--:--:--
-- ---
Srishti News

ଚିକିଟିରେ ସରକାରୀ କ୍ୱାଟର ପ୍ରତି କର୍ମଚାରୀ ବିମୁଖ-ନଷ୍ଟ ହେଉଛି ସରକାରୀ ସମ୍ପତ୍ତି

Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାSeptember 17, 202633 views
ଚିକିଟିରେ ସରକାରୀ କ୍ୱାଟର ପ୍ରତି କର୍ମଚାରୀ ବିମୁଖ-ନଷ୍ଟ ହେଉଛି ସରକାରୀ ସମ୍ପତ୍ତି
ଚିକିଟି : ତହସିଲ, ବ୍ଲକ୍,ପିଡବ୍ଲୁଡି, ସ୍ବାସ୍ଥ୍ୟ ଭଳି ବିଭିନ୍ନ ବିଭାଗୀୟ କର୍ମଚାରୀ ଓ ଅଫିସରଙ୍କ ରହିବା ପାଇଁ ନିର୍ମିତ ହୋଇଥିଲେ ମଧ୍ୟ ଏବେ ଖାଲି ପଡ଼ିଛି।ସରକାରୀ ଘର ଗୁଡ଼ିକ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ରହିବା ପାଇଁ ନିର୍ମିତ ଚିକିଟିର ୧୫ରୁ ଅଧିକ ସରକାରୀ କ୍ୱାଟର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହବିଲରୁ ବ୍ୟୟ କରି ନିର୍ମିତ ଏହି କୋଠାଗୁଡ଼ିକ ଦୀର୍ଘବର୍ଷ ଧରି ବ୍ୟବହାର ନହେବାରୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଛି। ଚିକିଟି ସବ୍‌-ଟ୍ରେଜେରି କର୍ମଚାରୀ ଓ ଅଧିକାରୀଙ୍କ କ୍ୱାଟର, ଅତିରିକ୍ତ ତହସିଲଦାରଙ୍କ କ୍ୱାଟର, ଏନ୍‌ଏସି ଇଓ ଓ କର୍ମଚାରୀଙ୍କ କ୍ୱାଟର ସମେତ ବିଭିନ୍ନ ସରକାରୀ ଆବାସ ଏଭଳି ଅବ୍ୟବହୃତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଅନେକ ଅଧିକାରୀ ଓ କର୍ମଚାରୀ ଚିକିଟିରେ ରହିବା ପରିବର୍ତ୍ତେ ବ୍ରହ୍ମପୁରରୁ ଯାତାୟାତ କରୁଥିବାରୁ ସରକାରୀ କ୍ୱାଟରଗୁଡ଼ିକର ଆବଶ୍ୟକତା ଓ ବ୍ୟବହାର ନେଇ ପ୍ରଶ୍ନ ଉଠିଛି। ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, କେତେକ ସରକାରୀ କୋଠାକୁ ଠିକାଦାରମାନେ ନିଜ ଗୋଦାମ ଭାବେ ବ୍ୟବହାର କରୁଥିବା କୁହାଯାଉଛି। ଫଳରେ ଏକପଟେ ସରକାରୀ ସମ୍ପତ୍ତିର ରକ୍ଷଣାବେକ୍ଷଣ ହେଉନାହିଁ, ଅନ୍ୟପଟେ ଏହାର ବ୍ୟବହାର ନେଇ ମଧ୍ୟ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠୁଛି। ବର୍ଷ ବର୍ଷ ଧରି ତାଲାବନ୍ଦ ଓ ଅବ୍ୟବହୃତ ରହିଥିବାରୁ କୋଠାଗୁଡ଼ିକର ଅବସ୍ଥା ଆହୁରି ଖରାପ ହେବା ସହ ସରକାରଙ୍କ ନିବେଶ ମଧ୍ୟ ନଷ୍ଟ ହେଉଛି। ଏପରି ସ୍ଥିତିରେ ସରକାରୀ ସମ୍ପତ୍ତିର ସୁରକ୍ଷା ଓ ସଦୁପଯୋଗ ନେଇ ପ୍ରଶାସନର ଦାୟିତ୍ୱ ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ସରକାରୀ କ୍ୱାଟରଗୁଡ଼ିକର ବର୍ତ୍ତମାନ ସ୍ଥିତି, ଆବଣ୍ଟନ ଓ ବ୍ୟବହାର ନେଇ ବିଧିବଦ୍ଧ ତଦନ୍ତ କରିବା ସହ ଅବ୍ୟବହୃତ କୋଠାଗୁଡ଼ିକୁ ମରାମତି କରି ପୁନଃ ବ୍ୟବହାରଯୋଗ୍ୟ କରିବାକୁ ଦାବି ହୋଇଛି। ଯଦି ସରକାରୀ କର୍ମଚାରୀଙ୍କ ପାଇଁ ଏହାର ଆଉ ଆବଶ୍ୟକତା ନାହିଁ, ତେବେ ନିୟମ ଅନୁସାରେ ଗରିବ ଓ ଆବଶ୍ୟକତାରେ ଥିବା ଲୋକଙ୍କ ଆବାସ ପାଇଁ ଏହି କୋଠାଗୁଡ଼ିକୁ ବ୍ୟବହାର କରିବାର ବିକଳ୍ପ ଉପରେ ବିଚାର କରିବାକୁ ମଧ୍ୟ ଦାବି ହୋଇଛି। ଏହାଦ୍ୱାରା ସରକାରୀ ସମ୍ପତ୍ତିର ସୁରକ୍ଷା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ଓ ଅବ୍ୟବହାରଜନିତ କ୍ଷତି ରୋକାଯାଇପାରିବ।