ନିର୍ମାଣ ସରିଛି, ଚାଲୁ ହେଉନି ଟ୍ରକ୍ ଟର୍ମିନାଲ: ରାସ୍ତା କଡ଼ରେ ଭାରୀ ଯାନ ପାର୍କିଂ, ବଢୁଛି ଦୁର୍ଘଟଣା ଆଶଙ୍କା
Kalahandi (କଳାହାଣ୍ଡି)ରିପୋର୍ଟ: ଦେବରାଜ ବାଣୁଆ ଜୁନାଗଡ଼, କଳାହାଣ୍ଡିSeptember 30, 202671 views

ଜୁନାଗଡ଼, ୩୦/୦୯: କଳାହାଣ୍ଡି ଜିଲ୍ଲା ତାଲଜାରିଙ୍ଗ ନିକଟରେ ଜୁନାଗଡ଼–ଭବାନୀପାଟଣା ଜାତୀୟ ରାଜପଥ-୨୬ କଡ଼ରେ ନିର୍ମାଣ ହୋଇଥିବା ବଡ଼ ଟ୍ରକ୍ ଟର୍ମିନାଲ ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସତ୍ତ୍ୱେ ଏହାକୁ ଟ୍ରକ୍ ଚାଳକଙ୍କ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ କରାଯାଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଛି।
ଜାତୀୟ ରାଜପଥ-୨୬ ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଭାରୀ ଯାନ ଚଳାଚଳ କରୁଛି। ଟ୍ରକ୍ ଚାଳକମାନଙ୍କ ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିବାରୁ ଅନେକ ଭାରୀ ଯାନ ରାସ୍ତା କଡ଼ରେ ଅଟକି ରହୁଛି। ଫଳରେ ରାଜପଥରେ ଯାତାୟାତ ବ୍ୟାହତ ହେବା ସହ ଅନ୍ୟ ଯାନବାହନ ଚଳାଚଳ ସମୟରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଟ୍ରକ୍ ଟର୍ମିନାଲ ନିର୍ମାଣ ହୋଇଥିବାରୁ ରାସ୍ତା କଡ଼ରେ ଭାରୀ ଯାନ ପାର୍କିଂ ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଥିଲା। କିନ୍ତୁ ନିର୍ମାଣ ପରେ ମଧ୍ୟ ଟର୍ମିନାଲ ଚାଲୁ ନହେବାରୁ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠୁଛି।
ଏହି ରାସ୍ତାରେ ଭାରୀ ଯାନ ଚଳାଚଳ ଅଧିକ ଥିବାରୁ ଟ୍ରକ୍ ଟର୍ମିନାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ରାସ୍ତା କଡ଼ରେ ଅନିୟମିତ ଭାବେ ଭାରୀ ଯାନ ପାର୍କିଂ ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ରାଜପଥରେ ବଢ଼ୁଥିବା ଦୁର୍ଘଟଣା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
