ବଜ୍ରପାତ ଓ ପ୍ରବଳ ବର୍ଷା ଆଶଙ୍କା: ୨୪ରେ କଳାହାଣ୍ଡିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
Kalahandi (କଳାହାଣ୍ଡି)ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼September 23, 202697 views

କଳାହାଣ୍ଡି/ଜୁନାଗଡ଼: ବଜ୍ରପାତ ଓ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ ଗୁରୁବାର ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ, କଳାହାଣ୍ଡିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ଲଘୁଚାପଜନିତ ପ୍ରଭାବରେ ଗତ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହା ସହିତ ଆଗାମୀ ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି।
ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷା ଯୋଗୁଁ କୌଣସି ବଡ଼ଧରଣର କ୍ଷୟକ୍ଷତି ଘଟିଥିବା ଖବର ମିଳିନାହିଁ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପୂର୍ବପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ବର୍ଷା ଓ ବଜ୍ରପାତ ସମୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
