ପ୍ରକୃତିର ତାଣ୍ଡବ ଓ ପ୍ରବଳ ବର୍ଷା: ମଣ୍ଟାପଡ଼ା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି, ବିପନ୍ନଙ୍କୁ ନୂତନ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗରSeptember 26, 20267 views

ହରିଡ଼ାପଦର,(ଆସିକା): ବିଗତ କିଛି ଦିନ ହେବ ଜାରି ରହିଥିବା ପ୍ରକୃତିର ତାଣ୍ଡବ ଓ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହରିଡ଼ାପଦର ପଞ୍ଚାୟତ ଅନ୍ତର୍ଗତ ମଣ୍ଟାପଡ଼ା ଗ୍ରାମର ଅନେକ ପରିବାର ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି।
ଆଜି ଆସିକା ବିଧାୟକ ଶ୍ରୀସରୋଜ କୁମାର ପାଢ଼ୀ ଏବଂ ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀମାନେ ମଣ୍ଟାପଡ଼ା ଗ୍ରାମ ପରିଦର୍ଶନ କରି ପ୍ରଭାବିତ ପରିବାରବର୍ଗଙ୍କୁ ସାକ୍ଷାତ କରିଛନ୍ତି। ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବାରୁ ସେମାନେ ଖୋଲା ଆକାଶ ତଳେ କିମ୍ବା ଅସ୍ଥାୟୀ ପଲିଥିନ ଟାଣି ଅତି ଦୁଃଖକଷ୍ଟ ମଧ୍ୟରେ ଗତି କରୁଛନ୍ତି। ପରିଦର୍ଶନ ସମୟରେ ଲୋକମାନଙ୍କର ଏହି ଆସନ୍ନ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ସହ ସେମାନଙ୍କୁ ସମବେଦନା ଜଣାଯାଇଛି।
ଏହି ସଙ୍କଟ ସମୟରେ ପ୍ରଭାବିତ ପରିବାରଗୁଡ଼ିକୁ ସରକାରଙ୍କ ତରଫରୁ ତୁରନ୍ତ ନୂତନ ଘର ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି। ଏଥିସହ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି ଯେ, "ଏହି ବିପଦ ସମୟରେ ଆମେ ସମ୍ପୂର୍ଣ୍ଣ ଭାବେ ବିପନ୍ନଙ୍କ ସହିତ ଛିଡ଼ା ହୋଇଛୁ ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଶାସନ ବଦ୍ଧପରିକର।" ଗ୍ରାମବାସୀଙ୍କୁ ଯଥାଶୀଘ୍ର ରିଲିଫ ଓ ଥଇଥାନ ସାମଗ୍ରୀ ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।
