୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ସ୍କୁଟିକୁ ପଛରୁ ପିଟିଲା କାର, ଜଣେ ମୃତ, ୨ ଗୁରୁତର
Khordha (ଖୋର୍ଦ୍ଧା)ରିପୋର୍ଟର: ଯଦୁମଣି ବେହେରା, ଖୋର୍ଦ୍ଧା, ଟାଙ୍ଗୀSeptember 25, 202634 views

ଖୋର୍ଦ୍ଧା, ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଗ୍ରତାରା ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ରଞ୍ଜନ ବିଶ୍ୱାଳ (୫୧) ଖୋର୍ଦ୍ଧାରୁ ନିଜ ସ୍କୁଟିରେ ଟାଙ୍ଗୀ ଅଭିମୁଖେ ଘରକୁ ଫେରୁଥିଲେ। ତାଙ୍କ ସହ ଲିଫ୍ଟ ମାଗି ରାଜେନ୍ଦ୍ର କୁମାର ପରିଡ଼ା (୪୯) ସ୍କୁଟିରେ ବସିଥିଲେ। ଉଭୟ ଉଗ୍ରତାରା ଛକ ନିକଟରେ ପହଞ୍ଚିଥିବା ସମୟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ମାରୁତି ଡିଜାୟାର କାର ସ୍କୁଟିକୁ ଧକ୍କା ଦେଇଥିଲା।
ଧକ୍କାରେ ସ୍କୁଟିରେ ଥିବା ଦୁଇଜଣ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କ ସମେତ କାରରେ ଥିବା ଲୋକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ।
ତେବେ ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର କୁମାର ପରିଡ଼ାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ଘର ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ହୋଇଥିବାବେଳେ ସେ ଟାଙ୍ଗୀ ଏନ୍ଏସି ଅନ୍ତର୍ଗତ ବଡ଼ପାଇକ ସାହିରେ ଘରଜ୍ୱାଇଁ ଭାବେ ରହୁଥିଲେ। ତାଙ୍କର ଦୁଇ ଝିଅ ଓ ଜଣେ ପୁଅ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଗୁରୁତର ଆହତ ରଞ୍ଜନ ବିଶ୍ୱାଳଙ୍କ ଘର ଟାଙ୍ଗୀ ଥାନା ଅନ୍ତର୍ଗତ ତାରିମୀ ଗ୍ରାମରେ ହୋଇଥିବାବେଳେ ଅନ୍ୟ ଜଣେ ଆହତ ଦେବାଶିଷ ମିଶ୍ର (୫୦) ଲଳିତାପାଟପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ପୁଲିସ ସ୍କୁଟି ଓ ମାରୁତି ଡିଜାୟାର କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
