ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ନେଇ ସ୍ୱତନ୍ତ୍ର ଯାଞ୍ଚ ୨୨ଟି ଚାଲାଣ, ପ୍ରାୟ ୪୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ
Nuapada (ନୂଆପଡ଼ା)ରିପୋର୍ଟ : ବିଜୟ ବରିହାSeptember 23, 20266 views

ନୂଆପଡ଼ା, ୨୩/୦୯: ସଡ଼କ ସୁରକ୍ଷା ଓ ମୋଟରଯାନ ଆଇନର ଅନୁପାଳନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଓ ପ୍ରବର୍ତ୍ତନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଯାଞ୍ଚ ଅଭିଯାନରେ ବିଭିନ୍ନ ଯାନର କାଗଜପତ୍ର ଓ ମୋଟରଯାନ ନିୟମ ପାଳନ ସମ୍ପର୍କରେ ଯାଞ୍ଚ କରାଯାଇଥିଲା।
ଅଭିଯାନ ସମୟରେ ପ୍ରାୟ ୫୦ରୁ ୬୦ଟି ଯାନ ଯାଞ୍ଚ କରାଯାଇଥିବା ବେଳେ ବିଭିନ୍ନ ମୋଟରଯାନ ନିୟମ ଉଲ୍ଲଂଘନ ମାମଲାରେ ମୋଟ ୨୨ଟି ଚାଲାଣ କରାଯାଇଥିଲା। ଏହି ଚାଲାଣ ବାବଦରେ ପ୍ରାୟ ୪୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।
ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଯାନବାହନ ଚାଳକମାନଙ୍କ ମଧ୍ୟରେ ଟ୍ରାଫିକ ନିୟମ ପାଳନ ନେଇ ସଚେତନତା ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ନିୟମିତ ଭାବେ ମୋଟରଯାନ ଆଇନ ପାଳନ କରିବା, ନିରାପଦ ଭାବେ ଯାନ ଚଳାଇବା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଦାୟିତ୍ୱଶୀଳ ରହିବାକୁ ଯାନ ଚାଳକମାନଙ୍କୁ ସଚେତନ କରାଯାଇଥିଲା।
ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସଡ଼କ ସୁରକ୍ଷା ପ୍ରତି ଜନସଚେତନତା ବୃଦ୍ଧି, ଟ୍ରାଫିକ ନିୟମର କଡ଼ାକଡ଼ି ପାଳନ ଏବଂ ଦାୟିତ୍ୱଶୀଳ ଯାନ ଚାଳନାକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
ଏହି ଅଭିଯାନରେ ଏମଭିଆଇ ଉପେନ୍ଦ୍ର ମୁଣ୍ଡିକା, ଜୁନିୟର ଏମଭିଆଇ ବିଜୟ କୁମାର ପରିଡ଼ା, ଟିଏସଆଇ ପ୍ରଳୟ ମହାନ୍ତିଙ୍କ ସମେତ ଓଡ଼ିଶା ମୋଟରଯାନ ବିଭାଗର କନଷ୍ଟେବଳମାନେ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସଦସ୍ୟ ବିଜୟ ରାଉତରାୟ, ଯଜ୍ଞସେନା ମହାପାତ୍ର ଓ ଘନଶ୍ୟାମ ରୋଇ ପ୍ରମୁଖ ଅଭିଯାନରେ ସାମିଲ ହୋଇଥିଲେ।
