--:--:--
-- ---
Srishti News

ଗଡ଼ବୁଢ଼ାପଙ୍କ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୋରି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳSeptember 22, 202631 views
ଗଡ଼ବୁଢ଼ାପଙ୍କ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୋରି
ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ରର ତାଲା ଭାଙ୍ଗି ଭିତରକୁ ପଶି ବିଭିନ୍ନ ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିବା ସହ କିଛି ଉପକରଣ ଭାଙ୍ଗି ଦେଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ କର୍ମଚାରୀମାନେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ଘରକୁ ଫେରିଥିଲେ। ରବିବାର ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ରହିଥିବା ବେଳେ ସୋମବାର କର୍ମଚାରୀମାନେ ଖୋଲିବାକୁ ଆସି ମୁଖ୍ୟ ଗେଟ୍‌ର ତାଲା ଭଙ୍ଗା ଥିବା ଦେଖିଥିଲେ। ଭିତରକୁ ପ୍ରବେଶ କରିବା ପରେ ବିଭିନ୍ନ ସାମଗ୍ରୀ ଏଣେତେଣେ ପଡ଼ିଥିବା ସହ ଅନେକ ଜିନିଷ ଚୋରି ହୋଇଥିବା ଜଣାପଡ଼ିଥିଲା। ଦୁର୍ବୃତ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ରରୁ ଇନଭର୍ଟର, ବ୍ୟାଟେରି, କମ୍ପ୍ୟୁଟର ମନିଟର, ବିପି ମେସିନ୍‌, ଏଚ୍‌ବି ମେସିନ୍‌, ଗ୍ଲୁକୋମିଟର, ଆକ୍ୱାଗାର୍ଡ, ଓଜନ ମେସିନ୍‌, ଚେୟାର, ପ୍ରିଣ୍ଟର ସମେତ ବିଭିନ୍ନ ସାମଗ୍ରୀ ନେଇଯାଇଛନ୍ତି। ଏଥିସହ ଚିକିତ୍ସା ଉପକରଣ ଭାଙ୍ଗିବା ସହ ଡାଇଗ୍ନୋଷ୍ଟିକ୍ କିଟ୍‌, ଖାତାବହି ଆଦି ଏଣେତେଣେ ଫିଙ୍ଗି ଦେଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବଅଁରପାଳ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଚୋରି ହୋଇଥିବା ସାମଗ୍ରୀର ପରିମାଣ ଓ ମୂଲ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସା ନେବାକୁ ସୋମବାର ଆସିଥିବା ରୋଗୀମାନେ ସେବା ବାଧାପ୍ରାପ୍ତ ହେବାରୁ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି।