--:--:--
-- ---
Srishti News

ଧର୍ମଶାଳାର ଏବିଇଓ ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରରେ ଏକକାଳୀନ ଯାଞ୍ଚ

Jajpur (ଯାଜପୁର)Bijayanand TripathyOctober 12, 202634 views
ଧର୍ମଶାଳାର ଏବିଇଓ ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରରେ ଏକକାଳୀନ ଯାଞ୍ଚ
ଯାଜପୁର, ୧୨/୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନାଙ୍କ ସମ୍ପତ୍ତି ଉପରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ତାଙ୍କ ଆୟର ଜଣାଶୁଣା ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ମୋଟ ୭ଟି ସ୍ଥାନରେ ଏହି ତଲାସି ଅଭିଯାନ ଚାଲିଛି। ଭିଜିଲାନ୍ସର ୩ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ବ୍ରହ୍ମପୁରସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତଙ୍କ ତଲାସି ୱାରେଣ୍ଟ ବଳରେ ଏହି ଯାଞ୍ଚ କରାଯାଉଛି। ଭିଜିଲାନ୍ସ ଟିମ୍ ଜୟଦେବ ଜେନାଙ୍କ ଭୁବନେଶ୍ୱରର ପାତ୍ରପଡ଼ାସ୍ଥିତ ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲା ପି. ନୂଆଗାଁରେ ଥିବା ଦୁଇ ମହଲା କୋଠା ଓ ଅନ୍ୟ ଏକ କୋଠାରେ ଯାଞ୍ଚ କରୁଛି। ଏହା ସହିତ ଗଞ୍ଜାମ ଜିଲ୍ଲା ବୁରୁଝରୀରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲା ଜାରକାସ୍ଥିତ ଭଡ଼ା ଘର ଏବଂ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ ତଲାସି ଚାଲିଛି। ଏହି ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି, ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ଦସ୍ତାବିଜ ଜବତ ହୋଇଛି, ସେ ସମ୍ପର୍କରେ ଏଯାବତ୍‌ ବିସ୍ତୃତ ତଥ୍ୟ ମିଳିନାହିଁ। ଭିଜିଲାନ୍ସ ପକ୍ଷରୁ ତଲାସି ଜାରି ରହିଥିବାବେଳେ ଅଧିକ ତଥ୍ୟ ମିଳିବା ପରେ ପରବର୍ତ୍ତୀ ରିପୋର୍ଟ ପ୍ରକାଶ ପାଇବ। (ଏହି ଚଢ଼ାଉ ଅଭିଯୋଗ ଆଧାରରେ କରାଯାଉଛି। ତଦନ୍ତ ଶେଷ ହେବା ପରେ ହିଁ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସ୍ପଷ୍ଟ ହେବ।)