ବରୀରେ ସରକାରୀ ସ’ମିଲ ପାଇଁ ଦାବି : ବାତ୍ୟାରେ ଭାଙ୍ଗୁଥିବା ଓ ପୁରୁଣା ଗଛର କାଠ ବ୍ୟବହାରରେ ଅସୁବିଧା
Jajpur (ଯାଜପୁର)ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟSeptember 21, 202619 views

ଯାଜପୁର, ବରୀ: ବରୀ ବ୍ଲକ ଅଞ୍ଚଳରେ ସରକାରୀ ସ’ମିଲ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ଜୋର ଧରିଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ପରିମାଣରେ ବୃକ୍ଷ ରହିଥିବାବେଳେ ଅନେକ ଲୋକ ନିଜ ଘରବାଡ଼ି ପରିସରରେ ଆକାଶି, ପଣସ ଆଦି ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି।
ବାତ୍ୟା କିମ୍ବା ପ୍ରବଳ ପବନ ସମୟରେ ଏହି ଗଛଗୁଡ଼ିକ ଭାଙ୍ଗିପଡ଼ିବା ସହ ପୁରୁଣା ହୋଇଯାଇଥିବା ଗଛକୁ କାଟିବା ପରେ ତାହାର କାଠକୁ ଆବଶ୍ୟକତା ଅନୁସାରେ ଚିରାଇ ବ୍ୟବହାର କରିବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୂର୍ବରୁ ବରୀ ବ୍ଲକରେ ସ’ମିଲ ବ୍ୟବସ୍ଥା ରହିଥିଲା। ତେବେ ପରବର୍ତ୍ତୀ ସମୟରେ ବନ ବିଭାଗ ପକ୍ଷରୁ ସ’ମିଲଟି ବନ୍ଦ କରାଯାଇଥିବାରୁ ଅଞ୍ଚଳବାସୀଙ୍କୁ କାଠ ଚିରାଇବା ପାଇଁ ଅନ୍ୟତ୍ର ଯିବାକୁ ପଡ଼ୁଛି। ଏଥିଯୋଗୁଁ ଅଯଥା ଖର୍ଚ୍ଚ ଓ ସମୟ ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ଉପୁଜୁଛି।
ବରୀ ବ୍ଲକରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଣିଥରେ ଏକ ସରକାରୀ ସ’ମିଲ ପ୍ରତିଷ୍ଠା କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହେବା ସହ ବାତ୍ୟା କିମ୍ବା ଅନ୍ୟାନ୍ୟ କାରଣରୁ ଭାଙ୍ଗିପଡ଼ୁଥିବା ଗଛର କାଠକୁ ସୁବିଧାରେ ବ୍ୟବହାର କରିପାରିବେ ବୋଲି ମତ ପ୍ରକାଶ ପାଇଛି। ଏନେଇ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
