--:--:--
-- ---
Srishti News

ମାଗୁର ପାଣିରେ ବିଶ୍ୱକର୍ମା ପୂଜା ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

Nuapada (ନୂଆପଡ଼ା)ରିପୋର୍ଟ: ବିଜୟ ବରିହା, ନୂଆପଡାSeptember 19, 202647 views
ମାଗୁର ପାଣିରେ ବିଶ୍ୱକର୍ମା ପୂଜା ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ
ନୂଆପଡ଼ା: ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ମାଗୁର ପାଣି ଗ୍ରାମରେ ଧୁମଧାମରେ ବିଶ୍ୱକର୍ମା ପୂଜା ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱକର୍ମା କମିଟି ପକ୍ଷରୁ ବିଶ୍ୱକର୍ମା ଦେବଙ୍କ ପୂଜାର୍ଚ୍ଚନା ଓ ବିଧିବିଧାନ ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପୂଜା ପରେ ନୂଆଁଖାଇ ଭେଟଘାଟ ଆୟୋଜନ କରାଯାଇ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ସ୍ନେହ, ସମ୍ପ୍ରୀତି ଓ ସାମାଜିକ ଏକତାର ବାର୍ତ୍ତା ଦିଆଯାଇଥିଲା। ଏହାକୁ ନେଇ ସମଗ୍ର ଗ୍ରାମରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଅଙ୍କିତ ସିଂଘାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଉପସ୍ଥିତ ରହି ଆୟୋଜକ କମିଟି ଓ ଗ୍ରାମବାସୀଙ୍କ ସହ ନୂଆଁଖାଇର ଶୁଭେଚ୍ଛା ବିନିମୟ କରିଥିଲେ। ଏଥିସହିତ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ସମ୍ମାନିତ କରାଯାଇଥିବାରୁ ସେ ବିଶ୍ୱକର୍ମା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ନୂଆଁଖାଇ ଭେଟଘାଟକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମଉଳି ଭାଟା ନୃତ୍ୟ ପରିବେଷଣ କରାଯାଇଥିଲା। ନୃତ୍ୟର ତାଳେ ତାଳେ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ଏହି ସାଂସ୍କୃତିକ ସନ୍ଧ୍ୟା ଦେଖିବା ପାଇଁ ମାଗୁର ପାଣି ସମେତ ଆଖପାଖ ଅଞ୍ଚଳର ଖଲିଆପାଣି, ସରେଇପାଲି, କେରମେଲୀ ଓ ଦର୍ଲିମୁଣ୍ଡା ଆଦି ଗାଁରୁ ଶହ ଶହ ଲୋକ ଆସିଥିଲେ। ଲୋକଙ୍କ ଭିଡ଼ରେ କାର୍ଯ୍ୟକ୍ରମ ସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା। ବିଶ୍ୱକର୍ମା ପୂଜା ଓ ନୂଆଁଖାଇ ଭେଟଘାଟ ଭଳି ଗଣପର୍ବ ଆୟୋଜନ ମାଧ୍ୟମରେ ଗ୍ରାମୀଣ ସଂସ୍କୃତି, ପରମ୍ପରା, କଳା ଓ ଭାଇଚାରାକୁ ଆହୁରି ମଜବୁତ କରିବାର ପ୍ରୟାସକୁ ଉପସ୍ଥିତ ଲୋକେ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଜାରି ରହୁ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଥିଲେ।