରେ ସମ୍ମାନିତ ହୋଇଛନ୍ତି। ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହେବା ପରେ ରାଜଧାନୀ ଭୁବନେଶ୍ୱର ପାଇଁ ଏକ ନୂଆ ତଥା ସ୍ଥାୟୀ ଡିସିପି ନିଯୁକ୍ତି ନେଇ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଏବଂ ସହରର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ୍ ଶୀଘ୍ର ଜଣେ ଦକ୍ଷ ଅଧିକାରୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇପାରନ୍ତି କିମ୍ବା କୌଣସି ଅନ୍ତରୀଣ ବ୍ୟବସ୍ଥା କରିପାରନ୍ତି ବୋଲି ସୂଚନା ମିଳିଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ବିଜେଡିର ପୁରୁଖା ନେତା ତଥା ବରିଷ୍ଠ ସମାଜସେବୀ ରମାକାନ୍ତ ରାଉତଙ୍କ ପରଲୋକ
Sep 18, 2026•58 views

ବିଜେଡିର ପୁରୁଖା ନେତା ତଥା ବରିଷ୍ଠ ସମାଜସେବୀ ରମାକାନ୍ତ ରାଉତଙ୍କ ପରଲୋକ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଞ୍ଚାୟତର ବିଜେଡିର ପୁରୁଖା ନେତା ତଥା ବରିଷ୍ଠ ସମାଜସେବୀ ସ୍ୱର୍ଗତ ରମାକାନ୍ତ ରାଉତଙ୍କ ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣରୁ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅର୍ଜୁନପୁର ପଞ୍ଚାୟତ ସମେତ ଧାମନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ରମାକାନ୍ତ ରାଉତ ଦୀର୍ଘଦିନ ଧରି ଅଞ୍ଚଳର ସାମାଜିକ ଓ ରାଜନୈତିକ କ୍ଷେତ୍ର ସହ ଜଡ଼ିତ ରହିଥିଲେ। ବିଜୁ ଜନତା ଦଳର ଜଣେ ପୁରୁଖା ନେତା ଭାବେ ସେ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ଆସୁଥିଲେ। ଜଣେ ସମାଜସେବୀ ଭାବେ ମଧ୍ୟ ତାଙ୍କର ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ରହିଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଆଜି ଧାମନଗର ବ୍ଲକର ପୂର୍ବତନ ଚେୟାରମ୍ୟାନ ଅଶୋକ ନାୟକ ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେ ସ୍ୱର୍ଗତ ରାଉତଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇ ଏହି ଦୁଃଖଦ ସମୟରେ ପରିବାର ସହ ରହିବାକୁ ଆଶ୍ୱାସନା ଦେଇଥିଲେ। ସ୍ୱର୍ଗତ ରମାକାନ୍ତ ରାଉତଙ୍କ ବିୟୋଗରେ ଅର୍ଜୁନପୁର ପଞ୍ଚାୟତର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କର ଦୀର୍ଘଦିନର ସାମାଜିକ କାର୍ଯ୍ୟ, ରାଜନୈତିକ ଅବଦାନ ଏବଂ ଅଞ୍ଚଳବାସୀଙ୍କ ପ୍ରତି ରହିଥିବା ଆତ୍ମୀୟତାକୁ ଲୋକେ ସ୍ମରଣ କରିଛନ୍ତି। ଜଣେ ଅଭିଜ୍ଞ ରାଜନୈତିକ ବ୍ୟକ୍ତିତ୍ୱ ଓ ସମାଜସେବୀଙ୍କୁ ହରାଇ ଅଞ୍ଚଳବାସୀ ମର୍ମାହତ ହୋଇପଡ଼ିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ଉପସ୍ଥିତ ଶୋକାକୁଳ ବ୍ୟକ୍ତିମାନେ ପ୍ରାର୍ଥନା କରିଥିଲେ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ