ଆବୁଧାବିରୁ ଫେରିଲା ବିଜୟଙ୍କ ମରଶରୀର! ୫୦ ଦିନର ଅପେକ୍ଷା ପରେ ଗାଁରେ ପହଞ୍ଚିଲା ଶବ, କାନ୍ଦ ବୋବାଳିରେ ଫାଟିପଡ଼ିଲା ବାହୁତିପଲ୍ଲୀ
Ganjam (ଗଞ୍ଜାମ)ଶିବରାମ ଜେନା,ସ୍ବତନ୍ତ୍ର ପ୍ରତିନିଧିSeptember 24, 20265 views

ପରିବାରର ଭଲ ଭବିଷ୍ୟତ ପାଇଁ ରୋଜଗାର ଆଶାରେ ବିଦେଶ ଯାଇଥିଲେ । ହେଲେ ଘରକୁ ଫେରିଲେ ନାହିଁ ଜୀବିତ ଅବସ୍ଥାରେ । ପ୍ରାୟ ୫୦ ଦିନର ଅପେକ୍ଷା ପରେ ଗାଁକୁ ଫେରିଲା ବିଜୟଙ୍କ ମରଶରୀର । ମରଶରୀର ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟିପଡ଼ିଲା ପୂରା ଗାଁ । ଶୋକାକୁଳ ପରିବେଶରେ ଶେଷ ହେଲା ଅନ୍ତିମ ଯାତ୍ରା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଡିମିରିଆ ପଞ୍ଚାୟତ ବାହୁତିପଲ୍ଲୀ ଗାଁର ବିଜୟ ମହାରଣା । ପରିବାରର ସୁଖ ଓ ଭବିଷ୍ୟତ ପାଇଁ ପ୍ରାୟ ୨୦ ମାସ ତଳେ ରୋଜଗାର ଆଶାରେ ଆବୁଧାବି ଯାଇଥିଲେ ବିଜୟ । ହେଲେ ଗତ ମାସ ୪ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ବିଜୟଙ୍କ ମରଶରୀର ଗାଁକୁ ଫେରିବା ନେଇ ଚାଲିଥିଲା ଅପେକ୍ଷା ।
ଶେଷରେ ପ୍ରାୟ ୫୦ ଦିନ ପରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ବିଜୟଙ୍କ ମରଶରୀର । ସେଠାରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ବିଜୟଙ୍କ ମରଶରୀର ବାହୁତିପଲ୍ଲୀ ଗାଁରେ ପହଞ୍ଚିଥିଲା ।
ମରଶରୀର ଗାଁରେ ପହଞ୍ଚିବା ମାତ୍ରେ ସୃଷ୍ଟି ହୋଇଥିଲା ହୃଦୟବିଦାରକ ପରିବେଶ । ପରିବାର ଲୋକଙ୍କ କାନ୍ଦରେ ଭାରି ହୋଇଯାଇଥିଲା ପରିବେଶ । କାନ୍ଦ ବୋବାଳିରେ ଫାଟିପଡ଼ିଥିଲା ଗାଁ ଦାଣ୍ଡ । ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବିଜୟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସେପଟେ ବିଜୟଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ଉଠିଛି । ପୂର୍ବତନ ସରପଞ୍ଚ ମନୋଜ କୁମାର ଗୌଡ଼ଙ୍କ ସମେତ ସ୍ଥାନୀୟ ବାସିନ୍ଦା ସରକାରଙ୍କ ନିକଟରେ ବିଜୟଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।
