--:--:--
-- ---
Srishti News

ଅବହେଳାର ଶିକାର ଐତିହାସିକ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ! ଜରାଜୀର୍ଣ୍ଣ ପରିବେଶ, ମଳିନ କୋଠା ଓ ଅବ୍ୟବସ୍ଥିତ ପାର୍କିଂକୁ ନେଇ ଉଠିଲା ପ୍ରଶ୍ନ

Ganjam (ଗଞ୍ଜାମ)ଗଞ୍ଜାମ: ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିOctober 12, 202645 views
ଅବହେଳାର ଶିକାର ଐତିହାସିକ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ!  ଜରାଜୀର୍ଣ୍ଣ ପରିବେଶ, ମଳିନ କୋଠା ଓ ଅବ୍ୟବସ୍ଥିତ ପାର୍କିଂକୁ ନେଇ ଉଠିଲା ପ୍ରଶ୍ନ
ଖଲ୍ଲିକୋଟ, ୧୨/୧୦: ଖଲ୍ଲିକୋଟ ସହରର ହୃଦୟସ୍ଥଳରେ ଅବସ୍ଥିତ ଐତିହାସିକ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହେଉଛି। ଦୀର୍ଘ ଐତିହ୍ୟ ବହନ କରୁଥିବା ଏହି ଶିକ୍ଷାନୁଷ୍ଠାନର ବର୍ତ୍ତମାନର ପରିବେଶ ଓ ଭିତ୍ତିଭୂମିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ସ୍ୱର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଶାସନ କାଳରେ ୧୯୧୭ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଦିନେ ଖଲ୍ଲିକୋଟ ସମେତ ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ଏଠାକୁ ଆସି ଶିକ୍ଷା ଗ୍ରହଣ କରୁଥିଲେ। ଏହି ଅନୁଷ୍ଠାନର ବହୁ ପୁରାତନ ଛାତ୍ର ଶିକ୍ଷା, ପ୍ରଶାସନ ଓ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ବର୍ତ୍ତମାନର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଏହି ବିଦ୍ୟାଳୟର ପୁରାତନ ଛାତ୍ର ବୋଲି କୁହାଯାଉଛି। କିନ୍ତୁ ଏତେ ପୁରାତନ ଓ ଗୌରବମୟ ଐତିହ୍ୟ ଥିବା ସତ୍ତ୍ୱେ ବିଦ୍ୟାଳୟର ବର୍ତ୍ତମାନର ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ବିଦ୍ୟାଳୟର କୋଠାର ରଙ୍ଗ ମଳିନ ପଡ଼ିଯାଇଥିବା ବେଳେ ପରିସରର ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟକରଣ ଦିଗରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଦ୍ୟାଳୟର ନାମଫଳକ ମଧ୍ୟ ଆକର୍ଷଣୀୟ ଅବସ୍ଥାରେ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଖଲ୍ଲିକୋଟ ସହରରେ ସୁବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥାର ଅଭାବ ଯୋଗୁଁ ବିଦ୍ୟାଳୟ ନିକଟରେ ଗାଡ଼ିମୋଟର ରଖାଯାଉଥିବାରୁ ଏହାର ପ୍ରବେଶପଥ ଓ ପରିବେଶ ପ୍ରଭାବିତ ହେଉଥିବା କୁହାଯାଉଛି। ବିଦ୍ୟାଳୟର ହତା ଭିତରେ ମଧ୍ୟ ପରିଚ୍ଛନ୍ନତା ଓ ସୁବ୍ୟବସ୍ଥା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି। ଏହି ପରିସ୍ଥିତି ମଧ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ, ଉପସ୍ଥାନ ଓ ଦୈନନ୍ଦିନ ପରିଚାଳନା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନ ସାମ୍ବାଦିକତା କରୁଥିବା ଶିବରାମ ଜେନାଙ୍କ କହିବା ଅନୁଯାୟୀ, ସେ ଗଣମାଧ୍ୟମ ଜରିଆରେ ବିଭିନ୍ନ ସମୟରେ ବିଦ୍ୟାଳୟର ଉନ୍ନତିକରଣ ଦିଗରେ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସିଛନ୍ତି। ତଥାପି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏତେ ପୁରାତନ ଶିକ୍ଷାନୁଷ୍ଠାନର ଉନ୍ନତିକରଣ, ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାୟିତ୍ୱ କାହାର? ଶିକ୍ଷା ବିଭାଗ, ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିମାନେ ଏହି ଦିଗରେ କେବେ ଦୃଷ୍ଟି ଦେବେ? ଏଭଳି ପ୍ରଶ୍ନ ଏବେ ଖଲ୍ଲିକୋଟ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଐତିହାସିକ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ବର୍ତ୍ତମାନର ସ୍ଥିତିର ତଦନ୍ତ କରିବା ସହ ପରିବେଶର ଉନ୍ନତି, ପରିଚ୍ଛନ୍ନତା, ଆବଶ୍ୟକ ମରାମତି ଓ ଶୈକ୍ଷିକ ପରିବେଶର ସୁଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଡବଲ୍ ଇଞ୍ଜିନ୍ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଐତିହ୍ୟବାହୀ ଏହି ଶିକ୍ଷାନୁଷ୍ଠାନର ଗୌରବ ଫେରାଇ ଆଣିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷ କେବେ ପଦକ୍ଷେପ ନେବେ, ତାହା ଏବେ ଅପେକ୍ଷାର ବିଷୟ।