ଅଚଳ ଉଠା ଜଳସେଚନ ପ୍ରକଳ୍ପ, ସଙ୍କଟରେ ୨୫ ଏକର ଚାଷ ଦୁଇ ମାସ ହେଲା ମୋଟର ଅଚଳ, ଶୁଖି ଫାଟିଲାଣି ଧାନଜମି
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀOctober 13, 202650 views

ଚିକିଟି, ୧୩।୧୦: ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହି ଯୋଜନାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚିବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଲାଲମେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଶିରିପୁର ଅଞ୍ଚଳରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଦୀର୍ଘ ଦୁଇ ମାସ ହେଲା ଉଠା ଜଳସେଚନ ପ୍ରକଳ୍ପର ମୋଟର ଅଚଳ ହୋଇପଡ଼ିଥିବାରୁ ପ୍ରାୟ ୨୫ ଏକର ଚାଷଜମିକୁ ପାଣି ମାଡ଼ିପାରୁନାହିଁ। ଫଳରେ ଧାନ ଫସଲ ଉଜୁଡ଼ିଯିବା ଆଶଙ୍କାରେ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ଯୋଜନା ଅଧୀନରେ ଶିରିପୁର ଅଞ୍ଚଳରେ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ପ୍ରକଳ୍ପ ଆରମ୍ଭ ହେବା ସମୟରେ ଏହାଦ୍ୱାରା ଅଞ୍ଚଳର ପ୍ରାୟ ୨୫ ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିବ ବୋଲି ଆଶା କରାଯାଇଥିଲା। କିନ୍ତୁ ବାରମ୍ବାର ମୋଟର ଅଚଳ ହେଉଥିବାରୁ ଚାଷୀଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ମୋଟର ଦୀର୍ଘ ଦୁଇ ମାସ ଧରି ଅଚଳ ହୋଇପଡ଼ିଛି। ଏନେଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନାହିଁ। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ବର୍ଷା ନଥିବାରୁ ରୁଆ ଧାନଜମି ଶୁଖି ଫାଟିବାକୁ ଲାଗିଲାଣି। ଆଗାମୀ ଏକ ସପ୍ତାହ ମଧ୍ୟରେ ବର୍ଷା ନହେଲେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।
ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ପ୍ରକଳ୍ପ ଚାଷୀଙ୍କ ଆବଶ୍ୟକତା ସମୟରେ ଅଚଳ ହୋଇପଡ଼ିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ନିୟମିତ କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠିବା ସହ ଯୋଜନାର ଉଦ୍ଦେଶ୍ୟ ନେଇ ମଧ୍ୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମୋଟର ମରାମତି କରି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

