ନେଳିଆ ବନ୍ଧ କାମ ଅଧାରେ, ଅବ୍ୟବସ୍ଥା ନେଇ ପ୍ରଶ୍ନ ଡବଲ୍ ଇଞ୍ଜିନ୍ ସରକାରଙ୍କ ଦୃଷ୍ଟି ପଡ଼ିବ କେବେ?
Ganjam (ଗଞ୍ଜାମ)ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିSeptember 19, 2026124 views

ଖଲ୍ଲିକୋଟ: ୧୯/୦୯: ଖଲ୍ଲିକୋଟ ସହରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବା ବେଳେ ନେଳିଆ ବନ୍ଧର ଅଧାପନ୍ତରିଆ କାମକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ଦେଖାଦେଇଛି। ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ସମୟ ଧରି କାମ ସମ୍ପୂର୍ଣ୍ଣ ନହେବାରୁ ବନ୍ଧର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ନେଳିଆ ବନ୍ଧର ଗାର୍ଡୱାଲ୍ର ଅବସ୍ଥା ଠିକ୍ ନଥିବା ସହ ବନ୍ଧ ଅଞ୍ଚଳର ଜବରଦଖଲ ଉଚ୍ଛେଦ ନକରି ବନ୍ଧ ଭିତରେ ହୁଡ଼ା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ବନ୍ଧର ଚତୁଃପାର୍ଶ୍ୱରେ ଗଛଲତା ଓ ଅନାବନା ଜଙ୍ଗଲ ବଢ଼ିଯାଇଥିବାରୁ ଏହାର ସଫେଇ ଓ ରକ୍ଷଣାବେକ୍ଷଣ ମଧ୍ୟ ଆବଶ୍ୟକ ହୋଇପଡ଼ିଛି।
ଏହାସହ ବନ୍ଧ ହୁଡ଼ା ଉପରେ ଥିବା ଲାଟ୍ରିନ୍ ଟାଙ୍କିକୁ ହଟାଇବା ପୂର୍ବରୁ ହୁଡ଼ା ନିର୍ମାଣ କରାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ବନ୍ଧର ଆୟତନ ପ୍ରାୟ ୭ ଏକର ହୋଇଥିଲେ ମଧ୍ୟ ଏହାର ସଠିକ୍ ମାପଜୁପ ହୋଇଛି କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟତା ଆବଶ୍ୟକ ରହିଛି।
ଅନ୍ୟପଟେ ଖଲ୍ଲିକୋଟ ଏନ୍ଏସିରେ ଟେଣ୍ଡର ପ୍ରକ୍ରିୟାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ନେଳିଆ ବନ୍ଧର କାମ ଅଧାରେ ଅଟକି ରହିବା ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।
ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସ୍ତରରୁ ବାରମ୍ବାର ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ଏବେ ନେଳିଆ ବନ୍ଧର ଅଧାପନ୍ତରିଆ କାମ କେବେ ସମ୍ପୂର୍ଣ୍ଣ ହେବ ଏବଂ ବନ୍ଧର ଜବରଦଖଲ, ସଫେଇ, ମାପଜୁପ ଓ ଗାର୍ଡୱାଲ୍ ସମସ୍ୟା ନେଇ ପ୍ରଶାସନ କି ପଦକ୍ଷେପ ନେବ, ତାହାକୁ ଅପେକ୍ଷା କରିଛନ୍ତି ଖଲ୍ଲିକୋଟବାସୀ।
ରିପୋର୍ଟ: ଶିବରାମ ଜେନା
ସ୍ୱତନ୍ତ୍ର ପ୍ରତିନିଧି, ସ୍ରିଷ୍ଠି ନିୟୁଜ୍

