ସୁଶାନ୍ତଙ୍କ ଜୀବନରେ ସାହାଯ୍ୟର ସାହାରା, ହ୍ୱିଲ୍ଚେୟାର ଦେଲା ଲୁଲୁ ସେନା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ କନ୍ତାମିଲା , ମଇଧରପୂର୍September 17, 202682 views

ହିନ୍ଦୋଳ: ଏକ ଛୋଟ ଘା’ରୁ ସଂକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଗୋଡ଼ ହରାଇଥିବା ୪୫ ବର୍ଷୀୟ ସୁଶାନ୍ତ ସିଂହଙ୍କ ପାଖରେ ଠିଆ ହୋଇଛି ଲୁଲୁ ସେନା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତାମିଲା ଗ୍ରାମ ପଞ୍ଚାୟତର ସୁଶାନ୍ତଙ୍କ ଗୋଡ଼ରେ ପ୍ରଥମେ ଏକ ଛୋଟ ଘା’ ହୋଇଥିଲା। ପରେ ଏହା ସଂକ୍ରମିତ ହୋଇ ପରିସ୍ଥିତି ଗୁରୁତର ହେବାରୁ ଚିକିତ୍ସା ସମୟରେ ଡାକ୍ତରଙ୍କୁ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା।
ସୁଶାନ୍ତଙ୍କ ପରିବାରରେ ମାଆ, ବାପା, ସ୍ତ୍ରୀ ଓ ଗୋଟିଏ ପୁଅ ରହିଛନ୍ତି। ଏକ ଛୋଟ ଦୋକାନ ହିଁ ପରିବାରର ଏକମାତ୍ର ଆୟର ମାଧ୍ୟମ। ଗୋଡ଼ ହରାଇବା ପରେ ତାଙ୍କର ଚଳାଚଳ ସହ ଦୈନନ୍ଦିନ ଜୀବନ ମଧ୍ୟ ଅନେକ କଷ୍ଟକର ହୋଇପଡ଼ିଛି।
ଏହି ପରିସ୍ଥିତିରେ ଲୁଲୁ ସେନା ପକ୍ଷରୁ ସୁଶାନ୍ତଙ୍କୁ ଏକ ହ୍ୱିଲ୍ଚେୟାର ପ୍ରଦାନ କରାଯାଇଛି। ଏହାଦ୍ୱାରା ତାଙ୍କ ଦୈନନ୍ଦିନ ଚଳାଚଳ କିଛି ମାତ୍ରାରେ ସହଜ ହେବ ବୋଲି ଆଶା କରାଯାଇଛି।
ଏଥିସହ ଲୁଲୁ ସେନା ଟିମ୍ କନ୍ତାମିଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଆଦିତ୍ୟ ସାହୁଙ୍କ ସହ ଯୋଗାଯୋଗ କରି ସୁଶାନ୍ତଙ୍କୁ ସରକାରୀ ସ୍ତରରେ ମିଳିପାରୁଥିବା ସହାୟତା ଶୀଘ୍ର ଯୋଗାଇଦେବାକୁ ଅନୁରୋଧ କରିଛି। ଆଗାମୀ ଦିନରେ ତାଙ୍କ ଚଳାଚଳରେ ଅଧିକ ସହାୟତା ପାଇଁ ଲୁଲୁ ସେନା ପକ୍ଷରୁ ଆଶାବାଡ଼ି ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି।
କଷ୍ଟର ସମୟରେ ଅସହାୟଙ୍କ ପାଖରେ ଠିଆ ହୋଇ ସହାୟତାର ହାତ ବଢ଼ାଇବା ହିଁ ପ୍ରକୃତ ମାନବିକତା ବୋଲି ଲୁଲୁ ସେନାର ଏହି ପଦକ୍ଷେପକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।
