--:--:--
-- ---
Srishti News

ବରଗଡ଼ରେ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ୨୦୨୬-୨୭'ର ଶୁଭାରମ୍ଭ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 4, 202622 views
ବରଗଡ଼ରେ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ୨୦୨୬-୨୭'ର ଶୁଭାରମ୍ଭ
ବରଗଡ -ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା'ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍‌ହଲ୍ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୭୦୦ ଜଣ ବରିଷ୍ଠ ନାଗରିକ ପୁରୀ ଅଭିମୁଖେ ଯାତ୍ରା କଲେ। ଏହି ଅବସରରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶ୍ରୀଜଗନ୍ନାଥଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଅମ୍ବୁଜାକ୍ଷର ପ୍ରଧାନ ଉପସ୍ଥିତ ରହି ତୀର୍ଥ ଯାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଯୋଜନା ଅଧୀନରେ ସମସ୍ତ ଯାତ୍ରୀଙ୍କୁ ତୀର୍ଥ ଯାତ୍ରୀ କିଟ୍ ପ୍ରଦାନ କରାଯାଇଥିଲା ଯେଉଁଥିରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମାନ ରହିଅଛି। ଏହାପରେ ବିଜୁ ପଟ୍ଟନାୟକ ଟାଉନ୍‌ହଲ୍ ସମ୍ମୁଖରୁ ବରିଷ୍ଠ ନାଗରିକମାନଙ୍କୁ ନେଇ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିବା ତୀର୍ଥଯାତ୍ରୀ ବସ୍‌କୁ ଅତିଥିବୃନ୍ଦ ପତାକା ଦେଖାଇ (Flag-off) ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହ ଜିଲ୍ଲା ସଂସ୍କୃତି ବିଭାଗରେ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ଓ ସୁବିଧାରେ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏହି ମହତ୍ ପଦକ୍ଷେପକୁ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ଓ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।