--:--:--
-- ---
Srishti News

ସୁକୁଟାପାଲି ରେଳ କ୍ରସିଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ

Bargarh (ବରଗଡ଼)ସତ୍ୟ ସୁରୁଜଳOctober 12, 202624 views
ସୁକୁଟାପାଲି ରେଳ କ୍ରସିଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ
ଅଣ୍ଡରପାସ୍ ନିର୍ମାଣ ପ୍ରସ୍ତାବ ଉପରେ ଗୁରୁତ୍ୱ, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଅତାବିରା: ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁକୁଟାପାଲି ଓ ରେଙ୍ଗାଲି କ୍ୟାମ୍ପ ଅଞ୍ଚଳର ଜନସାଧାରଣ ଦୀର୍ଘଦିନ ଧରି ସୁକୁଟାପାଲି ରେଳ କ୍ରସିଂଠାରେ ଗମ୍ଭୀର ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରେଳ ଚଳାଚଳ ସମୟରେ ବାରମ୍ବାର ଫାଟକ ବନ୍ଦ ରହୁଥିବାରୁ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଅନେକ ସମୟରେ ପ୍ରାୟ ୩୦ ମିନିଟ୍ କିମ୍ବା ତା’ଠାରୁ ଅଧିକ ସମୟ ଧରି ଲୋକେ ରାସ୍ତାରେ ଅଟକି ରହୁଥିବାରୁ ଦୈନନ୍ଦିନ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ଦୀର୍ଘଦିନର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ସ୍ୱରୂପ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ନିଜେ ସୁକୁଟାପାଲି ରେଳ କ୍ରସିଂ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି। ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ଏକ ଅଣ୍ଡରପାସ୍ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅଣ୍ଡରପାସ୍ ନିର୍ମାଣ ହେଲେ ରେଳ ଫାଟକ ବନ୍ଦ ଥିବା ସମୟରେ ମଧ୍ୟ ଲୋକଙ୍କ ଯାତାୟାତ ସୁଗମ ହୋଇପାରିବ। ଏହାଦ୍ୱାରା ସୁକୁଟାପାଲି, ରେଙ୍ଗାଲି କ୍ୟାମ୍ପ ଏବଂ ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ଦୀର୍ଘଦିନର ଯାତାୟାତ ସମସ୍ୟାରୁ ଆଶ୍ୱସ୍ତି ମିଳିବା ସହ ସମୟର ସଞ୍ଚୟ ହୋଇପାରିବ। ଏହି ପ୍ରସ୍ତାବକୁ ନେଇ ବିଧାୟକ ସଂପୃକ୍ତ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ଅଣ୍ଡରପାସ୍ ନିର୍ମାଣ ପାଇଁ ପରବର୍ତ୍ତୀ ପଦକ୍ଷେପ, ଅନୁମୋଦନ ଓ କାର୍ଯ୍ୟ ଆରମ୍ଭ ସମ୍ପର୍କରେ ଆଗାମୀ ଦିନରେ ସ୍ପଷ୍ଟତା ମିଳିବ। ସୁକୁଟାପାଲି ରେଳ କ୍ରସିଂରେ ଦୀର୍ଘଦିନର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ହେବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ଏବେ ଅଣ୍ଡରପାସ୍ ନିର୍ମାଣ ପ୍ରସ୍ତାବ କେବେ ବାସ୍ତବ ରୂପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।