ବରଗଡ଼ ମାଷ୍ଟର ପ୍ଲାନ ୨୦୪୦କୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 15, 20262 views

ବରଗଡ -ବରଗଡ଼ ପୌରାଞ୍ଚଳ ଏବଂ ଏହାର ଆଖପାଖ ୨୧ ଗୋଟି ଗ୍ରାମକୁ ନେଇ ଗଠିତ ନଗର ଯୋଜନା ଅଞ୍ଚଳର ଆଗାମୀ ବିକାଶ ପାଇଁ ପ୍ରସ୍ତୁତ "ବରଗଡ଼ ମାଷ୍ଟର ପ୍ଲାନ ୨୦୪୦" ସମ୍ପର୍କରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡି.ଆର.ଡି.ଏ) ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଷ୍ଟର ପ୍ଲାନ ସମ୍ବନ୍ଧରେ ଜନସାଧାରଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆପତ୍ତି, ଅଭିଯୋଗ ଏବଂ ଗ୍ରହଣୀୟ ପ୍ରସ୍ତାବଗୁଡ଼ିକର ବିଚାର କରି ଏକ ସୁଦୃଢ଼ ତଥା ସୁସ୍ଥିର ସହରୀ ଯୋଜନା ପ୍ରସ୍ତୁତ କରିବା।
ଆଗାମୀ ୧୫ ବର୍ଷର ଉନ୍ନତିକୁ ଆଖିଆଗରେ ରଖି ପ୍ରସ୍ତୁତ ଏହି ମାଷ୍ଟର ପ୍ଲାନରେ ରାସ୍ତାଘାଟର ସଂଯୋଗୀକରଣ, ଅଞ୍ଚଳ ଭିତ୍ତିକ ଜୋନିଂ, ଜଳନିଷ୍କାସନ ବ୍ୟବସ୍ଥା, ନାଗରିକ ସୁବିଧାସୁଯୋଗ, ପରିବେଶ ସନ୍ତୁଳନ ଏବଂ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦିଆଯାଇଛି। ବୈଠକରେ ନାଗରିକ ମଞ୍ଚ ଏବଂ ସ୍ଥାନୀୟ ବାସିନ୍ଦାଙ୍କଠାରୁ ମିଳିଥିବା ସମସ୍ତ ଦାବି ଓ ଅଭିଯୋଗର ପ୍ରଶାସନିକ ଏବଂ ବୈଷୟିକ ତଦାରଖ କରାଯାଇଛି। ଲୋକଙ୍କର ପରାମର୍ଶ ଏବଂ ଯୁକ୍ତିଯୁକ୍ତ ଦାବିଗୁଡ଼ିକୁ ଚୂଡ଼ାନ୍ତ ଚିଠା ପ୍ରସ୍ତାବରେ ସାମିଲ କରାଯିବା ପରେ ହିଁ ଏହାକୁ ସରକାରୀ ସ୍ୱୀକୃତି ଦିଆଯିବ।
ଏହି ସମୀକ୍ଷା ବୈଠକରେ ବରଗଡ଼ ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ବରଗଡ଼ ବିଶେଷ ଯୋଜନା ପ୍ରାଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ, ବରଗଡ଼, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଲିପ୍ସିତ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ।
ବୈଠକକୁ ସମ୍ବୋଧିତ କରି ଅଧିକାରୀ ଓ ଜନପ୍ରତିନିଧିମାନେ ପ୍ରକାଶ କରିଥିଲେ ଯେ ବରଗଡ଼ ମାଷ୍ଟର ପ୍ଲାନ ୨୦୪୦ ସହରୀ ଭିତ୍ତିଭୂମି ସହିତ ୨୧ ଗୋଟି ପାର୍ଶ୍ୱବର୍ତ୍ତୀ ଗ୍ରାମର କୃଷି ଓ ଆର୍ଥ-ସାମାଜିକ ସ୍ଥିତି ମଧ୍ୟରେ ସନ୍ତୁଳନ ରକ୍ଷା କରିବ। ଦାଖଲ ହୋଇଥିବା ସମସ୍ତ ଆପତ୍ତିଗୁଡ଼ିକର କ୍ଷେତ୍ରସ୍ତରୀୟ ଯାଞ୍ଚ ଶୀଘ୍ର ଶେଷ କରି ଏକ ଜନକଲ୍ୟାଣକାରୀ ଓ ସୁଦୃଢ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ବୈଷୟିକ ଦଳକୁ ନିର୍ଦ୍ଦେଶ ଦିଆଯାଇଛି।
