--:--:--
-- ---
Srishti News

ଭାରତର ସ୍ବାଧୀନତା ଇତିହାସରେ ଇରମ ମାଟିର ବଳିଦାନ ଚିର ଅମ୍ଳାନ: ବାସୁଦେବପୁର ଜନକଲ୍ୟାଣ ପରିଷଦ ତରଫରୁ ଇରମ ସହିଦ ସ୍ମୃତି ଦିବସ ପାଳିତ

Rourkela (ରାଉରକେଲା)କୁଞ୍ଜବିହାରୀ ରାଉତSeptember 28, 20262 views
ଭାରତର ସ୍ବାଧୀନତା ଇତିହାସରେ ଇରମ ମାଟିର ବଳିଦାନ ଚିର ଅମ୍ଳାନ: ବାସୁଦେବପୁର ଜନକଲ୍ୟାଣ ପରିଷଦ ତରଫରୁ ଇରମ ସହିଦ ସ୍ମୃତି ଦିବସ ପାଳିତ
ରାଉରକେଲା: ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେପ୍ଟେମ୍ବର ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଇରମ ମାଟିରେ ଇଂରେଜ ଫୌଜଙ୍କ ଗୁଳିରେ ପ୍ରାଣ ହରାଇଥିବା ୨୯ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ରାଉରକେଲାର ବାସୁଦେବପୁର ଜନକଲ୍ୟାଣ ପରିଷଦ ପକ୍ଷରୁ ଏକ ସ୍ମୃତି ସଭା ସେକ୍ଟର -୨୦ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ ଉପସଭାପତି ଡା. ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଅନ୍ୟତମ ଉପସଭାପତି ଉଦୟ କୁମାର ସାହୁ, ଅନ୍ୟତମ ବକ୍ତା ବିଶ୍ବନାଥ ସାହୁ, ବଳରାମ ରାଉଳ, ସନାତନ ପତି, ସୁବାସ ଚନ୍ଦ୍ର ମହାପାତ୍ର, କୃପାସିନ୍ଧୁ ବେହେରା ଏବଂ କୈଳାସ ଚନ୍ଦ୍ର ବନ୍ଧ ପ୍ରମୁଖ ଯୋଗ ଦେଇ ଇରମ ମାଟିର ସେହି ଅମର ବୀରମାନଙ୍କ ମହାନତା, ଦେଶପ୍ରେମ ଓ ସ୍ୱାଧୀନତା ପାଇଁ ସେମାନଙ୍କର ସର୍ବସ୍ୱ ତ୍ୟାଗର କାହାଣୀ ମନେ ପକାଇ କହିଲେ ଯେ, "ଯେଉଁ ମାନଙ୍କ ରକ୍ତରେ ଇରମର ମାଟି ଭିଜିଥିଲା, ସେମାନଙ୍କର ବଳିଦାନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଚିର ଅମ୍ଳାନ ରହିବ।" ଏହି କାର୍ଯ୍ୟକ୍ରମରେ ଅଞ୍ଜୁ ବାରିକ, ଜ୍ୟୋତିର୍ମୟୀ ପତି, ସୁକାନ୍ତି ଲତା ପାଢ଼ୀ ଏବଂ ନିବେଦିତା ଜେନା ପ୍ରମୁଖ ସହାୟତା କରିଥିବା ବେଳେ, ସତ୍ୟନାରାୟଣ ପଣ୍ଡା, ନିଶାନ୍ତ ପଣ୍ଡା, ନରେନ୍ଦ୍ର କୁମାର ଜେନା, ଆର୍ତ୍ତତ୍ରାଣ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ଦାଶ ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇ ସେହି ମହାନ ସହିଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।