--:--:--
-- ---
Srishti News

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଜରୁରୀ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ସ୍ୱତନ୍ତ୍ର ଆଲୋଚନାଚକ୍ର

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗରSeptember 30, 202615 views
ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଜରୁରୀ  ୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ସ୍ୱତନ୍ତ୍ର ଆଲୋଚନାଚକ୍ର
ଭଞ୍ଜନଗର: ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଓ ଜୈବବିବିଧତା ସଂରକ୍ଷଣ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ସ୍ୱେଚ୍ଛାସେବୀ, ସାମ୍ବାଦିକ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଘୁମୁସର ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ବିପାଶା ପାରୁଲ ଓ ଘୁମୁସର ଉତ୍ତର ବନଖଣ୍ଡ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ସମେତ ବନ ବିଭାଗର ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ଅତିଥିମାନେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ଜୈବବିବିଧତା ଉପରେ ମତ ରଖିଥିଲେ। ବକ୍ତାମାନେ କହିଥିଲେ ଯେ, ଘୁମୁସର ଅଞ୍ଚଳର ପାକିଡ଼ି ପାହାଡ଼ ଓ ହଜପଲ୍ଲୀ ଅଞ୍ଚଳରେ ହରିଣ, ମୟୂର ସମେତ ବିଭିନ୍ନ ବନ୍ୟପ୍ରାଣୀଙ୍କ ଉପସ୍ଥିତି ଅଞ୍ଚଳର ସମୃଦ୍ଧ ଜୈବବିବିଧତାର ପରିଚୟ। ଏହି ପ୍ରାକୃତିକ ସମ୍ପଦର ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ଏଥିପାଇଁ ସମାଜର ସମସ୍ତ ବର୍ଗର ସହଯୋଗ ଆବଶ୍ୟକ। ଆଲୋଚନାରେ ମଣିଷ-ହାତୀ ସଂଘର୍ଷକୁ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଲ୍ଲେଖ କରାଯାଇଥିଲା। ଏହାର ମୁକାବିଲା ପାଇଁ ବନ ବିଭାଗ ସହିତ ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ବନ୍ୟପ୍ରାଣୀଙ୍କୁ ଉତ୍ତେଜିତ ନକରିବା, ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ନଷ୍ଟ ନକରିବା ଏବଂ ବନ୍ୟଜନ୍ତୁଙ୍କ ଗତିବିଧି ସମ୍ପର୍କରେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ‘ସ୍ନେହା’, ‘ସ୍ୱାତୀ’ ଓ ‘ଲିପିକା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନେଇ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନ ସମ୍ପର୍କରେ ବନ ଅଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାକିଡ଼ି ମୟୂର ସୁରକ୍ଷା ସମିତିର ସଭାପତି ଡ. ସମୀର କୁମାର ପ୍ରଧାନ, ଡ. ଉଦୟ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ଏସିଏଫ୍‌ ବିମଳ ପ୍ରଧାନ ସଭାକୁ ସଂଯୋଜନା କରିଥିବା ବେଳେ ଏସିଏଫ୍‌ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ NSS ଅଧିକାରୀ ବାବୁଲା ପ୍ରଧାନ, ମହିଳା ଶାଖା ଅଧିକାରିଣୀ ସସ୍ମିତା କୁମାରୀ ଦାସ, ରେଞ୍ଜର ସରୋଜ କୁମାର ମହାନ୍ତି, ପୃଥିବୀରାଜ ପ୍ରଧାନ, ବନପାଳ ବବୁଲ ସେଠୀ ପ୍ରମୁଖ ସହଯୋଗ କରିଥିଲେ।