ଘୁଗୁରପାଲା ଦେଶୀ ଦାରୁଭାଟିରେ ବେଆଇନ ପାଉଚ୍ ମଦ ବିକ୍ରି ଅଭିଯୋଗ
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡSeptember 16, 202617 views

*ବାଇକ୍ ଓ ସ୍କୁଟିରେ ଗାଁ ଗାଁ ବିକ୍ରି ଅଭିଯୋଗ; ଅବକାରୀ ବିଭାଗର ନିରବତା ନେଇ ପ୍ରଶ୍ନ*
କଳାହାଣ୍ଡି/ଟିସିଟି : ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ ଅଧୀନ ଘୁଗୁରପଲା ଦେଶୀ ଦାରୁଭାଟିରେ ବେଆଇନ ଭାବେ ଦେଶୀ ପାଉଚ୍ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଭାଟିର କେତେକ କର୍ମଚାରୀ ନିଜସ୍ୱ ବାଇକ୍ ଓ ସ୍କୁଟି ଯୋଗେ ଗାଁ ଗାଁ ବୁଲି ମଦ ବିକ୍ରି କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଦେଶୀ ଦାରୁଭାଟିରେ ନିଯୁକ୍ତ କେତେକ କର୍ମଚାରୀ ଭାଟି ପରିସର ବାହାରେ ମଧ୍ୟ ପାଉଚ୍ ମଦ ବିକ୍ରି କରୁଛନ୍ତି। ଏହା ଫଳରେ ଗ୍ରାମାଞ୍ଚଳରେ ମଦର ସହଜ ଉପଲବ୍ଧତା ବଢ଼ୁଥିବା ସହ ସାମାଜିକ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡ଼ୁଥିବା ନେଇ ଅଭିଯୋଗ ଉଠିଛି। ବିଶେଷକରି ଦିନମଜୁର ଓ ଗରିବ ଶ୍ରେଣୀର ଲୋକମାନେ ମଦ୍ୟପାନରେ ଅର୍ଥ ବ୍ୟୟ କରିବା ଫଳରେ ପରିବାରର ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିବା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ଜିଲ୍ଲା ଅବକାରୀ ବିଭାଗର ମତାମତ ମିଳିପାରିନାହିଁ। ଭାଟିର କର୍ମଚାରୀମାନେ ଗାଁ ଗାଁ ବୁଲି ମଦ ବିକ୍ରି କରୁଥିବା ଅଭିଯୋଗର ସତ୍ୟତା, ଏଥିପାଇଁ କୌଣସି ଅନୁମତି ରହିଛି କି ନାହିଁ ଏବଂ ଭାଟିର ଲାଇସେନ୍ସରେ ଏଭଳି ବିକ୍ରିର ବ୍ୟବସ୍ଥା ଅଛି କି ନାହିଁ, ସେନେଇ ବିଭାଗ ପକ୍ଷରୁ ତଦନ୍ତ କରାଯିବା ଆବଶ୍ୟକ ବୋଲି ଦାବି ହୋଇଛି।
ଘୁଗୁରପଲା ଅଞ୍ଚଳରେ ଦେଶୀ ପାଉଚ୍ ମଦର କଥିତ ବେଆଇନ ବିକ୍ରି ଉପରେ ତୁରନ୍ତ ଯାଞ୍ଚ କରିବା ସହ ନିୟମ ଉଲ୍ଲଂଘନ ହୋଇଥିଲେ ଆଇନାନୁଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ଭାଟିର କାର୍ଯ୍ୟକଳାପ ଓ ବିକ୍ରି ପ୍ରକ୍ରିୟାର ନିୟମିତ ଯାଞ୍ଚ କରାଯିବା ସହ ଅବକାରୀ ବିଭାଗ ପକ୍ଷରୁ ସ୍ପଷ୍ଟ ତଥ୍ୟ ପ୍ରକାଶ କରାଯିବାକୁ ସଚେତନ ମହଲରେ ଦାବି ହୋଇଛି।
