ଗୁଟ୍ଖା କାରଖାନା ଚଢ଼ାଉ ଘଟଣା: ଫେରାର୍ ମାଲିକ ସନ୍ତୋଷ ପାତ୍ର ଗିରଫ
Ganjam (ଗଞ୍ଜାମ)ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁରSeptember 30, 202617 views

ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ଓଡ଼ିଶା ଚଣ୍ଡିପଦର ନିକଟରେ ଚାଲିଥିବା ଏକ ବେଆଇନ ଗୁଟ୍ଖା ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ତଥା କାରଖାନା ମାଲିକ ସିଏଚ୍ ସନ୍ତୋଷ କୁମାର ପାତ୍ର ଓରଫ ସନ୍ତୁ (୩୯)ଙ୍କୁ ପୁଲିସ ଗିରଫ କରିଛି। ସନ୍ତୋଷ ଜଗନ୍ନାଥପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଆଞ୍ଚଳିକ ୟୁନିଟ୍ର ଡିଜିଜିଆଇ ଏବଂ ନୀମଖଣ୍ଡି ଥାନା ପୁଲିସ ପକ୍ଷରୁ ଓଡ଼ିଶା ଚଣ୍ଡିପଦର ନିକଟସ୍ଥ ମୁଖ୍ୟରାସ୍ତା ପାର୍ଶ୍ୱରେ ଚାଲିଥିବା ଏହି ବେଆଇନ ଗୁଟ୍ଖା ପ୍ରସ୍ତୁତି କାରଖାନା ଉପରେ ଏକ ମିଳିତ ଚଢ଼ାଉ କରାଯାଇଥିଲା। ତଦନ୍ତକାରୀ ଦଳ ସେଠାରେ ବେଆଇନ ଭାବେ ଗୁଟ୍ଖା ପ୍ରସ୍ତୁତ ଓ ପ୍ୟାକିଂ କରାଯାଉଥିବା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ଚଢ଼ାଉ ସମୟରେ ମାଲିକ ସନ୍ତୋଷ ଘଟଣାସ୍ଥଳରେ ନଥିଲେ ଏବଂ ପରେ ସେ ଫେରାର ହୋଇଯାଇଥିଲେ।
ପୁଲିସ ତଦନ୍ତ ଜାରି ରଖି ଶେଷରେ ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସନ୍ତୋଷଙ୍କ ଗିରଫଦାରୀ ପରେ ଏହି ବେଆଇନ ଗୁଟ୍ଖା କାରବାରର ନେଟ୍ୱର୍କ ଏବଂ ଏହା ସହ ସଂପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ଆଶା ପ୍ରକଟ କରିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।
